ବହୁରୂପୀ

 

 

 

 

 

 

 

 

 

 

ବହୁରୂପୀ

ରବି ପଟ୍ଟନାୟକ

 

ନିଜ କଥା

 

ଚଉଦଟି ଗଳ୍ପ । ଚଉଦଟି ମୁଖ୍ୟ ଚରିତ୍ର । ପୁଣି କେତେ ନା କେତେ ପାର୍ଶ୍ୱ ଚରିତ୍ର । ସମସ୍ତେ କାଳ୍ପନିକ । ସମସ୍ତେ ମିଛ । ମାୟା । ଭ୍ରାନ୍ତି । କିନ୍ତୁ ସତ୍ୟ ଏକା ‘ମୁଁ’-ଲେଖକ । ପ୍ରତ୍ୟେକ ଚରିତ୍ରରେ ମୁଁ ନିଜକୁ ପ୍ରକାଶିତ କରିଛି । ଏକ ମୁଁ-ବହୁ ଭାବରେ ବହୁ ବେଶରେ ନିଜକୁ ହିଁ ରୂପାୟିତ କରିଛି । ଏକା ମୁଁ-ଅଥଚ ଅନେକ ମୋର ରୂପ । ମୁଁ ଏକ ‘‘ବହୁରୂପୀ’’ ।

 

କେତେ ବିଚିତ୍ର । କେତେ ବିସ୍ମୟକର । କେତେ ଆଶ୍ଚର୍ଯ୍ୟ । ପୁଣି କେତେ ଆନନ୍ଦମୟ ଏ ଅନୁଭୂତି-ନିଜକୁ ବହୁ ଭାବରେ ବିଛାଇ ଦେଇ, ସେଇ ଅନେକ ଭିତରେ କେବଳ ଏଇ ଏକତ୍ୱର ଆବିଷ୍କାର ।

Image

 

 

 

 

 

 

 

 

 

ଏକ ନିଷ୍ପାପ, ସରଳ, ନିଷ୍କଳଙ୍କ ଚରିତ୍ର–

ସ୍ୱର୍ଗୀୟ ଦେବଦତ୍ତ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ–

 

ଶ୍ରୀ ରବି ପଟ୍ଟନାୟକ

 

ବହୁରୂପୀ

 

୧.

ପ୍ରିନ୍‌ସ ଚାର୍ମିଙ୍ଗ୍‌

୨.

ଅଜ୍ଞାତ ନାୟକ

୩.

ଅଣସର

୪.

ସାକ୍ଷାତ୍‌କାର

୫.

ଅଭିନେତା

୬.

ବେଲାଳସେନ

୭.

ବିପନ୍ନ ଅହଙ୍କାର

୮.

ଚିଲ

୯.

ବେଲ, ଅଶ୍ୱତ୍‍ଥ ଓ ବଟବୃକ୍ଷ

୧୦.

ଆଶ୍ରୟ ପ୍ରାର୍ଥୀ

୧୧.

ତକ୍ଷକ

୧୨.

ପ୍ରତିବିପ୍ଳବୀ

୧୩.

ନିରୁଦ୍ଦିଷ୍ଟ ବ୍ୟକ୍ତି

୧୪.

ଯେ ପକ୍ଷୀ ଉଡ଼େ ଯେତେ ଦୂର

Image

 

ପ୍ରିନ୍‌ସ ଚାର୍ମିଙ୍ଗ୍‌

 

ଶିଲଂ ପିକ୍‌ ଉପରେ ବର୍ଷଣମୁଖର ଦଳିତାଞ୍ଜନ ମେଘ । ଠିକ୍ ତାରି ତଳେ ତଳେ ସଂରକ୍ଷିତ ଚିରଶ୍ୟାମଳ ପାଇନ ବଣର ଶୀର୍ଷ ଦେଶରେ ସଞ୍ଚରିଯାଉଛି ଏକ ଶୁଭ୍ର ଧବଳ ଝୀନ ଉତ୍ତରୀୟ ପରି ଖଣ୍ଡ ଖଣ୍ଡ ଶୁଭ୍ର ମେଘ ।

 

କାର୍ ଚାଲିଛି ।

 

ଅଙ୍କାବଙ୍କା ପିଚ୍‌ ରାସ୍ତା ଦେଇ ଲଙ୍ଗ୍‌ ଡ୍ରାଇଭ୍‌ ରାସ୍ତା ଦେଇ ଲଙ୍ଗ୍‌ ଡ୍ରାଇଭ୍ ରାସ୍ତାରେ ପାଇନ୍‌ ବଣ ଭିତରେ । ହଳଦିଆ-ଶ୍ୟାମଳ ରଙ୍ଗର ସୁଦୀର୍ଘ ପ୍ରାନ୍ତର ପୋଲୋ ଗ୍ରାଉଣ୍ଡ ଉତ୍ତରକୁ ସାମାନ୍ୟ କ୍ଷୀଣ ହୋଇ ଆସି ପୁଣିଥରେ ବିସ୍ତାରିତ ହୋଇ ପୂର୍ବ-ପଶ୍ଚିମ ହୋଇ ଲମ୍ୱିଯାଇଛି । ରେଶ୍‌ କୋର୍ଶ–ଗୋଲ୍‌ଫଲିଙ୍କ୍‌ । ଶ୍ୟାମଳ ପ୍ରାନ୍ତର ଶେଷରେ ହଠାତ୍‌ ଏକ ଗାଢ଼ ଶ୍ୟାମଳ ରଙ୍ଗର ପ୍ରାଚୀର ପରି ଛିଡ଼ାହୋଇଛି ଅନୁଚ୍ଚ ପାହାଡ଼ । ଦୀର୍ଘ, ତ୍ରିଭୁଜାକାର ପାଇନ୍‌ ଓ ଦେବଦାରୁର ସଂରକ୍ଷିତ ଅରଣ୍ୟ । ପ୍ରାନ୍ତରର କ୍ଷୀଣତମ ଅଂଶକୁ ଦୁଇଭାଗ କରି ବହିଯାଉଛି କୁଳୁକୁଳୁ ହୋଇ ଗିରିତଟିନୀ । ମଧ୍ୟାହ୍ନର ଖରାରେ ତରଳ ରୁପା ପରି ଚିକ୍‌ମିକ୍‌ କରିଉଠୁଛି ବହମାନ ଜଳଧାରା, କୌଣସି ଏକ ରୂପକଥାର ଶ୍ୟାମଳୀ-ରାଜକନ୍ୟାର କ୍ଷୀଣ କଟିଦେଶରେ ରୂପାର ଚନ୍ଦ୍ରହାର ପରି । କାର୍‌ ଚଳାଉଛନ୍ତି ଖାସି କନ୍ୟା ଏଲିଜାବେଥ୍‌ ଖାର୍‌ମାଲଙ୍ଗ ।

 

ଉଚ୍ଚତା ଚାରିଫୁଟ ପାଞ୍ଚ ଇଞ୍ଚ ।

 

ଭାଇଟେଲ୍‌ ଷ୍ଟାଟିଷ୍ଟିକ୍‌ସ । ୩୬-୨୬-୩୬ ଇଞ୍ଚ । ଲୋଭନୀୟ ଫିଗର୍‌ ନୁହେଁ ଅବଶ୍ୟ-। ବବ୍‌କରା ବାଳ । ସେମ୍ପୁ କରା । କହରା । ଭ୍ରୂଲତାରେ ଆଇ-ବ୍ରୋ ପେନ୍‌ସିଲ୍‌ର ଦାଗ ବେଶ୍‌ ସ୍ପଷ୍ଟ-। ଗାଢ଼ ନାଲି ରଙ୍ଗର ଲିପଷ୍ଟିକ୍‌ ଛୋଟ ଓଠ ଦୁଇଟିର ସୀମାରେଖାକୁ ଚିହ୍ନିତ କରୁଛି ତୀବ୍ର ଭାବରେ-। ସାମାନ୍ୟ ଚେପ୍‌ଟା ନାକ । ଆଖି ଦୁଇଟି ଭସାଭସା । ଦେହର ରଙ୍ଗଟା ଠିକ୍ ଚୂନ ସଙ୍ଗରେ ହଳଦି ମିଶିଲେ ଯେଉଁ ଈଷତ୍ ନାଲିରଙ୍ଗଟା ଉକୁଟିଉଠେ–ଅବିକଳ ସେଇ ରଙ୍ଗ । ଦେହର ରଙ୍ଗଟା ଯେମିତି କ୍ରମଶଃ ଫିକା ହୋଇ ହୋଇ ମିଶିଯାଇଚି କହରାବାଳ ସାଙ୍ଗରେ ।

 

ଏକାଲୟରେ ଗାଡ଼ି ଚଳଉଛନ୍ତି ସେ । କାର୍‌ ଭିତରେ ସେ ଆଉ ମୁଁ । ଆମ ଭିତରେ ଏକ ଗର୍ଭବତୀ ନୀରବତା । ଲଙ୍ଗ୍‌ ଡ୍ରାଇଭ୍‍ର ଉଠାଣି ଗଡ଼ାଣି ରାସ୍ତା ଦେଇ ଗାଡ଼ି ଚାଲିଛି ହେପି ଭେଲିଆଡ଼କୁ । ପୁଣି ଫେରିଆସୁଛି ସେଇ ରାସ୍ତା ଦେଇ ପୋଲୋ ବଜାର ପାଖକୁ । ହଠାତ୍‌ ଯେମିତି ଆମେ ଏକ ଭଉଁରୀ ଭିତରେ ପଶି ଯାଇ ବାଟ ଖୋଜି ପାଉନୁ । କିନ୍ତୁ ସମ୍ମୋହିତ ହୋଇ ଭଉଁରୀର ଏ ରାସ୍ତା ସେ ରାସ୍ତା ଦେଇ ବାହାରର ରାସ୍ତା ଖୋଜି ବୁଲୁଛୁ ।

 

ହଠାତ୍‌ ମେଘାଳୟ ସରକାରଙ୍କ ଷ୍ଟେଟ୍‌ ଇଲେକ୍‌ଟ୍ରିକ୍‌ସିଟି ବୋର୍ଡ଼ର ଗୋଦାମ ଘରଠାରୁ ପ୍ରାୟ ଅଧମାଇଲ ଦୂରରେ ପାହାଡ଼ର ଶିଖର ଦେଶରେ ସେ ତମ୍‌ କରି ବ୍ରେକ୍ କସି ଗାଡ଼ି ବନ୍ଦ କଲେ । ଅତର୍କିତ ଧକ୍‌କାରେ ମୁଁ ବି ସଂବିତ୍‌ ଫେରିପାଇଲି ।

 

ଏଲିଜାବେଥ୍‌ଙ୍କ ଓଠ ଦୁଇଟି ବନ୍ଦ । ଆଖିରେ କିନ୍ତୁ ହସ । ‘‘ଚାଲ ଯିବା, ପାଇନ ବଣ ଭିତରକୁ ! ବସିବା ଟିକିଏ । ନିର୍ଜ୍ଜନରେ । ଏକାନ୍ତରେ । ଆପତ୍ତି ଅଛି ?’’

 

ମୋର ବା ଆପତ୍ତି କ’ଣ ଥାଇପାରେ ?

 

ହୁଇସ୍କି ଖାଇବାର ଅଭ୍ୟାସ ନାହିଁ ମୋର । ତେଣୁ ମାତ୍ର ଦୁଇ ପେଗ୍ ପରେ ବି ଦେହର ଭାରସାମ୍ୟ ରକ୍ଷା କରିବା ମୋ ପକ୍ଷରେ ଅସମ୍ଭବ ହୋଇପଡ଼ୁଛି । ମିସ୍‌ ଏଲିଜାବେଥ୍‌ ଖାରମାଲଙ୍ଗଙ୍କର କିନ୍ତୁ କିଛି ଚିନ୍ତା ନାହିଁ । ଦିବାରାତ୍ର ମଧ୍ୟରେ ଯେକୌଣସି ସମୟରେ ସେ ଗୋଟାଏ ପୂରା ବୋତଲ ପିଇବାକୁ ସମର୍ଥ । କୌଣସି ବିଶେଷ ପ୍ରଭାବ ନାହିଁ ତାଙ୍କ ଉପରେ ।

 

ଅପରାହ୍ନ ଦୁଇଟା ହେବ । ସମସ୍ତ ଗୋଲଫଲିଙ୍କ୍‌, ରେଶ୍‌ କୋର୍ଶ , ପୋଲୋ ଗ୍ରାଉଣ୍ଡ୍, ଏକାବେଳକେ ନିର୍ଜନ । କାର୍ଯ୍ୟବ୍ୟସ୍ତ ମଣିଷର ସମୟ କାହିଁ ଦିନ ଭିତରେ ପ୍ରକୃତିର ଏ ଶୋଭା ନିରୀକ୍ଷଣ କରିବାକୁ ? ପାହାଡ଼ରୁ ଢାଲୁ ଅଂଶରେ ଆମେ ଗଡ଼ିଚାଲିଛୁ ତଳକୁ । ଳମ୍ୱା ଲମ୍ୱା ଦୀର୍ଘଦେହୀ ପାଇନ୍‌ ଗଛର ଫାଙ୍କ ଦେଇ ତିର୍ଯ୍ୟକ୍‌ ଭାବରେ ପଶ୍ଚିମର ସୂର୍ଯ୍ୟକିରଣ ଆସୁଛି ଲକ୍ଷ ଲକ୍ଷ ଆଲୋକର ପତନୋନ୍ମୁଖୀ ତୀର ପରି । ପାହାଡ଼ର ଉପର ଅଂଶରେ ଛୋଟ ଛୋଟ ବୁଦା ଗଛର ଗହଳି ନାହିଁ । ଏକାବେଳକେ ମସୃଣ । ଛୋଟ ଛୋଟ ଘାସର ବିସ୍ତୃତ କେବଳ । ମଝିରେ ମଝିରେ ଖଣ୍ଡିଏ ଖଣ୍ଡିଏ ଛୋଟ ଛୋଟ ପଥରର ଚଟାଣ । କ୍ଷୟଶୀଳ । ଅନବରତ ବର୍ଷାର କ୍ଷୁରଧାର ବର୍ଚ୍ଛାର ଆଘାତରେ । ହାତରେ ଧରିଲେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଉଛି । ତା ଛଡ଼ା ବାକି ଅଂଶ କେବଳ ମାଟି । ନାଲିଚିଆ ମାଟିଆ ରଙ୍ଗର । ତା ଉପରେ ଶିଉଳି ଜମିଛି । ଏକ କ୍ଷୀର ଆସ୍ତରଣ । ଗୋଡ଼ ଖସିଯାଉଛି । ପାଦ ଠିକ୍‌ ରହୁନାହିଁ । ତଥାପି ଆମେ ଚାଲିଛୁ । ଚାରିଇଞ୍ଚ ଲମ୍ୱର ସୁତୀକ୍ଷ୍‌ଣ ଗୋଜିଆ ହିଲ୍‌ ପିନ୍ଧି ଏଲିଜାବେଥ୍‌ କିନ୍ତୁ ବେଶ୍ ସ୍ୱଚ୍ଛନ୍ଦରେ ଚାଲୁଛନ୍ତି ।

 

ଆମେ ଅନେକ ବାଟ ଆସିଲୁଣି । କେତେବେଳେ ତଳକୁ ଗଡ଼ି, କେତେବେଳେ ଉପରକୁ ଉଠି । ଏଲିଜାବେଥ୍‌ ଆଗରେ । ମୁଁ ତାଙ୍କର ଅନୁସରଣ କରିଛି । ବହୁ ଦୂରରେ ଅରଣ୍ୟର ଫାଙ୍କ ଦେଇ ଦେଖାଯାଉଛି ଲଙ୍ଗ୍‌ ଡ୍ରାଇଭର୍‌ ଖଣ୍ଡେ ଅଂଶ । ଖରାର ପ୍ରତିଫଳନରେ ଗୋଟାଏ କଳା ସାପର ପିଠି ପରି ଚକ୍‌ମକ୍‌ କରୁଛି । ବୁଦା ଗଛର ଅନୁପସ୍ଥିତି ହେତୁ ଏଇ ଅରଣ୍ୟରେ ବହୁଦୂର ପର୍ଯ୍ୟନ୍ତ ଅନାୟାସରେ ଦେଖାଯାଇପାରେ । କେବଳ ସିଧା ଆଖିରେ ଚାହିଁଲେ ବଡ଼ବଡ଼ ଗଛର ଗଣ୍ଡିଗୁଡ଼ାକ ମନେହୁଏ ସତେ ଯେମିତି କେତେଗୁଡ଼ାଏ ବଡ଼ ବଡ଼ ଖମ୍ୱ ମାତ୍ର ।

 

କିଛି ସମୟ ଏମିତି ଚାଲିଲା ପରେ ଅପେକ୍ଷାକୃତ ଏକ ପରିଷ୍କାର ଜାଗାରେ ହଠାତ୍‌ କରି ଛିଡ଼ା ହୋଇଗଲେ ଏଲିଜାବେଥ୍‌ । ଗଡ଼ାଣି ଉଠାଣି ରାସ୍ତାରେ ଚାଲି ଚାଲି ମୁଁ, ଏକାବେଳକେ ଧଇଁ ସଇଁ ହୋଇପଡ଼ିଥିଲି । କିଛି ସମୟ ଠିଆହୋଇ ଦମ୍‌ ନେଲି । ରାସ୍ତା ଆଉ ଦେଖାଯାଉ ନାହିଁ-। ଚାରିଆଡ଼ ଘନ ଶ୍ୟାମଳର ଏକ ସଜୀବ ପାଚେରି । ତଳେ ଝାଉଁ ଗଛର ପତ୍ର ପରି ପାଇନ୍ ଗଛର ଛୁଞ୍ଚି ପରି ପତ୍ର ଜମା ହୋଇ ରହିଛି ପ୍ରାୟ ଏକଫୁଟ ଉଚ୍ଚରେ । ମଝିରେ ମଝିରେ ଖଣ୍ଡ ଖଣ୍ଡ ଶୁଖିଲା ହାଡ଼ ପରି ବିଞ୍ଚି ହୋଇ ରହିଛି ପାଇନ ଗଛର ମଞ୍ଜି–ପାଇନ କୋନ୍‌ । ନଇଁପଡ଼ି ସେଗୁଡ଼ାକ ଗୋଟେଇ ଏପଟ ସେପଟକକୁ ଫିଙ୍ଗିବାକୁ ଲାଗିଲେ ଏଲିଜାବେଥ୍‌ । ତାଙ୍କ କାର୍ଯ୍ୟରେ ସହଯୋଗ କରିବାକୁ ଇଚ୍ଛାଥିଲେ ଦେହର କ୍ଲାନ୍ତି ଯାଗୁଁ ମୁଁ ଚୁପ୍‌ କରି ଛିଡ଼ା ହୋଇ ରହିଥାଏ ।

 

ଜାଗାଟିକୁ ପରିଷ୍କାର କରିସାରି ସେ ହଠାତ୍‌ ତାଙ୍କର ଦୁଇ ହାତ ଓସାରର ଗାଢ଼ନୀଳ ବର୍ଣ୍ଣର ଲୁଙ୍ଗିଟିକୁ ଖୋଲିଦେଇ ବିଛାଇଦେଲେ ତା’ଉପରେ । ଇଷତ୍‌ ପିଙ୍କ୍‌ ରଙ୍ଗର ହାଫ୍‌ ସ୍ଲିପ୍‍ଟା ପିନ୍ଧି ସେ ନିଜେ ବସିପଡ଼ି ମୋତେ କହିଲେ, ‘ବସ’ ।

 

ମୁଁ ବସିଲି ଗୋଟାଏ କ’ଣକୁ । ସେ ମୋର ଗୋଡ଼ ଦୁଇଟାକୁ ଜବରଦସ୍ତି ଟାଣି ଲମ୍ୱା କରି ମୋ କୋଳ ଉପରେ ମୁଣ୍ଡ ରଖି ଆଖିବୁଜିଲେ ।

 

ଦୁଇ

 

ଏଲିଜାବେଥ୍‌ ଖାରମାଲଙ୍ଗଙ୍କ ସହିତ ମୋର ପରିଚୟ ଓ ଘନିଷ୍ଠତା ଏକାବେଳକେ ଆକସ୍ମିକ । ଆକସ୍ମିକତା ହିଁ ବୋଧହୁଏ ଘଟଣାର ଜନକ । ତେଣୁ ଯେକୌଣସି ଘଟଣାର ଆରମ୍ଭ ହୁଏ ଏଇ ଆକସ୍ମିକତା ଭିତରୁ ।

 

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଜଣେ ପ୍ରୋବେସନାରୀ ଅଫିସର ଭାବରେ ମୋର ପ୍ରଥମ କାର୍ଯ୍ୟକାଳ ମରମ୍ଭ ହୁଏ ଶିଲଂରେ । ଚାକିରିରେ ନୁଯୁକ୍ତ ହେବାର ବର୍ଷକ ପରେ ଦିନେ ଘଟିଥିଲା ଏଇ ଘଟଣାଟା । ମୁଁ ମୋ କୋଠରିରେ ବସିଛି । ହଠାତ୍‌ ଅସ୍ତବ୍ୟସ୍ତ ହୋଇ ଭିତରକୁ ପଶିଆସିଲେ ଅଫିସର ସିନିଅର କିରାଣି ମିଃ ବରଠାକୁର । ବରଠାକୁର ଗୌହାଟି ବ୍ରାଞ୍ଚରୁ ବଦଳି ହୋଇ ଆସିଲେ । ମାତ୍ର ପନ୍ଦରଦିନ ତଳେ । ହାତରେ ତାଙ୍କର ଗୋଟାଏ ଚେକ୍‌ ।

 

‘‘ଦେଖନ୍ତୁ ତ ସାର୍‌, ଗୋଟେ ଦସ୍ତଖତ ମିଳୁନାହିଁ । ମୁଁ କେମିତି ପାଶ୍‌ କରିବି । ତା’ପରେ ପୁଣି ଏତେଗୁଡ଼ାଏ ଟଙ୍କା ? ଅଥଚ ଭଦ୍ରମହିଳା ମୋ ଉପରେ ରାଗିମାଗି ମାର୍‌ ନ ମାର ।’’

 

ସେ ଚେକ୍‌ଟି ଓ ସ୍ପେସିମେନ୍‌ ଦସ୍ତଖତ-ସଂରକ୍ଷିତ ଖାତାଟି ମୋଆଡ଼କୁ ବଢ଼େଇଦେଲେ-। ମୁଁ ଚେକ୍‌ଟି ଦେଖିଲି । ଚେକ୍‌ର ଦସ୍ତଖତଟିକୁ ନାମ ସଂଗ୍ରହ କରିବା ଅସମ୍ଭବ ବ୍ୟାପାର । ଦସ୍ତଖତ-ସଂକ୍ଷିତ ଖାତାଟି ଉପରେ ପରିଷ୍କାର କରି ନାମ ଲେଖା ‘‘ମିସ୍‌ ଏଲିଜାବେଥ୍‌ ଖାରମାଲଙ୍ଗ-।’’ ତା’ତଳେ ତିନୋଟି ଦସ୍ତଖତ । ଚେକ୍‌ରେ ଟଙ୍କାର ପରିମାଣଟା ଚାରିଅଙ୍କ ବିଶିଷ୍ଟ । ସତରେ, ଚେକ୍‌ର ଦସ୍ତଖତ ଓ ଖାତାରେ ଚିହ୍ନିତ ଦସ୍ତଖତ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ।

 

ମୁଁ କହିଲି ‘‘ଆପଣ ସେ ଭଦ୍ରମହିଳାଙ୍କୁ ମୋ ପାଖକୁ ଡାକିଦିଅନ୍ତୁ ।’’ ଏମିତି ଘଟଣା ବେଙ୍କ୍‌ ଜୀବନରେ ପ୍ରାୟ ଘଟିଥାଏ । ତେଣୁ ଏଥିରେ କିଛି ଗୁରୁତ୍ୱ ନ ଦେଇ ମୁଁ ଅନ୍ୟ କାମରେ ମନୋନିବେଶ କଲି ।

 

ହଠାତ୍‌ ଗୋଟାଏ ବିଦେଶୀ ସେଣ୍ଟ୍‌ର ସୌରଭରେ କୋଠରିଟି ମୋର ସୁରଭିତ ହୋଇଉଠିଲା । ମୁଁ ମୁଣ୍ଡଉଠାଇ ଚାହିଁବା ଆଗରୁ ଶୁଣାଗଲା ଗୋଟାଏ ସରୁ ସ୍ଖଳିତ କଣ୍ଠସ୍ୱର ‘‘ମେ ଆଇ କାମ୍‌ ଇନ୍‌ ?’’

 

ଟାଇଟ୍‌ ଷ୍ଟ୍ରେଚ୍‌ ନାଇଲନ୍‌ର ପେଣ୍ଟ । ଅଣ୍ଟା ପର୍ଯ୍ୟନ୍ତ ଗୋଟାଏ ନାଲି ହଳଦିଆ ପଟା ପଟା ରଙ୍ଗର ଆର୍ଲନର ଚିପା ଗଞ୍ଜି ଛାତି ଉପରର ବର୍ଦ୍ଧିତ ମାଂସଳତାକୁ ଆହୁରି ଉନ୍ନତ କରି ଦେଖାଇଦେଉଛି । ସେମ୍ପୁ କରା ବାଳ । ଓଠରେ ସ୍କିନ୍‌ କଲାର୍‌ର ଲିପ୍‌ଷ୍ଟିକ୍‌ । ଆଖି ଦୁଇଟି ଗଭୀର କଳା-ଅଥଚ ଅନିର୍ଦ୍ଦିଷ୍ଟ ଦୃଷ୍ଟି ।

 

‘‘ଇଏସ୍‌, ଇଏସ୍‌, କମ୍‌ ଇନ୍‌ ’’ କହିବା ପୂର୍ବରୁ ସେ ପଶିଆସିଥିଲେ । ମୁଁ ବସିବାକୁ କହିଲି । ସେ ସାମ୍ନା ଚେଆରଟିକୁ ଟିକେ ପଛକୁ ଟାଣିନେଇ ବସିପଡ଼ି ଟେବୁଲ ଉପରେ ଝୁଙ୍କିପଡ଼ି ମୋଆଡ଼କୁ ଚାହିଁ କହିଲେ, ‘‘ଇଟ୍‌ ଇଜ୍‌ ଏବାଉଟ ମାଇଁ ଚେକ୍‌ । ଦେଖନ୍ତୁ ତ ଗତ ଚାରିବର୍ଷ ଧରି ମୁଁ ଏକ ବେଙ୍କରୁ ଟଙ୍କା ନେଉଛି । କେହି କେବେ ଆପତ୍ତି କରିନାହିଁ । ଅଥଚ ଏଇ ଭଦ୍ରଲୋକ-ବୋଧହୁଏ ନୂଆ ଆସିଛନ୍ତି–ତାଙ୍କର ଯେତେସବୁ ଆପତ୍ତି । ଚେକ୍‌ରେ ମୋର ଦସ୍ତଖତ ମିଳୁନାହିଁ । ଅସମ୍ଭବ । ସେଇ ପୁରୁଣା ଭଦ୍ରଲୋକ କୁଆଡ଼େ ଗଲେ । ସେ ଭାରି ଭଲ ।’’ ମୋତେ କିଛି କହିବାର ସୁଯୋଗ ନ ଦେଇ ସେ ଅନର୍ଗଳ କଥା କହିବାରେ ଲାଗିଛନ୍ତି । ବିଦେଶୀ ସେଣ୍ଟ୍‍ର ମୃଦୁ ସୌରଭ ବିଦେଶୀ ମଦର ଗନ୍ଧକୁ ପୂରାପୂରି ନିଃଶେଷ କରିପାରି ନାହିଁ । ସେଥିପାଇଁ ସେ କଥା କହିଲାବେଳକୁ ସେ ସୁଗନ୍ଧକୁ ପ୍ରତିହତ କରି ହୁଇସ୍କିର ତୀବ୍ର ଗନ୍ଧ ମୋର ନାକପୁଡ଼ା ଭିତରେ ଜ୍ୱାଳା ଦେବାକୁ ଆରମ୍ଭ କରିଥାଏ ।

 

ମୁଁ ଟିକିଏ କଠିନ ସ୍ୱରରେ କହିଲି–‘‘ଦେଖନ୍ତୁ ମିସ୍‌, ସେ ଭଦ୍ରଲୋକଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ । ପ୍ରକୃତରେ ଆପଣଙ୍କ ଦସ୍ତଖତ ମିଳୁନାହିଁ । ମପଣ ନିଜେ ପରୀକ୍ଷା କରି ଦେଖିପାରନ୍ତି ।’’

 

‘‘ତାହେଲେ ମୁଁ କଅଣ ଆଜି ଟଙ୍କା ପାଇବି ନାହିଁ !’’ ଭଦ୍ରମହିଳା ଉତ୍ତେଜିତ ହୋଇ ପ୍ରତିବାଦ କରିଉଠିଲେ । ‘‘ମୁଁ ଆପଣଙ୍କ ସାମ୍ନାରେ ଆହୁରି ହଜାରେଟା ଦସ୍ତଖତ କରିବାକୁ ପ୍ରସ୍ତୁତ ଅଛି ।’’

 

ଭଦ୍ରମହିଳା ନିଶ୍ଚିତ ଭାବେ ଅପ୍ରକୃତିସ୍ଥା । ଏ ସମୟରେ ତାଙ୍କୁ ଆହୁରି ଉତ୍ତେଜିତ କରି ଗୋଟାଏ ଦୃଶ୍ୟ ରଚନା କରକିବାକୁ ମୁଁ ଚାହୁଁନଥିଲି । ତା’ଛଡ଼ା ଏପରି ଅବସ୍ଥାରେ ହଜାରେ ଛାଡ଼ି ପାଞ୍ଚ ହଜାର ଦସ୍ତଖତ କଲେ ବି ମିଳିବା ସମ୍ଭବପର ନୁହେଁ । ମୁଁ ଅପେକ୍ଷାକୃତ ଧୀର ସ୍ୱରରେ କହିଲି, ‘‘ଦେଖନ୍ତୁ, ଆପଣ ଏ ବେଙ୍କର ଜଣେ ପୁରୁଣା ଗ୍ରାହକ । ତେଣୁ ଏଠାକାର ଅଧିକାଂଶ କର୍ମଚାରୀ ନିଶ୍ଚୟ ଆପଣଙ୍କ ଚିହ୍ନାଥିବେ । ସେମାନଙ୍କ ଭିତରୁ କେହି ଯଦି ଆପଣଙ୍କୁ ଚିହ୍ନଟ କରେ, ତେବେ ଦସ୍ତଖତ ନ ମିଳିଲେ ବି ଆପଣଙ୍କୁ ଆମେ ଟଙ୍କା ଦେଇଦେବୁ ।’’

 

ଭଦ୍ରମହିଳା ଆନନ୍ଦିତ ହୋଇଉଠିଲେ । ‘‘ମୋତେ ଚିହ୍ନଟ କରିବାକୁ ଆପଣଙ୍କୁ କେବଳ ବେଙ୍କ୍‌ କର୍ମଚାରୀ କାହିଁକି କହିବେ ଯଦି ସାରା ଶିଲଂ ସହରର ଲୋକଙ୍କୁ ମୁଁ ଡାକି ଆଣିପାରିବି ।’’

 

ମୁଁ ମିଃ ବରଠାକୁରଙ୍କୁ କହିଲି ‘‘ଆପଣ ବରଂ ଚେକ୍‌ଟା ନେଇ ଏକାଉଟେଣ୍ଟକୁ ପଚାରି ଟଙ୍କାଟା ଆଣି ତାକୁ ମୋ ସାମ୍ନାରେ ଦେଇଯାଆନ୍ତୁ । ’’

 

‘‘ଓଃ, ଅନେକ ଧନ୍ୟବାଦ ।’’ ମିସ୍‌ ଏଲିଜାବେଥ୍‌ କହିଲେ । ବରଠାକୁର ଚେକ୍‌ ନେଇ ପ୍ରସ୍ଥାନ କଲେ ।

 

ଚେକ୍‌ର ସମାଧାନ ହୋଇଯିବା ପରେ ମିସ୍‌ ଖାରମାଲଙ୍ଗ୍‌ ହଠାତ୍‌ ମୋ ସମ୍ବନ୍ଧରେ କୌତୂହଳୀ ହୋଇଉଠିଲେ । ନାମ କ’ଣ ? କୋଉଠୁଁ ଆସିଛନ୍ତି ? କୋଉ ଦେଶ ? କେତେଦିନ ହେଲା ଶିଲଂରେ ? ବର୍ଷେ ହେଲା ଆସିଛନ୍ତି, ମୋତେ ଚିହ୍ନିନାହାନ୍ତି ? ଆଶ୍ଚର୍ଯ୍ୟ ! ଆପଣ କ୍ଲବ୍ ଯାଆନ୍ତି ନାହିଁ ? ବାର୍‌ ହାଉସ୍‌ ? ଆଶ୍ଚର୍ଯ୍ୟ ! ଆପଣଙ୍କ ପରି ପଦସ୍ଥ କର୍ମଚାରୀ ପୁଣି ଅବିବାହିତ, ଶିଲଂରେ ସମୟ କାଟୁଛନ୍ତି କେମିତି ? ପାଗଳ ହୋଇଯିବେ । ଆଉ କିଛିଦିନ ଏମିତି ରହିଲେ ପାଗଳ ହୋଇଯିବେ କହୁଛି । ଆଚ୍ଛା, ସନ୍ଧ୍ୟାବେଳେ କ’ଣ କରୁଛନ୍ତି ? ଆସନ୍ତୁ ମୋ ଘରକୁ ? କାର୍‌ କିଛି ଆପଣଙ୍କର । ନାହିଁ, କିଛି ଚିନ୍ତା ନାହିଁ, ମୁଁ ଆପଣଙ୍କୁ ପିକ୍ଅପ୍‌ କରି ନେଇଯିବି । କ’ଣ କହିଲେ-? ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଅଫିସ୍‌ ? କାହିଁକି ? କ’ଣ ଏମିତି କାମ ? ଓ, ବୁଝିଲ ଦାୟିତ୍ୱସମ୍ପନ୍ନ କର୍ମଚାରୀ । ଆଚ୍ଛା ଠିକ୍‌ ହେଲା–ସନ୍ଧ୍ୟା ସାତଟା ତେବେ । ମୁଁ ଠିକ୍‌ ଆପଣଙ୍କ ଅଫିସ୍‌ ସାମ୍ନରେ ଆସି ପହଞ୍ଚିବି । ନା, ନା ମୁଁ କିଛି ଶୁଣିବି ନାହିଁ । ଆପଣ ନିଶ୍ଚେ ମୋ ଘରକୁ ଆଜି ଆସୁଛନ୍ତି । ନିଶ୍ଚେ । ଦେଖନ୍ତୁ ଶପଥ କରିଛନ୍ତି ଯଦି ମୁଁ ଆପଣଙ୍କୁ ନ ପାଇ ଫେରିଯାଏ–କାଲି ଆସି ଅଫିସ୍‌ରୁ ଆପଣଙ୍କୁ ନେଇଯିବି । ମୁଁ ଭାରି ଯିଦ୍‌ଖୋର । ସେ କଥା ଜାଣିରଖନ୍ତୁ ।

 

ଟଙ୍କାଟାକୁ ଭେନିଟି ବେଗ୍‌ରେ ଭର୍ତ୍ତି କରୁ କରୁ ପୁଣି କହିଲେ, ‘‘ଆଚ୍ଛା, ତେବେ ସେଇ କଥା ରହିଲା । ସନ୍ଧ୍ୟା ସାତଟା । ବାୟ ।’’

Image

 

ତିନି

 

ଓରିଏଣ୍ଟଲ୍‌ ବାର୍‌ ହାଉସ୍‌ ।

 

ସମୟ ରାତି ଦଶଟା ।

 

ମଧ୍ୟବିତ୍ତ ଘରର ସନ୍ତାନ । ଏକ କଠିନ ନୈତିକତାର ପରିବେଶ ଭିତରେ ମୋର ଜୀବନ ଗଢ଼ିଉଠିଛି । ତେଣୁ ପାପପୁଣ୍ୟ, ନୀତି ନିୟମର ନିଗୁଢ଼ ବନ୍ଧନ ମୋର ରକ୍ତରେ ଜମାଟ ବାନ୍ଧି ରହିଯାଇଛି । ମଦ ଖାଇବାର ସାମାଜିକ ବିଚାରବୋଧ ଅପେକ୍ଷା ଯେମିତି ମଦ ଖାଇବାର ନୈତିକତାର ଦିଗଟା ହିଁ ମୋ ପାଖରେ ମୁଖ୍ୟ । ତେଣୁ ଏଇ ଚାକିରିର କାର୍ଯ୍ୟକାଳ ଭିତରେ ଅନେକ ଥର ପାର୍ଟି କିମ୍ୱା ବନ୍ଧୁ ମିଳନରେ ଯୋଗଦେଇ ସୁଦ୍ଧା କେବେହେଲେ ମୁଁ ଯଦି ପିଇସାରି ନାହିଁ । ଥରେ ବହୁ ବାଧ୍ୟ ବାଧ୍ୟକତାଫଳରେ, ଅନିଚ୍ଛା ସତ୍ତ୍ୱେ ପିଇଥିଲି । କିନ୍ତୁ ତା’ପରେ ହଠାତ୍‌ ଜଣେ କୁମାରୀ କନ୍ୟା ନିଜର ଅନିଚ୍ଛା ସତ୍ତ୍ୱେ ଧର୍ଷିତ ହେବା ପରେ ଯେଉଁ ପ୍ରକାର ଅନୁଭବ କରେ, ମୋର ବି ସେଇ ପ୍ରକାର ଅନୁଭୂତି ହୋଇଛି । ସେଥିପାଇଁ ବାର୍ ହାଉସ୍‌ ତ ଦୂରର କଥା, ଯୋଉ ପାର୍ଟି କିମ୍ୱା ବନ୍ଧୁ ମିଳନରେ ଏଭଳି ପାନୀୟ ଦ୍ରବ୍ୟର ଆୟୋଜନ କରାଯାଇଥାଏ, ମୁଁ ଜାଣିଶୁଣି ସେଗୁଡ଼ାକ ଉପେକ୍ଷା କରିଆସିଛି ।

 

ଏଇ ପ୍ରକାର ମାନସିକ ଅବସ୍ଥାରେ ହଠାତ୍‌ ନିଜକୁ ଏକ ପବ୍ଲିକ୍‌ ବାର୍‌ ହାଉସ୍‌ରେ ଆବିଷ୍କାର କରି ମୁଁ କେମିତି ସଙ୍କୁଚିତ ହୋଇପଡ଼ୁଥିଲି । ସତରେ ଯେ ମୁଁ ଏ ଭିତରକୁ ମସିଛି, ନିଜକୁ ନିଜେ ବିଶ୍ୱାସ କରିପାରୁନଥିଲି ।

 

ମିସ୍‌ ଖାରମାଲଙ୍ଗ୍‌ଙ୍କର କିନ୍ତୁ ଏଇ ଜାଗାଗୁଡ଼ା ନିତିଦିନିଆ ଚରାଭୂଇଁ । ବାର୍‌ହାଉସ୍‌ ଭିତରକୁ ପଶୁ ପଶୁ ସମସ୍ତ ଓ୍ୱେଟରମାନଙ୍କ ବିନୀତ ସଲାମ୍‌ ଏହି କଥା ସୂଚେଇ ଦେଉଥିଲା । ସେ କେଉଁ ଟେବୁଲ୍‌ରେ ବସିବେ ସେଇ ନେଇ ସେମାନଙ୍କ ଭିତରେ ଏକ ତୀବ୍ର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲା । ତାଙ୍କର ଜେନେରାସ୍‌ ଟିପ୍‌ ମଧ୍ୟ ଏଇ ପ୍ରତିଯୋଗିତାର ଅନ୍ୟତମ କାରଣ ।

 

ମିସ୍‌ ଖାରମାଲଙ୍ଗ୍‌ କିନ୍ତୁ ଏଇ ପ୍ରତିଯୋଗିତା ପ୍ରତି ନିର୍ବିକାର ରହି ଗୋଟାଏ କ’ଣକୁ ଥିବା ଟେବୁଲ୍‌ ଅଧିକାର କରି ବସିଲେ । ତାଙ୍କ ସାମ୍ନା ଚେୟାରଟା ମୋତେ ଦେଖେଇ ଦେଇ କହିଲେ, ‘‘ବସନ୍ତୁ ।’’ ବାଧ୍ୟ ପିଲାଟି ପରି ମୁଁ ବସିରହିଲି । ଓ୍ୱେଟର ଆସି ପାଖରେ ଛିଡ଼ାହେଲା । ‘‘କ’ଣ ପିଇବେ ? ସ୍କଚ୍‌ ?’’ ‘ମୁଁ ତ ସେଦିନ ଆପଣଙ୍କୁ କହି ସାରିଛି ଯେ ମୁଁ ପିଏ ନାହିଁ ।’’

 

‘‘ମୁଁ ବି ତ ସେଦିନ ଆପଣଙ୍କୁ କହିଛି ଯେ ମୁଁ ଆପଣଙ୍କୁ ଏଇ ଅମୃତ ରସକୁ ଆସ୍ୱାଦନ କରିବାକୁ ବଦ୍ଧପରିକର ବୋଲି । ଆପଣ ଏତେ ପିଲାଳିଆ କାହିଁକି ?’’

 

‘‘ମୁଁ କାହିଁକି ପିଲାଳିଆ ହେବି–ବରଂ–’’

 

‘‘ଆଚ୍ଛା, ଆପଣଙ୍କର ଏତେ ଜିଦ୍‌ କାହିଁକି ?’’

 

‘‘ଜିଦ୍‌ ନୁହେଁ କନଭିକସନ୍‌ । ବିଶ୍ୱାସ ।’’

 

‘‘ମୁଁ ଆପଣଙ୍କର ସେଇ ଅନ୍ଧବିଶ୍ୱାସକୁ ଭାଙ୍ଗିବି ।’’

 

‘‘ମୁଁ ମଧ୍ୟ ଆପଣଙ୍କର ଏଇ ପିଇବାର ଅନ୍ଧବିଶ୍ୱାସକୁ ଭାଙ୍ଗିବି ।’’ କଥାଟା ଅଜାଣତରେ ମୋ ମୁହଁରୁ ବାହାରିଗଲା । ସେ ଚକିତ ହୋଇ ମୋ ମୁହଁକୁ ଚାହିଁ ରହିଲେ ପ୍ରାୟ ଗୋଟାଏ ମିନିଟ୍‌ ଧରି । ତାପରେ ଧୀର ସ୍ୱରରେ କହିଲେ; ‘‘ଆଚ୍ଛା, ଚେଷ୍ଟା କର ।’’

 

ତାପରେ ଓ୍ୱେଟରଆଡ଼କୁ ଚାହିଁ କହିଲେ ‘‘ହୁଇସ୍କି’’ । ପୁଣିଥରେ ମୋଆଡ଼କୁ ଚାହିଁ ପଚାରିଲେ ‘‘ଖାଇବାରେ ଆଉ କିଛି ବିଶ୍ୱାସ ଅଛି ?’’ ମୁଁ ହସି ହସି କହିଲି ‘‘ହଁ ଅଛି ।’’

 

-ଯଥା-

 

ବିଫ୍‌ କିମ୍ୱା ପର୍କ ମୁଁ ଖାଏନା ।

 

ଖିଲ୍‌ ଖିଲ୍‌ ହୋଇ ହସିଉଠିଲେ ସେ । ସତେଯେମିତି ଗୋଟାଏ ଭୀଷଣ ମଜାର କଥା । ତା’ପରେ ହସର ଝରଣାକୁ ଫଟ୍‌ କରି ଚାପି ନେଇ ଆଖିମାରି କହିଲେ, ‘‘କ’ଣ ଏକେବାରେ କନଜାର୍‌ଭେଟିଭ୍‌ ହିନ୍ଦୁ ?’’

 

‘‘ନା, କୁକୁଡ଼ା ଚଳେ ।’’ ମୁଁ ପୁଣି ହସି ହସି କହିଲି ।

 

ଆଚ୍ଛା ହେଉ, ତା’ହିଁ ହେଉ । ମୁଁ ଯେତେବେଳେ ହୋଷ୍ଟ–ଅତିଥିର ମନ ନେଇ ତ ସତ୍କାର କରାଯିବା ଉଚିତ୍‌ ।

 

ଅର୍ଡ଼ର ନେଇ ଓ୍ୱେଟର ଚାଲିଗଲା ।

 

କିଛି ସମୟ ପରେ ପଶିଆସିଲେ ଦୁଇଜଣ ଯୁବକ । ଜଣେ ଖାସି ଓ ଜଣେ ବୋଧହୁଏ ମିଜୋ । ‘‘ଗୁଡ଼୍‌ ଇଭିନିଂ ମିସ୍‌ ଖାରମାଲଙ୍ଗ୍‌’’ କହି କହି ଆମ ପାଖରେ ଖାଲିଥିବା ଦୁଇଟି ଚୌକି ଅଧିକାର କରି ବସିପଡ଼ିଲେ । ମିସ୍‌ ଖାରମାଲଙ୍ଗ୍‌ ସେମାନଙ୍କୁ ଚାହିଁ ହସିଦେଇ କହିଲେ ‘‘ଆଜି ନୁହେଁ, ଆଜି ମୋର ଜଣେ ଅତିଥି ଅଛନ୍ତି । ତମେ ଅନ୍ୟ ଟେବୁଲ୍‌କୁ ଉଠିଲେ ମୁଁ ଖୁସି ହେବି ।’’ ସେମାନେ ସାମାନ୍ୟ ବିସ୍ମିତ ହୋଇ ଇତସ୍ତତଃ ହେଲେ । ଖାରମାଲଙ୍ଗ୍‌ କୃପାରୁ ମାଗଣାରେ ପିଇବାଟା ତାଙ୍କର ମଝିରେ ମଝିରେ ହୁଏ । ମୋପାଇଁ ଏ ସୁବିଧାରୁ ବଞ୍ଚିତ ହେବା ଯୋଗୁଁ ସେମାନେ ମୋ ଉପରେ ଭୀଷଣ ଅସନ୍ତୁଷ୍ଟ ହୋଇ ତୀକ୍ଷ୍‌ଣ ଭାବରେ ଚାହିଁ ରହିଲେ । ମିସ୍‌ ଖାରମାଲଙ୍ଗ୍‌ ପୁଣି ଆଦେଶ ଦେଲେ, ‘‘ଯାଅ ।’’ ଅନିଚ୍ଛା ସତ୍ତ୍ୱେ ସେମାନେ ସେଇଠୁ ଉଠିଗଲେ ମୋଆଡ଼େ ଜଳନ୍ତା ଚାହାଣୀର ଅଙ୍ଗାର ନିକ୍ଷେପ କରି । ସେମାନେ ଗଲା ପରେ ଓ୍ୱେଟରାକୁ ଡାକି ସେ ଚେଆର୍‌ ଦୁଇଟା ଉଠେଇଦେଲେ ମିସ୍‌ ଖାରମାଲଙ୍ଗ୍‌ । ‘‘ଓଃ, ଆପଣ ଜାଣନ୍ତି ନାହିଁ, କେତେ ବିରକ୍ତ କରନ୍ତି ଏମାନେ ।’’

 

ବାର୍‌ ହାଉସ୍‌ ସେତେବେଳକୁ ପ୍ରାୟ ପୂର୍ଣ୍ଣ ହୋଇଆସିଲାଣି । ଉତ୍ତେଜକ ପାନୀୟ, ଉତ୍ତେଜକଖାଦ୍ୟ ଓ ଯୁବକ ଯୁବତୀମାନଙ୍କର ଯୌବନର ଉତ୍ତାପ ବାର୍‌ ହାଉସ୍‌ର ବାୟୁମଣ୍ଡଳକୁ ଉତ୍ତେଜନାର ଚରମ ସୀମାକୁ ଧୀରେ ଧୀରେ ଟାଣି ନେଉଥାଏ । ଅଧିକାଂଶ ଯୁବକ ଯୁବତୀ ଖାସି । ମାଗା । ମିଜୋ । ଗାରୋ । ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ପୋଷାକ । ଲୁଙ୍ଗି, ବେଲବଟମ୍‌, ମେକ୍‌ସିଳ, ଜିଙ୍ଗ୍‌, ଖାସିଆ ହଟ୍‌ ପେଣ୍ଟ୍‌ । ହପି ବାଳ । ପେରେଲାଲ୍‌ ପେଣ୍ଟ୍‌ ।

 

ବାୟୁମଣ୍ଡଳ କ୍ରମଶଃ ଉତ୍ତେଜନାର ଚରମ ସୀମାରେ ଉପନୀତ । ସମସ୍ତେ ନିଜକୁ ଭୁଲିଗଲେଣି । ସେପାଖ ଟେବୁଲରେ ଜଣେ ଯୁବକ ଆଉଜଣେ ଯୁବତୀକୁ ଧରି ଚୁମ୍ୱନ କରିବାରେ ବ୍ୟସ୍ତ । ସେପାଖରେ ଗୋଟିଏ ଯୁବତୀକୁ ଧରି ଆଉ ଦୁଇଜଣ ଯୁବକ ଦୁଇ ପାଖରେ ଚୁମ୍ୱନ କରି ଚାଲିଛନ୍ତି । ଯୁବତୀଟି ହସି ହସି ଗଡ଼ିଯାଉଛି । ହେଇ ସେ କ’ଣ ଦୁଇଜଣ ପରସ୍ପର ନିବିଡ଼ ଭାବରେ ଆଲିଙ୍ଗନବଦ୍ଧ । ଲୁଙ୍ଗି ଖସିଯାଇ ଶାୟା ଦେଖାଯାଉଛି ।

 

ମୁଁ ଏଇ ଦୃଶ୍ୟ ଦେଖୁ ଦେଖୁ ସ୍ତମ୍ଭିତ ହୋଇଯାଇଛି । ଅବାକ୍‌ ଆଖିରେ ମୁଁ ଚାହିଁ ରହିଛି ସେମାନଙ୍କଆଡ଼କୁ । ମିସ୍‌ ଖାରମାଲଙ୍ଗ୍‌ ମୋତେ କ’ଣ କହୁଛନ୍ତି, ମୁଁ ଶୁଣିପାରୁନି । ସେତେବେଳକୁ ତାଙ୍କର ପୂରା ବୋତଲଟିଏ ଶେଷ ହୋଇଗଲାଣି । କଥା ଅସ୍ପଷ୍ଟ ହୋଇଆସିଛି । ହଠାତ୍‌ ଏଇ ସମୟରେ ଘଟିଲା ଗୋଟାଏ ଅଭାବନୀୟ ଦୃଶ୍ୟ । ମୁଁ ଦେଖୁ ଦେଖୁ ମୋଆଡ଼କୁ ମାଡ଼ିଆସିଲେ ମିସ୍‌ ଖାରମାଲଙ୍ଗ୍‌ଙ୍କର ସେଇ ଦୁଇଜଣ ପରିଚିତ ଯୁବକ । ହାତ ମୁଷ୍ଟିବଦ୍ଧ । ଦେହ ଟଳୁଛି । ଆଖିରେ ଅଗ୍ନିକଣା । ‘‘କମ୍‌ ଅନ୍‌, ବାଷ୍ଟାର୍ଡ଼ । ଫାଇଟ୍‌ ଉଇଥ୍‌ ଆସ୍‌ ।’’ ଏ ସବୁ ଦେଖି ମୁଁ ହତଚକିତ ହୋଇ ପଥର ହୋଇଗଲିଣି ଚେଆର୍‌ ଉପରେ ।

 

ହଠାତ୍‌ ପରିସ୍ଥିତି ବୁଝିପାରି ଛିଡ଼ା ହୋଇଗଲେ ମିସ୍‌ ଖାରମାଲଙ୍ଗ୍‌ । ଟେବୁଲ୍‌ ଉପରେ ଭରାଦେଇ ଛିଡ଼ା ହୋଇ କହିଲେ, ‘‘ଗୋ ବେକ୍‌, ଗୋ ବେକ୍‌ ଇଉ ଫୁଲିସ୍‌ । ମୁଁ କହୁଛି, ଫେରିଯାଅ-।’’ ସେମାନେ କିନ୍ତୁ ନଛୋଡ଼ବନ୍ଦା । ‘‘ଓଃ ନୂଆ ଏକ୍‌ସ ପ୍ଲଏଟ୍ ପ୍ରତି ଭାରି ଦରଦ ଦେଖୁଛି । ତମକୁ କ’ଣ ବିଦେଶୀ ଦେହର ଉତ୍ତାପ ଏତେ ଭଲ ଲାଗୁଛି ଆଜିକାଲି ? ଇଉ ବିଚ୍‌ ।’’ ରାଗରେ ଫାଟିପଡ଼ିଲେ ମିସ୍‌ କାରମାଲଙ୍ଗ୍‌ । ଏତେ ପିଇ ସାରିଲା ପରେ ବି ତାଙ୍କର ଏତେ ଭାରସାମ୍ୟ ଆସିଲା କୋଉଠୁ କେଜାଣି । ଖୁବ୍‌ ଜରରେ ଚିତ୍କାର କରି କରି ଆଗେଇ ଗଲେ ସେ ବଳିଷ୍ଠ ପଦପାତରେ । ‘‘ସାଟ୍‌ଆପ୍, ଇଉ ବାଷ୍ଟାର୍ଡ଼ସ୍ । ସାଟ୍‌ଆପ ।’’ ତାପରେ ଆଉ କିଛି ନ କହି ଗୋଡ଼ରୁ ହାଇହିଲ୍‌ ବାହାର କରି ଦମଦମ୍‌ ବର୍ଷଣ କଲେ ସେ ଦୁଇଜଣଙ୍କ ଉପରେ । ଗୋଇଠା ପରେ ଗୋଇଠା ମାରି ଦିଜଣଙ୍କୁ ତଳେ ପକେଇଦେଲେ । ମୁଁ ଦଉଡ଼ି ଯାଇ ଧରି ପକେଇଲି ତାଙ୍କୁ । ତଥାପି ସେ ଛାଟିପିଟି ହେଉଥାନ୍ତି ଏକ ଫୁଟନ୍ତା କ୍ରୋଧର ତୀବ୍ର ଆକ୍ରୋଶରେ । ପିଲା ଦିଓଟି ସେମିତି ନିର୍ଜୀବ ପରି ତଳେ ପଡ଼ି ରହିଥାନ୍ତି । ମୁନିଆ ହାଇହିଲର ଆଘାତରେ କପାଳରୁ ରକ୍ତ ଝରିପଡ଼ୁଥାଏ ତାଙ୍କର ।

 

ଏକରକମ ମୁଁ ମିସ୍‌ ଖାରମାଲଙ୍ଗ୍‌ଙ୍କୁ ବାହାରକୁ ଟେକି ନେଇଆସିଲି । ବାହାରେ ସେତେବେଳକୁ ବେଶ୍‌ ଥଣ୍ଡା ପଡ଼ି ଯାଇଥାଏ । ହେମାଳ ପବନରେ ଦେହ ହାତ କୋଲ ମାରି ଆସୁଥାଏ । କାର୍‌ ଭିତରେ କିଛି ସମୟ ଚୁପ୍‌ଚାପ ବସିରହିଲା ପରେ ମୁଁ ତାଙ୍କୁ କହିଲି, ‘‘ଏତେଟା ଦୁଃସାହସୀ ହେବା ଉଚିତ୍‌ ନୁହେଁ । ସେମାନେ ଯଦି ହଠାତ୍‌ କିଛି କରି ବସିଥାନ୍ତେ, ଆପଣଙ୍କର ହିଁ ସେଥିରେ ବେଶି କ୍ଷତି ହୋଇଥାନ୍ତା ।’’

 

ସାପିନୀ ପରି ଫେଁ କରି ହଠାତ୍‌ ଫଣା ଟେକିଲେ ।

 

‘‘ସାଟ୍‌ଆପ, ଇଉ ଫୁଲ୍‌ । ଏଇଟା ତମର ଭାରତବର୍ଷ ନୁହେଁ । ତମରି ଝିଅମାନଙ୍କ ପରି ଚୁପ୍‌ଚାପ ମାଡ଼ଖାଇ, ଡରିଡ଼ରି ଲୁଚି ଲୁଚି ବୁଲିବା ଅଭ୍ୟାସ ଆମ ଦେଶର ଝିଅମାନଙ୍କର ନାହିଁ । ଆଉ ଏଠାକାର ପିଲାମାନଙ୍କର ଆମ ଦେହରେ ହାତଦେବାର ସାହସ ନାହିଁ । ବୁଝିଲ । ଆମେ ସ୍ୱାଧୀନ । ଆମେ ହିଁ ସମ୍ପତ୍ତିର ଅଧିକାରିଣୀ । ସେଥିପାଇଁ ଆମେ କାହାକୁ ଭୟ କରୁନା । ବୁଝିଲ-?’’

 

ମୁଁ ବୁଝିପାରିଲି । ସତରେ ଏଇଟା ଭାରତବର୍ଷ ନୁହେଁ । ନ ହେଲେ ଏଇ ପରମିସିଭ୍‌ ସୋସାଇଟି ଆଉ ସ୍ତ୍ରୀ ସ୍ୱାଧୀନତା ଭାରତବର୍ଷରେ ସମ୍ଭବପର ନୁହେଁ ।

 

ଚାରି

 

ଚାରିଆଡ଼ ଏକ ନିସ୍ତବ୍‌ଧତାର ରାଜୁତି । ଥଣ୍ଡା ପବନଟା ଦମକି ଦମକି ବହିଯାଉଛି । କିନ୍ତୁ ଝରାପତ୍ରର ମର୍ମର ଶୁଣାଯାଉନାହିଁ । ପର୍ଣ୍ଣମୋଚୀ ବନର ଝରାପତ୍ରର ଶବ୍ଦ, ଅସଂଖ୍ୟ ପକ୍ଷୀମାନଙ୍କର କାକଳି ଏଇ ଚିରହରିତ୍‌ ବନର ସବୁଜିମା ଭିତରେ ଯେମିତି ନିଶ୍ଚିହ୍ନ ହୋଇଯାଇଛି । ମଝିରେ ମଝିରେ କୌଣସି ଏକ ପକ୍ଷୀର ସାମାନ୍ୟ କଳରବ ମାତ୍ର ଶୁଣାଯାଉଛି । ଅଦୂରରେ ଅସ୍ପଟ ଭାବେ ଦେଖାଯାଉଛି ପୋଲିସ ବଜାର, ବଡ଼ ବଜାର ଲାଇ ମୁଖରା । ଅସଂଖ୍ୟ ଲୋକ ଗହଳି, ଗାଡ଼ି ମଟରର ଘର୍ଘର ଶବ୍ଦ, ବହୁଲୋକର ସମ୍ମିଳିତ କଥାବାର୍ତ୍ତା କିଛିର ଶବ୍ଦ ଏଇ ଇଥରୀୟ ବାୟୁମଣ୍ଡଳକୁ ପ୍ରବେଶ କରିପାରୁନାହାନ୍ତି । ସମସ୍ତ ଶବ୍ଦ ଯେମିତି ନିଃଶବ୍ଦରେ ମିଳେଇଯାଉଛନ୍ତି ଏଇ ବିଶୁଦ୍ଧ ବାୟୁମଣ୍ଡଳ ଭିତରେ ପାଣିରେ ଚିନି ମିଳେଇ ଗଲା ପରି । ଗମ୍ୱୁଜ ପରି ନାଲି ଟିଣ ଛାତ ଓ ଧଳା ଧଳା କାନ୍ଥଗୁଡ଼ାକ ଏଇ ବିପୁଳ ଶ୍ୟାମଳିମା ଭିତରେ ଜଣାପଡ଼ୁଛି ଯେମିତି ଏକ ଶ୍ୟାମଳ ରଙ୍ଗର ଗାଲିଚା ଉପରେ ବିଭିନ୍ନ ପ୍ରକାର ଚିତ୍ର ପରି । ଏଇ ଅଳସ ମଧ୍ୟାହ୍ନର ଖରାରେ ଶିଲିଂ ପିକ୍‌ର ସମତଳ ଶିଖର ଦେଶ । ଲାଇଟାଖୋର୍‌ ପିକ୍‌ର ଉପରେ ଥିବା ଟ୍ରାନସ୍‌ମିସନ୍‌ ଟାଓ୍ୱାର୍‌ଟା ମେଘ ଭିତରେ ଅଧା ଲୁଚିଯାଇଛି । ଅସ୍ପଷ୍ଟ ଭାବେ ଦେଖାଯାଉଛି ଏଆରଫୋର୍ସର ଗମ୍ୱୁଜ । ବହୁ ଦୂରରେ ଏକ ନିଶୀଥ ସ୍ୱପ୍ନ ପରି ମନେହେଉଛି ହେପି ଭେଲି କଣ୍ଟେନ୍‌ମେଣ୍ଟ୍‌ । ଦୁଇପାହାଡ଼ର ମଧ୍ୟବର୍ତ୍ତୀ ଉପତ୍ୟକା ଭିତରେ କେଉଁ ଏକ ରାଜକନ୍ୟା ଅଳସ ମଧ୍ୟାହ୍ନରେ ନୀରବରେ ପହୁଡ଼ ଗଲା ପରି ।

 

ଏଲିଜାବେଥ୍‌ଙ୍କ ମୁଣ୍ଡ ମୋ କୋଳରେ । ମୁଁ ତାଙ୍କର ଈଷତ୍‌ କସରାବାଳ ଭିତରେ ଧୀରେ ଧୀରେ ଆଙ୍ଗୁଳି ବୁଲେଇ ଦେଉ ଦେଉ ପଚାରିଲି ।

 

ଏଲି, ତମେ ହଠାତ୍‌ ଏତେ ଚୁପ୍‌ କାହିଁକି ?

 

ମୋତେ ଭୀଷଣଦୋଷୀ ପରି ଲାଗୁଛି । ତମେ କାହିଁକି ପିଇଲ କହ ତ ?

 

ମୁଁ ବୁଝିପାରିଲି ବୋଲି । ବୁଝିଲ ଏଲି, ଦୋଷ ଓ ଗୁଣ ବସ୍ତୁରେ ନିହିତ ନାହିଁ–ଅଛି ତା’ପ୍ରତି ନିଜର ମାନସିକ ଦୃଷ୍ଟିଭଙ୍ଗୀରେ ।

 

ଜାଣ ପ୍ରିନ୍‌ସ, ତମକୁ ଏଇ ହରେଇବାପାଇଁ ମୋର କେତେ ଚେଷ୍ଟା । ଅଥଚ ତମେ ଆଜି ହାରିଯାଇଛ ବୋଲି ମୋର ଆଜି ଭୀଷଣ ଦୁଃଖ । କାହିଁକି ?

 

ଏଥିରେ ଦୁଃଖ କରିବାର କିଛି ନାହିଁ, ଏଲି ।

 

ଏଲି କିଛିସମୟ ଚୁପ୍ ରହିଲା । ତା’ପରେ ଆରମ୍ଭ କଲା-

 

ପ୍ରିନ୍‌ସ, କାହିଁ କେବେ ଦୁଇଶହବର୍ଷ ତଳେ ଜଣେ କିଏ ଇଂରେଜ ସର୍ଭେୟର ଏଇ ପାହାଡ଼ମାଳା ସର୍ଭେ କରିବାକୁ ଆସି ଶିଲଂର ମାଟି ପାଣି ପବନକୁ ଏମିତି ଭଲପାଇଥିଲା ଯେ, ତାହାର ଐକାନ୍ତିକ ଭଲପାଇବା, ନିଷ୍ଠା ଫଳରେ ସେଇ ସୁପ୍ତ, ଘୁମନ୍ତ ପୃଥିବୀର ଏକ ଅଜ୍ଞାତ ବିନ୍ଦୁଟି, ହଠାତ୍‌ ଏକ ସହରରେ ପରିଣତ ହୋଇଗଲା । ତା’ପରେ ପରେ କେତେ କେତେ ଇଂରେଜ, ପାଦ୍ରୀ, ନନ୍‌ ଏଠିକି ନଆସିଛନ୍ତି ! ତାଙ୍କର ସଂସ୍ପର୍ଶରେ ଆସି ଏଇ ପାହାଡ଼ମାଳାର କୋଣରେ କୋଣରେ ବାହାର ଦୁନିମ ପ୍ରତି ତ ସଂପୂର୍ଣ୍ଣ ଭାବେ ଅଜ୍ଞାତ ରହି ନିଜସ୍ୱ ସାବଲୀଳ ଜୀବନଧାରାରେ ଏକ ଅପୂର୍ବ ରମଣୀୟ ବନଫୁଲ ପରି ବିକଶିତ ହୋଇଉଠିଥିବା ମଣିଷ ଜାତିର ଏଇ କ୍ଷୀରଭରା ଖାସି ଜାତିଟା ପାଲଟିଗଲା–ବଦଳିଗଲା । ସଭ୍ୟତାର ଜୁଆରରେ ଭାସିଗଲା, ସଭ୍ୟତାର ବୁଲ୍‌ଡ଼ୋଜରରେ ତା’ର ନିଜସ୍ୱ ବ୍ୟକ୍ତିସତ୍ତା ସମତଳ ହୋଇ ମିଶିଗଲା ବାହାର ଦୁନିଆର ସମୁଦ୍ର ଭିତରେ ।

 

ପ୍ରିନ୍‌ସ, ମୁଁ ଜାଣେନା ମୁଁ କାହିଁକି ଖ୍ରୀଷ୍ଟିଆନ୍‌ ହେଲି । ଜାଣେନା କାହିଁକି ଗୋଟାଏ ଧର୍ମର ବନ୍ଧନୀ ଭିତରେ ବାନ୍ଧି ହୋଇଗଲି । ମୋର ପୂର୍ବପୁରୁଷ ଭଲପାଉଥିଲେ ଏଇ ଉଦାର ପୃଥିବୀକୁ ସୁଉଚ୍ଚ ପର୍ବତମାଳାକୁ-ସୂର୍ଯ୍ୟକୁ-ଚନ୍ଦ୍ରକୁ । ଅଥଚ ମୁଁ କେମିତି ସୀମିତ ହୋଇଗଲି । ଯେକୌଣସି ଧର୍ମ କ’ଣ ଏମିତି ସୀମିତ କରିଦିଏ ମଣିଷକୁ ? ଜାଣେନା କିଛି ବୁଝିପାରେନା । ଅଥଚ ଥରେ ଥରେ ମନେହୁଏ ସବୁ ଧର୍ମ ସାମାଜିକତା ନୀତି ନିୟମକୁ ଭାଙ୍ଗିରୁଜି ଦେଇ ପ୍ରବଳ ବେଗରେ ଏଇ ନଦୀ ପରି କେବଳ ଖୋଲା ଲଙ୍ଗଳା ହୋଇ ଭାସିଯିବାକୁ ପ୍ରବଳ ବେଗରେ । ରକ୍ତରେ ରକ୍ତରେ ସେଇ ବହିବାର ନିଶା, ଏକ ପ୍ରଚଣ୍ଡ ଗତିଶୀଳତା ମୋତେ ଘୂର୍ଣ୍ଣିବାୟୁ ପରି ଏପଟ ସେପଟ କରିଦେଇଥାଏ । ମୁଁ ଭାବେ ସେଇ ଘୂର୍ଣ୍ଣିବାୟୁ ଭିତରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିରୁଜି ଯାଇ ସାରା ପୃଥିବୀର ଚାରିଆଡ଼େ ବିଛାଡ଼ି ହୋଇଯାଇ ପାରନ୍ତି କି ?

 

ବାହାରର ପଲିସ୍‌, ତା’ର ଚିକ୍‌କଣ ଚାକଣ ବୋଧହୁଏ କିଛି ନୁହେଁ ନା ? ନ ହେଲେ ମୋତେ ଦେଖ । ମୁଁ ଗ୍ରାଜୁଏଟ୍‌ । ବିଂଶ ଶତାବ୍ଦୀର ଶେଷାର୍ଦ୍ଧର ଚରମ ସୀମାରେ ଉଦ୍‌ବେଳିତ ଫେସଡ଼-ସମୁଦ୍ର ଭିତରେ ମୁଁ ବଢ଼ିଆସିଛି । ସେଇ ସଭ୍ୟତା ଭିତରେ ଲାଳିତ ପାଳିତ ହୋଇଆସିଛି-। ଅଥଚ ମୋର ପୂର୍ବପୁରୁଷମାନଙ୍କର ସେଇ ପ୍ରାଗ୍‍ଐତିହାସିକ ଆଦିମ ଉଦାର ମନଟା ମୋତେ ଏମିତି ଉଦ୍‌ବେଳିତ କରୁଛି କାହିଁକି ?’’

 

ସେ ପୁଣି ନୀରବ ରହିଲେ । ଅନେକ ସମୟ ଧରି । ତାପରେ ହଠାତ୍‌ ବସି ସ୍ଲିପ୍‌ ବ୍ଲାଉଜ୍‌ ବ୍ରାକୁ ଟାଣିଟୁଣି ଛିଡ଼ାଇ ଫୋପାଡ଼ି ଦେଇ କେବଳ ପେଣ୍ଟିଟା ପିନ୍ଧି ମୋ ଆଗରେ ଛିଡ଼ା ହୋଇ ରହିଲେ । ଗାଢ଼ ନାଲି ରଙ୍ଗର ନାଇଲନ୍ ପେଣ୍ଟିଟା ତାଙ୍କର ନାଲିଚିଆ ଧଳାର ବଳିଷ୍ଠ ଜଘନର ମଧ୍ୟଦେଶରେ ଦେଖାଯାଉଥାଏ ଏକ ସଦ୍ୟ ପ୍ରସ୍ଫୁଟିତ ରକ୍ତମନ୍ଦାର ପରି ।

 

ମୋତେ ଏମିତି ଅବାକ୍‌ ହୋଇ ଚାହିଁ ରହିଛି କ’ଣ ? ମୋତେ ଦେଖି ତମର ସାମାନ୍ୟ ଟିକିଏ ବି ଉତ୍ତେଜନା ଆସୁନି । ଏଇ ସାମାନ୍ୟ ଟିକିଏ ବି ଉତ୍ତେଜନା ଆସୁନି । ଏଇ ସାମାନ୍ୟ କନା ଖଣ୍ଡକକୁ ଟାଣି ଛିଡ଼ାଇ ଦେବାକୁ ତମର ବଳ ନାହିଁ ନା ସାହସ ନାହିଁ ? ଚାଲିଆସ, ଭୀରୁ । ଚାଲିଆସ । ମୋତେ ଭାଙ୍ଗିଦିଅ, ମୋତେ ଚୂର୍ଣ୍ଣ କରିଦିଅ । ମୋତେ ନିଃଶେଷ କରିଦେଇ ଏଇ ପାଣି ପବନ ପ୍ରକୃତି ସହିତ ଏକ କରିଦିଅ । ଆସ ଡେରିକରନା । ମୁଁ ଅତିଷ୍ଠ ହୋଇଉଠିଲିଣି । ଆସ, ଆସ ମୋର ଝଡ଼, ମୋର ଟାଇଫୁନ, ମୋର ଟର୍ନାଡ଼ୋ ।

 

ଏକ ପ୍ରବଳ ବେଗରେ ମୁଁ ଆକର୍ଷିତ ହୋଇଗଲି । ତା’ପରେ ଭଙ୍ଗାରୁଜାର କାମ । ଘୂର୍ଣ୍ଣିବାୟୁ ତା’ର ପ୍ରବଳ ଗତିପଥରେ ସବୁକିଛି ଭାଙ୍ଗିଭୁଙ୍ଗି ଧ୍ୱଂସ କରିଦେଇ ଚାଲିଗଲା ।

 

ପୁଣି ଚାରିଆଡ଼ର ସେଇ ନିସ୍ତବ୍‌ଧତା ଜମାଟ ବାନ୍ଧିଆସୁଛି । ଶିଲଂ ପିକ୍‌ର ଶୀର୍ଷ ଦେଶରେ ମେଘପରି ଝୁଲୁଥିବା କୁହୁଡ଼ି ହଠାତ୍‌ ଘନ ହୋଇ ଏକ ବରଫସ୍ରୋତ ପରି ଚାରିଆଡ଼ ମାଡ଼ିଆସୁଛି । ଆସ୍ତେ ଆସ୍ତେ ଅଦୃଶ୍ୟ ହୋଇଯାଉଛି ବଣ, ପାହାଡ଼, ଘର, ଗଛ, ଲତା । କ୍ଷଣକ ଭିତରେ ଶିଲଂ ସହର ଆବୃତ୍ତ ହୋଇଗଲା କେବଳ ସେଇ ତୁଷାର ଶୁଭ୍ର ବହଳ କୁହୁଡ଼ିର ମୋଟା କମ୍ୱଳ ଭିତରେ । କ୍ରମେ କ୍ରମେ ନୀଳ ଆକାଶ ବି ଆଚ୍ଛନ୍ନ ହୋଇଗଲା ସେଇ ଧଳା ରଙ୍ଗର ଭିତରେ-। ଚାରିଆଡ଼େ ଏକ ଶୁଭ୍ରତାର ବିସ୍ତୃତ ଭିତରେ ସୂର୍ଯ୍ୟକିରଣ ପ୍ରତିଫଳିତ ଓ ପ୍ରତିସ୍ଫୁରିତ ହୋଇ ସୃଷ୍ଟି କରିଛି ଏକ ନୈସର୍ଗିକ ଆଲୋକ । କୌଣସି ଆକାର ନାହିଁ । ନାମ ନାହିଁ । କେବଳ ଏକ ଆକାରହୀନ, ଅନନ୍ତ କୁହେଳିର ଶୁଭୋଜ୍ଜ୍ୱଳ ଆଲୋକ ।

 

ମୁହଁକୁ ମୁହଁ ଦିଶୁନି । ମୋତେ ଖୁବ୍‌ ଜୋରରେ କୁଣ୍ଢେଇ ଧରି ଏଲିଜାବେଥ୍‌ କହିଲେ, ‘‘ମୋର ଇନ୍‌ଟ୍ୟୁସନ୍‌ କେବେ ବ୍ୟର୍ଥ ଯାଏନା । ସେଇଥିପାଇଁ ତ ପ୍ରଥମ ଦେଖାରେ ହିଁ ତମକୁ ଡାକିଥିଲି ‘ପ୍ରିନ୍‌ସ ଚାର୍ମିଙ୍ଗ୍‌’ ବୋଲି । ଶୁଣୁଛ–ମୁଁ ଆଜିଠାରୁ କେବେହେଲେ ମଦ ସ୍ପର୍ଶ କରିବି ନାହିଁ-।’’

Image

 

ଅଜ୍ଞାତ ନାୟକ

(ଏକ)

 

ଡିସେମ୍ୱରର ରାତ୍ରି । ବାହାରେ ପ୍ରଚୁର ଥଣ୍ଡା । ତିନିହଜାର ଫୁଟ ଉଚ୍ଚର ଗଞ୍ଜାମ ମାଳଭୂମି । ନିକଟରେ ଆକାଶ ସ୍ପର୍ଶକରୁଛି ପୂର୍ବଘାଟ ପାହାଡ଼ମାଳାର ଅତ୍ୟୁଚ୍ଚ ଶୃଙ୍ଗ ‘‘ଶୃଙ୍ଗରାଜା’’ ମହେନ୍ଦ୍ରଗିରି । ତା’ରି ଭିତରେ ଆତ୍ମଗୋପନ କରି ନିର୍ଦ୍ୱନ୍ଦ୍ୱରେ ଶୋଇରହିଛି କେଇଟି କ୍ଷୁଦ୍ର ଉପତ୍ୟକା । ତା’ରି ଭିତରେ ଦଶ ବାରଟି କୁଡ଼ିଆ ନେଇ ଛୋଟ ଛୋଟ ଗ୍ରାମ ।

 

ରାତି ପ୍ରାୟ ନଅଟା । ଚାରିଆଡ଼େ ଛାଇରହିଛି ଏକ ଗଭୀର ନିଶୂତି । ଗିରିନଦୀର ଏକ ସୁରର କଳତାନ ସେଇ ନିଶୂତିକୁ ଆହୁରି ଗଭୀର କରୁଛି । ସମସ୍ତେ ନିଦରେ ଅଚେତନ ।

 

ଖଟଉପରେ ରେଜେଇ ଘୋଡ଼ିହୋଇପଡ଼ି ମୁଁ ପଢ଼ୁଛି ଗୋଟିଏ ଉପନ୍ୟାସ, ଏକକ ଜୀବନର ସଙ୍ଗୀ ।

 

ହଠାତ୍‌ ସାମାନ୍ୟ ଖସ୍ ଖସ୍‌ ଚମକିପଡ଼ି ରହି ବହି ଉପରୁ ମୁହଁଟେକି ଫେରିଚାହିଁଲି ।

 

ତମ୍ୱୁର ପରଦା ଫାଙ୍କରେ ଉନ୍ମୁକ ହୋଇ ରହିଛି ମୋଆଡ଼କୁ ମୁହଁ କରି ଦୁଇଟି ଦୁଇନଳୀ ବନ୍ଧୁକର ଅଗ୍ରଭାଗ ।

 

ମୁଁ କିଛିକ୍ଷଣ ସ୍ତବ୍‌ଧ ହୋଇ ରହିଗଲି । ଚିତ୍କାର ଆସୁ ଆସୁ ତଣ୍ଟି ପାଖରେ ରହିଗଲା । ମୁଁ କେବଳ ଭୟ, ଏକ ପ୍ରବଳ ଭୟର ଅଣନିଃଶ୍ୱାସକର ଚାପରେ ଜଡ଼ିଭୂତ ହୋଇ ଅପଲକ ଆଖିରେ ଚାହିଁରହିଥାଏ ସେଇ ଦୁଇଟି ଜୀବନ୍ତ ମୃତ୍ୟୁକୁ । ହଠାତ୍ ତମ୍ୱୁର ପରଦା ଥରିଲା । ଆସ୍ତେ ଆସ୍ତେ ପଶିଆସିଲେ ଦୁଇଟି ଲୋକ, ବଳିଷ୍ଠ ବୋଲି କହିଦେବନି । ଜଣେ ପତଳା, ସାଧାରଣ ଉଚ୍ଚତାବିଶିଷ୍ଟ ତ୍ରିପଣ୍ଡ କଳା ଲୋକଟିଏ । ଆଉଜଣେ ଦୀର୍ଘକାୟ, ଅପେକ୍ଷାକୃତ ଗୋରା ଓ କ୍ଷୀଣକାୟ ଲୋକଟିଏ । ଏଇ ଲୋକଟିର ଚେହେରାରେ ବିଶେଷତ୍ୱ ଅଛି । ମୁହଁରେ ଭର୍ତ୍ତି ଦାଢ଼ି । ମୁଣ୍ଡର ବାଳ ନୁକୁରା ଓ ଇତସ୍ତତଃ ବିକ୍ଷିପ୍ତ । ଗାଇଦୁଇଟି ପଶିଯାଇ ହନୁହାଡ଼ ଦୁଇଟି ପରିଷ୍କାର ଜଣାପଡ଼ୁଛି । ଦେହରେ ଅର୍ଦ୍ଧଚ୍ଛିନ୍ନ ଖାକି ପେଣ୍ଟ ଓ ସାର୍ଟ । ଓଠଦୁଇଟି ସାମାନ୍ୟ ବଙ୍କେଇ ଯାଇ ସ୍ଥିର ହୋଇ ରହିଯାଇଛି ଗୋଟାଏ ଶାଣିତ ବ୍ୟଙ୍ଗରେ ସ୍ମିତ ହସରେ, କିନ୍ତୁ ଆଖିଦୁଇଟି ଯେମିତି ବାଘର ଆଖି ପରି ଜଳୁଛି ଦୁଇଖଣ୍ଡ ବହୁମୂଲ୍ୟ ହୀରା ପରି-। ଲଣ୍ଠନରେ ଆଲୋକ ପ୍ରତିଫଳିତ ହୋଇ ବିଚ୍ଛୁରିତ ହେଉଛି ସେହି ଦୁଇଟି ଆଖିର ତାରକାରେ ।

 

କିନ୍ତୁ-କିନ୍ତୁ-

 

ମୁଁ ଯେମିତି ଏ ଲୋକକୁ ଚିହ୍ନେ । ଏ ଲୋକକୁ ଜାଣେ । ଅତି ପରିଚିତ ।

 

ଅଥଚ-କିଏ ?

 

ଲୋକଦୁଇଟି ଅବିଶ୍ୱାସ୍ୟ ଭାବେ ନୀରବ ।

 

ମୋର ମାନସିକ ଅବସ୍ଥା–(ମୋତେ ଅସହ୍ୟ ଲାଗୁଛି ନୀରବତା । କଥା କହୁ, କଥା କୁହ । କ’ଣ ଚାହଁ ତମେ ? ଟଙ୍କା, ପଇସା, ଘଡ଼ି–ଯାହା ଅଛି ସବୁ ନିଅ; କିନ୍ତୁ କଥା କୁହ, ମୋର ସର୍ବସ୍ୱ ଲୁଟିନିଅ; କିନ୍ତୁ କଥା କୁହ । ମୁଁ ତମକୁ ଚିହ୍ନେ–ତମକୁ ଜାଣେ । ଅଥଚ ମୁଁ କିଛି ଠିକ୍‌ କରିପାରୁନାହିଁ । ନିର୍ଦ୍ଦିଷ୍ଟ କରି ଜାଣିପାରୁ ନାହିଁ, ତମେ କଥା କୁହ ।)

 

‘କିରେ ଟୁକୁ–ଚିହ୍ନିପାରୁନୁ ?’

 

ହଠାତ୍‌ ବନ୍ଧ ଭାଙ୍ଗିଗଲା-

 

‘ଲାଲୁଭାଇ ତୁମେ !’ ମୁଁ ପାଟିକରିଉଠିଲି ।

 

‘ଚୁପ୍‌ ।’ ଆଖିର ଡୋଳା ବିସ୍ଫାରିତ ହୋଇଗଲା । ମୋର ଉଚ୍ଛ୍ୱସିତ ଆବେଗର ଜୁଆରରେ ହଠାତ୍‌ ଭଟ୍ଟା ପଡ଼ିଗଲା । ମୁଁ ଫେର୍‌ ଥତମତ ହୋଇ ଚୁପ୍ ରହିଲି ।

 

‘ଆସ୍ତେ, ପାଟିକରନା ।’ ତା’ପରେ ଖଟରେ ବସିପଡ଼ି ମୋ କାନ ପାଖରେ ଆସ୍ତେ ଆସ୍ତେ କହିଲେ, ‘ଆମ ପଛରେ ପୋଲିସ ଲାଗିଛି । ଏଣୁ କଥା ଚୁପ୍‌ଚାପ୍‌ କର । ହଁ, ତୋ ପାଖରେ ଚାଉଳ ଡାଲି ଅଛି ତ ?’

 

ମୁଁ ପୁଣି ଉତ୍ସାହିତ ହୋଇଉଠିଲି ।

 

‘ହଁ, ସବୁ ଅଛି । ମୁଁ ଡାକୁଛି ପୂଜାରୀକୁ; ସେ ଏଇନେ ସବୁ-’

 

‘ଦୂର ବୋକା, ଆମେ କ’ଣ ତୋର ମାନ୍ୟବର ଅତିଥି ହୋଇଆସିଛୁ ଯେ ତୁ ଅଭ୍ୟର୍ଥନା କରିବୁ ! ହଁ, ଛାଡ଼–ତୋ ଛଡ଼ା ଯେମିତି ଅନ୍ୟ କେହି ନ ଜାଣେ ଆମେ ଏଠିକି ଆସିଥିଲୁ ବୋଲି ।’

 

ହଁ, ‘ତୋ ଜିନିଷପତ୍ର କେଉଁଠି ଅଛି ?’

 

‘ମୋ ତମ୍ୱୁରେ ।’

 

‘ହଉ ଦେ, ଡେରି କରନା । ଚାରିଦିନ ହେଲା ଖାଇନୁ, ଶଳା କୁତ୍ତାଗୁଡ଼ା ପଛରେ ଲାଗିଛନ୍ତି । ଆଜି ଟିକେ ଫାଙ୍କିଦେଇ ପେଳେଇ ଆସିଛୁ । ଯାହା ଅଛି ଦେ, ଗଣ୍ଡେ ଗଣ୍ଡେ ଖାଇଦେଇ ବର୍ତ୍ତମାନ ପୁଣି ଆମେ ଏଠାରୁ ବାହାରିଯିବୁ ।’

 

ମୁଁ ଉଠିଯାଇ ତମ୍ୱୁର ପଛପାଖରେ ଥିବା ଚାଉଳବସ୍ତା ଦେଖେଇ ଦେଲି ।

 

‘ଚକ୍ରପାଣି, ଆଉ ଡେରିନାହିଁ । ଧର–।’

 

ଚକ୍ରପାଣି ସେଇ ଚାଉଳ ବସ୍ତାରୁ ଚାଉଳ କାଢ଼ି ଗାମୁଛାରେ ବାନ୍ଧିଲା । ଆଳୁ, ପିଆଜ, କଞ୍ଚାଲଙ୍କା ସବୁଥିରୁ କିଛି କିଛି ତା’ରି ଭିତରେ ପକେଇଦେଇ ଗାମୁଛାକୁ କାନ୍ଧ ଉପରେ ପକେଇ ଠିଆହୋଇ ରହିଲା ।

 

‘ହଁ, ଏଥର ଯାଅ । ତମେ ରୋଷେଇବାସ କରୁଥାଅ । ମୁଁ ଯାଉଛି ।’

 

ଚକ୍ରପାଣି ଚାଲିଗଲା ।

 

ମୁଁ ପଚାରିଲି–‘ଲାଲୁଭାଇ, ବିସ୍କୁଟ୍‌ ଖାଇବ ?’

 

‘ହଉ ଆଣ୍‌ ।’

 

ମୁଁ ବିସ୍ମୁଟ ଟିଣଟା ତା’ଆଡ଼କୁ ଦେଖେଇଦେଲି । ସେ ଏକାବେଳକେ ତିନି ଚାରିଟା ପାଟିରେ ପକେଇ ଚୋବେଇବାକୁ ଲାଗିଲା । ହଠାତ୍ ଶୁଖିଲା ବିସ୍କୁଟ ତଣ୍ଟିରେ ଲାଗିବାରୁ ଖୁକ୍‌ ଖୁକ୍‌ ହୋଇ କାଶିଉଠିଲା । ମୁଁ ତାକୁ ପାଣି ବୋତଲ୍‌ଟି ବଢ଼େଇଦେଲି । ସେ ଢକ୍‌ ଢକ୍‌ କରି ପିଇଗଲା ପ୍ରାୟ ସବୁଯାକ ।

 

ଚେତନା ପ୍ରସରିଗଲା ସ୍ମୃତିର ଆଲ୍‌ବମ୍‍ଆଡ଼କୁ । ଖଣ୍ଡ ଖଣ୍ଡ ସ୍ଥିରଚିତ୍ର–ପ୍ରତିଟି ପୃଷ୍ଠାରେ ସେମିତି ଅମ୍ଲାନ ହୋଇ ରହିଯାଇଛି । ଛାତ୍ର ନେତା–ଗାନ୍ଧିବାଦୀ କର୍ମୀ–ଖଦଡ଼ ପିନ୍ଧା–ରାମଧୂନ ଗାୟକ–ସତ୍ୟାଗ୍ରହୀ ଲାଲୁ ପଟ୍ଟନାୟକ, ଲାଲୁଭାଇ, ସୂତାକଟା ଶିଖାଉଥିଲା–ତାକୁଡ଼ିରେ ତା‘ପରେ ଅରଟରେ । ଗୀତ ଶିଖାଉଥିଲା–ରଘୁପତି ରାଘବ–ବୈଷ୍ଣବଜନିତ, ସେଇ ଲାଲୁଭାଇ ଶାନ୍ତି, ଅହିଂସାବାଦୀ, ସତ୍ୟାଗ୍ରହୀ ଲାଲୁଭାଇ–ଆଜି ସବୁଠାରୁ ବଡ଼ ହତ୍ୟାକାରୀ, ନିଷ୍ଠୁର ବ୍ୟକ୍ତି । ମୁଣ୍ଡରେ ଦଶହଜାର ଟଙ୍କାର ପୁରସ୍କାର ନେଇ ବଣଜଙ୍ଗଲ ଭିତରେ ଆହତ ବ୍ୟାଘ୍ର ପରି ଘୂରି ବୁଲୁଛି । ଏଇ ସେଇ ଲାଲୁଭାଇ, ପ୍ରାୟ ସାତବର୍ଷ ପରେ ଦେଖୁଛି ତାକୁ । ସେଇଦିନଠୁ ସେ ଅଣ୍ଡରଗ୍ରାଉଣ୍ଡ ।

 

‘କିରେ ଡରିଯାଉଛୁ ? ମୁଁ ଏଇନେ ଚାଲିଯିବି ମ ? କେହି ଜାଣିବେ ନାହିଁ । ତୋ ଚାକିରି ଠିକ୍ ରହିବ ।’

 

‘ଛି, ଲାଲୁଭାଇ–ମୁଁ କ’ଣ ସେଥିପାଇଁ ଭାବୁଛି-’

 

କ’ଣ ?

 

‘ସେଇ ପୁରୁଣା କଥା । ସେଇ ଆମ ଛୋଟ ଟାଉନ୍‌ର କଥା, ତମେ କେମିତି ଆମକୁ ରାମଧୁନ ଶିଖାଉଥିଲ–ସୂତାକଟା–’

 

‘ଛାଡ଼ ଛାଡ଼ ସେ କଥା । ଆଜି ଭାବିଲେ ମୋତେ ଲଜ୍ଜା ଲାଗେ ।’

 

‘କିନ୍ତୁ ଲାଲୁଭାଇ, ଆଉ କେତେଦିନ-’

 

‘ଯେତେଦିନ ପର୍ଯ୍ୟନ୍ତ ଏ ଶୋଷଣ, ଅତ୍ୟାଚାର, ଅନ୍ୟାୟରୁ ସାଧାରଣ ଜନତା ମୁକ୍ତି ନପାଇଛି-’

 

କିନ୍ତୁ ତମେ କ’ଣ ସତରେ ଭାବୁଛ ଯେ ତମେ-

 

‘ମୁଁ ନୁହେଁରେ ବୋକା ! ମୁଁ ତ ନିମିତ୍ତ । ମୁଁ ଏକ କାର୍ଯ୍ୟକାରଣର ଯନ୍ତ୍ର ମାତ୍ର ! ମୋର ତ ଶେଷ ଏଇ ମୁହୂର୍ତ୍ତରେ ବି ହୋଇପାରେ; କିନ୍ତୁ ସେଇ ଅଲଂଘନୀୟ ଦୁର୍ବାର ସ୍ରୋତର ବିଲୟ ନାହିଁ । ସେ ଆସୁଛି; ଆସିବ ହିଁ ଆସିବ । ଆମେ କେବଳ ତା’ର ପ୍ରଥମ ଦୂତ । ହଁ ଛାଡ଼; ଆଉ ତୋ ଖବର କ’ଣ ?’

 

‘ଚାଲିଛି ଏକପ୍ରକାର । ଘରକୁ ଏବେ ତ ଯାଇଥିଲି । ମାଉସୀ ଭଲ ଅଛନ୍ତି । ତେବେ ତମେ ଜାଣିଛ ତ ମୁଁ ଗଲାମାତ୍ରେ ସେ କାନ୍ଦିବେ–ତମକୁ ମନେକରି–’

 

କ୍ଷଣକପାଇଁ ଲାଲୁଭାଇର ଦୃପ୍ତ ମୁହଁଟା ବିବର୍ଣ୍ଣ ହୋଇଉଠିଲା । ଏକ ଅନ୍ତହୀନ ବେଦନା ଯେପରି ଚିତାକୁଟା ଦାଗ ଭଳି ଆବିଷ୍କାର ଭାବରେ ଫୁଟିଉଠିଲା ତାଙ୍କର ନିର୍ଲିପ୍ତ ମୁହଁରେ, କ୍ଷଣକ ମାତ୍ର । ତା’ପରେ ନିଜକୁ ସଂଯତ କରିନେଇ ସେ କହିଲେ, ‘ବୋଉକୁ କହିଦେବୁ–ମୁଁ ଭଲ ଅଛି । ସେଗୁଡ଼ା ତ ସବୁବେଳେ ସେମିତି କାନ୍ଦିବେ । ହଁ, ଆଜି ତୋପାଖକୁ କେମିତି ଆସିଲୁ ଜାଣିଛୁ । ଚାରିଦିନ ହେଲା ତ ଖାଇନଥିଲୁ । ପ୍ରବଳ ଭୋକ ଲାଗୁଥାଏ । ହଠାତ୍‌ କେଉଁଠୁ ଲୁଟ୍‌ କରିବା ବି ସମ୍ଭବପର ନୁହେଁ । କାରଣ ପୋଲିସ ପୁଣି ଆମର ସନ୍ଧାନ ପାଇଯିବ । ହଠାତ୍‌ ଦେଖିଲି ତୋର ତମ୍ୱୁ । ସନ୍ଧ୍ୟାବେଳେ ମୋ ଲୋକ ଆସି ଖବର ନେଇ ଯାଇଥିଲା ତୋ ପୂଜାରୀ ପାଖରୁ । ତା’ପାଖରୁ ଶୁଣିସାରିଲା ପରେ ମୋର ମନେହେଲା ଯେ ନିଶ୍ଚୟ ତୁ । ତେଣୁ ମୁଁ ନିଜେ ଆସିଲି । ଯାହାହେଉ, ଦେଖା ହୋଇଗଲା । ଆଚ୍ଛା, ମୁଁ ଯାଏ ବୁଝିଲୁ, ପୁଣି କେତେବାଟ ଯିବାକୁ ପଡ଼ିବ ।’

 

‘ଏଇ ରାତିରେ.....’

 

‘ଆଉ କ’ଣ ଦିନରେ ? ବୋକା କୁଆଡ଼ିକାର !’

 

ମୁଁ ଲାଲୁଭାଇକୁ ଦୁଇହାତ ଯୋଡ଼ି ପ୍ରଣାମ କଲି । କାନ୍ଧରେ ବନ୍ଧୁକଟା ପକେଇ ମୋ ମୁଣ୍ଡର ବାଳକୁ ଆସ୍ତେ ସାଉଁଳେଇ ଦେଇ ବାହାରକୁ ଯାଉ ଯାଉ କହିଲା, ‘ବଞ୍ଚିଥିଲେ ପୁଣି ଦେଖାହେବ । କିନ୍ତୁ ଦେଖ୍‌; ଏକଥା ଯେମିତି କେହି ନ ଜାଣନ୍ତି କେବଳ ତୋ ଛଡ଼ା ଦ୍ୱିତୀୟ ବ୍ୟକ୍ତି କାନରେ ଯେମିତି ମୋ ଆସିବା କଥା ନ ପଡ଼େ ।’

 

ଏକ ଆଦେଶ । ଅଲଂଘ୍ୟନୀୟ ହୁକୁମ୍‌ ।

 

(ଲାଲୁଭାଇଙ୍କର ଡାଏରିରୁ)

 

ବ୍ୟକ୍ତି ବ୍ୟକ୍ତି ଭିତରେ ହିଂସାର ହୁଏତ ବିଭତ୍ସ ରୂପ ରହିଛି କିନ୍ତୁ ସାମୂହିକ ହିଂସାର ରହିଛି ଏକ ଅହିଂସାକର କଲ୍ୟାଣକାରୀ ରୂପ । ବ୍ୟକ୍ତି ବ୍ୟକ୍ତି ଭିତରେ ଘୃଣାର ଏକ କଦର୍ଯ୍ୟ ରୂପ ରହିଥାଏ; କିନ୍ତୁ ସାମୂହିକ ଘୃଣାରେ ରହିଛି ଏକ ମଙ୍ଗଳମୟୀ ରୂପ । ବ୍ୟକ୍ତି-ବ୍ୟକ୍ତି ଭିତରେ ସ୍ୱାର୍ଥପରତା ଓ ଲୋଭର ବିକଟ ରୂପ ରହିଥାଇପାରେ; କିନ୍ତୁ ସାମୂହିକ ଲୋଭର ରହିଛି ଏକ ଅନିର୍ବଚନୀୟ ନିର୍ଲୋଭତା-ଏକ ନୈର୍ବକ୍ତିକ ଅଭିବ୍ୟକ୍ତି ।

 

ହିଂସାର ସଂଜ୍ଞା କ’ଣ ? ଈର୍ଷାରେ ଜଳିପୋଡ଼ି ନିଜର ସ୍ୱାଭାବିକ ଅଭାବବୋଧ ବିଷୟରେ ଜର୍ଜରିତ ହୋଇ; ସଂକୀର୍ଣ୍ଣ ସ୍ୱାର୍ଥ ଯୋଗୁଁ ଅପରକୁ କାୟିକ କିମ୍ୱା ମାନସିକ ଆଘାତ କରିବାର ନାମ ଯଦି ହିଂସା ହୁଏ–ସେ ହିଂସା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ । ସାମୂହିକ ହିଂସାରେ ଏକ ସଂକୀର୍ଣ୍ଣତା ନାହିଁ । ସେଥିଲାଗି ଆଦର୍ଶପାଇଁ ପ୍ରାଣବଳୀ, ଆଦର୍ଶପାଇଁ ହତ୍ୟାକୁ ହିଂସାରୂପେ ଗ୍ରହଣ କରାଯାଏନା ।

 

ତେଣୁ ଏକ ବୃହତ୍ତର ଆଦର୍ଶର ପରିପ୍ରେକ୍ଷୀରେ ହିଂସା ଓ ଅହିଂସା ବିଭିନ୍ନ ନୁହେଁ । ତାଙ୍କର ମାର୍ଗ ସ୍ୱତନ୍ତ୍ର ନୁହେଁ । ଗୋଟାଏ ଆଦର୍ଶକୁ କାର୍ଯ୍ୟକାରୀ କରିବାର ଗୋଟାଏ ବିଳମ୍ୱିତ ପନ୍ଥା ଓ ଅନ୍ୟଟି ତ୍ୱରିତ ପନ୍ଥା । ଯେକୌଣସି ଦେଶର, ଜନସାଧାରଣଙ୍କ ସ୍ୱାଭାବିକ ମାନସିକ ଅବସ୍ଥାର ପରିପ୍ରେକ୍ଷୀରେ ପନ୍ଥା ନିର୍ଣ୍ଣୟ ହୁଏ ।

 

ହିଂସା ପାପ ବୋଲି ନୁହେଁ ବା ଅହିଂସା ପୁଣ୍ୟ ବୋଲି ନୁହେଁ । ଯେଉଁ ଗୀତାରେ ଅହିଂସାର ବାଣୀ ପ୍ରଚାର କରାଯାଇଛି ସେଇ ଗୀତା ରଚିତ ହୋଇଥିଲା ଏବ ବିରାଟ ଯୁଦ୍ଧର ପଟ୍ଟଭୂମିରେ, ହତ୍ୟା, ରକ୍ତପାତ ଓ ହିଂସାର ମଧ୍ୟରେ । କାହିଁକି ? ସେକଥା କିଏ ପଚାରେ ନାହିଁ । ଆଜିକାଲି ଭାରତବର୍ଷରେ ‘ଅହିଂସା’ ଗୋଟାଏ ବହୁ ବର୍ଷିତ ଶବ୍ଦ ମାତ୍ର ।

 

ଦୁର୍ବଳ ଅବହେଳିତ ଜନସାଧାରଣଙ୍କୁ ନିଜର ଶକ୍ତିରୁ ଅଜ୍ଞ ରଖିବାକୁ ଏକ ସୁବିଧାବାଦୀ ଗୋଷ୍ଠୀର ସଂକୀର୍ତ୍ତନର ଅଫିମ । ହିଂସା, ଅହିଂସା ବଡ଼କଥା ନୁହେଁ । ବଡ଼କଥା ଆଦର୍ଶ । ତେଣୁ ମହାଭାରତ ଯୁଗର ଭାରତବର୍ଷରେ ଧର୍ମ ଓ ନ୍ୟାୟର ପ୍ରତିଷ୍ଠାପାଇଁ ହିଂସା (ସାମୂହିକ, ବ୍ୟକ୍ତିଗତ ନୁହେଁ)ହିଁ ଥିଲା ଏକମାତ୍ର ଉପାୟ । ଗାନ୍ଧୀଙ୍କର ଅହିଂସା ନୀତି ସେମିତି ସେତେବେଳର ଭାରତବର୍ଷରେ ସାମାଜିକ ନ୍ୟାୟ ପ୍ରତିଷ୍ଠାପାଇଁ ଥିଲା କେବଳ ଏକମାତ୍ର ଉପାୟ । ‘ହିଂସା’ପାଇଁ ଭାରତବାସୀ ପ୍ରସ୍ତୁତ ନଥିଲେ । ତେଣୁ ଆଦର୍ଶ, ଧର୍ମ, ନ୍ୟାୟର ପ୍ରତିଷ୍ଠାପାଇଁ ହିଂସା ବା ଅହିଂସା ଉପାୟ ନିର୍ଭର କରେ ତତ୍‌କାଳୀନ ଦେଶର ପରିବେଶ ଉପରେ, ସାମାଜିକ ସ୍ଥିତି ଉପରେ ।

 

ତେବେ ମୋତେ ହିଂସୁକ ହତ୍ୟାକାରୀ ବୋଲି କୁହାଯାଉଛି କାହିଁକି ? ବିଚାର କରିବାର ପ୍ରହସନ ହେଉଛି କାହିଁକି ? ଯେଉଁ ଦେଶରେ ସଂକୀର୍ଣ୍ଣ ସ୍ୱାର୍ଥପାଇଁ ତେଲରେ ଅଗରା ମିଶେଇ ଶହ ଶହ ଲୋକଙ୍କୁ ପଙ୍ଗୁ କରିଦିଆଯାଏ; ଯେଉଁ ଦେଶରେ ସାମାନ୍ୟତମ ସୁବିଧାପାଇଁ ଔଷଧରେ ଭେଜାଲ କରି ଲକ୍ଷ ଲକ୍ଷ ଲୋକଙ୍କୁ ଅନିଚ୍ଛାକୃତ ମୃତ୍ୟୁଦଣ୍ଡ ଦିଆଯାଏ, ଦେଶର ଯେଉଁ ରାଜନୀତିଜ୍ଞ, ଓକିଲ, ଡାକ୍ତର, ଇଞ୍ଜିନିୟର, ବୁଦ୍ଧିଜୀବୀ, ବ୍ୟବସାୟୀ ପ୍ରଭୃତି ବ୍ୟକ୍ତିଗତ ହିଂସାର ବାୟୁମଣ୍ଡଳକୁ ପଚେଇ ସଢ଼େଇ ଦୂଷିତ କରୁଛନ୍ତି, ସେଇଠି ଗୋଟାଏ ଦୁଇଟା ହତ୍ୟାରେ ‘ହିଂସା ହିଂସା’’ ବୋଲି ଚିତ୍କାର କରିବା ଏକ ଭୟାର୍ତ୍ତ ପ୍ରଳାପ ବା ଫାଶୀ ଛଡ଼ା ଆଉ କ’ଣ ହୋଇପାରେ ? ଏ ଚିତ୍କାର ସେଇମାନଙ୍କର ଯେଉଁମାନେ ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ହିଂସା ଆଚରଣ କରି ସୁଦ୍ଧା, ନିଜର ଜୀବନକୁ ଏଇ ସ୍ରୋତର କବଳରୁ ରକ୍ଷା କରିବାପାଇଁ ମିଛଟାରେ ‘‘ବାଘ, ବାଘ’’ର ଚିତ୍କାର କରି ଅନ୍ୟମାନଙ୍କୁ ଭ୍ରମରେ ପକାଉଛନ୍ତି । କିନ୍ତୁ ସେ ପ୍ରବଳ ଗିରିନଦୀର ପ୍ରଖର ସ୍ରୋତକୁ ଏ ବାଲିବନ୍ଧ ରୁଦ୍ଧ କରି ରଖିବ କେତେଦିନ ?

 

ମୁଁ ଜାଣେ, ଜଣେ ଗୁଣୁପୁରର ସାହୁକାର, ମେଦିନୀପୁରର ଜମିଦାର, ଦରଭଙ୍ଗାର ଜମିମାଲିକ, କଲିକତାର ମିଲ୍‌ ମାଲିକର ମୃତ୍ୟୁରେ ବିଶେଷ କିଛି ପରିବର୍ତ୍ତନ ଆସିବନି । କିନ୍ତୁ ସେମାନଙ୍କୁ ଖୋଜି ଖୋଜି ହତ୍ୟା କରିବାକୁ ହେବ, ଏଥିପାଇଁ ସେ ସମାଜର ଅବହେଳିତ, ଦୁର୍ଦ୍ଦଶାଗ୍ରସ୍ତ, ନିଷ୍ପେଷିତ ଜନତାର ମନରେ ଆଣିବାକୁ ଦମ୍ଭ, ସାହସ ଓ ଆତ୍ମବିଶ୍ୱାସ ଏବଂ ସମାଜର ଉଚ୍ଚସ୍ତରର ଶୋଷକଶ୍ରେଣୀର ଗହନ ନିଦକୁ ଭାଙ୍ଗି, ତାଙ୍କର ଜୀବନର ପରମ ନିଶ୍ଚତତାକୁ ଭାଙ୍ଗିଚୁରି ଦେଇ, ତାଙ୍କର ଆତ୍ମବିଶ୍ୱାସକୁ କୁଠାରଘାତ କରି, ତାଙ୍କର ଆଖି ଫେରାଇ ଆଣିବାପାଇଁ ଏଇ ଅବହେଳିତ କିନ୍ତୁ ଅମିତ ଶକ୍ତିର ଉତ୍ସ ସାଧାରଣ ଜନତାଆଡ଼କୁ ।

 

ସେଥିପାଇଁ ତ ଯେଉଁ ଦେଶରେ ପ୍ରତିଦିନରେ ଶହ ଶହ ହତ୍ୟା ଘଟଣା ଘଟିଯାଉଛି, ସେଇଠି ଗୋଟାଏ ମାସରେ ପଚାଶ ଷାଠିଏ ହତ୍ୟା ଘଟଣାକୁ ଏତେ ଗୁରୁତ୍ୱ ଦିଆହୁଅନ୍ତା କାହିଁକି ? କାହିଁକି ସରକାର ହଜାର ହଜାର ପୋଲିସବାହିନୀ ଆମ ପରି କେତେଟା ଲୋକ ପଛରେ ଘୂରିବୁଲନ୍ତେ ଧରିନେବାକୁ । କାରଣ ଏହା ଏକ ଅବଶ୍ୟାମ୍ଭାବୀ ପ୍ରତିକ୍ରିୟା । ବିପ୍ଳବକୁ ଚାପି ରଖିବାକୁ ଶାସକର ସର୍ବକାଳୀନ ଅପଚେଷ୍ଟା । କିନ୍ତୁ ଏ ଏକ ସ୍ୱୟମ୍ଭୂ ଅଗ୍ନିର ଉଦ୍‌ଗୀକରଣ । ଏହାକୁ କେହି ଚାପିରଖି ପାରିନାହିଁ କି ପାରିବ ନାହିଁ ମାଟି ତଳେ ତଳେ ଉତ୍ତପ୍ତ ଲାଭାସ୍ରୋତ ପରି ସେ ବହିଚାଲିଥିବ ଏବଂ ଠିକ୍‌ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଭୂମି ଫଟେଇ ସେ ଆବିର୍ଭାବ ହେବ ନୂତନ ବିକ୍ରମରେ-ନୂତନ ସାହସରେ ।

 

‘ଶହୀଦ୍‌’ ଏକ ରାଜନୀତିକ ଶବ୍ଦ । ଯେକୌଣସି ଶାସକ ଅମଳର ଦେଶଦ୍ରୋହୀ ବ୍ୟକ୍ତି ପରବର୍ତ୍ତୀ ଶାସକ ଅମଳରେ ପାଏ ଶହୀଦର ସମ୍ମାନ । ଶହୀଦ୍‌ ହୋଇଥିବା ବ୍ୟକ୍ତିର ନିଜର ଶହୀଦତ୍ୱ ଦେଖିବାକୁ ଫେରିଆସେନା । ତାମ୍ରପତ୍ର ପାଇବାକୁ ଆବେଦନ କରେନା; କିନ୍ତୁ ଶହୀଦକୁ ସମ୍ମାନ କରି ଆମେ ସମ୍ମାନ କରୁ, ସେଇ ଆନ୍ଦୋଳନକୁ । ସେଇ ଚେତନାର ଅଗ୍ନିକଣାକୁ, ଶହୀଦ୍‌ର ସମ୍ମାନ ବ୍ୟକ୍ତିଗତ ନୁହେଁ । ସେ ସମ୍ମାନ କେବଳ ନୈର୍ବକ୍ତିକ, ଏଇ ଅଭିବ୍ୟକ୍ତି ପ୍ରତି ସେ ଦେଶପ୍ରେମ ହେଉ–ଜାତିପ୍ରେମ ହେଉ–ଆଦର୍ଶ ହେଉ !

 

ମୁଁ ‘ଶହୀଦ୍‌’ ହେବିକି ନାହିଁ ଜାଣେନା । କିନ୍ତୁ, ମୁଁ,ଏତିକି ଜାଣେ, ଏତିକି ମୋର ଦୃଢ଼ ବିଶ୍ୱାସ, ମୋର ଜୀବନ ବ୍ୟର୍ଥ ହୋଇନାହିଁ । ‘ମୃତ୍ୟୁ’ ତ ଅନିବାର୍ଯ୍ୟ । ମୋର ‘ମୃତ୍ୟୁ’ ଅନ୍ୟମାନଙ୍କର ବାହାରିଆ ଅଶ୍ରୁପାତ, ସଭାସମିତିରେ ସମ୍ମାନିତ ନ ହେଉ । ସେ ହେବ ପାହାନ୍ତି ଆକାଶର ଶୁତ୍ରତାରା ପରି ଉଜ୍ଜ୍ୱଳତାରେ ମହାନ୍‌ । ମୁଁ ନିଜର କର୍ତ୍ତବ୍ୟରେ ଦୃଢ଼ ରହିଛି । ମୁଁ ନିଜପ୍ରତି, ନିଜର ଅନ୍ତରାତ୍ମାର ଆହ୍ୱାନ ପ୍ରତି ବିଶ୍ୱାସଘାତକତା କରିନାହିଁ, ଏତିକି ତ ମୋର ସାନ୍ତ୍ୱନା !

 

ଆଉ ଦିନକର କଥା–

 

ଏପ୍ରିଲମାସ । ସନ୍ଧ୍ୟା କେତେବେଳୁ ହୋଇଗଲାଣି । କିନ୍ତୁ, ଗରମ ଯୋଗୁଁ ଆରାମ ଚେୟାରଟାରେ ମୁଁ ତମ୍ୱୁ ବାହାରେ ବସିଛି । ହଠାତ୍‌ କାହାର ଅସ୍ପଷ୍ଟ ଛାୟା !!‘ ମୁଁ ଚମକିପଡ଼ିଲି । ସନ୍ଧ୍ୟାରେ ଅନ୍ଧକାରରେ ଠିକ୍‌ ବାରିହେଉନି । ମୁଁ ପିଅନକୁ ଡାକିବାକୁ ବସିଛି । ଛାୟାମୂର୍ତ୍ତିଟା ଚଟ୍‌କରି ଆସି ମୋ ସାମ୍ନାରେ ଛିଡ଼ାହୋଇପଡ଼ିଲା । ଆଉ ଏକ ନିଶ୍ୱାସର ଅସ୍ପଷ୍ଟ ସ୍ୱରରେ କହିଲା–

 

‘ଶୀଘ୍ର ଆସନ୍ତୁ, ବାବୁ ଡାକୁଛନ୍ତି’ । ମୁଁ ତାକୁ ନିଠେଇ ଚାହିଁ ରହିଲି । ହଠାତ୍‌ ମନେପଡ଼ିଲା, ଏ ସେଇ ଲୋକଟା; ଯାହାକୁ ଲାଲୁଭାଇ ସାଙ୍ଗରେ ଦେଖିଥିଲି । ମୁଁ ତାକୁ ହାତଧରି ଟାଣି ନେଇଆସିଲି ତମ୍ୱୁ ଭିତରକୁ । ଛାତି ଭିତରଟା ମୋର ଛମ୍‌ ଛମ୍‌ ହୋଇଉଠିଲା । ଅଜଣା ଆଶଙ୍କାରେ ପଡ଼ୁଥାଏ ଉଠୁଥାଏ ।

 

ଫିସ୍‌ ଫିସ୍‌ କରି ପଚାରିଲି–

 

‘କଥା କ’ଣ ? ଲାଲୁଭାଇ କେଉଁଠି ?’

 

‘ଏଇ ସେଇ ନାଳ ସେପାଖେ, ଗୁଳି ବାଜିଛି, ଚାଲନ୍ତୁ ଶୀଘ୍ର ।’

 

ମୁଁ ଆଉ କିଛି ନ ଭାବି ଟର୍ଚ୍ଚଟା ଧରି ତା’ସାଙ୍ଗରେ ଏକରକମ ଦୌଡ଼ିବାକୁ ଆରମ୍ଭ କଲି-। ମୋ ତମ୍ୱୁ ପଡ଼ିଛି ଛୋଟିଆ ଗୋଟାଏ ଆମ୍ୱତୋଟାରେ–ଗାଁଠୁ ପ୍ରାୟ ଦି ଫର୍ଲଙ୍ଗ ଦୂରରେ । ଗାଁ ବୋଇଲେ ତିନୋଟି ଘର । ପାଖରେ ନାଳ । ନାଳ ସେପଟକୁ ଜଙ୍ଗଲ ଲମ୍ୱିଛି । ବେଶି ବାଟ ନୁହେଁ-। କିନ୍ତୁ ଚାଲୁ ଚାଲୁ ମନେହେଉଥାଏ, ସତେଅବା ଲକ୍ଷେମାଇଲ ବାଟ !

 

ପାଖରେ ଯାଇ ପହଞ୍ଚି ଦେଖେ ତ ଗଛମୂଳରେ ଶୋଇରହିଛି ଲାଲୁଭାଇ । ଟର୍ଚ୍ଚ ଆଲୁଅ ଦେଖି ମୁଁ ଚମକିପଡ଼ିଲି । ପେଟରେ ବନ୍ଧାହୋଇଛି ଗୋଟିଏ ଗାମୁଛା, ରକ୍ତରେ ଜୁଡ଼ୁବୁଡ଼ୁ । ଶାର୍ଟ ନାହିଁ ଦେହରେ । ପେଣ୍ଟଟା ଆଣ୍ଠୁ ପାଖରୁ ନାହିଁ । ମୁହଁଟା ଏକଦମ୍‌ ଶେତାଳିଆ; ଆଖି କାହିଁ କେଉଁଠି ପଶିଯାଇଛି । ମୋ ଆଖିକୁ ଲୁହ ଚାଲିଆସିଲା । ମୁଁ କିଛିଟା କାନ୍ଦଣା ମିଶ୍ରିତ ସୁରରେ ଡାକିଲି, ‘‘ଲାଲୁଭାଇ’’ ।

 

କିଛି ସମୟ କିଛି ଉତ୍ତର ନାହିଁ ।

 

ମୁଁ ପୁଣି ଚମକିପଡ଼ିଲି । ଆଉଥରେ ଜୋର କରି ଡାକିଲି ‘‘ଲାଲୁଭାଇ !’’

 

‘‘ଉଁ’’ ବହୁତ ଦୂରରୁ ଯେମିତି କିଏ କଥା କହୁଛି । ତା’ପରେ ହଠାତ୍‌ ଉଠିବସି ସେ ଅନର୍ଗଳ ଭାବେ କହିବାକୁ ଆରମ୍ଭ କଲା । ସତେଯେମିତି ସେତିକି କଥା କହିବ ବୋଲି ଏପର୍ଯ୍ୟନ୍ତ ଶକ୍ତି ସଂଗ୍ରହ କରୁଥିଲା । ‘‘ଟୁକୁନା ! ତୁ ଆସିଛୁ ? ସେ କୁତ୍ତାମାନେ ଶେଷରେ ମୋତେ ପାଇଗଲେ-। ହେଲେ, ମୋର ଲାସ୍‌ ସେମାନେ ପାଇବେ ନାହିଁ । ମୋର ଲାସ୍‌ ବି ତାଙ୍କ ସ୍ପର୍ଶରେ ଅପବିତ୍ର ହେବନି । ତୋତେ ଡାକିଛି-ତୁ ଏଇଠି ମୋତେ ଚିତ୍ତାରେ ଜଳେଇ ଦେଇ ତା’ପରେ ଯିବୁ । ମୋର ଯେମିତି କିଛି ଚିତାଭସ୍ମ ରହେନା । ଉଠ୍‌; ଶୀଘ୍ର କରିବୁ । ଅଳ୍ପ ସମୟ ଅଛି । ସେମାନେ ପହଞ୍ଚି ଯାଇପାରନ୍ତି ।’’

 

ସେ ଓଠ ଚାଟିଲା । ମୁଁ କିଛି କହିବା ଆଗରୁ ସେ ପୁଣି କହିଲା–‘‘ହଁ, ମୋର ଡାଏରୀଟା ଅଛି, ନେଇଯିବୁ । ଆଉ ଶୁଣ–ମୋର ମୃତ୍ୟୁର ଖବର ଯେମିତି କେହି ନ ପାଆନ୍ତି–ଅନ୍ତତଃ ବୋଉର ମୃତ୍ୟୁ ପର୍ଯ୍ୟନ୍ତ-ବୁଝିଲୁ ! ଆଉ–ଉଃ...’’

 

ହିକ୍‌କା ଉଠିଲା, ସବୁ ଶେଷ୍‌ ।

 

ମୁଁ ସ୍ତବ୍‌ଧ ହୋଇ ରହିଗଲି କିଛି ସମୟ । ନୀରବରେ ରହିଯିବାକୁ ଲାଗିଲା ଅଶ୍ରୁଧାରା । କିନ୍ତୁ ଚକ୍ରା ଶଉରା କହିଲା, ‘ବାବୁ, ଶୀଘ୍ର ବନ୍ଦୋବସ୍ତ କରିବାକୁ ହେବ ।’ ମୁଁ ତା’ଆଡ଼କୁ ଫେରି ଚାହିଁଲି । ଅନ୍ଧକାରରେ କିଛି ଦେଖିପାରିଲି ନାହିଁ; କିନ୍ତୁ ବୁଝିପାରିଲି କଣ୍ଠର ଆର୍ଦ୍ରତା ସତ୍ତ୍ୱେ କର୍ତ୍ତବ୍ୟର ଆହ୍ୱାନ ।

 

ସଙ୍ଗେ ସଙ୍ଗେ ଦୁଇଜଣ ମିଶି କାଠ ସଂଗ୍ରହ କରି ପ୍ରସ୍ତୁତ କଲୁ ଚିତା । ଶହୀଦ୍‌ର ଚିତା । ବାଡ଼ହଣା କାଠର ଗଣ୍ଡି ଶୁଖି ଶୁଖି ରହିଛି କୋଉଦିନରୁ । କାଟିବାର ସମୟ ନାହିଁ, ଖାଲି ରୁଣ୍ଡକରି, କୋଠି କରିବାର କଥା । ଦୁଇଜଣ ଧରାଧରି କରି ତା’ଉପରେ ତାକୁ ଶୁଆଇଦେଲୁ । ତା’ଉପରେ ପୁଣି ଗଦାକଲୁ ଗୁଡ଼ାଏ କାଠ, କୁଟା, ଶୁଖିଲାପତ୍ର । ମୁଁ ପକେଟରୁ ଦିଆସିଲି ବାହାର କରି ନିଆଁଲଗେଇ ତା’ର ମୁଖାଗ୍ନି ଦେଲି ।

 

ଲାଲୁଭାଇ, ଏଥର ଯା । ତୁ ମୋର ପ୍ରଥମ ଜୀବନର ଗୁରୁ ଥିଲୁ । ସେଇଥିପାଇଁ ବୋଧହୁଏ ଭାଗ୍ୟର ପରିହାସରେ ମୁଁ ହିଁ ଦେଉଛି ତୋର ମୁଖାଗ୍ନି । କ୍ଷଣକ ଭିତରେ ଶୁଖିଲାକାଠ ହୁ ହୁ ହୋଇ ଜଳିଉଠିଲା ।

 

ମୁଁ ଚିତାର ନିଆଁକୁ ଚାହିଁ ରହିଥାଏ ଏକ ଦୃଷ୍ଟିରେ ।

 

ଚକ୍ରା ଶଉରାର କର୍ତ୍ତବ୍ୟଜ୍ଞାନ ଅନେକ ।

 

‘ବାବୁ, ଆପଣ ଯାଆନ୍ତୁ, ମୁଁ ତ ଅଛି ।’

 

ମୁଁ କହିଲି, ‘ସବୁ ଶେଷ ହେଉ, ମୁଁ ଯିବି ।’

 

ସେ କିନ୍ତୁ ତା’ କଥାରେ ଦୃଢ଼ ।

 

‘ନା–ଆପଣଙ୍କୁ ଯିବାକୁ ହେବ । କିଏ କେତେବେଳେ ଆସିପାରନ୍ତି, ସନ୍ଦେହ ହେବ ।’

 

ଅଗତ୍ୟା ଡାଏରୀ ଧରି ଫେରିଆସିଲି ।

 

ସେଦିନ ସାରା ରାତି ମୁଁ ଆଉ ଶୋଇପାରିନି । ତମ୍ୱୁ ଭିତରେ ବସି ନିରୀକ୍ଷଣ କରି ଚାଲିଥାଏ ସେଇ ଚିତାଗ୍ନିର ଶିଖାକୁ । କଅଣ ପାଇଲା ଲାଲୁଭାଇ ତା’ର ଜୀବନଟାକୁ ନଷ୍ଟ କରିଦେଇ ? ମୃତ୍ୟୁପାଇଁ ଲାଲୁଭାଇର ଶୋଚନା ନଥିଲା । ହୁଏତ ଆମ ଦୃଷ୍ଟିରେ ତା’ ଜୀବନଟା ବ୍ୟର୍ଥ, କିନ୍ତୁ ତା’ପାଇଁ ସେଥିରେ ହିଁ ତା’ ଜୀବନ ସାର୍ଥକ । ନିଜେ ନିଜ ପାଖରେ ସାର୍ଥକ ହୋଇପାରିଲେ ତ ସେଇଟା ହିଁ ଜୀବନର ଚରମ ସାର୍ଥକତା !! ଅନ୍ୟ କିଏ କଅଣ କହିଲେ କଅଣ ଯାଏ ଆସେ ?

 

ଏମିତି ଆଳିମାଳିକା ଭାବୁ ଭାବୁ ଆଖିରେ କେତେବେଳେ ନିଦ ମାଡ଼ିଆସିଛି ଜାଣେନା; ହଠାତ୍‌ ନିଦ ଭାଙ୍ଗିଗଲା, ସକାଳ ଆଠଟାରେ ।

 

ବାହାରେ ଭାରି ଯୋତାର ଶବ୍ଦ, ଘାଗଢ଼ା ଗଳା ।

 

ମୁଁ ବାହାରକୁ ଉଠିଆସିଲି । ଦଶଜଣ କନେଷ୍ଟବଳ ଓ ଜଣେ ହାବିଲଦାର୍‌ ।

 

‘ଆଜ୍ଞା ! ମାଫ୍‌ କରିବେ । ଆମେ ଜଣେ ଡକାଏତ ପଛରେ ଅନୁସରଣ କରି ଆସୁଥିଲୁ-। ତା’ଠାରେ ଆମର ଗୁଳି ବାଜିଥିଲା । ସେ ଏଇବାଟ ଦେଇ ଯିବାର ଖବର ଆମେ ପାଇଛୁ । ତା’ର ରକ୍ତର ଦାଗ ମାଟିରେ ଲାଗିଛି, ଆପଣ କିଛି ଦେଖିଛନ୍ତି ବା ସେମିତି କିଛି ଶବ୍ଦ ଶୁଣିଛନ୍ତି କାଲି ରାତିରେ ?’

 

କ୍ଷଣକପାଇଁ ମୁଁ ନୀରବ ରହି କହିଲି, ‘ନା, ମୁଁ କିଛି ଦେଖିନି । କିଛି ଶବ୍ଦ ଶୁଣିନି ।’

 

ପରିଶିଷ୍ଟ

(ଲାଲୁଭାଇକୁ)

 

ତୁ ସେଦିନ କହିଥିଲୁ ବିପ୍ଳବର ସେ ମହାନ୍‌ ସ୍ରୋତ ଆସୁଛି ମହାନ୍‌ ଶପଥ ନେଇ । ତା’ର ଲୋହିତ ଆଭା ପ୍ରତିଫଳିତ ହେବ ଆଗାମୀ ଦିନର ପ୍ରତ୍ୟେକ ଯୁବକ-ଯୁବତୀର ସତେଜ ମୁଖମଣ୍ଡଳରେ ।

 

କିନ୍ତୁ କାହିଁ ?

 

ମୁଁ ଏଥିଭିତରେ ଅନେକ ଜାଗା ବୁଲିଲିଣି, ଅନେକ ଲୋକ ଦେଖିଲିଣି । ମୁଁ ଦେଖୁଚି ଦୁଇଟି ରୂପ–ଗୋଟାଏ ଲମ୍ୱା କଲି, ବବୁରିବାଳ, ନଳିପେଣ୍ଟ, ବ୍ଲାଉଜ୍‌ ଶାର୍ଟ, ମାଖୁନ ମୁହଁ । ଏ ରୂପ-କ୍ଲୀବତ୍ୱର । ଅନ୍ୟଟି ଶେତାଳିଆ, ଭୀରୁ, ଦୁର୍ବଳ । ଧୋତି ହାଫ୍‌ସାର୍ଟ ପିନ୍ଧାରୂପ-ଦାସତ୍ୱର !

 

କାହିଁ ତୋର କହିଥିବା ସେହି ଅଗ୍ନି !

 

ଅଗ୍ନି କାହିଁ ? ସ୍ଫୁଲିଙ୍ଗ କାହିଁ ? ଜ୍ୱାଳା କାହିଁ ?

Image

 

ଅଣସର

(ମୁଖବନ୍ଧ)

 

ଠାକୁରେ ଏବେ ଅଣସରରେ ଅଛନ୍ତି । ସିଂହଦ୍ୱାର ବନ୍ଦ । ଏତେ ଗରମ । ଏତେ ଗୁଳୁଗୁଳି । ଠାକୁରେ କ’ଣ ସହ୍ୟ କରିପାରିବେ ? ଶ୍ରୀଅଙ୍ଗକୁ ବାଧା ଲାଗିବନାହିଁ ? ତେଣୁ ଗମ୍ଭୀରୀ ଘର ଭିତରେ ଠାକୁର ଶୀତଳ ହୋଇ ରହିବେ । ବର୍ଷା ହେବ । ଥଣ୍ଡା ପଡ଼ିବ । ଠାକୁର ପୁଣି ସିଂହାସନରେ ବିଜେ କରିବେ ।

 

ନା, ନା ଠାକୁରେ ଏବେ ଅଣସରରେ ଅଛନ୍ତି । ସେଥିପାଇଁ, ଏତେ ଗରମ । ଏତେ ଗୁଳଗୁଳି । ପଚ୍‌ ପଚ୍‌ ଝାଳ । ଝାଇଁ ଝାଇଁ ଖରା । ଗୁମୋଟ ଗୁମୋଟ–ଗରମ ଝାଳ, ବାମ୍ଫଉଠୁଛି । ଠାକୁର ଗମ୍ଭୀରୀ ଘରଭିତରେ ବନ୍ଦୀ । ସେ କିଛି ଦେଖିପାରିବେ ନାହିଁ, ଜାଣିପାରିବେ ନାହିଁ । ଗରମ ହେଉ–ବେଶି, ବେଶି । ଗରମ ବାମ୍ଫରେ ପଣଷ ପାଚିବ, ଆମ୍ୱ ପାଚିବ, ମାଛି ହେବେ, ମଶା ବଢ଼ିବେ । ଠାକୁରେ କିଛି ଜାଣିପାରିବେ ନାହିଁ । ମଶା ନାହିଁ କି ମାଛି ନାହିଁ । ମେଲେରିଆ ନାହିଁକି ହଇଜା ନାହିଁ । ଠାକୁରେ ଅଣସରରେ ଥାଆନ୍ତୁ, ସେମିତି ବନ୍ଦୀହୋଇ ।

 

ପ୍ରଥମ ଦୃଶ୍ୟ

 

(ଗୋଟିଏ ଅଫିସ୍‌ କମ୍‌ ବୈଠକଖାନା । ରେସିଡ଼େନ୍‌ସ୍‌ ଅଫିସ୍‌ । ଗୋଟିଏ ଛୋଟ ଟେବୁଲ୍‌ । ତା’ପାଖରେ ଗୋଟିଏ ଗଦିପକା ଚେଆର । ଘର ଭିତରେ ମୋଟା କାର୍ପେଟ ପଡ଼ିଛି । ତିନି କାନ୍ଥକୁ ଲାଗି ଗଡ଼ରେଜର ସୋଫା ସେଟ୍‌ । ସୋଫା ସେଟ୍‌ ଧାରେ ଧାରେ ଟିପୟ । ତା ଉପରେ ସୁନ୍ଦର ସୁନ୍ଦର ଟେବୁଲକ୍ଲଥ । ଟେବୁଲ ପାଖ ଚେୟାରରେ ବସିଛନ୍ତି ମନ୍ତ୍ରୀ । ଧୋତି, ପଞ୍ଜାବୀ । ସୋଫାରେ ଲୋକ ଭର୍ତ୍ତି । କେତେଜଣ ଜାଗା ନ ପାଇ ଠିଆ ହୋଇ ରହିଛନ୍ତି । କାନ୍ଥରେ ବଡ଼ ବଡ଼ ଫଟ ମରାହୋଇଛି-ମଶା, ମାଛି, ପାରାସାଇଟମାନଙ୍କର ।)

 

ମନ୍ତ୍ରୀ–ଠାକୁର ଏବେ ଅଣସରରେ–

 

ସମସ୍ତେ–(ଏକ ସ୍ୱରରେ) ଆଜ୍ଞା, ହଁ ।

 

ମନ୍ତ୍ରୀ-ହେ, ହେ-ଠାକୁର ଏବେ ଅଣସରରେ-ଆଉ (ଜଣକୁ ନିର୍ଦ୍ଦିଷ୍ଟ କରି) ଆପଣ କିଏ-? ଚିହ୍ନିପାରିଲିନି, କ୍ଷମା ଦେବେ-

 

(ଭଦ୍ରବ୍ୟକ୍ତି ଜଣକ ହାତଯୋଡ଼ି ଛିଡ଼ା ହେଲେ)

 

ପି.ଏ–(ତତ୍‌କ୍ଷଣାତ୍‌ ଉଠିପଡ଼ି) ଏ ଆଜ୍ଞା ବିଶିଷ୍ଟ କଣ୍ଟ୍ରାକ୍ଟର ଯୋଶୀବାବୁ । ସେ ଏବେ ମହାନଦୀ ବ୍ରିଜ୍‌-

 

ମନ୍ତ୍ରୀ–ଓଃ, ଆଚ୍ଛା-ଆଉ ସବୁ କିଏ ?

 

ପି.ଏ–ବିଶିଷ୍ଟ କେନ୍ଦୁପତ୍ର ବ୍ୟବସାୟୀ କେଶବ ଲାଲ୍‌, ବିଶିଷ୍ଟ ମଦ ବ୍ୟବସାୟୀ ରାମଲଗନ ସାଓ, କାଠ ବ୍ୟବସାୟୀ ରାଧୁ ମହାରଣା, ଚାଉଳକଳ ମାଲିକ ମହାଦେଓ ଅଗ୍ରଓ୍ୱାଲା, ଶିଳ୍ପପତି ମାଖନ୍‌ ସେଠ, ଖଣି ମାଲିକ ମିଃ ଥପ୍‌ପର । (ପ୍ରତ୍ୟେକଙ୍କ ନାଁ ଉଚ୍ଚାରଣ ହେବାମାତ୍ରେ ଜଣେ ଜଣେ ଉଠି ନମସ୍କାର କରୁଥାନ୍ତି ।)

 

ମନ୍ତ୍ରୀ–ବର୍ତ୍ତମାନ ତ ମୋର ସମୟ ନାହିଁ । ଆଚ୍ଛା, ମୋର ଆଜି କ’ଣ ଏନ୍‌ଗେଜ୍‌ମେଣ୍ଟ ଅଛି ?

 

ପି.ଏ–ହଁ, ସାର୍‌, ଏଗାରଟାବେଳେ–

 

ମନ୍ତ୍ରୀ–ତେବେ ବେଶି ସମୟ ନାହିଁ–ଆଚ୍ଛା ଆପଣମାନଙ୍କ ଭିତରୁ ଅଧେ ସନ୍ଧ୍ୟା ବେଳକୁ ଆସନ୍ତୁ । ମୋ ପି.ଏ ସହିତ କଥାବାର୍ତ୍ତା କରିବେ । ଯେଉଁମାନେ ଆଜି ରହିପାରିବେ ନାହିଁ ସେମାନେ ବର୍ତ୍ତମାନ କଥାବାର୍ତ୍ତା କରିବେ । ଯେଉଁମାନେ ଆଜି ରହିପାରିବେ ନାହିଁ ସେମାନେ ବର୍ତ୍ତମାନ କଥାବାର୍ତ୍ତା କରିଯାଆନ୍ତୁ । ସନ୍ଧ୍ୟା ବେଳକୁ ବାକି ଆସିବେ । ଆଚ୍ଛା, ମୁଁ ଉଠିଛି । ନମସ୍କାର-। (ପି.ଏ.କୁ) ମୁଁ ଭିତର ଘରେ ବସୁଛି । ଜଣ ଜଣ ପଠାଇବ । (ମନ୍ତ୍ରୀ ଭିତରକୁ ଗଲେ ।)

 

ଦ୍ୱିତୀୟ ଦୃଶ୍ୟ

 

(ପୂର୍ବୋକ୍ତ ସେଇ ଘର । ସକାଳ ସାଢେ ଆଠ । ସାଜ ସଜ୍ଜା ସେଇପରି । କିନ୍ତୁ ଲୋକମାନେ ବଦଳି ଯାଇଛନ୍ତି । ଚେୟାର ଉପରେ ଚିଫ୍‌ ଇଞ୍ଜିନିୟର ।)

 

ଚିଫ୍‌ଇଞ୍ଜିନିୟର–ଦେଖନ୍ତୁ, ମିଃ ଯୋଶୀ-ଲକ୍ଷେରୁ କମ୍‌ ହେଲେ ଅସମ୍ଭବ ।

 

ଯୋଶୀ–କିନ୍ତୁ ସାର୍‌ ଦଶଲକ୍ଷ କଣ୍ଟାକ୍‌ଟରେ ଆମର ତ ଲାଭ ସେତିକି । କିଛି କମ୍‌ କରନ୍ତୁ ।

 

ଚିଫ୍‌ଇଞ୍ଜିନିୟର–ଅସମ୍ଭବ ମିଃ ଯୋଶୀ, ମନ୍ତ୍ରୀଙ୍କୁ ମୁଁ କଥାଦେଇଛି । ସେ ମୋତେ ସେତିକି କହିଲେ । ମୁଁ ନାଁ କରିପାରିଲି ନାହିଁ । ଚାକିରି କରିଛୁ ଯେତେବେଳେ–

 

ଯୋଶୀ–ଟିକେ ବିଚାର କରନ୍ତୁ ସାର୍‌ ।

 

ଚିଫ୍‌ ଇଞ୍ଜିନିୟର–ମୁଁ କ’ଣ କରିବି ? ତେବେ ମୁଁ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବି । ଆପଣ ସପ୍ଲିମେଣ୍ଟାରୀ କ୍ଲେମ୍‌ କରିବେ । ମୁଁ ପାଶ୍ କରିଦେବି । ଏଇଟା କ’ଣ ନୂଆ କଥା ଯେ-

 

ଯୋଶୀ–ବାସ୍‌, ବାସ୍‌–ଆଉ କିଛି କହିବାକୁ ହେବନି ସାର୍‌ । ମୁଁ ଖାଲି ଆପଣଙ୍କ ମୁହଁରୁ ଏଇକଥା ଶୁଣିବାକୁ ଚାହୁଁଥିଲି । ତେବେ ମୁଁ ଯାଉଛି ସାର୍‌ । ସନ୍ଧ୍ୟାବେଳକୁ ନେଇ ପହଞ୍ଚିବି । ନମସ୍କାର ସାର୍‌ ।

 

(ପ୍ରସ୍ଥାନୋଦ୍ୟତ)

 

ଚିଫ୍‌ ଇଞ୍ଜିନିୟର୍‌–ଆଉ, ମୋ କଥା ଭୁଲି ଯାଉଛନ୍ତି ଯେ-

 

ଯୋଶୀ–ନା, ସାର୍‌, ସେଇଟା କ’ଣ ମୁଁ ଭୁଲିଯିବି ? ସେଟା ତ ସାର୍‌ ନିଶ୍ଚିତ, ଖାଲି ଏଇଟା–ଆଚ୍ଛା ସାର୍‌–ନମସ୍କାର ସାର୍‌ (ପ୍ରସ୍ଥାନ)

 

(ଏତିକିବେଳେ ଗୋଟେ କ୍ଷୀଣ ପୂଜା ଆଳତୀର ଘଣ୍ଟା ଟିଣ୍‌ ଟିଣ୍‌ ହୋଇ ବାଜିଉଠିଲା ।)

 

ଚିଫ୍ ଇଞ୍ଜିନିୟର–ଧନେଶ୍ୱର, ଧନେଶ୍ୱର

 

ଧନେଶ୍ୱର–(ପିଅନ) ସାର୍‌–

 

ଚିଫ୍‌ ଇଞ୍ଜିନିୟର–କିଏ ଘଣ୍ଟି ଟିଣ୍‌ ଟିଣ୍‌ କରୁଚି ?

 

ଧନେଶ୍ୱର–ଠାକୁର ଘରେ ବ୍ରାହ୍ମଣ ପୂଜା କରୁଛନ୍ତି ସାର୍‌ ।

 

ଚିଫ୍‌ ଇଞ୍ଜିନିୟର–ବଡ଼ଠାକୁର ତ ଅଣସରରେ । ଆମ ଘରେ ଟିଣ୍‌ ଟିଣ୍‌ କାହିଁକି ବାଜୁଛି-? କହିବେ ଆଜିଠୁ ପୂଜାବନ୍ଦ, ବୁଝିଲୁ । ଆମ ଠାକୁର ଆଜିଠୁ ଅଣସରରେ । ଯା–

 

ତୃତୀୟ ଦୃଶ୍ୟ

 

ପୂର୍ବୋକ୍ତ ସେଇ କୋଠରି । ସମୟ ସେଇ ଏକ । କଥୋପକଥନ ଏକା ପ୍ରକାର । ନାୟକ ହେଲେ ଚିଫ୍‌ କଞ୍ଜରଭେଟର ଓ କେନ୍ଦୁପତ୍ର ବ୍ୟବସାୟୀ ।

 

ଚତୁର୍ଥ ଦୃଶ୍ୟ

 

ସେଇ କୋଠରି । ସମୟ ସମାନ । କଥୋପକଥନ ସମାନ । ନାୟକ ଜିଲା ମାଜିଷ୍ଟ୍ରେଟ୍‌, ଏକସାଇଜ୍‌ ସୁପରିନ୍‌ଟେଣ୍ଡେଣ୍ଟ, ମଦ ବ୍ୟବସାୟୀ ।

 

ପଞ୍ଚମ ଦୃଶ୍ୟ

 

ସେଇ କୋଠରି । ସମୟ ଅବସାନ । କଥୋପକଥନ ସମାନ । ନାୟକ-ସେକ୍ରେଟାରୀ-ପ୍ରତ୍ୟେକ-ପ୍ରତ୍ୟେକ ବିଭାଗର । ସେମାନେ ପରିବର୍ତ୍ତନୀୟ, ଅନ୍ୟାନ୍ୟ ଅଭିନେତା ମାନେ ହେଲେ ଖଣି ମାଲିକ, ମଦ ବ୍ୟବସାୟୀ, ଖାଦ୍ୟ ବ୍ୟବସାୟୀ, କଣ୍ଟ୍ରାକ୍ଟର, ଶିଳ୍ପପତି, କେନ୍ଦୁପତ୍ର ବ୍ୟବସାୟୀ, କାଠ ବ୍ୟବସାୟୀ ଇତ୍ୟାଦି । ସେମାନେ ବି ପରିବର୍ତ୍ତନୀୟ । ପ୍ରତ୍ୟେକ ବିଭାଗର ସେକ୍ରେଟାରୀ ପ୍ରବେଶ କଲେ ସେଇ ବିଭାଗ ସଂପୃକ୍ତ ବ୍ୟବସାୟୀମାନେ ତାଙ୍କ ସାଙ୍ଗରେ ଆସନ୍ତି । ସେଇ ଏକାପ୍ରକାର କଥାବାର୍ତ୍ତା । ଶୁଆ ପରି ଆଉଡ଼େଇ ପୁଣି ପ୍ରସ୍ଥାନ କରନ୍ତି । ପୁଣି ଆଉଜଣେ ସେକ୍ରେଟାରୀ ତାଙ୍କ ସାଙ୍ଗରେ ତାଙ୍କ ବିଭାଗ ସଂପୃକ୍ତ ବ୍ୟବସାୟୀ, କଥାବାର୍ତ୍ତାରେ ବିନ୍ଦୁ ମାତ୍ର ପରିବର୍ତ୍ତନ ନାହିଁ । ଚାଲିଚଳନ, ଇଙ୍ଗିତ, ପୋଷାକ ପତ୍ରରେ କେବଳ ସେଇ ଏକ ଧରଣର ବିରକ୍ତିକର ପୁନରାବୃତ୍ତି ।

 

ଶେଷଦୃଶ୍ୟ

 

ଗୋଟିଏ ବିରାଟ ନର୍ଦ୍ଦମା । ମୁନିସିପାଲିଟିର ମଇଳା ସଂଗ୍ରହ ସ୍ଥାନ ପରି । ଚାରିଆଡ଼େ ପଚା କାଦୁଅ, ବିଷ୍ଠାରେ ଭରିଯାଇଛି । ଏକ ତୀବ୍ର ବିଚିକିଟିଆ ଗନ୍ଧରେ ସାରା ବାୟୁମଣ୍ଡଳ ଆବୃତ, ସନ୍ତସନ୍ତିଆ । ଭାପ୍‌ସା ଦୁର୍ଗନ୍ଧ ମାଟି ଭିତରେ, ଆକାଶକୁ ବି ଉଠିଯାଉଛି । ସେଇ ପଚାସଢ଼ା,ଅଳିଆ, ନର୍ଦ୍ଦମା ଭିତରେ ଭଣ ଭଣ ହେଉଛନ୍ତି ଲକ୍ଷ ଲକ୍ଷ ମଶା, ମାଛ, ଲେଙ୍ଗୁଡ଼ିଆ ପୋକ । ନାନାପ୍ରକାରର ବିଷାକ୍ତ ଜୀବାଣୁ, ସମସ୍ତଙ୍କର ଜନ୍ମସ୍ଥାନ ଏଇଟା । ସମସ୍ତଙ୍କର ପରିପୁଷ୍ଟି ବି ଏଇଠି ହୁଏ–ଏଇ ଦୁର୍ଗନ୍ଧମୟ ପରିବେଶ ଭିତରେ । ସେମାନେ ବି ବେଶ୍‌ ଖୁସି, ଏଇତ ସେମାନଙ୍କର ପରିବେଶ । ସେମାନଙ୍କୁ ଦୁର୍ଗନ୍ଧ ଲାଗେନା । ପଚା, ସଢ଼ା, କାଦୁଅ ଜଣାପଡ଼େନା । ପରିସ୍ଥିତି, ପରିବେଶ ସହିତ ସେମାନଙ୍କର ଅପୂର୍ବ ସଂଯୋଗ । ଗୋଟିଏ କ’ଣକୁ ଦଳେ ଘୁସୁରି ଏଇ ପଙ୍କରେ ଲୋଟି ଲୋଟି ଆନନ୍ଦରେ ପରସ୍ପର ସଂଯୋଗ । ଗୋଟିଏ କ’ଣକୁ ଦଳେ ଘୁସୁରି ଏଇ ପଙ୍କରେ ଲୋଟି ଲୋଟି ଆନନ୍ଦରେ ପରସ୍ପର ସହିତ ଗୋଡ଼ିଆ ଗୋଡ଼ିହୋଇ ଖେଳୁଛନ୍ତି । ଆଃ କି ସୁନ୍ଦର ଏ ଜାଗା । ଏକାବେଳକେ ନିଜସ୍ୱ ପରିସ୍ଥିତି ।

 

(ହଠାତ୍‌ ଆଲୋକ ଲିଭିଗଲା । ଷ୍ଟେଜର ଅନ୍ଧକାର ମଝିରେ ଶୁଣାଗଲା କୋଳାହଳ । ଖୁସିରେ ଆନନ୍ଦରେ । ବୋତଲରୁ ପାନୀୟ ଢାଳିବାର ଗଦ୍‌ ଗଦ୍‌ ଶବ୍ଦ । କାଚ ଗ୍ଲାସର ଠନ୍‌ ଠନ୍‌ । ଗୋଟିଏ ଆନନ୍ଦମୁଖର ପାର୍ଟିପରି ମନେହେଉଛି । ଅନେକ ଲୋକଙ୍କର ଏକାସାଙ୍ଗରେ କଥାବାର୍ତ୍ତା ଶୁଣାଯାଉଛି । କିନ୍ତୁ ସ୍ପଷ୍ଟ କିଛି ବୁଝାଯାଉନି । ମଝିରେ ମଝିରେ କିନ୍ତୁ ଉଚ୍ଚକିତ ହସଗୁଡ଼ାକ ସ୍ପଷ୍ଟ ବାରି ହୋଇଉଠୁଛି । କିଏ ଜଣେ ଅଧେ ଗୀତ ଗାଉଛି ବୋଧେ, ତାର କ୍ଷୀଣସ୍ୱର ଥରେ ଥରେ ଭାସିଯାଉଛି । କିନ୍ତୁ ହଠାତ୍‌ ନାନାପ୍ରକାର ବାଦ୍ୟଯନ୍ତ୍ରର ଏକ ମିଳିତ ଐକ୍ୟତାନ ସମସ୍ତ କୋଳାହଳକୁ ଡୁବାଇ ଦେଇ ଯୋରରେ ବାଜିଉଠିଲା । ଏତିକିବେଳେ ଷ୍ଟେଜ୍‌ ପୁଣି ଆଲୋକିତ ହୋଇଉଠିଲା । ଦେଖାଗଲା ସେଇ ପ୍ରଥମରୁ ଦେଖାଯାଉଥିବା ନର୍ଦ୍ଦମା । କିନ୍ତୁ ମଶା, ମାଛି, ଘୁସୁରି. ଲେଙ୍ଗୁଡ଼ିଆ ପୋକ, ତେଲୁଗୁଣୀ ପୋକ ଇତ୍ୟାଦି କେହି ନାହାନ୍ତି । ତା’ ବଦଳରେ କେବଳ ମଣିଷ ନାରୀ ଓ ପୁରୁଷ । କାଦୁଅ ଭିତରେ କିଏ ଆଣ୍ଠୁଏ କିଏ ଅଣ୍ଟାଏ ବା କିଏ ବେକେ ପୋତି ହୋଇ ହସି ହସି ଲୋଟି ଯାଉଛନ୍ତି । ପରସ୍ପର ଭିତରେ କୁଣ୍ଢାକୁଣ୍ଢି ହେଉଛନ୍ତି । ଚୁମା ଦେଉଛନ୍ତି, ନାଚୁଛନ୍ତି ଗାଉଛନ୍ତି, ବଜଉଛନ୍ତି ।

 

ଏତେ ଦୁର୍ଗନ୍ଧ; କିନ୍ତୁ କାହାରି ନାକୁ ଯାଉନାହିଁ । ଏତେ ପଚାସଢ଼ା କାଦୁଅ-କିନ୍ତୁ କାହାରି ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ଏତେ ଅପରିଷ୍କାର, ମଇଳା ଅଥଚ କେହି ସେଗୁଡ଼ାକୁ ଦେଖୁନାହାନ୍ତି । ସମସ୍ତେ ଉନ୍ମତ୍ତ, ସମସ୍ତେ ଖୁସି, ସମସ୍ତେ ବିଭୋର ।

 

ସେମାନଙ୍କ ଭିତରେ ଅଛନ୍ତି ସମସ୍ତ ବିଭାଗର ସରକାରୀ କର୍ମଚାରୀ–ତଳିଆ ପିଅନଠୁ ଆରମ୍ଭ କରି ସର୍ବୋଚ୍ଚ କର୍ତ୍ତା ପର୍ଯ୍ୟନ୍ତ । ସେମାନଙ୍କ ଭିତରେ ଅଛନ୍ତି ମନ୍ତ୍ରୀ ଓ ସବୁ ରାଜନୈତିକ ଦଳର ନେତା ଓ କର୍ମୀମାନେ । ଆହୁରି ଅଛନ୍ତି ସମ୍ୱାଦପତ୍ର ପ୍ରତିନିଧି, ବ୍ୟବସାୟୀ, ଦିନମଜୁରିଆ, କୁଲି, ଗ୍ରାମବାସୀ ଇତ୍ୟାଦି ସମାଜର ସମସ୍ତ ସ୍ତରର ଲୋକ । ଯିଏ ଯାହା ଦଳ ବାଛି ଛିଡ଼ା ହୋଇ ହସଖୁସି ହୋଇ ଗପ କରୁଛନ୍ତି । ଗୋଟାଏ ଦଳ ଅନ୍ୟଦଳଆଡ଼କୁ ବର୍ଷାତୁର ଆଖିରେ ଚାହିଁଲାବେଳକୁ ଅନ୍ୟଦଳ ଆଉ ଗୋଟିଏ ଦଳକୁ ଠିକ୍‌ ସେଇ ଆଖିରେ ଚାହୁଁଛନ୍ତି । ଉପରର ଏଇ ଆନନ୍ଦ କୋଳାହଳ ଜଣାପଡ଼ୁଛି ଯେମିତି କେବଳ ବାହାରିଆ-ଉପୁରିଆ । ଭିତରେ ଭିତରେ ଗୁମୁରି ଗୁମୁରି ଉଠୁଛି ବର୍ଷା, ହିଂସା ଲୋଭର ଏକ ପ୍ରବଳ ଅନ୍ତଃସ୍ରୋତ । ସମସ୍ତେ ଏହା ସାଙ୍ଗରେ କଥା କହୁଛନ୍ତି । ତେଣୁ କେଉଁ ନିର୍ଦ୍ଦିଷ୍ଟ ବ୍ୟକ୍ତି କ’ଣ କହୁଚି କିଛି ବୁଝାପଡ଼ୁନି, ଶୁଣାଯାଉଛି କେତେଗୁଡ଼ାଏ ଅସଂଲଗ୍ନ କଥା ।)

 

ପ୍ରଥମ ସ୍ୱର–ଠାକୁର ଅଣସରରେ । ହାଃ–ହାଃ ଠାକୁର ଅଣସରରେ–

 

ଦ୍ୱିତୀୟ ସ୍ୱର–ଆଃ, କି ସୁନ୍ଦର ବାସ୍ନା-କି ମନୋମୁଗ୍‌ଧକର ।

 

ତୃତୀୟ ସ୍ୱର–ପିଅ, ପିଇଯାଅ ! ମାତାଲ ହୁଅ । ଆନନ୍ଦରେ ନାଚ, ଗାଅ, ମଉଜକର ।

 

ଚତୁର୍ଥ ସ୍ୱର–(ଗୀତ) ସୁରତି ଦିଅଗୋ ଚନ୍ଦ୍ର ବଦନୀ–

 

ପଞ୍ଚମ ସ୍ୱର–ଏଠି ଦୁର୍ଗନ୍ଧ କାହିଁ ? କି ବଢ଼ିଆ ବାସ୍ନା । ଯେମିତି ମରହଟ୍ଟିଆ ଲୋକଙ୍କୁ ଗନ୍ଧଉଛି ଏ ଜାଗା–ତାଙ୍କର କ’ଣ ନାକ ଅଛି ? ହିଃ ହିଃ ହିଃ-

 

ଷଷ୍ଠସ୍ୱର–କିଛି ନାହିଁ କିଛି ନାହିଁ, ନୀତି ନାହିଁ–ଅନୀତି ନାହିଁ, ନ୍ୟାୟ ନାହିଁ, ଅନ୍ୟାୟ ନାହିଁ, ପାପ ନାହିଁ, ପୁଣ୍ୟ ନାହିଁ, ଚୋରିକର, ଲାଞ୍ଚନିଅ–ମଉଜକର ।

 

ସପ୍ତମ ସ୍ୱର–ନାହିଁ–ନାହିଁ କିଛି ନାହିଁ ! ବ୍ୟବସାୟ କରିବାକୁ ଆସି, ଟଙ୍କା ଅର୍ଜିବାକୁ ଆସି ନୀତି, ନ୍ୟାୟ ଧରି ବସିଲେ ଚଳିବ କିଓ ? ନିଜେ ମରିଯିବ । ମରିଗଲେ ତମ ନୀତି ଓ ନ୍ୟାୟ ବି ତମ ସାଙ୍ଗରେ ଯିବ । ଟଙ୍କା ଟଙ୍କା ହେଲା ଅସଲ–ସବୁ ଫୂର୍ତ୍ତି ସେଇଥିରେ କିଣାଯାଏ-

 

ଗୁଡ଼ାଏ ସ୍ୱର–(ଏକ ସ୍ୱରରେ) ନୀତି ନାହିଁ, ଅନୀତି ନାହିଁ, ପାପ ନାହିଁ, ପୁଣ୍ୟ ନାହିଁ, ସ୍ୱର୍ଗ ନାହିଁ, ନର୍କ ନାହିଁ, ମଉଜକର ବର୍ତ୍ତମାନ । ଅତୀତ ନାହିଁ, ଭବିଷ୍ୟତ ନାହିଁ । ବର୍ତ୍ତମାନ–ବର୍ତ୍ତମାନ–

 

ପୃଷ୍ଠବନ୍ଧ

 

ନିବୁଜ କୋଠରି, ବାହାରପଟୁ ଏକମାତ୍ର କବାଟରେ ତାଲା ପଡ଼ିଛି । ଘର ଭିତରେ ନିରବଚ୍ଛିନ୍ନ ଘନ ଅନ୍ଧକାର । କୋଠରି ଭିତରେ ଲୋକଟିଏ । ଛାଟିପିଟି ହେଉଛି । ଟିକିଏ ଆଲୋକ–ଖୋଲା ପବନପାଇଁ । ବନ୍ଦୀଟି କ’ଣ କରିବ କିଛି ବୁଝିପାରୁନି । ଏକ ନିଷ୍ଫଳ ଆକ୍ରୋଶରେ ସେ କବାଟରେ ହାତ ମାରୁଛି । ବିଧା ଗୋଇଠା କସୁଛି । କିନ୍ତୁ ଲୁହାର ସେ ଶକ୍ତ କବାଟ ବିନ୍ଦୁ ମାତ୍ରେ ହଲଚଲ ହେଉନି ।

 

ପୁଣି ଏକ ଅସୀମ ସାହସ ନେଇ ଘରଟିକୁ ବାରମ୍ୱାର ପରିକ୍ରମା କରି ଦେଖୁଛି-। ପରୀକ୍ଷା କରି ଦେଖୁଛି ଘରର କାନ୍ଥଗୁଡ଼ିକୁ । କିନ୍ତୁ ସେଗୁଡ଼ିକ ବି ସେମିତି ଶକ୍ତ । ସେ ଛଟପଟ ହେଉଛି । ନିଷ୍ଫଳ କ୍ରୋଧରେ ମୁଣ୍ଡ ପିଟୁଛି କାନ୍ଥ ଉପରେ । ତା’ପରେ ଅସହାୟ ହୋଇ କାନ୍ଦୁଛି । ପୁଣି ଲୁହ ପୋଛି ଆଉଥରେ କବାଟକୁ ପରୀକ୍ଷା କରୁଛି, କାନ୍ଥକୁ ପରୀକ୍ଷା କରୁଛି, ବିଧା ଗୋଇଠା ମାରି ଭାଙ୍ଗିବାକୁ ଚେଷ୍ଟା କରୁଛି କୋଠରିର ରୁଦ୍ଧ ଦ୍ୱାର । ସେମିତି ଅସହାୟ ହୋଇ ବସିପଡ଼ୁଛି ।

 

କିନ୍ତୁ ସେ ଅବିଚଳିତ । କ୍ରମାଗତ ଭାବରେ ପୁନରାବୃତ୍ତି କରିଚାଲିଛି ସେ ।

 

କିଏ ଜାଣେ କେବେ ଫିଟିବ ଏ ରୁଦ୍ଧ ଦ୍ୱାରର ଶିକୁଳି ? କିଏ ଅବା ଜାଣେ ଏଇ ଦୀର୍ଘ ଅଣସରର ଶେଷ କେଉଁଠି ? କିଏ କହିପାରିବ ସେ ବନ୍ଦୀଟି ସତରେ କ’ଣ କେବେ ଭାଙ୍ଗିପାରିବ ସେଇ ଶକ୍ତ କୋଠରିକୁ ?

Image

 

ସାକ୍ଷାତ୍‌କାର

 

ସକାଳ ଆଠଟାରୁ ଗୁଳୁଗୁଳି ଆରମ୍ଭ ହୋଇଗଲାଣି ।

 

ପବନଟା କ୍ରମଶଃ ଗରମ ହୋଇଉଠୁଛି । ଜୁନ୍‌ ମାସର ପ୍ରଥମ ସପ୍ତାହ । ଗରମର ଶେଷ ପର୍ଯ୍ୟାୟରେ ସହରର ବାୟୁମଣ୍ଡଳ । ଦେହସାରା ଗମ୍ ଗମ୍ ଝାଳ । କୋଠରି ଭିତରେ ବିଚିତ୍ର କ୍ରିଂ, କେଁଚ କେଁଚ ଶବ୍ଦକରି ବୁଲୁଥିବା କୋଉ ଆଈମାଆ ଅମଳର ପଙ୍ଖାଟା ଏତେଗୁଡ଼ାଏ ଲୋକଙ୍କୁ କିଞ୍ଚିତ୍‌ ହେଲେ ପବନ ଯୋଗେଇ ପାରୁନାହିଁ । ଏକ ଶ୍ୱାସରୁଦ୍ଧକାରୀ ବାୟୁମଣ୍ଡଳ । ସେଥିପାଇଁ କେତେଜଣ ଯାଇ ବାହାର ବାରଣ୍ଡାରେ ଛିଡ଼ା ହୋଇ ରହିଛନ୍ତି ।

 

ଝାଳରେ ଗଞ୍ଜି, ସାର୍ଟ ଭିଜିଆସିଲାଣି । ପେଣ୍ଟର ସିଟ୍‌ ପାଖଟା ମଧ୍ୟ ଭିଜିଆସୁଛି । ମଣ୍ଡଦିଆ, ଟାଣ, ଇସ୍ତ୍ରୀକରା ସାର୍ଟର ଠିଆ ଠିଆ କାଲର ଓ ଭାଙ୍ଗସବୁ ଏଇ ଆର୍ଦ୍ରତା ଭିତରେ ନତପତ ହୋଇଆସିଲାଣି । ଉଃ, ଆଉ କେତେସମୟ କେଜାଣି ? ଏକେ ତ ଗରମ– । ସେ ପୁଣି ପ୍ରତୀକ୍ଷା । ସେ ପ୍ରତୀକ୍ଷା ପୁଣି ଆଶା ଓ ଆଶଙ୍କାରେ ଜ୍ୱାଳାମୟ । ଆଃ !

 

ପ୍ରଶାନ୍ତ ରୁମାଲରେ ମୁହଁ ଓ ବେକମୂଳ ପୋଛିଲା । ସେ ପୁଣି ଆଉଥରେ ଆଖି ବୁଲେଇ ଆଣିଲା ଚାରିଆଡ଼କୁ । ଅଧିକାଂଶକୁ । ସେ ଚିହ୍ନେ ନାହିଁ । ତା କ୍ଲାସମେଟ୍‌ ଭିତରୁ ଜଣେ ଦି’ଜଣ ମାତ୍ର । କେଇଜଣ ତଳ ଶ୍ରେଣୀରେ ପଢ଼ୁଥିବା ଚିହ୍ନାମୁହଁ । ବାକି ସବୁ ଏକାବେଳକେ ଅପରିଚିତ ।

 

ଏତେ ଗରମ ଭିତରେ ବି କେତେଜଣ ସୁଟ୍‌ ପିନ୍ଧି ଟାଇ ବାନ୍ଧି ଆସିଛନ୍ତି । ଜଣାପଡ଼ୁଛି କେତେଜଣ ବନ୍ଧୁଙ୍କଠାରୁ ନିଶ୍ଚୟ ଉଧାର ଆଣିଛନ୍ତି । କାରଣ ପେଣ୍ଟ୍‌ଟା ଢିଲା ହେଲାବେଳକୁ, କୋଟ୍‌ଟା ଚିପା ହେଉଛି । କି ଦୟନୀୟ ଅବସ୍ଥା ସେମାନଙ୍କର ! ଏତେ ଗରମ ଭିତରେ, ସବୁ କଷ୍ଟ ସହ୍ୟ କରି ମଧ୍ୟ ‘‘କମିଶନର ସଭ୍ୟମାନଙ୍କୁ ଇମ୍ପରେସ’’ କରିବାକୁ ପଡ଼ିବ ‘‘ପର୍ସନେଲିଟି ’’ ବଢ଼େଇ-। ବେଶ-ପୋଷାକରେ କ’ଣ ବ୍ୟକ୍ତିତ୍ୱ ବଢ଼େ ? କିନ୍ତୁ ସେଇଟା ବଡ଼କଥା ନୁହେଁ । ନିଜର ସ୍ଖଳିତ ଆତ୍ମବିଶ୍ୱାସକୁ ଦୃଢ଼ କରିବାପାଇଁ କିଛି ଗୋଟାଏ ଅବଳମ୍ୱନର ତ ଦରକାର । ସେଇ ଅନିଶ୍ଚିତ ଆଶାକୁ ପଇବାପାଇଁ ଯେତେ ପ୍ରକାର ଉପାୟ, ସେ ଯେତେ କ୍ଷୁଦ୍ର ଓ ନଗଣ୍ୟ ହେଉନା କାହିର୍କି ସବୁ କିଛି ଜାବୁଡ଼ି ଧରିବାକୁ ପଡ଼ିବ । ଅନିଶ୍ଚିତ ଚାକିରି ଆଶାର ଯେତେ କୁଟାକାଠି ସବୁ ହିଁ ଅବଲମ୍ବନ ମିଛ ହେଉ ପଛେ ।

 

ନିଯୁକ୍ତି କମିଶନ୍‌ ।

 

ଜନସାଧାରଣଙ୍କ ସେବକ ନିଯୁକ୍ତିପାଇଁ ଯୋଗ୍ୟ ପ୍ରାର୍ଥୀ ନିର୍ବାଚନ ନା ଜନସାଧାରଣଙ୍କ ସେବା ନିମନ୍ତେ ଉଦ୍ଦିଷ୍ଟ ଏଇ ସଂସ୍ଥା ? କେଜାଣି ? ଦୁଇପ୍ରକାର ଅର୍ଥ ହୋଇପାରେ । ସେମାନେ ଆସି, ଏତେ କଷ୍ଟ ସହ୍ୟକରି ଯେ ପ୍ରାର୍ଥୀ ନିର୍ବାଚନ କରିବାର ଗୁରୁଦାୟିତ୍ୱ ବହନ କରୁଛନ୍ତି, ଏହା ଏକପ୍ରକାର ଦେଶସେବା ହୋଇପାରେ । ‘‘ଜନସାଧାରଣଙ୍କ ସେବା’’ ଗୋଟାଏ ଗୋଟାଏ ଫମ୍ପା ଶବ୍ଦ; ବିରାଟ ମିଥ୍ୟା । ତା’ର ଆଢ଼ୁଆଳରେ ସବୁକିଛି କରାଯାଇପାରେ । ନେତା କହୁଛନ୍ତି ସେଇକଥା । ଶିକ୍ଷକ, କର୍ମଚାରୀ, ପୋଲିସ, ଡାକ୍ତର, ଇଞ୍ଜିନିଅର ଇତ୍ୟାଦି ସମସ୍ତେ ‘‘ଜନସାଧାରଙ୍କ ସେବା’’ ହିଁ କରୁଛନ୍ତି । କିନ୍ତୁ ସେଇ ଶବ୍ଦ ପଛରେ ଯେ କି ଭୟଙ୍କର ଛଳନା, ଧୂର୍ତ୍ତତା, ଶଠତା ଓ ସ୍ୱାର୍ଥପରତା ଲୁଚି ରହିଛି ତା’ର ନିଦର୍ଶନ ଜୀବନର ପ୍ରତି କ୍ଷେତ୍ରରେ ପ୍ରକାଶିତ ହୋଇଉଠୁଛି । ଏଇ ଶବ୍ଦ ଯୋଡ଼ିକ ଉଠେଇଦେଲେ ବୋଧହୁଏ ଏ ଦେଶରୁ ଅଧିକାଂଶ ମିଥ୍ୟାଚାର, ଶଠତା ଲୋପ ପାଇଯାଆନ୍ତା ।

 

କିନ୍ତୁ ଉପାୟ ନାହିଁ ?

 

ଏଇ ବିରାଟ ‘ସିଷ୍ଟମ୍‌’ର ପ୍ରାସାଦକୁ ଭାଙ୍ଗିପାରିବା ଜଣେ ବ୍ୟକ୍ତି ପକ୍ଷରେ ସମ୍ଭବପର ନୁହେଁ । ତେଣୁ ସମସ୍ତ ବିଦ୍ରୋହ ସତ୍ତ୍ୱେ, ଜୁଆଳିରେ ବେକ ଲଗେଇ ଦିଅ । ବଳେ ବଳେ ମଣ ହୋଇଯିବ । ତାପରେ ଆଉ କିଛି ନାହିଁ–ରାସ୍ତା ଠିକ୍ ଅଛି ।

 

ସଭ୍ୟ । ଜଣେ ଅବସରପ୍ରାପ୍ତ ଜଜ୍‌ କିମ୍ୱା ଶାସନ ବିଭାଗର କର୍ମଚାରୀ, ଜଣେ ଦୁଇଦଣ ସମାଜର ପ୍ରଭାବଶାଳୀ ବ୍ୟକ୍ତି । ଜଣେ ଏକ୍‌ସପର୍ଟ । ଏଇମାନେ ବିଚାର କରିବେ ଯୋଗ୍ୟତାର, ମେଧାର । ପକ୍ଷପାତଶୂନ୍ୟ, ନିରପେକ୍ଷ ବିଚାରକ । ବ୍ୟକ୍ତି କେବେହେଲେ ନିରପେକ୍ଷ ବିଚାରକ ହୋଇପାରେନା । ‘ବ୍ୟକ୍ତି’ କେବଳ ଏକକ ‘ବ୍ୟକ୍ତି’ ନୁହେଁ । ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ମାୟାମମତା, ଲୋଭ, କ୍ରୋଧ, ମୋହ, ଅହଙ୍କାର ରହିଛି । ତା’ର ସାମାଜିକ ଯୋଗସୂତ୍ର ରହିଛି । ତେଣୁ ସେମାନେ କିପରି ଏଇ ବୈୟକ୍ତିକ ସତ୍ୟର ଊର୍ଦ୍ଧ୍ୱରେ ଉଠି ବିଚାର କରିବେ ଏକ ନୈର୍ବ୍ୟକ୍ତିକ ସତ୍ୟର ? ଜ୍ଞାନର ପରିମାପ କ’ଣ କେତୋଟି ମିନିଟ୍‌ର ପ୍ରଶ୍ନୋତ୍ତରରେ ସୀମାବଦ୍ଧ ? ତେଣୁ ସେଇ ପ୍ରଶ୍ନୋତ୍ତର ଭିତରେ ‘ଭାଗ୍ୟ’ର ମିଟି ମିଟି ହସକୁ କ’ଣ କେହି ଅସ୍ୱୀକାର କରିପାରିବ ?

 

ନଅଟା ବାଜିଲାଣି ।

 

ସମସ୍ତ ପ୍ରାର୍ଥୀ ବ୍ୟସ୍ତ ହୋଇଉଠିଲେଣି । କେତେଜଣ ପୁଣି ବାହାରକୁ ଉଠିଯାଇ ଗପ ଜମେଇଛନ୍ତି । ହେଇ, ସେ କ’ଣରେ ଦି’ଜଣ ଖୁବ୍‌ ଗଭୀର ଆଲୋଚନାରରେ ବ୍ୟସ୍ତ । ବୋଧହୁଏ ସମ୍ଭାବ୍ୟ ପ୍ରଶ୍ନର । ଦି’ଚାରି ଜଣ ଝରକା ପାଖରେ ଛିଡ଼ା ହୋଇ ଗୋଟାକ ପରେ ଗୋଟାଏ ସିଗୋରେଟ୍‌ ଖାଇବାରେ ଲାଗିଛନ୍ତି । ଜଣେ ଦିଜଣ କେତେଟା ଖାତାବହି ଧରି ଶେଷ ମୁହୂର୍ତ୍ତରେ ‘ଦେଖା ଦେଖି’ କରୁଛନ୍ତି । ‘‘ସାଧାରଣ ଜ୍ଞାନ ।’’ ଅଥଚ ସେଇ ସାଧାରଣ ଜ୍ଞାନକୁ ଆୟତ୍ତ କରିବାକୁ ହେବ ପୁସ୍ତକ ଭିତରୁ । ମୁଖସ୍ଥ କରି । ସାକ୍ଷାତ୍‌କାର ଶେଷ । ସାଧାରଣ ଜ୍ଞାନର ମୃତ୍ୟୁ ।

 

ପାଖର ପ୍ରାର୍ଥୀ ଜଣକ ପ୍ରଶାନ୍ତଆଡ଼କୁ ଚାହିଁ କହିଲେ (ସମ୍ଭବତଃ ଅପେକ୍ଷାର ଜ୍ୱାଳାରୁ ମୁକ୍ତି ପାଇବାକୁ)–‘‘ଭୀଷଣ ଗରମ, ନୁହେଁ ?’’

 

ଶୋଷରେ ଅଠା ଅଠା ହୋଇ ଆସିବା ତଣ୍ଟିବାକୁ ସାମାନ୍ୟ ପୁରଷ୍କାର କରି ପ୍ରଶାନ୍ତ କହିଲା, ‘‘ହୁଁ–କେତେବେଳେ ଯେ ସରିବ, ଅସହ୍ୟ ଲାଗୁଛି ।’’

 

ଏପର୍ଯ୍ୟନ୍ତ ତ ଆସିନାହାନ୍ତି । ଯାହା ମନେହେଉଛି ଆରମ୍ଭ ହେବାକୁ ଦଶଟା କି ସାଢ଼େ ଦଶ ହୋଇଯିବ ।

 

ତେବେ ତ ଏ ବେଳା ଆଉ ସରିବ ବୋଲି ମନେହେଉନି । ପୁଣି ଉପରବେଳାକୁ ଆସିବାକୁ ପଡ଼ିପାରେ ।

 

ହଁ, କାରଣ ଗୋଟାଏ ବେଳକୁ ତ ସେମାନେ ଲଞ୍ଚ୍‌ ଖାଇବାକୁ ଯିବେ । ତେଣୁ ତିନିଟା ଆଗରୁ ନୁହେଁ ।

 

ପୂରା ଖରାଟା ଆଜି ଦେହରେ ଯିବ ।

 

ଉପାୟ ନାହିଁ ।

 

ସେତେବେଳକୁ ବୋଧହୁଏ ମୁଁ ସବୁ ଭୁଲିଯାଇଥିବି, ଉତ୍ତର ଦେବାକୁ ଶକ୍ତି ବି ନଥିବ ।

 

ହୁଁ, ଆଚ୍ଛା ଏଥର କିଏ କିଏ ସଭୃ ଅଛନ୍ତି, ଜାଣିଛନ୍ତି ?

 

ପ୍ରଶାନ୍ତର ଛାତିଟା ଧଡ଼୍‌ କରିଉଠିଲା । ସେ ଢୋକ ଗିଳି କିଛି ସମୟ ନୀରବ ରହି କହିଲା-

 

ନା, ଜାଣେନା ।

 

ପିଲାଟି ଚୁପ୍‌ ରହିଲା । ସେ ପୁଣି ବୋଧହୁଏ କିଛି ପଚାରିବାକୁ ଆରମ୍ଭ କରୁଥିଲା । ପ୍ରଶାନ୍ତ ମୁହଁ ଫେରେଇ ନେଇ ଦୁଇ ପାପୁଲିରେ ମୁହଁ ଢାଙ୍କିଲା । ଅଗତ୍ୟା ପିଲାଟି ଚୁପ୍‌ ରହିଲା । ସେ ଚଞ୍ଚଳ ହୋଇଉଠିଛି । ଅସହ୍ୟ ଲାଗୁଛି ଅପେକ୍ଷା । ନୀରବତା ଅପେକ୍ଷାକୁ ବିଷାକ୍ତ କରେ । ସେ ଉଠିପଡ଼ି ବାହାରକୁ ବାହାରିଗଲା । ସେ ଗପିବାକୁ ଚାହେଁ । କଥା କହିବାକୁ ଚାହେଁ । ସମୟକୁ ଭୁଲିବାକୁ ଚାହେଁ ।

 

ପ୍ରଶାନ୍ତ ନିଜକୁ କେମିତି ଚୋର ଚୋର ମନେକଲା । ସେ ଯେମିତି ଗୋଟାଏ ବହୁମୂଲ୍ୟ ମୁକ୍ତା ଚୋରେଇ ଆଣି ନିଜ ପାଖରେ ରଖିଛି । କାହାରିକୁ କହିପାରୁନି କି ନିଜେ ବି ତାକୁ ରଖିପାରୁନି । ସେ ସମସ୍ତଙ୍କଆଡ଼କୁ ଭଲକରି ଚାହିଁପାରୁନି । କଣେଇ କଣେଇ ଚାହିଁଲା ଚାରିଆଡ଼କୁ-। ତା’ର ମନେହେଲା ସତେଯେମିତି ସମସ୍ତେ ତାଆଡ଼କୁ ଆଙ୍ଗୁଠି ଦେଖେଇ ଅଭିଯୁକ୍ତ କରୁଛନ୍ତି–‘‘ଚୋର, ହେଇଟି ଚୋର ।’’

 

ପ୍ରଶାନ୍ତ ଦେହରେ ଗମ୍‌ ଗମ୍‌ ଝାଳ । ଏ ଝାଳ ଭୟର । ଏ ଝାଳ ହତାଶାର । ଏ ଝାଳ ବ୍ୟର୍ଥତାର । ଦୟନୀୟ ଭାବରେ ନିଜତ୍ୱକୁ ବିକ୍ରୟ କରିବାର କ୍ଷୋଭ, ଅପମାନ, ଲଜ୍ଜାର ପ୍ରତିକ୍ରିୟା ।

 

କିନ୍ତୁ ସେ ତ ଚାହିଁ ନଥିଲା ଏ କଥା । ସେ ବିଦ୍ରୋହ କରିଥିଲା–

 

‘‘ବୋଉ ! ମୁଁ ସେଠିକୁ ଯାଇପାରିବିନି । ତୋର କୋଉ କାଳେ ସିଏ ମାଉସୀପୁଅ ଭାଇ ନା ପିଉସୀପୁଅ ଭାଇ ଥିଲେ । ଏବେ ସିଏ ବଡ଼ ଅଫିସର । ସେ ବର୍ତ୍ତମାନ ତୋତେ ଚିହ୍ନିପାରିବେ କି ନାହିଁ କେଜାଣି ? ଏମିତି ଅବସ୍ଥାରେ ସେଠିକି ଯାଇ ମୁଁ ଅପମାନିତ ହୋଇପାରିବି ନାହିଁ । ନହେଲା ନାହିଁ-’’

 

‘‘ନାହିଁରେ ତୁ ବଇ ଭାଇକୁ ଚିହ୍ନିନୁ । ସେ ଅତି ଭଲ ମଣିଷ । ମୋ କଥା ମାନି ଥରେ ଯାଇ ଦେଖ । ନ ହେଲେ ପଛେ ଆଉ କେବେ ତୋତେ କୋଉଠିକୁ ଯିବାକୁ କହିବିନି । ଦିଥର ଯାକ ତ ଇଣ୍ଟରଭିଉ ଦେଲୁ ଯେ ଫେଲ୍‌ ହେଲୁ । ଥରେ ଚେଷ୍ଟା କରି ଦେଖ୍-’’

 

ବୋଉ କଥାର ଆଘାତ ଠିକ୍‌ ମର୍ମସ୍ଥଳରେ ଲକ୍ଷ୍ୟଭେଦ କଲା । ରାଗରେ ଜଳିଉଠିଲା ପ୍ରଶାନ୍ତ ।

 

‘‘ମୁଁ କ’ଣ କରିଥାନ୍ତି ଆଉ ! ଯାହା ପ୍ରଶ୍ନ ପଚାରିଲେ ତ ଉତ୍ତର ଦେଲି । ମୁଁ ତ ସେଥିରେ ଫେଲ୍‌ ହୋଇନି । ମୁଁ କ’ଣ କରିବି ଯଦି ମୋର ବାପା ବଡ଼ଲୋକ ନୁହେଁ–ଯଦି ମୋର କେହି ଠେଲିବାକୁ ନାହିଁକି ଉପରୁ କେହି ଟାଣିବାକୁ ନାହିଁ ।’’

 

ସେଇଥିପାଇଁ ତ କହୁଛି ଥରେ ଚେଷ୍ଟାକରି ଦେଖ୍‌ ।

 

ମୁଁ ଏମିତି ଅନ୍ୟାୟ କରିବାକୁ ଯିବିନାହିଁ । ନିଜକୁ ଏତେ ଛୋଟ କରିପାରିବି ନାହିଁ ।

 

ସେ ବଡ଼ ପଡ଼ କଥା ରଖିଦେଇଥା । ସେ ଯୁଗ ଗଲାଣି; ନ ହେଲେ ତୋ ବାପପରି ଏମିତି ଅଠେଇଶ ବର୍ଷ କାଳ ଖାଲି ମାଷ୍ଟର କରି ଛୁଆଙ୍କୁ ମୁଠେ ଭଲକରି ଦାନା ଦେଇପାରିବୁନି । ତୁ ତ ନିଜ ଆଖିରେ ଦେଖୁଛୁ. ଆଉ ଫେର୍ ମନାକରୁଛୁ କେମିତି ?

 

ପୁଅରେ, ଦେଖୁଛୁ ତ ତୋ ବାପା ଅବସ୍ଥା । ଆଉ ତିନି ଚାରିବର୍ଷ ଚାକିରି । କୁନି, ମିନିଙ୍କି ତ ବିଭା କରିବାକୁ ପଡ଼ିବ । ବୁଲା, ଝୁଲା ତ ଫେର୍‌ ମଣିଷ ହେବେ । ତୁ ବି ଯଦି ୟାଙ୍କପରି ହେବୁ ତ ସେମାନଙ୍କ କଥା ବୁଝିବ କିଏ ?

 

ତୋ ବାପା କ’ଣ ଟିକିଏ କହନ୍ତେ ନାହିଁ କାହାକୁ ? ଏତେ ତାଙ୍କର ଚିହ୍ନାପରିଚୟ ? ଦେଖିଲୁ ତ କେମିତି ସାଫ୍‌ ମନା କରିଦେଲେ । ମୋ କଥା ମାନ-ଚିଠି ଖଣ୍ଡିକ ଲେଖିଦେଉଛି । ନେଇଯା ।

 

ନିଷ୍ଠୁର ମଧ୍ୟବିତ୍ତ ରାକ୍ଷସ ଶଣ୍ଡୁଆସିରେ ଚିପିଚାପି ପଞ୍ଜୁରୀ ଭିତରୁ ମୁକୁଳି ଆସିବାକୁ ? ସେ ଛଟପଟ ହେଉଛି । ଗୋଡ଼ ହାତ ଛାଟୁଛି । ରାକ୍ଷସ ହସୁଛି । ‘‘ହଉ ହଉ, ଥା କିଛି ସମୟ । କ୍ଲାନ୍ତ ହୋଇ ଆସିବୁ ଯେ ବଳେ । ସେତେବଳକୁ ତା ଭିତରୁ ଆଉ ବାହାରକୁ ଆସିବାକୁ ମନହେବନି ଯେ !’’

 

ସକାଳେ ଶୁଭ କଳସ ଦେଖି ଠାକୁରଙ୍କୁ ମୁଣ୍ଡିଆ ମାରି, ବାପା ଧାରକରି ଆଣିଥିବା ତିରିଶଟା ଟଙ୍କା ପକେଟରେ ରଖି ଘରୁ ବାହାରିଲା ପ୍ରଶାନ୍ତ । ପଛେ ପଛେ ଆସିଲା ତା ବୋଉ ରାସ୍ତା ଉପରକୁ । ପ୍ରଶାନ୍ତ ହାତରେ ଲାଗିଲା ଖଣ୍ଡେ କାଗଜ । ବୋଉ ହାତରେ ଗଞ୍ଜିଦେଉଛି । ଚାଉଁକିନା ଲାଗିଲା ପ୍ରଶାନ୍ତ ହାତକୁ । ହଠାତ୍‌ ତା’ର ଏକ ଅସମ୍ଭବ ଇଚ୍ଛା ହେଲା ସେଇଟାକୁ ଚିରିଚାରି ବୋଉମୁହଁକୁ ଫୋପାଡ଼ି ଦେବାକୁ । ବୋଉ ତା’ର ହାତ ଧରିଲା । ‘‘ଯିବୁ ନିଶ୍ଚେ, ମୋ ରାଣଟି । ନିଶ୍ଚେ ଯିବୁ । ମୋ କଥା ଏଇଥରକଟି ମାନ । ଯା, ଭଗବାନ ଭରସା ।’’ ବୋଉର ହାତ ଦୁଇଟି କପାଳ ଉପରକୁ ଉଠିଲା ।

 

ଜି: ଉଦୟଗିରିରୁ କଟକ ଆଠ ନଅଘଣ୍ଟାର ରାସ୍ତା । ସକାଳ ସାଢ଼େ ଆଠଟାରୁ ଛାଡ଼େ । ବାଟଯାକ ଜ୍ୟେଷ୍ଠ ମଧ୍ୟାହ୍ନର ଅସହ୍ୟ ଉତ୍ତାପ; କିନ୍ତୁ ପ୍ରଶାନ୍ତକୁ କିଛି ଜଣାପଡ଼ୁନଥାଏ । ତା’ର ସମସ୍ତ ଅନୁଭୂତି କେନ୍ଦ୍ରୀଭୂତ ହୋଇଥାଏ ଛାତି ପକେଟରେ ଥିବା ଖଣ୍ଡେ କାଗଜ ଉପରେ । ସତେଯେମିତି ସେ ଗୋଟାଏ ଚିଠିବୋମା ପକେଟରେ ରଖିଛି । ଟିକିଏ ହଲ୍‌ଚଲ ହେଲେ ସେ ଢୋ କରି ଫାଟିଉଠି ବସ୍‌ ସୁଦ୍ଧା ସବୁ ଲୋକକୁ ନିଶ୍ଚିହ୍ନ କରିଦେବ ।

 

ଗେଟ୍‌ରେ ଦରୁଆନ୍‌ ନାହିଁ । ରକ୍ଷା ।

 

ବାରଣ୍ଡା ତଳେ ଛିଡ଼ାହେଲା ପ୍ରଶାନ୍ତ । ଦେହଟା ଥର ଥର କମ୍ପୁଛି । ଲଜ୍ଜାରେ ଆଖିପତା ଯୋଡ଼ିକ ବାଷ୍ପାଚ୍ଛନ୍ନ ହୋଇଉଠୁଛି ।

 

‘‘କାହାକୁ ଖୋଜୁଛନ୍ତି ?’’ କର୍କଶ ସ୍ୱର ।

 

ଯୁବକଟିଏ । ତାଠାରୁ ବୟସରେ ଛୋଟ ହେବ । ପାୟଜାମା ସୁଟ୍‌ ହାତରେ ଟୁଥବ୍ରସ୍‌ । ‘‘ସାର୍‌ ଅଛନ୍ତି ?’’

 

‘‘ହଁ, ଅଛନ୍ତି । ଅପେକ୍ଷା କରନ୍ତୁ । ନହେଲେ ଘଣ୍ଟାଏ ଛାଡ଼ିଆସନ୍ତୁ ।’’

 

ଅଦ୍ଭୁତ ଗୋଟାଏ ସ୍ୱସ୍ତିର ନିଃଶ୍ୱାସ ଛାଡ଼ିଲା ପ୍ରଶାନ୍ତ । କିଏ ଯେମିତି କହୁଛି ତାକୁ, ‘‘ଏଥର ପଳା, ପ୍ରଶାନ୍ତ ପଳା; ନ ହେଲେ ରକ୍ଷାନାହିଁ । ଧ୍ୱଂସ ପାଇଯିବୁ । ସୁଯୋଗ ଆସିଛି–ପଳା, ପଳା ଏଠୁ ପଳା ।’’

 

କିନ୍ତୁ ଭିତରର ଏତେ ଆନ୍ଦୋଳନ ସତ୍ତ୍ୱେ ପ୍ରଶାନ୍ତ ପଥର ପରି ଚୁପ୍‌ଚାପ ଛିଡ଼ା ହୋଇ ରହିଲା ବାରଣ୍ଡା ଉପରେ ଥିବା କାଠ ବେଞ୍ଚ୍‌ଟା ଆଡ଼କୁ ଚାହିଁ ।

 

ଯୁବକଟି କେତେବେଳୁ ଚାଲିଗଲାଣି ।

 

ଘଣ୍ଟାଏ କେତେବେଳୁ ଅତିବାହିତ ହୋଇଗଲାଣି । ଏଥିମଧ୍ୟରେ ଜଣେ ଦୁଇଜଣ ପିଅନ, ପୂଜାରୀ ଆସି ପଚାରି ଗଲେଣି । କିନ୍ତୁ କେହି ଯେମିତି ସାହେବଙ୍କୁ କହିବାପାଇଁ ସମୟ ପାଇନାହାନ୍ତି ବା ଭୁଲିଯାଇଛନ୍ତି । ଏମିତି କେତେ ଘଟଣା ଘଟୁଛି ପ୍ରତିଦିନ । କିଏ ଗୁରୁତ୍ୱ ଦେଉଛି-? ଆଉଜଣେ ବି ଆସି ଅପେକ୍ଷା କଲେଣି । ଦିଜଣ ତା ପାଖରେ କାଠବେଞ୍ଚ୍‌ ଉପରେ ବସିଲେ । ଜଣେ ସିଧା ପଶିଗଲେ ଡ୍ରଇଂରୁମ ଭିତରକୁ । ଚିହ୍ନା ବୋଧହୁଏ କିମ୍ୱା ସମଗୋତ୍ରୀୟ ।

 

ପ୍ରଶାନ୍ତ ଭାବିଲା ଆଜି ବୋଧହୁଏ ଦେଖାହେବନି । ହଠାତ୍‌ ସେଇ ଯୁବକଟି ପେଣ୍ଟ-ସାର୍ଟ ପିନ୍ଧି ବାହାରକୁ ଆସିଲା । ପ୍ରଶାନ୍ତ କାହିଁକି କେଜାଣି ଚଟାପଟ ଛିଡ଼ାହୋଇପଡ଼ିଲା ।

 

ହାତ ଦୁଇଟା ବି ଅଜାଣତରେ କପାଳ ଉପରକୁ ଉଠିଗଲା ।

 

ଯୁବକଟି ନରମ ହୋଇଗଲେ ।

 

‘‘ଆରେ ଆପଣ ଏତେବେଳଯାଏଁ ଅପେକ୍ଷା କରିଛନ୍ତି ? ଆଜି ତ ଡାଡ଼ି ଦେଖାକରିପାରିବେ ନାହିଁ । ଆପଣ ବରଂ କାଲି ସକାଳେ ଆସନ୍ତୁ ।’’

 

ପ୍ରଶାନ୍ତ ମୁଣ୍ଡରେ ଯେମିତି ଏକାଧାରରେ ବଜ୍ରପାତ୍‌ ଓ ବର୍ଷା ହେଲା । ସେ ଦୁଇଭାଗ ହୋଇଗଲା । ଗୋଟାଏ ଗୋଡ଼ ଆଗେଇ ଗଲା ବାହାରକୁ । ଆଉ ଗୋଟାଏ ଗୋଡ଼ ପ୍ରସ୍ତରୀଭୂତ ହୋଇ ଲାଖିରହିଲା ମାଟି ଉପରେ ।

 

‘‘ଦେଖନ୍ତୁ, ମୁଁ ତ କାଲି ଆଉ ଆସିପାରିବି ନାହିଁ । ଦୟାକରି ଏ ଚିଠିଟା ଯଦି ତାଙ୍କୁ ଦେଇଦିଅନ୍ତେ ।’’

 

‘‘କି ଚିଠି ?’’

 

‘‘ତାଙ୍କର ଜଣେ ଭଉଣୀ ହେବେ, ସେ ଦେଇଛନ୍ତି ।’’

 

‘‘ଭଉଣୀ ?’’ ଯୁବକ ଭ୍ରୂକୁଞ୍ଚିତ କଲେ ।

 

‘‘ଆପଣ ଚିହ୍ନି ନ ଥିବେ । ନିଜର ନୁହେଁ, ସଂପର୍କୀୟ ।’’

 

‘‘ଓଃ, ଆଚ୍ଛା ।’’

 

ପ୍ରଶାନ୍ତ ଏଥର ଦୀର୍ଘନିଶ୍ୱାସ ଛାଡ଼ିଲା । ଏଥର ମୁକ୍ତି । ସେ ତା’ର କର୍ତ୍ତବ୍ୟ କରିଛି । ବୋଉ ତାକୁ ଆଉ କିଛି କହିପାରିବ ନାହିଁ । ଏଥର ସେ ବୋଝ ଓହ୍ଲେଇଦେଇଛି । ଅନାୟାସରେ ଏବେ ସେ ଯାଇପାରେ । ପ୍ରଶାନ୍ତ ହାଲୁକା ମନରେ ବାହାର ଗେଟ୍‌ ପାଖରେ ପହଞ୍ଚିଛି କି ନାହିଁ, ପଛରୁ ଗାଡ଼ିଶବ୍ଦ ଶୁଭିଲା । ପ୍ରଶାନ୍ତ ବାଁ କରକୁ ଘୁଞ୍ଚିଗଲା । ଗାଡ଼ି ଆସି ତ ପାଖକୁ ଲାଗି ଛିଡ଼ାହେଲା । ଷ୍ଟିଅରିଂ ପାଖରେ ସେଇ ଯୁବକଟି । ଏଥର ସୁରରେ ତା’ର କିଞ୍ଚିତ୍‌ ବିସ୍ମୟ, କିଞ୍ଚିତ୍‌ ଦୟା । ‘‘ଆପଣ ଚାଲିଆସିଲେ ଯେ ! ଡାଡ଼ି ଡାକୁଛନ୍ତି, ଯାଆନ୍ତୁ । ଏଇ କାଶୀନାଥବାବୁଙ୍କୁ ନେଇଯା ଡାଡ଼ିଙ୍କ ପାଖକୁ ।’’ ଯୁବକଟି ଗାଡ଼ିନେଇ ବାହାରକୁ ବାହାରିଗଲେ ।

 

ପ୍ରଶାନ୍ତ ଛାତିରେ ପୁଣି ସେଇ ଧ୍ଡ଼୍‌ ଧଡ଼୍‌ ଶବ୍ଦ ।

 

ବଡ଼ ଇଜି–ଚେୟାର ଉପରେ ଗୋଡ଼ ଲମ୍ୱେଇ ବସିଛନ୍ତି । ଛଅଫୁଟ ଲମ୍ୱା, ବିରାଟକାୟ, କାଳିଆ ଲୋକଟେ । ପ୍ରଶାନ୍ତ ତାଙ୍କ ପାଖରେ ପହଞ୍ଚୁ ପହଞ୍ଚୁ ପଛରୁ କିଏ ଧକ୍‌କାଟିଏ ଦେଲା (ବୋଉ କି ?) ପ୍ରଶାନ୍ତ ଗୋଡ଼ତଳେ ମୁଣ୍ଡିଆ ମାରିଲା ।

 

‘‘ତମ ନାଁ ପ୍ରଶାନ୍ତ ?’’ ଗମ୍ଭୀର ସୁର ।

 

‘‘ଆଜ୍ଞା’’ !

 

‘‘ହେମ କେମିତି ଅଛି ?’’ (ବୋଉ ଲୋ ! ତୋ ଭାଗ୍ୟ । ତୋର ଏକଦା କୈଶୋରର ଭଲପାଇବା ଏକାବେଳକେ ବ୍ୟର୍ଥ ହୋଇଯାଇନି ।)

 

‘‘ଆଜ୍ଞା, ଭଲ ଅଛି ।’’

 

‘‘ଆରେ, ତମେ ଠିଆଟା ହୋଇ ରହିଲ କାହିଁକି ? ଆରେ, କାଶୀ, ଚେଆରଟା ଦେଲୁ । ହଁ, କ’ଣ ଏମ୍‌.ଏ. ପାଶ କରିଛୁ ପରା ! ’’

 

‘‘ଆଜ୍ଞା ।’’

 

‘‘କୋଉ ବିଷୟ ?’’

 

‘‘ଇତିହାସ ।’’

 

‘‘କୋଉ କ୍ଲାସ ?’’

 

‘‘ଫାଷ୍ଟ କ୍ଲାସ ।’’

 

‘‘କ’ଣ କରୁଛ ?’’

 

‘‘ଘରୋଇ ସ୍କୁଲରେ ମାଷ୍ଟର ।’’

 

‘‘କଲେଜରେ ମିଳିଲାନି ?’’

 

‘‘ନା–।’’

 

‘‘ହୁଁ ।’’

 

ଏତିକିବେଳେ ପ୍ରବେଶକଲେ ଜଣେ ସ୍ଥୂଳକାୟା, ଗୌରାଙ୍ଗୀ, ବିଗତଯୌବନା (ଶାରୀରିକ, ମାନସିକ ନୁହେଁ) ଭଦ୍ରମହିଳା । ଆଖିରେ ତାଙ୍କର କୌତୂହଳ ଜିଜ୍ଞାସା ।

 

ପ୍ରଶାନ୍ତ ବୁଝିପାରିଲା ସେ କିଏ ?

 

ପୁଣି ଆଉଥରେ ସାଷ୍ଟାଙ୍ଗ ପ୍ରଣିପାତ । ଆଃ କି ଲଜ୍ଜା ! ଭିକାରିର ପେଟ ଥାପୁଡ଼େଇ ଭିକ ମାଗିବା ପରି । ବୋଉ, ତୋତେ ମୁଁ ତଣ୍ଟିଚିପି ମାରିଦେବି ।

 

ତମେ ଚିହ୍ନିବନି । ଇଏ ମୋର ମାମୁ ଝିଅ ଭଉଣୀର ପୁଅ । ଏମ୍‌.ଏ. ପାଶ୍‌ କରି ମାଷ୍ଟର ହୋଇଛି ।

 

(ମହିଳାଙ୍କ ଆଖିରେ, ଅବଜ୍ଞା, ତାଚ୍ଛଲ୍ୟ, ଘୃଣା ଓ ଦୟାର ଏକ ଛୁରିକା ଚାହାଁଣୀ)

 

ତା ବାପ ବି ସେମିତି । ସବ୍‌ଡେପୁଟି ଚାକିରି ପାଇଥିଲା । ଛାଡ଼ିଛୁଡ଼ି ଦେଇ ମାଷ୍ଟର ହେଲା । ହାଃ, ହାଃ, ହାଃ ! ପାଗଳାଟାଏ ତ !

 

ଭଦ୍ରମହିଳା କିଛି ନକହି ଫେରିଗଲେ । କେତେ ଏମିତି ମାଉସୀପୁଅ, ପିଉସୀପୁଅ ବାପା ବି ସେ ଦେଖିଆସିଲେଣି । ତା’ର ଅର୍ଥ ବି ସେ ବୁଝିଛନ୍ତି । ପ୍ରଶାନ୍ତ ଦେହରେ ଶୀତଳତାର ଛାଇ ।

 

ଇଣ୍ଟରଭିଉ କେବେ ?

 

କାଲି ।

 

‘‘ଆରେ ହଁ ତ । ଭୁଲିଯାଇଥିଲି । ଆଚ୍ଛା ହେଉ, ବୁଝିବା ତୁମ କଥା ।’’

 

(ବୋଉକୁ ତୁ-ତାକୁ ତୁମେ । ପାର୍ଥକ୍ୟଟା ବୁଝିବାକୁ ପ୍ରଶାନ୍ତକୁ ଅସୁବିଧା ହେଲାନାହିଁ )

 

ରହୁଛ କୋଉଠି ?

 

ସେଇ ପୁରୁଣା ମେସ୍‌ରେ ।

 

ଆରେ ହଁ ତ । ତମେ ପରା ଏଇଠି ଦିବର୍ଷ ପଢ଼ିଛ । ଆଗରୁ କାହିଁକି ଆସୁନଥିଲ-

 

(ଆପଣ କ’ଣ ଜାଣନ୍ତି ନାହିଁ କାହିଁକି ଆସୁନଥିଲି ? ଆପଣ କ’ଣ କେବେ ଚାହିଁଛନ୍ତି ଆମର ଆସିବାଟା ? କେବେ ଆପଣ ଇଚ୍ଛା କରିଛନ୍ତି ? ମୁଁ ବି କେବେ ଇଚ୍ଛା କରିନଥିଲି ଏଠିକୁ ଆସିବାକୁ । କିନ୍ତୁ ଆମେ ଭିକାରି । ତେଣୁ ବାଧ୍ୟ । ସେଥିପାଇଁ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ ତମ ପାଖରେ ହାତ ପାତିବାକୁ ପଡ଼େ । ଭିକାରିର ଆତ୍ମସମ୍ମାନ କାହିଁ ? ସମାନ ଭାବରେ ମିଶିବାର ଅଧିକାର କାହିଁ ?)

 

ମନେ ମନେ ପ୍ରଶାନ୍ତ କହିଲା କଥାଗୁଡ଼ାକ ।

 

ହଠାତ୍‌ ଦପ୍ତରୀର ଚିତ୍କାରରେ ତା’ର ତନ୍ଦ୍ରା ଭାଙ୍ଗିଲା ।

 

‘‘ଗୋବିନ୍ଦଚନ୍ଦ୍ର ମହାନ୍ତି । ଗୋବିନ୍ଦଚନ୍ଦ୍ର-’’

 

‘‘ହଁ, ହଁ, ମୁଁ ।’’ ନସର ପସର ହେଇ ଜଣେ ଯୁବକ ଭିତରକୁ ପଶିଲେ ।

 

ସାକ୍ଷାତ୍‌କାର କେତେବେଳୁ ଆରମ୍ଭ ହୋଇଗଲାଣି । ପ୍ରଶାନ୍ତ ଅନୁଭବ କଲା କୋଠରି ଭିତରେ ଅନେକ ଲୋକ । କୋଠରି ଭିତରଟା ଉତ୍କଣ୍ଠାରେ ଭାରି ହୋଇଉଠିଛି । ସେ ଆଖି ମଳି ମଳି ସମସ୍ତଙ୍କୁ ଚାହିଁଲା । ଭୂତ ଦେଖିଲାପରି ଚମକିଉଠିଲା ସେ । ସବୁ ପିଲାଙ୍କ ମୁଣ୍ଡ ପଛପଟେ ଗୋଟାଏ ବର୍ତ୍ତୁଳାକାର ଆଲୋକ । ସେଇ ଆଲୋକ ଭିତରେ ଗୋଟାଏ ଶୀର୍ଣ୍ଣକାୟା, ଜରାଗ୍ରସ୍ତ, ଚକ୍ଷୁ କୋଟରଗତଳ, ବିପର୍ଯ୍ୟସ୍ତ କେଶ, ଶିରାଳ, ଦନ୍ତହୀନ ନାରୀର ବିକଟାଳ ମୁହଁ ।

 

ବୋଉର ମୁହଁ ? ଅଭାବର ମୁହଁ ?

 

ଚିତ୍କାର କରୁ କରୁ ପ୍ରଶାନ୍ତ ଅଟକିଗଲା ।

 

‘‘ପ୍ରଶାନ୍ତ ମିଶ୍ର ! ପ୍ରଶାନ୍ତ ମିଶ୍ର !’’

 

ହଠାତ୍‌ ଅବସନ୍ନତା କାଟି ସେ ଧଡ଼୍‌ଧାଡ଼୍‌ ଛିଡ଼ାହୋଇପଡ଼ିଲା । ଯନ୍ତ୍ର ପରି । କିଏ ଯେମିତି ତା ପଛରେ ଇଲେକ୍‌ଟ୍ରିକ୍‌ ସୁଇଚ ଟିପିଦେଲା ।

 

‘ଗୋବିନ୍ଦ ମହାନ୍ତି’ ଚାରିପାଖରେ ଉତ୍ସୁକ କୌତୂହଳୀ ଜନତାର ଭିଡ଼ । କ’ଣ ପ୍ରଶ୍ନ ? କ’ଣ ଉତ୍ତର ? କେତେ ମତାମତ, ଆଲୋଚନା ।

 

ନାମ, ବାପାର ନାମ, ଶିକ୍ଷାଗତ ଯୋଗ୍ୟତାର ପର୍ବ ଶେଷ ହେଲା ପରେ–

 

ଦିବର୍ଷ ହେଲା ପାଶ୍‌କରି କ’ଣ କରୁଛ ?

 

ଘରୋଇ ସ୍କୁଲରେ ମାଷ୍ଟର ।

 

ଆଗରୁ ଇଣ୍ଟରଭିଉ ଦେଇଥିଲ ?

 

ହଁ ଦୁଇଥର ।

 

ଓଃ, ଆଚ୍ଛା, ଆଚ୍ଛା ।

 

ଏକ୍‌ସପାର୍ଟଙ୍କର ଖାମଖିଆଲ ପ୍ରଶ୍ନ । ମାମୁ ବସିଛନ୍ତି । ଅବିଚଳିତ । ଗମ୍ଭୀର ବୋଉର ପିଉସୀପୁଅ ଭାଇ କଥା ଦେଇଛନ୍ତି । ଭୟ ନାହିଁ । ଭୟ ନାହିଁ । ତା ପିଚାରେ ଦାଗ ଲଗେଇ ଦେଇଛନ୍ତି । ଭୟ ନାହିଁ । ଭୟ ନାହିଁ । ଏଥର ଖାଲି ତାକୁ ଲୁଚେଇ ପଳାୟନ କର । କାହାକୁ ଦେଖେଇ ପାରିବନି କି ନିଜେ ବି ଦେଖିବାର ସାହସ କରିପାରିବନି । କେବଳ ଗୋଟାଏ ଅଶରୀର ବ୍ୟଥା । ଭୟ ନାହିଁ ।

 

କୌତୂହଳୀ ଜନତାର ଭିଡ଼କୁ ଦୁଇହାତରେ ଠେଲିଦେଇ ସେ ଏକମୁହାଁ ହୋଇ ବାହାରକୁ ପଳେଇଆସିଲା । ସମସ୍ତେ ଭାବିଲେ ପିଲାଟା ଖରାପ କରିଛି । ଆହା, ବିଚାରା !

 

ଭାବୁଥାଅ । ସମସ୍ତେ ଯାହା ଭାବୁଛ, ଭାବୁଥାଅ । କିନ୍ତୁ ତମେ ଯାହା ଭାବୁଛ, ମୁଁ ସେଇଆ ନୁହଁ । ମୁଁ ବାହାରକୁ ଯାହା ଦେଖାଯାଉଛି । ଭିତରେ ସେଇଆ ନୁହଁ । ମୁଁ ହାରିନି । ମୁଁ ଜିତିଛି । ତମ ସମସ୍ତଙ୍କୁ ଠକେଇ ଦେଇ ଜିତାପଟର ସିଲ୍‌ଡ଼କୁ ଚୋରେଇ ଆଣିଛି । ଚାକିରି ଶିଲ୍‌ଡ଼ଟା ହିଁ ଅସଲ କଥା । ମୋର ନିଜତ୍ୱକୁ ବଳିଦେଇ ତା’ରି ରକ୍ତରେ ମୁଁ ବିଜୟ ହାସଲ କରିଛି । କିଛି ମାନେ ନାହିଁ ଆଦର୍ଶର । କିଛି ମାନେ ନାହିଁ ବ୍ୟକ୍ତିତ୍ୱର । ବର୍ତ୍ତମାନର ବାୟୁମଣ୍ଡଳ ପଚାସଢ଼ା, ଦୁର୍ଗନ୍ଧମୟ । ତା’ଭିତରେ ତମର ସତେଜ ଆଦର୍ଶ, ନିଜତ୍ୱ, ଆତ୍ମସମ୍ମାନ, ସତ୍ୟତା ସବୁ ପଚିସଢ଼ି ଯିବ । କିଛି ରହିବ ନାହିଁ । ତେଣୁ ତାକୁ ଭାଙ୍ଗ–ନହେଲେ ଭାଙ୍ଗିଯାଅ । ମୁଁ ଭାଙ୍ଗିପାରିନି-ଭାଙ୍ଗିଯାଇଛି ।

 

ପ୍ରଶାନ୍ତ ଆଖିରେ ଝରଝର ଲୁହ ଗଡ଼ୁଛି । ଜୁନ୍‌ ଦ୍ୱିପ୍ରହରର ପ୍ରଖର ସୂର୍ଯ୍ୟୋତ୍ତାପରେ ବି ସେ ଲୁହ ଶୁଖୁନି । ଅବିରାମ ବହିଚାଲିଛି । ପରାଜୟ ଓ ଗ୍ଲାନିର ଅଶ୍ରୁର ଉତ୍ସ ଏକ ଚିରନ୍ତନ ଉତ୍ସ । ସେ କେବେ ଶୁଖେନା–କେବେ ଶୁଖେନା ।

 

ଗେଟ୍‌ ବାହାରକୁ ଆସି ପ୍ରଶାନ୍ତ ଥମକି ଛିଡ଼ାହେଲା । ପକେଟରୁ ରୁମାଲ କାଢ଼ି ମୁହଁ ପୋଛିଲା । ଦୂରରୁ ଦେବଦାରୁ ଗଛ ଛାଇରେ ଘୁମେଇ ପଡ଼ିଥିବା ରିକ୍‌ସାବାଲାକୁ ପାଟିକରି ଡାକିଲା-। ରିକ୍‌ସାବାଲା ଉଠିକରି ଆସିବା ଭିତରେ ପ୍ରଶାନ୍ତ ପୁଣିଥରେ ସେଇ କୋଠାଟାଆଡ଼କୁ ଚାହିଁଲା । ତା’ପରେ ହଠାତ୍‌ କିଛି କାରଣ ନ ଥାଇ ହସିବାକୁ ଆରମ୍ଭ କଲା ଠୋ ଠୋ ହୋଇ । ଆସ, ଏସବୁ ଗୋଟାଏ ବିରାଟ ଫାର୍ସ । ସେଇ ଫାର୍ସ ଭିତରେ ସେ, ମେମ୍ୱର, ଅନ୍ୟମାନେ ସମସ୍ତେ ଗୋଟାଏ ବିଦୂଷକ । ଏ ଜୀବନଟା ବୋଧହୁଏ ଏମିତି ଫାର୍ସରେ ଶେଷ ହୋଇଯିବ । ତେଣୁ ହସ, ହସ, ହସିଯାଅ–ନିଜକୁ ବିଦ୍ରୂପ କରି, ବାଙ୍କ କରି, ନିଜକୁ କ୍ଷତ–ବିକ୍ଷତ କରି ନିଜକୁ ଜଳେଇ ପୋଡ଼େଇ–ଖାଲି ହସାଇ– । ଆଉଥରେ ସେ ପ୍ରବଳ ବେଗରେ ହସିବା ଆରମ୍ଭ କଲା । ରିକ୍‌ସାବାଲାଟା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା କିଛି ସମୟ । ତାପରେ ସେ ବି ତା ସଙ୍ଗରେ ସୁର ମିଳେଇ ହସିବାକୁ ଆରମ୍ଭ କଲା ଅର୍ଥହୀନ ଭାବରେ ।

 

ସବୁ କିଛି ଅର୍ଥହୀନ ।

Image

 

ଅଭିନେତା

(୧)

(ବିଜ୍ଞାପନ)

 

ପୋଷ୍ଟର ୧୯୪୫–ମହାନ୍‌ ପୌରାଣିକ ଚିତ୍ର–‘‘ରାମ ବନବାସ ’’। ଭୂମିକାରେ ଏ ଯୁଗର ଶ୍ରେଷ୍ଠ ଅଭିନେତା ବିଜୟକୁମାର ଓ ଅଭିନେତ୍ରୀ ସୁରବାଳା ।

 

ପୋଷ୍ଟର ୧୯୪୬–ମହାନ୍‌ ଐତିହାସିକ ଚିତ୍ର–‘‘ଛତ୍ରପତି ଶିବାଜୀ’’ । ନାମ ଭୂମିକାରେ ପ୍ରସିଦ୍ଧ ଅଭିନେତା ବିଜୟକୁମାର ।

 

ପୋଷ୍ଟର ୧୯୪୭–ସ୍ୱାଧୀନତା ସଂଗ୍ରାମର ପ୍ରଥମ ଅଗ୍ନିମୟ ବାର୍ତ୍ତାବହ–‘‘ବକ୍‌ସି ଜଗବନ୍ଧୁ’’ ପ୍ରସିଦ୍ଧ ନାୟକ ବିଜୟକୁମାର ଅଭିନୀତ ବୈପ୍ଳବିକ ଚଳଚ୍ଚିତ୍ର ।

 

ପୋଷ୍ଟର ୧୯୪୯–ସ୍ୱାଧୀନତା ସଂଗ୍ରାମର ନିଖୁଣ ଚିତ୍ର । ବ୍ରିଟିଶରାଜର ବର୍ବର ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମୀ ଜନତାର ବିପୁଳ ଆତ୍ମୋତ୍ସର୍ଗ । ଦେଶମାତୃକାର ବନ୍ଧନ ଛିନ୍ନ କରି ତାକୁ ବିଦେଶୀ ଶୋଷଣରୁ ମୁକ୍ତ କରିବାପାଇଁ ଏକ ଦେଶପ୍ରେମୀ ଯୁବକର ଅଦ୍ଭୁତ ଆତ୍ମବଳିଦାନ–‘‘ଶହୀଦ ଲାଲ ସିଂ’’ । ଭୂମିକାରେ–ବିଜୟ କୁମାର ।

 

ପୋଷ୍ଟର ୧୯୫୧–ମହାନ୍‌ ସାମାଜିକ ଚଳଚ୍ଚିତ୍ର-‘‘ସଂସାର’’ । ଶ୍ରେଷ୍ଠାଂଶେ ବିଜୟକୁମାର ଓ ରୀତା କୁମାରୀ ।

 

ପୋଷ୍ଟର ୧୯୫୩–ଓଡ଼ିଶାର ଶ୍ରେଷ୍ଠ ପ୍ରେମକାବ୍ୟ–‘‘କେଦାରଗୌରୀ ।’’ ସ୍ୱର୍ଗୀୟ ପ୍ରେମର ଅପୂର୍ବ ଆତ୍ମବଳିଦାନ–ଅଭିନୟ କରିଛନ୍ତି ମହାନାୟକ ବିଜୟକୁମାର ଓ କିରଣ ଦେବୀ ।

 

ଇତ୍ୟାଦି ଇତ୍ୟାଦି–

 

ରୋମନ୍ଥନ ୧୯୭୫–ମୁଁ ମହାନ୍‌ ଚଳଚ୍ଚିତ୍ର ଅଭିନେତା ବିଜୟକୁମାର ଓରଫ ଶଶୀଭୂଷଣ ଦାସ । ମଧ୍ୟାହ୍ନର ପ୍ରଖର ଦିବାଲୋକରେ ନାୟକର ରାଜରାସ୍ତା ଉପରେ ଓହ୍ଲେଇ ବୀର ଦର୍ପରେ ବାଟ ଚାଲୁ ଚାଲୁ କେତେବେଳେ ଅପରାହ୍ନର ମଳିନ ଆଲୋକ ଭିତରେ ବାଟ ଭୁଲି ପାର୍ଶ୍ୱନାୟକର ଗଳିରେ ପଶିଯାଇ, ଗୋଧୂଳିର ଛାୟାଚ୍ଛନ୍ନ ଆଲୋକ ଭିତରେ ଚରିତ୍ରାଭିନେତାର ଚୋରାଗଳି ଦେଇ ସନ୍ଧ୍ୟାର ଅନ୍ଧକାର ଭିତରେ ସ୍ଥାଣୁ ହୋଇ ବହିଯାଇଛି; କିନ୍ତୁ ଦିନଥିଲା ଯେତେବେଳେ ଏଇ ଗୋଟିଏ ନାମ ‘‘ବିଜୟକୁମାର’’ ମନ୍ତ୍ରମୁଗ୍ଧ କରି ରଖିଥିଲା ଦେଶର ଲକ୍ଷ ଲକ୍ଷ ଜନତାକୁ । ‘ବିଜୟକୁମାର’ ନାମରେ ପାଗଳ ହୋଇଯାଉଥିଲେ ଅଗଣିତ ମଣିଷ । ତା’ରି ଅଭିନୟ ଦେଖିବାପାଇଁ ଦେଶର ଅଗଣିତ ସିନେମା ହଲ୍‌ରେ ଜମୁଥିଲା ପ୍ରଚଣ୍ଡ ଭିଡ଼ । ଳମ୍ୱିଯାଉଥିଲା ମାଇଲ ମାଇଲ ଧରି ଦର୍ଶକମାନଙ୍କର ‘କ୍ୟୁ’ । ବିଡ଼ିବିକାଳୀଠାରୁ ଆରମ୍ଭ କରି ରେଫ୍ରିଜେରେଟରର ବିକ୍ରେତାମାନଙ୍କ କେଲେଣ୍ଡାରରେ ରହୁଥିଲା ତା’ରି ଫଟୋ–ବିଭିନ୍ନ ବେଶରେ, ବିଭିନ୍ନ ଭଙ୍ଗୀରେ ।

 

କେତେପ୍ରକାର ଚରିତ୍ର–କେତେ ପ୍ରକାର ଭୂମିକା । ପ୍ରେମିକଠାରୁ ଆରମ୍ଭ କରି ଦସ୍ୟୁ, ରାମ, କୃଷ୍ଣ ପ୍ରଭୃତି ଦେବତାଠାରୁ ଆରମ୍ଭ କରି ଐତିହାସିକ ଚରିତ୍ର ଶିବାଜୀ, ରାଣାପ୍ରତାପ, ଆକବର ପର୍ଯ୍ୟନ୍ତ–ରାଜନୀତିକ ନେତାଠାରୁ ଆରମ୍ଭ କରି ଭେଗାବଣ୍ଡ, ଲୋଫର ପର୍ଯ୍ୟନ୍ତ-ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଛି । ଲୋକେ ସେଇ ଅଭିନୟ ଦେଖିବାଲାଗି ପାଗଳ ହୋଇ ଛୁଟି ଆସୁଥିଲେ ।

 

କିନ୍ତୁ ଆଜିପର୍ଯ୍ୟନ୍ତ ଗୋଟିଏ କଥା ଭାବି ମୁଁ ଆଶ୍ଚର୍ଯ୍ୟ ହୁଏ । ମୁଁ ଜାଣେ, ଲୋକେ ମୋର ଅଭିନୟ, ନାୟକ ‘ବିଜୟକୁମାର’ର ଅଭିନୟ ଦେଖିବାପାଇଁ ଆସନ୍ତି ! ସେମାନେ ଜାଣନ୍ତି ଯେ, ମୁଁ ‘ବିଜୟକୁମାର’ ରାମ, କୃଷ୍ଣ, ଶିବାଜୀ, ରାଣାପ୍ରତାପ ଭୂମିକାରେ ହିଁ କେବଳ ଅଭିନୟ କରୁଛି–ମୁଁ ନିଜେ ରାମ ନୁହେଁ, କୃଷ୍ଣ ନୁହେଁ, ରାଣାପ୍ରତାପ ନୁହେଁ, କିନ୍ତୁ ଆଜି ସେମାନେ ଚଳଚ୍ଚିତ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ–ତିନି ଘଣ୍ଟା–ମୋତେ ହିଁ ଭୁଲିଯାଆନ୍ତି । ‘ବିଜୟକୁମାର’ର ଅସ୍ତିତ୍ୱ ତାଙ୍କ ମନରେ ବି ସୁଦ୍ଧା ରହେନାହିଁ । ରାମ, କୃଷ୍ଣ, ଶିବାଜୀ ପ୍ରଭୃତିର କଳ୍ପନାର ରୂପ ଭୁଲେଇ ଦିଏ ମୋର ‘ଜୀବନ୍ତ’ ଅସ୍ତିତ୍ୱକୁ । କାହିଁକି ଯେ ଏମିତି ହୁଏ–ଏଇ ପ୍ରହେଳିକାର ସମାଧାନ ମୁଁ ଆଜିପର୍ଯ୍ୟନ୍ତ କରିପାରି ନାହିଁ-

 

ତାଙ୍କୁ ଭୁଲେଇ ପାରିବାଟା ହିଁ କ’ଣ ମୋର ବାହାଦୁରୀ ? ସେଇଟା ହିଁ କ’ଣ ମୋର ସଫଳତାର କାରଣ ? ଚରିତ୍ର ଭିତରେ ‘ବିଜୟକୁମାର’ର ଅସ୍ତିତ୍ୱକୁ ଲୋପ କରିଦେଇ ଚରିତ୍ରର କଳ୍ପିତ ବ୍ୟବହାର ଭିତରେ ନିଜକୁ ନିଖୁଣ ଭାବରେ ପ୍ରତିବିମ୍ୱିତ କରିବାର ନାମ କ’ଣ ଶ୍ରେଷ୍ଠ ଅଭିନୟ ?

 

ଚାରି କାନ୍ଥରେ ମୋର ବିଭିନ୍ନ ଭୂମିକାରେ ବିରାଟ ବିରାଟ ଫଟୋ ଟଙ୍ଗା ହୋଇଛି । ସୋ କେଶ୍‌ ଉପରେ ଗଦାଏ ଆଲବମ୍‌ । ବହୁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବିଭିନ୍ନ ବେଶ ପୋଷାକ ଓ ଭଙ୍ଗୀର ଫଟୋ ସେଥିରେ ରହିଛି ।

 

ମୁଁ ବୁଲି ବୁଲି ଦେଖୁଛି । ନିରିଖି କରି । ବନବାସଚାରୀ ଶ୍ରୀରାମଚନ୍ଦ୍ର । ମୁଣ୍ଡରେ ଜଟା, କାନ୍ଧରେ ଧନୁଶର । ଶଙ୍ଖଚିତ୍ର ଗଦାପଦ୍ମଧାରୀ ଶ୍ରୀକୃଷ୍ଣ । ଅଶ୍ୱପୃଷ୍ଠରେ ବୀର ରାଣାପ୍ରତାପ । ଫାଶୀ ମଞ୍ଚରେ ଶହୀଦ ଲାଲ ସିଂ । ଝରଣାକୂଳରେ ପ୍ରିୟତମାକୁ ଆଲିଙ୍ଗନ କରି ଧରିଥିବା ପ୍ରେମିକ କେଦାର । ଭଗ୍ନ ରଥଚକ୍ର ଟେକି ଧରି ବୀରପର୍ଦରେ ଛିଡ଼ାହୋଇଛି ବୀର ଅଭିମନ୍ୟୁ । ମୟୂର ସିଂହାସନ ଉପରେ ମୋଗଲ ସମ୍ରାଟ ଆକବର ।

 

ସବୁଗୁଡ଼ିକ ହିଁ ମୋର ଫଟୋ । ବିଜୟକୁମାର ଚିତ୍ର । ଅଥଚ କେହି ଭୁଲରେ ସୁଦ୍ଧା ଧରେନାହିଁ ବିଜୟକୁମାରର ନାମ, ଏଇ ଫଟୋଗୁଡ଼ିକ ଦେଖିଲାବେଳେ । ଏକା ବିଜୟକୁମାର ବହୁରୂପରେ ପ୍ରତିବିମ୍ୱିତ ହୋଇ ନିଜେ ହିଁ ରହିଯାଇଛି ଏକାବେଳକେ ଅପରିଚିତ, ଅଜ୍ଞାତ । ତା’ର ଅଭିନୀତ ଚରିତ୍ର ହିଁ ତାକୁ ସଂହାର କରି ନିଜେ ସତ୍ୟ ରୂପରେ ପ୍ରତିଭାତ ହୋଇଛି ।

 

ଆଃ, କାହିଁ ଏଇ ଫଟୋଗୁଡ଼ିକ ଭିତରେ ଅସଲ, ପ୍ରକୃତ, ସତ୍ୟକାରର ବିଜୟକୁମାର ?

 

(୨)

(ଆଲବମ୍‌)

 

ଫଟୋ ୧୯୧୫–ପରିବାର । ପୁରୁଣାକାଳିଆ କୋଠାଘରର ବାରଣ୍ଡା । ବାରଣ୍ଡା କାନ୍ଥରେ ଟଣାହୋଇଛି ଚିତ୍ରବିଚିତ୍ର ଚାଦରଟିଏ । କିଏ ଦି’ଜଣ ବୋଧହୁଏ ଟାଣିଧରିଛନ୍ତି । ହାତଦୁଇଟା ଦିଶୁଛି ଦୁଇଧାରରେ । ମଝିରେ ଦୁଇଟି ଚେୟାର । ଗୋଟିକରେ ଧୋତିପିନ୍ଧା, ବେକଚିପା, କଳା କୋଟ୍‌ପିନ୍ଧା, ବାଘନିଶ ପରି ହଳେ ନିଶ ରଖିଥିବା ପୁରୁଷଟିଏ । ଆର ଗୋଟିକରେ କପାଳ ପର୍ଯ୍ୟନ୍ତ ଓଢ଼ଣା ଟାଣି, ନାକରେ ନୋଲକ, ଗୁଣାପିନ୍ଧା ସ୍ତ୍ରୀଲୋକଟିଏ । କୋଳରେ ଲଙ୍ଗଳା, କୁନି ପିଲାଟିଏ । ମୁଣ୍ଡରେ କୁଞ୍ଚିକୁଞ୍ଚିଆ ବାଳ । ଆଖି ଦୁଇଟାରେ ଆଶ୍ଚର୍ଯ୍ୟ ବିସ୍ମୟ । ସେଇ କୁନି ପୁଅଟି-

 

ଫଟୋ ୧୯୩୦–ବନ୍ଧୁ । ଗ୍ରୁପ୍‌ ଫଟୋଟିଏ । ହାଫ୍‌ପେଣ୍ଟ୍‌ ପିନ୍ଧା ଦର ଦର ନିଶ ଉଠିଆସୁଥିବା କେତେଗୁଡ଼ିଏ କିଶୋର । ସ୍ଥାନ–ବୋଧହୁଏ ସ୍କୁଲ ବାରଣ୍ଡା । ସେମାନଙ୍କ ଭିତରୁ ଜଣକ ଚାରିପଟେ ଗୋଲ କରି କାଳି ବୁଲାହୋଇଛି । କୁଞ୍ଚକୁଞ୍ଚିଆ ବାଳ ନାହିଁ । ସିଧା । ଟେରି କଟାହୋଇଛି । ଆଖିରେ ଆଖିଏ ଦୁଷ୍ଟାମି ।

 

ସେଇ ପିଲାଟି–

 

ଫଟୋ ୧୯୪୦–ପ୍ରେମିକ । ବୋଧହୁଏ ନଈକୂଳ । ସାମାନ୍ୟ ଭାବରେ ଦେଖାଯାଉଛି ନଦୀର କୂଳ । ଦୁଇଜଣ ଯୁବ ଯୁବତୀ । ଯୁବକଟିର ପରିଧାନରେ ଫୁଲ୍‌ ପେଣ୍ଟ୍‌, ଫୁଲ୍‌ ଶାର୍ଟ, କୋର୍ଟ-। ବେକରେ ଝୁଲୁଛି ଟାଇ । ଝିଅଟିର ପରିଧାନରେ ଶାଢ଼ି । କହୁଣି ପର୍ଯ୍ୟନ୍ତ ବ୍ଲାଉଜ । ବେକରେ ମୋଟା ହାରଟିଏ । ଠିକ୍‌ ମଝିରେ ସୁନ୍ଥା । ପାତିଆ କରି ବାଳ କୁଣ୍ଡା ହୋଇଛି । କେବଳ ମୁହଁ ଓ ଡାହାଣ ହାତର କିଛି ଅଂଶ ଛଡ଼ା ଆଉ କିଛି ଦେଖାଯାଉନି ।

 

ସେଇ ଯୁବକଟି–

 

ଫଟୋ ୧୯୪୫–ସ୍ୱାମୀ । ବୋଧହୁଏ ଷ୍ଟୁଡ଼ିଓ ଭିତରେ । ନକଲକରା ପକ୍‌କାଘର, ଫୁଲଦାନୀ । ଯୁଗଳ ଫଟୋ । ଯୁବକଟିର ପରିଧାନରେ ପଞ୍ଜାବୀ । ଚିକ୍‌କଣ କରି ବାଳ କୁଣ୍ଡା ହୋଇଛି । ମାଖୁନା ମୁହଁ । ଫୁଲିଲା ଫୁଲିଲା । ଝିଅଟିର ମୁଣ୍ଡରେ ଅଧା ଓଢ଼ଣା । ମୁଣ୍ଡରେ ସିନ୍ଥୀ । କାନରେ ଦୁଲ୍‌ । ବେକରେ ତିନି ଚାରିଟା ହାର । କପାଳରେ ସିନ୍ଦୂରଟିପା । ବାହୁରେ ଆର୍ମଲେଟ୍‌ । ବାହୁର ଅଧା ପର୍ଯ୍ୟନ୍ତ ଫୁଲଫୁଲିଆ ବ୍ଲାଉଜ୍‌ କାନ୍ଧ ପାଖରେ ଟେକି ହୋଇ ରହିଛି । ଶାଢ଼ି କୁଞ୍ଚ ହୋଇ ଛାତି ପାଖରେ ବ୍ରୋଚ୍‌ ମରା ହୋଇଛି ।

 

ସେଇ ଯୁବକଟି-

 

ଫଟୋ ୧୯୫୦–ପିତା ଓ ପୁତ୍ର । ଡ୍ରଇଂ ରୁମ୍‌ ବୋଧହୁଏ । ସୋଫାସେଟ୍‌ର କିଛି ଅଂଶ ଦେଖାଯାଉଛି । ସୋ କେଶର ଫାଳେ । ମଝିରେ ସେଣ୍ଟର ଟେବୁଲ ଉପରେ ମୋଟାମୋଟି ହୋଇ ଗୁଲୁଗୁଲିଆ ଛୁଆଟିଏ । ହାତରେ ଗୋଟାଏ କଣ୍ଢେଇ । ତାକୁ ଧରି ଅଧା ବସା–ଅଧାଠିଆ ଢଙ୍ଗରେ ଲୋକଟିଏ । କପାଳ ଓସାରିଆ ହୋଇଯାଇଛି । ଆଖିତଳରେ ସାମାନ୍ୟ କଳା କଳା ଛାପ-। ପରିଧାନରେ ଡ୍ରେସିଂ ଗାଉନ୍‌ । ଡ୍ରେସିଂ ଗାଉନ୍‌ର ଉପର ପଟ ସାମାନ୍ୟ ଫାଙ୍କା ହୋଇଯାଇ ଦେଖାଯାଉଛି ଲୋମଶ ଛାତିର କିଛି ଅଂଶ ।

 

ସେଇ ଲୋକଟି–

 

ରୋମନ୍ଥନ ୧୯୭୫–ମୁଁ ଶଶୀଭୂଷଣ ଦାସ, ଓରଫେ କୁନା, ଓରଫେ ଶଶୀ, ଓରଫେ ‘ଏଇ ଶୁଣୁଛ’, ଓରଫେ ‘ବାପା’ ଓରଫେ ମୁସା, ପିଉସା, ଦାଦା, ଭାଇ, ମାମୁ, ଭଣଜା, ପୁତୁରା ଇତ୍ୟାଦି, ଆଜି ଖୁବ୍ ସୁଖୀ । ମୋର କିଛି ଅଭାବ ନାହିଁ ଅଭିଯୋଗ ନାହିଁ । ସବୁକିଛି ମୁଁ ପାଇଛି । ମୁଁ ଏକାବେଳକେ ମୋର ଏଇ ଜୀବନରେ ସନ୍ତୁଷ୍ଟ ।

 

ମୁଁ ସୁଖୀ, ସନ୍ତୁଷ୍ଟ, ତୃପ୍ତ । କିନ୍ତୁ ମୁଁ ଭାବିପାରୁନି ମୁଁ କୋଉ ଭାବରେ ସନ୍ତୁଷ୍ଟ । ‘ବିଜୟକୁମାର’ ଭାବରେ ନା ‘ଶଶୀଭୂଷଣ ’ଭାବରେ । ମୋର ଦୁଇଟା ରୂପ । ବିଜୟକୁମାର ଓ ଶଶୀଭୂଷଣ । ଅଥଚ ମୁଁ ଏକା । ଦୁଇଟା ରୂପ ଭିତରେ ମୁଁ ହିଁ ନିଜକୁ ପ୍ରକାଶ କରିଛି । ଦୁଇରୂପରେ ଦୁଇପ୍ରକାର ଅଭିନୟ କରିଯାଇଛି । ଅଥଚ ଦୁଇଟାଯାକ ପରସ୍ପରଠାରୁ ଏକାବେଳକେ ଅଲଗା । ସଂପୂର୍ଣ୍ଣରୂପେ ବିଭିନ୍ନ; କିନ୍ତୁ ଦୁଇରୂପ ଭିତରେ ହିଁ ମୁଁ (ଯେ ବିଜୟକୁମାର ବି ନୁହେଁ-ଶଶୀଭୂଷଣ ବି ନୁହେଁ ) ଆନନ୍ଦ ପାଇଛି, ତୃପ୍ତି ପାଇଛି । ତା’ହେଲେ ଏଇ ଦୁଇରୂପ ଭିତରେ ପ୍ରକାଶିତ ଅସଲ ମୁଁ କିଏ ? କିଏ ମୁଁ ଯେ ଏତେ ରୂପରେ ଅଭିନୟ କରି ମଧ୍ୟ କେବଳ ଏକକ ଆନନ୍ଦ ପାଇଛି ।

 

ନାୟକ, ଅଭିନେତା ବିଜୟକୁମାର ଭାବରେ ପ୍ରକାଶିତ ହୋଇଛି ବିଭିନ୍ନ ବେଶରେ, ବିଭିନ୍ନ ଭୂମିକାରେ । ଅଭିନେତା ଶଶୀଭୂଷଣ ଭାବରେ ମୁଁ ବି ସେମିତି ସ୍ୱାମୀ, ପୁତ୍ର, ମାମୁ, ଭଣଜା, ଦାଦା, ଭାଇ ଇତ୍ୟାଦି ସବୁ ବେଶରେ ସବୁ ଭୂମିକାରେ ଅଭିନୟ କରିଚାଲିଛି ? ଏ ଭିତରୁ କିଏ ସତ୍ୟ ? ନାୟକ ବିଜୟକୁମାର ନା ନାୟକ ଶଶୀଭୂଷଣ ?

 

ଶଶୀଭୂଷଣର ଦୃଷ୍ଟିରେ ବିଜୟକୁମାର ସତ୍ୟ ନୁହେଁ–ଅଳୀକ କଳ୍ପନା । ଚଳଚ୍ଚିତ୍ରର ରୁପେଲି ପର୍ଦ୍ଦାରେ ମାତ୍ର କେତୋଟି ଘଣ୍ଟା ତା’ର ଭେଳିକି । ବିଜୟ କୁମାର କହେ–‘‘ଶଶୀଭୂଷଣ, ସେମିତି ସଂସାରର ରଙ୍ଗମଞ୍ଚର ରୁପେଲି ପର୍ଦ୍ଦାରେ ତମରି ଅଭିନୟ ମଧ୍ୟ କେତୋଟି ବର୍ଷ ମାତ୍ର । ମହାକାଳ ପରିପ୍ରେକ୍ଷୀରେ ତା’ର ସ୍ତାୟିତ୍ୱ କେତେ କ୍ଷଣର ? ଆମ ଦୁହିଙ୍କ ଭିତରେ କେବଳ ଆପେକ୍ଷିକ ସମୟର ସ୍ଥାୟିତ୍ୱର ପ୍ରଭେଦ ମାତ୍ର ମୌଳିକ ପ୍ରଭେଦ କିଛି ନାହିଁ । ଆମ ଦି’ୟଜଣଙ୍କ ଜନ୍ମ ସେଇ ଏକ ହିଁ ସ୍ଥାନରୁ, ଗୋଟିଏ ବସ୍ତୁରୁ-କିଛି ତଫାତ୍‌ ନାହିଁ, କିଛି ଫରକ ନାହିଁ ।’’

 

କିନ୍ତୁ ବିଜୟକୁମାର ମୋରି କଳ୍ପନା । ଯଦିଓ ବିଜୟକୁମାର ଆଜି ଏକକ ଅସ୍ତିତ୍ୱଭାବରେ ଆପାତତଃ ପ୍ରତିଷ୍ଠିତ; ତଥାପି ଶଶୀଭୂଷଣର ଅସ୍ତିତ୍ୱ ଛଡ଼ା ତାର ପୃଥକ ସତ୍ତା ନାହିଁ । ସେ ଶଶୀଭୂଷଣର ଏକ ପ୍ରୋଜେକ୍‌ଟେଡ଼୍‌ ରୂପ ମାତ୍ର । ସେମିତି ଶଶୀଭୂଷଣର ଅଭିନୟ, ଶଶୀଭୂଷଣ ନିଜେ କାହାର ପ୍ରତିବିମ୍ୱିତ ରୂପ ? ମୁଁ କ’ଣ ଶଶୀଭୂଷଣ ? ଶଶୀଭୂଷଣ କ’ଣ ‘ମୁଁ’ର ପ୍ରତିବିମ୍ୱିତ ରୂପ ? ଯଦି ଶଶୀଭୂଷଣ କେବଳ ଏକ ବିଭିନ୍ନ ଭୂମିକାରେ, ବିଭିନ୍ନ ରୂପରେ ଅଭିନୟ କରୁଥିବା ଏକ ଅଭିନେତା, ତେବେ ମୁଁ କିଏ ?

 

କିଏସେ ସେ, ଯେ ଶଶୀଭୂଷଣ ରୂପରେ ପୁଣି ଶଶୀଭୂଷଣଠାରୁ ଉଦ୍‌ଭୂତ ହୋଇ ବିଜୟକୁମାର ରୂପରେ ସହସ୍ର ବେଶରେ ଅଭିନୟ କରିଯାଉଛି ? ବିଜୟ କୁମାର ପରି ଶଶୀଭୂଷଣ କ’ଣ ଏକ କଳ୍ପନା ମାତ୍ର ? ଆପାତ ଦୃଷ୍ଟିରେ ଦୈର୍ଘ୍ୟ, ପ୍ରସ୍ଥ, ଆକାର, ରୂପ ନେଇ ଏକ କଠିନ କଳ୍ପନା ? ଚଳଚ୍ଚିତ୍ରର ତିନିଘଣ୍ଟାର ନାୟକ ବିଜୟକୁମାର ପରି ପଚାଶ କି ଷାଠିଏ କି ଅଶୀବର୍ଷର ସୀମିତ ନାୟକ ।

 

ଶଶୀଭୂଷଣ କାହାର କଳ୍ପନା ? କାହାର ଇଚ୍ଛିତ ରୂପ ? କାହାର ବଳ-କୁଣ୍ଢେଇ କିଏ ତା ଭିତରେ ରହି ତାକୁ ଚଳାଉଛି ?

 

ମୁଁ ! ମୁଁ ! ମୁଁ !

 

ଶଶୀଭୂଷଣ ମୋର ନାମ । ଶଶୀଭୂଷଣର ଦେହ ମୋର ଦେହ । ଅଥଚ ମୁଁ କିନ୍ତୁ ଶଶୀଭୂଷଣ ନୁହେଁ । ବିଜୟକୁମାର ଦେହ ଭିତରେ ଅସଲ ଶଶୀଭୂଷଣର ଅସ୍ତିତ୍ୱ ଲୋପ ପାଇଗଲାପରି, ଶଶୀଭୂଷଣର ରୂପ ଭିତରେ ମୁଁ ଲୁଚିଯାଇଛି । ମୋତେ କେହି ଚିହ୍ନିପାରୁନାହାନ୍ତି ।

 

ପ୍ରତିବିମ୍ୱ ହିଁ ଅସଲ ରୂପରେ ଚିହ୍ନିତ ହେଉଛି ।

 

(୩)

 

‘‘ନଟ ଯେସନେ ଲୀଳା କରେ,

ସେ ନିଜ ମାୟାରେ ବିହରେ ।’’

Image

 

ବହୁରୂପୀ

ବେଲାଳସେନ

 

ମୁଁ ଜଣେ ସମାଜଚ୍ୟୁତ ବ୍ୟକ୍ତି କେବଳ ଓଡ଼ିଶା ବା ସବୁ ସମାଜର ନୁହେଁ । ସବୁ ଧର୍ମ, ସବୁ ରାଜନୀତି, ସବୁ ପ୍ରକାର ଇଜମ୍‌ରୁ ମୋତେ ସେମାନେ ବାହାର କରିଦେଇଛନ୍ତି, ମୁଁ କୌଣସି ଧର୍ମର ନୁହେଁ, ସମାଜର ନୁହେଁ, ଗୋଟିଏ କଥାରେ ମୁଁ ମଣିଷର ସମାଜର ନୁହେଁ, କାହିଁକି ଏପରି ହେଲା ମୁଁ ଆଜି ଯେତେବେଳେ ଭାବେ କିଛି କୂଳ କିନାରା ପାଏନା । କାହିଁକି ମଣିଷ ସମାଜରେ ଜନ୍ମଲାଭ କରି, ମଣିଷର ଦେହ ବହୁ, ମଣିଷର ସମସ୍ତ ଆଶା ଆକାଙ୍‌କ୍ଷା ନେଇ ବି ମୁଁ ମଣିଷ ସମାଜରୁ ବାହାରି ଆସିଲି, ମୁଁ ଏପର୍ଯ୍ୟନ୍ତ ନିଜେ ବି ଠିକ୍‌ କରିପାରିନି, ମଣିଷମାନେ କାହିଁକି ମୋତେ ଏମିତି ଦୂରେଇ ଦେଲେ କେଜାଣି ? ତା’ର କାରଣ ବୋଧହୁଏ ମୁଁ ଗୋଟିଏ ପ୍ରଶ୍ନ ସେମାନଙ୍କୁ ପଚାରିଥିଲି ବୋଲି, ହଠାତ୍‌ କରି ସେଇ ଅଜଣା ଅବ୍ୟକ୍ତ ପ୍ରଶ୍ନ ମୋର ହୃଦୟ ଭିତରେ ଯେମିତି ହଜାରେ ପରମାଣୁ ବୋମାର ଶକ୍ତି ନେଇ ବିସ୍ଫୋରିତ ହୋଇଉଠିଲା, ମୁଁ ଘର ଭିତର ଖୋଜିଲି, ନିଜଠୁ ଯେତେବେଳେ ନପାଇଲି ସେତେବେଳେ ପଚାରିଲି ମୋର ପଡ଼ୋଶୀକୁ, ସେମାନେ ଦେଖାଇଦେଲେ ତାଙ୍କ ପଡ଼ୋଶୀଙ୍କୁ, ଏମିତି ଗୋଟି ଗୋଟି କରି ସମସ୍ତଙ୍କୁ ପଚାରିଲି ମୋର ଏଇ ପ୍ରଶ୍ନ, କିନ୍ତୁ କେହି ତାର ଉତ୍ତର ତ ଦେବା ଦୂରକଥା, ମୋତେ ଉପେକ୍ଷା କରିଗଲେ ସଂପୂର୍ଣ୍ଣ ଭାବରେ । ଆଉ ତା’ପରେ ଆସ୍ତେ ଆସ୍ତେ ମୋତେ ସମସ୍ତେ କରଛଡ଼ା ଦେଇ ନିଜ ବାଟରେ ଆଗେଇ ଗଲେ । ମୁଁ କେବଳ ପଡ଼ିରହିଲି ମୋର ଏହି ପ୍ରଶ୍ନକୁ ନେଇ । ଆଶ୍ଚର୍ଯ୍ୟ, ମଣିଷମାନେ ଏତେ ଭୀରୁ ବୋଲି ତ ମୁଁ ଜାଣି ନଥିଲି ? ତାଙ୍କର ସମସ୍ତ ସଭ୍ୟତା, ସଂସ୍କୃତି ବାହ୍ୟାଡ଼ମ୍ୱର, ସବୁକିଛି ମୋର ଗୋଟିଏ ପ୍ରଶ୍ନରେ ଏମିତି ଭାଙ୍ଗି ଚୁରମାର ହେଇଗଲା ଯେ ସେମାନେ ମୋତେ ଗୋଟାଏ ଶତ୍ରୁ ବୋଲି ଭାବିଲେ, ସେମାନେ ଭାବିଲେ ମୁଁ ଗୋଟାଏ ଗୁପ୍ତଚର, ଗୋଟାଏ ପଞ୍ଚମ ବାହିନୀ ତାଙ୍କର ସୁଖ ସମୃଦ୍ଧିର ସହର ଭିତରେ ଆସିଛି ଅଶାନ୍ତିର ବୀଜ ବୁଣିବାକୁ-। ଟାଇମ୍‌ ବୋମା ଦେଇ ଡିନାମାଇଟ୍‌ ଦେଇ, ତାଙ୍କର ସମସ୍ତ କୋଠାବାଡ଼ି, ମନ୍ଦିର ମସଜିଦ୍‌ ଗୀର୍ଜାକୁ ଧ୍ୱଂସ କରିଦେବାକୁ, ସେଥିପାଇଁ ସେମାନେ ମୋତେ ଭୟ କଲେ, ଆଉ ଭୟରୁ ଜାତ ହେଲା ଘୃଣା, ଘୃଣାରୁ ଉପେକ୍ଷା କିନ୍ତୁ ମୁଁ ତ ନିଜକୁ ଏତେ ଶକ୍ତିଶାଳୀ ବୋଲି ମନେକରେନା, ମୁଁ ତ ଏତେବଡ଼ ବ୍ୟକ୍ତି ନୁହେଁ, କିମ୍ୱା ମୋର ଏମିତି ଅଲୌକିକ ଶକ୍ତି ନାହିଁ, ମୁଁ ତାନ୍ତ୍ରିକ ନୁହେଁ, ସାଧକ ନୁହେଁ, ଯାଦୁକର ନୁହେଁ, ମୁଁ ଅସୀମ ଶକ୍ତିଶାଳୀ ପରମାଣୁ ବୋମାର ବାହକ ବି ନୁହେଁ, ମୁଁ ଜଣେ ଅତି କ୍ଷୁଦ୍ର ସାଧାରଣ ସରଳ ମଣିଷ, ମୋ ଭିତରେ କାହାରିକୁ ଧ୍ୱଂସ କରିବାର ଚିନ୍ତା ତ ଦୂରର କଥା ଏପରିକି ସାମାନ୍ୟ ପଶୁପକ୍ଷୀଙ୍କୁ ମାରିବାର ଚିନ୍ତାର ଛାୟା ସୁଦ୍ଧା ନ ଥିଲା କି ଏବେ ବି ନାହିଁ । ମୁଁ କେବଳ ଠିକ୍‌ ସରଳ ବିଶ୍ୱାସରେ, ଠିକ୍‌ ଗଭୀର ଅନ୍ତ ପ୍ରଶ୍ନର ସମ୍ମୁଖୀନ ହୋଇ ମୋଠାରୁ ଜ୍ଞାନୀ, ବିଜ୍ଞ, ଗୁଣିମାନଙ୍କଠୁଁ ଚାହିଁଥିଲି ଗୋଟିଏ ସରଳ ଉତ୍ତର, ବଡ଼ ଛୋଟିଆ ସେ ପ୍ରଶ୍ନ, ବଡ଼ ସରଳ ମଧ୍ୟ-। କିନ୍ତୁ ସମସ୍ତେ ସେଇ ପ୍ରଶ୍ନ ଶୁଣି ଏତେ ବିବ୍ରତ ହେଲେ କାହିଁକି ? ଆଉ ସେଇ ପ୍ରଶ୍ନପାଇଁ ମୋତେ ଛାଡ଼ିଗଲେ ବା କାହିଁକି ? କାହିଁକି ସେମାନେ ଭାବିଲେନି ମୁଁ ବି ତ ତାଙ୍କ ଭିତରୁ ଜଣେ ? କାହିଁକି ସେମାନେ ଭାବିଲେ ମୁଁ ଗୋଟିଏ ଭିନ୍ନ ଦେଶୀ ଛଦ୍ମବେଶି ଗୁପ୍ତଚର ବୋଲି ? ନା ତାଙ୍କର ମାନସିକ ଅବସ୍ଥାର କଥା ମୋର ଜାଣିବାର ବାହାରେ ।

 

ମୁଁ ଜଣେ ମଣିଷ ଭିତରେ ସାଧାରଣ ମଣିଷ । ପିତା, ମାତା, ବନ୍ଧୁ, ପରିଜନ, ପ୍ରିୟା, ପ୍ରୀତି, କୁଟୁମ୍ୱ ନେଇ ମୋର ସର୍ବସ୍ୱ । ସମସ୍ତଙ୍କ ପରି ମୋର ଘରଦ୍ୱାର ଥିଲା, ଧର୍ମ ଥିଲା, ରାଜନୀତି ଥିଲା, ସମାଜନୀତି ଥିଲା, ଅନ୍ୟମାନଙ୍କ ପରି ମୁଁ ସେଇ ବ୍ୟବସ୍ଥାରେ, ସେଇ ଚଲାବାଟରେ ବାଟ ଚାଲି ଆସୁଥିଲି । ମୁଁ ଜନ୍ମ ହେଲି, ଘରେ ଉଠିଥିଲା ଆନନ୍ଦର କୋଳାହଳ । ତା’ପରେ ମୋତେ ଶିଖାହେଲା ମଣିଷର ନିୟମ କାନୁନ୍‌ । ସମାଜର, ଧର୍ମର, ଏଇଟା ଭଲ ସେଇଟା ଖରାପ, ସେଇଟା ପ୍ରଶଂସନୀୟ ଏଇଟା ନିନ୍ଦନୀୟ, ମୋର କାମକୁ ଦୁଇଭାଗରେ ବିଭକ୍ତ କରିଦେଇ ସେମାନେ ଦୁଇଟି ରାସ୍ତା ବଢ଼େଇ ଦେଲେ । ଗୋଟାଏ ଭଲ ରାସ୍ତା, ସାମାଜିକତାର, ଧର୍ମର, ନୈତିକତାର, ଅନ୍ୟଟି ଖରାପ ରାସ୍ତା ।

 

ଅସାମାଜିକତାର, ଅଧର୍ମର, ଅନୈତିକତାର । କିନ୍ତୁ କାହିଁକି ଭଲ, କାହିଁକି ଖରାପ ମୋତେ କେହି କହିଲେନି, କେହି କହିଲେନି ଯେ କାମ କାହିଁକି ଭଲ ଓ ଖରାପ । ନିଜର ପ୍ରଶ୍ନର ମୂଲ୍ୟ ନାହିଁ, ନିଜର ବାଟ ଖୋଜିବାର ଦରକାର ନାହିଁ, ରାଜରାସ୍ତା ପଡ଼ିଛି, ସେଇ ଉପରେ ଚାଲ, ବିପଦ ନାହିଁ, ଏଇତକ ସମ୍ୱଳ କରି ମୁଁ ଆଗେଇ ଚାଲିଛି । ପାଠ ପଢ଼ିଲି, ପରୀକ୍ଷାରେ ପାଶ୍‌ କଲି କୃତିତ୍ୱର ସହ, ସତ କହିଲି । କିନ୍ତୁ ସତ କହିବାରେ ପୁଣି ଗୋଟାଏ ବିପଦ ହେଲା । ତେଣୁ ପୁଣି ମୋତେ ଶିଖାହେଲା ଯେ ସ୍ଥଳ ବିଶେଷରେ ସତ କହିବ । ଆଉ ସେଇ ସ୍ଥଳ ବିଶେଷଟା ବିଚାର କରିବାର ଭାର ନିଜ ଉପରେ, କିନ୍ତୁ କେଜାଣି କାହିଁକି ମୁଁ ‘ସ୍ଥଳ ବିଶେଷ’ ବିଚାର କରିପାରିଲିନି । ତେଣୁ ସତ କହିଲି, ସତ କହି ଦେଖିଲି ଅନେକ ଜାଗାରେ ମୁଁ ଅପମାନ ପାଇଲି, ନିନ୍ଦା ପାଇଲି । ମୋତେ ଆଶ୍ଚର୍ଯ୍ୟ ଲାଗିଲା । ମୁଁ ପଚାରିଲି ତେବେ ସତ କହିବା କ’ଣ ଭୁଲ୍‌ ? ଅସାମାଜିକତା ?’’ କିନ୍ତୁ ତା’ର ପ୍ରକୃତ ଉତ୍ତରକୁ ସମସ୍ତେ ଏଡ଼େଇ ଦେଇ ଚାଲିଗଲେ । ନାନାପ୍ରକାର କଥା କହି ମୋତେ ଭୁଲେଇ ଦେଲେ । ପରିଷ୍କାର କରି କହିଲେନି ଯେ ସତ କହିବାଟା ଭୁଲ୍‌ ନୁହେଁ ଯେ ସବୁବେଳେ କହିବା ଭୁଲ୍‌, ଯେଉଁଟା ଭୁଲ୍‌ ନୁହେଁ, ସେଇଟା ବିଭିନ୍ନ ପରିସ୍ଥିତିରେ, ବିଭିନ୍ନ ଜାଗାରେ ଭୁଲ୍‌ କାହିଁକି ହେବ ମୁଁ ଜାଣିପାରିଲିନି ତା’ର ଉତ୍ତର । ମିଳିଲାନି ମୋତେ । ଏମିତି ଅନିଶ୍ଚିତ ଅବସ୍ଥା ନେଇ ଚାକିରିରେ ପଶିଲି । ବଡ଼ ଚାକିରି, ବେଶି ଦରମା, ବେଶି କ୍ଷମତା । ମୁଁ ତାଙ୍କଠୁ ଶିଖିଲି ଯେ ଟଙ୍କା ହେଲେ ମଣିଷ ସୁଖୀ ହୁଏ, କ୍ଷମତା ଥିଲେ ଆହୁରି ବେଶି, ଆଉ ଯେଉଁଠି ଟଙ୍କା ଆଉ କ୍ଷମତା ସେଇଟା ମଣିଷ ଜୀବନର ଚରମ ସୁଖ, ତାଙ୍କରି କଥା ଅନୁସାରେ ମୁଁ ଟଙ୍କା ଅର୍ଜିଲି । କ୍ଷମତାପାଇଁ ଚେଷ୍ଟାକରି କ୍ଷମତା ଲାଭ କଲି । ସବୁ ପାଇସାରି ବି ମୁଁ ସୁଖ ପାଇପାରିଲିନି, ଶାନ୍ତି ପାଇଲିନି, ଯେତେ ମିଳିଲା, ତାଠାରୁ ଆହୁରି ବେଶି ପାଇବାକୁ ଚେଷ୍ଟାକଲି କିନ୍ତୁ ତଥାପି ଶାନ୍ତି ନାହିଁ । ସୁଖ ନାହିଁ । ଭଲ ଖାଇଲି, ଭଲ ପିନ୍ଧିଲି, ସୁନ୍ଦରୀ ସ୍ତ୍ରୀ ଉପଭୋଗ କଲି ଅଥଚ କାହିଁରେ ବି’ତ ମୁଁ ଗୋଟାଏ ନିରବଚ୍ଛିନ୍ନ ଶାନ୍ତିର ଆଭାସ ପାଇଲିନି ? ମୁଁ ପୁଣି ତାଙ୍କୁ ପଚାରିଲି କାହିଁ ମୁଁ ତୁମ ଶିକ୍ଷା ବାଟରେ ଚାଲିଲି ଅଥଚ ସୁଖ କାହିଁ ?’’ ସେମାନେ ପୁଣି ମୋ କଥାକୁ ଆଡ଼େଇ ଦେଇ ଗଲେ । ଉତ୍ତର ନ ଦେଇ କହିଲେ ସେଇଟା ତ ଚରମ ସୁଖ, ସୁଖ ଆଉ କ’ଣ ? ତାଙ୍କର ଏମିତି ଉତ୍ତର ପରେ କାହିଁକି କେଜାଣି ମନ ବିଦ୍ରୋହୀ ହୋଇଉଠିଲା । କାହିଁକି କେଜାଣି ମନେହେଲା ଏମାନେ ସମସ୍ତେ ମୋତେ ମିଛ କହୁଛନ୍ତି । ମୋତେ ମିଛ ଶିଖେଇଛନ୍ତି ତାଙ୍କରିପାଇଁ । ମୋରି କାମ, ମୋରି ଉଦ୍ଦେଶ୍ୟ ସବୁ ତାଙ୍କରିପାଇଁ, ମୁଁ କେବଳ ତାଙ୍କର ଇଚ୍ଛାର ନିମିତ୍ତ । ମୁଁ ଯୋଉଟା ଚାହେଁ ମୁଁ ନିଜେ କରିପାରୁନି । ମୁଁ ଯୋଉଟା ବୁଝୁଛି ସେଇଟା କହିପାରୁନି । ‘ମୁଁ’ ମୋର ମୁଁ ନୁହେଁ, ମୁଁ ମଣିଷର ସାମାଜିକତାର ‘ମୁଁ’ ତାଙ୍କରି ନିୟମ କାନୁନର ‘ମୁଁ’ । ତାଙ୍କପାଇଁ ମୁଁ ସବୁ କରୁଛି । ସେ ସବୁ ମୋର କାମ ନୁହେଁ, ମୋର ନିଜତ୍ୱର କାମ ନୁହେଁ, ସେ ସେମାନଙ୍କର ଇଚ୍ଛାର ଦାସ ମୁଁ । ଅଥଚ ଯୋଉଟା ପ୍ରଶଂସନୀୟ ସେମାନେ ଦାବି କରିବେ ଯେ ସେଇଟା ତାଙ୍କର । କିନ୍ତୁ ଯୋଉଟା ନିନ୍ଦନୀୟ ସେମାନେ କହିବେ ସେଇଟା କେବଳ ମୋର, ତେବେ ମୁଁ ମୋର କାମ ନ କରିବି କାହିଁକି ? କାହିଁକି ମୋର ପ୍ରଶଂସାର କାମକୁ ସେମାନେ ଭାଗବାଣ୍ଟି ନେବେ ? ଅଥଚ ନିନ୍ଦାର କାମକୁ ମୋର ଉପରେ ଚପେଇ ଦେଇ ନିଶ୍ଚିନ୍ତ ରହିଯିବେ ? ଯଦି ପ୍ରଶଂସା ପାଏ ସେ ହେବ ମୋର ନିଜର, ଯଦି ନିନ୍ଦା ପାଏ ସେ ହେବ ମୋର ନିଜର । ଏଇ ଭାବନାଟା ମୋ ମନରେ ଏତେ ପ୍ରବଳ ହେଲା ଯେ ଶେଷକୁ କେବଳ ମୁଁ ମୋରି ଇଚ୍ଛାର ଆଦେଶରେ କାମ କରିବାକୁ ଲାଗିଲି । ଯେଉଁଦିନଠାରୁ ମୁଁ ଏ ବଳିଷ୍ଠ ପଦକ୍ଷେପ ନେଲି, ଏଇ ଶପଥ ନେଇ ତା’ରି ଅନୁସାରେ କାମ କରିବାକୁ ଲାଗିଲି । ମୁଁ ଆସ୍ତେ ଆସ୍ତେ ଅନୁଭବ କଲି କେତେ ଦୁର୍ବଳ ଏଇ ମଣିଷ, ସମାଜର ରୀତିନୀତି, ନିୟମକାନୁନ, ସାମାଜିକତା, ଧାର୍ମିକତା, ନୈତିକତା ସବୁ ଯେମିତି ସାପର ଖୋଳସ ପରି ଆସ୍ତେ ଆସ୍ତେ ଖସିପଡ଼ିଲେ ମୋ ଦେହରୁ, ମୁଁ ଦେଖିଲି ଯୋଉଟା ମୁଁ ଆଗରୁ ଅକର୍ତ୍ତବ୍ୟ, ନିନ୍ଦନୀୟ, ଗର୍ହିତ ବୋଲି ଭାବୁଥିଲି ସେଇଟା କର୍ତ୍ତବ୍ୟ, ପ୍ରଶଂସନୀୟ ଓ ସୁନ୍ଦରଠାରୁ କୌଣସି ମତେ ପୃଥକ୍‌ ନୁହେଁ । ଯୋଉଟା କରିବା କଥା ପୂର୍ବରୁ ଭୁଲରେ ମନରେ ଆଣିବା ବି ପାପ ବୋଲି ଭାବୁଥିଲି ସେଇ ପାପଟା କେମିତି ମିଳେଇ ଗଲା । ସେ କାମଟା କରି ସାରିବା ପରେ, ମୁଁ କର୍ତ୍ତବ୍ୟ ଭିତରେ ପୁଣ୍ୟ ଖୋଜିଲି । ଅକର୍ତ୍ତବ୍ୟ ଭିତରେ ପାପ ଖୋଜିଲି, ନୈତିକତା ଭିତରେ ଶୁଭ୍ରତା ଖୋଜିଲି, ଅନୈତିକତା ଭିତରେ ଆବିଳତା ଖୋଜିଲି କିନ୍ତୁ କୋଉଠି ଏଇ ଦୁଇଟାର ସତ୍ତା ମଧ୍ୟ ପାଇଲି ନାହିଁ-। ପାପ ଆଉ ପୁଣ୍ୟ, ଧର୍ମ ଆଉ ଅଧର୍ମ ସବୁ ଯେମିତି ଧ୍ୱଂସ ହୋଇଗଲା ମୋର ବିଶ୍ଲେଷଣର ଅଗ୍ନି ସ୍ପର୍ଶରେ । ମୁଁ ମୋର ନିଜ ଧର୍ମରେ ଗୌରବାନ୍ୱିତ ହୋଇଉଠିଲି । ମୋ ପାଖରେ କାମର ଫରକ ରହିଲାନି । କୌଣସି ଖାଦ୍ୟ ଅଖାଦ୍ୟ ନୁହେଁ । କୌଣସି କାର୍ଯ୍ୟ କୁକାର୍ଯ୍ୟ ନୁହେଁ । କୌଣସି ନୀତି ଅନୀତି ନୁହେଁ । ମୋ ଜୀବନର ଠିକ୍‌ ଏଇ ସମୟରେ ବାକି ଯେତେଜଣ ଥିଲେ ସେମାନେ ବି ଆସ୍ତେ ଆସ୍ତେ ମୋଠୁ ଦୂରେଇ ଗଲେ, ମୁଁ ଦେଖିଲି ସବୁ ମଣିଷ ସେ ଯେତେ ସ୍ୱୀଧୀନ ହେବାକୁ ଚାହୁଁନା କାହିଁକି ସେ ନିଜେ ନିଜେ ଗୋଟାଏ ଶୃଙ୍ଖଳ ସେ ନିଜ ଚାରିପଟେ ତିଆରି କରିଦିଏ । ସେଇ ବନ୍ଦୀଖାନାକୁ ନିଜର ମନୋନୀତ କରି ଗଢ଼ିଛି, ଆଉ ସେଇ ବନ୍ଦୀଖାନା ଭିତରେ ପୁଣି ସେ ଗୁଡ଼ାଏ ନିଜର ନିୟମକାନୁନ, ରିତି-ନୀତିର ୱାଡ଼ର୍‌ ରଖିଛି । ତେଣୁ ମୁଁ କାହାରି ସହିତ ନିଜକୁ ମିଶେଇ ନେଇପାରିଲିନି । ଯେଉଁମାନେ ମୋର ଗୋଟାଏ ଦିଗ ଦେଖି ଆକୃଷ୍ଟ ହୋଇ ମୋ ପାଖକୁ ଆସିଲେ ସେମାନେ ମୋର ଅନ୍ୟ ଦିଗ ସହିତ ମିଶି ନ ପାରିବାରୁ ପୁଣି ଛାଡ଼ି ପଳାଇଗଲେ । ଅନେକ ମଣିଷ ଆସିଲେ । ବିଭିନ୍ନ ଧର୍ମ, ବିଭିନ୍ନ ଜାତି, ବିଭିନ୍ନ ଗୋଷ୍ଠୀର । ଆଗେ ସେମାନେ ମୋତେ ତାଙ୍କ ଗୋଷ୍ଠୀରେ ବାନ୍ଧିବାକୁ ଚେଷ୍ଟାକଲେ । କିନ୍ତୁ ମୁଁ ଗୋଷ୍ଠୀର ବାହାରେ ରହିଗଲି । ତେଣୁ ସେମାନେ ବାନ୍ଧିବାକୁ ଚାହିଁଲେ ତାଙ୍କର ନିଜର ବନ୍ଦୀଖାନା ଭିତରେ, ଯୋଉଠି ଆହୁରି ସ୍ୱାଧୀନତା ଅଛି । କିନ୍ତୁ ମୁଁ ପୁଣି ତାଙ୍କର ବନ୍ଦୀଖାନାରୁ ବାହାରେ ରହିଗଲି । ସେମାନେ ନିଜର ବନ୍ଦୀଖାନାରୁ ବାହାରି ଆସିପାରିଲେ ନାହିଁ କିମ୍ୱା ମୋତେ ଛୋଟ କରି ତାଙ୍କର ବନ୍ଦୀଶାଳାରେ ବାନ୍ଧି ରଖିପାରିଲେ ନାହିଁ । ଅତଏବ ସମସ୍ତେ ଗୋଟିଗୋଟି ହୋଇ ବିଦାୟ ନେଇଗଲେ । ଗଲାବେଳେ ଦେଇଗଲେ ତାଙ୍କର ବିଦାୟକାଳୀନ ନିନ୍ଦା ଓ ସ୍ତୁତି । କାହାରି ସହିତ ମୁଁ ମିଶି ପାରିଲିନି, ମୁଁ ଆଶ୍ଚର୍ଯ୍ୟ ହେଲି । ଦୁନିଆର ଏତେ ଲୋକ, କୋଟି କୋଟି ତା’ର ସଂଖ୍ୟା । ଅଥଚ କୌଣସି ଜଣେ ମୋ ସହିତ ସମ୍ପୂର୍ଣ୍ଣଭାବେ ମିଶିପାରିଲାନି କାହିଁକି ? ବୋଧହୁଏ ସବୁ ମଣିଷ ବିଭିନ୍ନ । ଦେହର ବର୍ଣ୍ଣ, ଧର୍ମ, ଜାତି ରୀତି ନୀତି ଆଦବକାଇଦାର ସାଦୃଶ୍ୟ ଭିତରେ ବି ସମସ୍ତେ ପୃଥକ୍‌, ସମସ୍ତେ ଭିନ୍ନ, ସମସ୍ତେ ଅଲଗା । ମୁଁ ଏତେଦୂର ସ୍ୱାଧୀନ ହୋଇ ବି ଯଦି କାହାରିକୁ ମୋ ଭିତରେ ମିଶାଇ ପାରିଲିନି ଅନ୍ୟକେହି ଯେ କେବେହେଲେ ମିଶେଇ ପାରିବ ଏ ଆଶାକରିବା ବୃଥା । ତେଣୁ ମୁଁ ଅନୁଭବ କଲି କୌଣସି ସାମାଜିକ କର୍ମର ମୂଲ୍ୟ କିଛି ନାହିଁ ମୁଁ ସମସ୍ତଙ୍କପାଇଁ ଏକାଧାରାରେ କିଛି କରିପାରିବି ନାହିଁ । ଯାହା କରିବି ସବୁବେଳେ Ephemeral ବାହାରିଆ ଉପୁରିଆ । ମୋର ସମାଜପାଇଁ କର୍ତ୍ତବ୍ୟ ନାହିଁ । ମୋର କର୍ତ୍ତବ୍ୟ କାହାରି ପ୍ରତି ନାହିଁ । କର୍ତ୍ତବ୍ୟ ବୋଲି ଶବ୍ଦ ମୋ ପାଖରେ ନାହିଁ । ମୁଁ ଯାହା କରିବି ସେଇଟା ମୋର, ସେଇଟା ମୋର କାମନା । ସେଇଟା କର୍ତ୍ତବ୍ୟ ନୁହେଁ, ସେଇଟା କେବଳ ନାମ, ମୁଁ ଯାହା ଇଚ୍ଛାକରିବି ମୁଁ ସେଇଟା କରିବି । ମୋର ଇଚ୍ଛା ଓ କର୍ମ ଭିତରେ ତଫାତ୍‌ ନାହିଁ । ଏଣୁ କର୍ତ୍ତବ୍ୟ ବୋଲି ମୋ ପାଖରେ ଗୋଟାଏ ଶବ୍ଦ ବି ନାହିଁ । ଯେତେବେଳେ ଚିନ୍ତା ଓ କର୍ମ ଭିତରେ ପ୍ରଭେଦ ଥାଏ ସେତେବେଳେ କର୍ତ୍ତବ୍ୟ ବୋଲି ଶବ୍ଦର ଅଭ୍ୟୁଦୟ ଘଟେ ! କିନ୍ତୁ ଯେତେବେଳେ ସେ ଦୁଇଟି ଅଭିନ୍ନ, ସେତେବେଳେ ତା’ର ସତ୍ତା କାହିଁ, ଏମିତି ଆସ୍ତେ ଆସ୍ତା ସମାଜଚ୍ୟୁତ ହୋଇ ମୁଁ ଯେତେବେଳେ ଏକାକୀ ଜୀବନ ଅନୁଭବ ଓ ଉପଭୋଗ କରିବାକୁ ଲାଗିଲି ସେତେବେଳେ ପୁଣି ବିଶ୍ଲେଷଣ କରି ଦେଖିଲି, ଭଲ ଓ ମନ୍ଦ, ପାପ ଓ ପୁଣ୍ୟର ପରିପ୍ରେକ୍ଷୀତାରେ ନୁହେଁ, ମୋର କାମର କେବଳ ସ୍ୱାଧୀନତା ନେଇ । ମୋର କାମ କ’ଣ ସ୍ୱାଧୀନ ? ମୁଁ ଭାବିଲି, ଚିନ୍ତାକଲି । ମୋର ଏଇ ଜୀବନ ପୂର୍ବରୁ ମୁଁ ଥିଲି ସମାଜର କ୍ରୀତଦାସ, ସମାଜର ବାହକ । ତା’ର ଇଚ୍ଛା, ଅନିଚ୍ଛା, ତା’ର ଖିଆଲ, ତା’ର ଆନନ୍ଦ, ନିରାନନ୍ଦ, ମୋତେ ପରିଚାଳିତ କରିଛି, ନୀତି ଅନୀତି, ଭଲ ମନ୍ଦ, ପାପ ପୁଣ୍ୟର ଦ୍ୱନ୍ଦ୍ୱ ଦେଇ ସେ ମୋତେ ଶାସନ କରିଛି । ଲଗାମ ଦେଇ ମୋର ଗତିକୁ ନିୟନ୍ତ୍ରିତ କରିଛି । ଆଇନ୍‌ ଗଢ଼ି ମୋର ନିଜତ୍ୱକୁ ବନ୍ଦିକରିଛି-। ଦେହକୁ ସଂଯମ କରି ମନକୁ ସଂଯମ କରିବାର ଚେଷ୍ଟା କରିଛି । ସମାଜ କେବଳ ମୋର ଦେହଟାକୁ ହିଁ ସଞ୍ଜମକରି ରଖିଥିଲା, ମନକୁ ନୁହେଁ । ସେଥିପାଇଁ ଦେହର ସମସ୍ତ ବନ୍ଧନ ସତ୍ତ୍ୱେ ମୋର ଶକ୍ତ ମନର ଗଭୀର ବନ୍ୟାରେ ସବୁ ସାମାଜିକତାର ବନ୍ଧନକୁ ଧ୍ୱଂସ କରିଦେଇ ନିର୍ମୂଳ କରିଦେଇ ଆଜି ଆଗେଇଆସିଛି ଏତେବାଟ । ଦେହ ଯୋଉଟା ପାରିନଥିଲା ମନଦେଇ ତାକୁ ଅନୁଭବ କରିଛି । ଆଉ ଶେଷରେ ଦେହ ଓ ମନକୁ ଏକତ୍ର ଅନୁଭବ କରିବାପାଇଁ ସମାଜ ଛାଡ଼ି ଆଜି ବାହାରକୁ ଚାଲିଆସିଛି । କିନ୍ତୁ ମନଟା କ’ଣ ମୋର ସ୍ୱାଧୀନ ? ଯଦି ମନ ମୋର ସ୍ୱାଧୀନ ନୁହେଁ ତେବେ ତା’ର କର୍ମ ସ୍ୱାଧୀନ ହେବ କେମିତି ? କିନ୍ତୁ ସମାଜର ଦାସତ୍ୱରୁ ମୁକ୍ତିଲାଭ କରି ମୁଁ କେବଳ ଦେହର ଦାସତ୍ୱ ବହନ କରିଚାଲିଛି, ମୁଁ ଚୋରି କରିଛି, ଟଙ୍କା ଦେଇ ଭଲ ଜିନିଷର ଆସ୍ୱାଦପାଇଁ ମୁଁ rape କରିଛି । କେବଳ ଦେହର କାମନାରପାଇଁ ମୁଁ ହତ୍ୟା କରିଛି କେବଳ ମୋ ଦେହକୁ ଅପରଠାରୁ ରକ୍ଷା କରିବାପାଇଁ । ମୋର ସମସ୍ତ କାମ କେବଳ ସେଇ ଦେହପାଇଁ, ମୁଁ ଇଚ୍ଛା କରିଛି, ଆଉ ମୋ ଇଚ୍ଛାରେ ଦେହକୁ ନେଇ ଆସୁଛି ଗୋଟାଏ ଜାଗାରୁ ଅନ୍ୟ ଜାଗାକୁ । କିନ୍ତୁ ଶୀତ, ଗରମ, ତୃଷା, କ୍ଷୁଧା ମୁଁ ଇଚ୍ଛା ନ କଲେ ବି ଅନୁଭବ କରିଛି କେବଳ ଦେହଯୋଗୁ, ଦେହ ଆଦେଶ ଦେଉଛି, ଆଉ ମୁଁ ତା’ର ଆଦେଶ ପାଳନ କରିବାକୁ ଯାଇ ମୋର ଇଚ୍ଛା ବିରୁଦ୍ଧରେ ବି ସମସ୍ତ କାମ କରିଯାଇଛି । ଦେହର ସ୍ୱାଧୀନତା ମନକୁ ସଂକୁଚିତ କରିଦେଇଛି ଓ ମନର ସଂକୋଚନ ମୋର କର୍ମକୁ ସେମିତି ଛୋଟ କରିଦେଇଛି । କେବଳ ସେତିକି ନୁହେଁ, ମନକୁ ଆହୁରି ପରିଚାଳିତ କରିଛି ମୋର ସ୍ୱଭାବ, ମୋର ego, ଯଦିଓ ସାମାଜିକତାର ନିନ୍ଦା ପ୍ରଂଶସାର ଊର୍ଦ୍ଧ୍ୱକୁ ମୁଁ ନିଜକୁ ନେଇଆସିଛି; ତଥାପି ନିଜର ନିନ୍ଦା ପ୍ରଂଶସାର କଥା ଏବେ ବି ଭୁଲିପାରିନି । ଏଇ ନୈର୍ବ୍ୟକ୍ତିକ ସ୍ୱଭାବ ତାର ନିଜସ୍ୱ କର୍ମ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ନିନ୍ଦା ପ୍ରଶଂସାରେ ନିଜେ ବିଭୋର ହୋଇଉଠିଛି । ମୁଁ ଯେତେବେଳେ ଚୋରି କରିଛି ସେତେବେଳେ ଚୋରିର ସାଫଲ୍ୟରେ ମୋର ‘ego’ ଆନନ୍ଦିତ ହୋଇଛି । ଯେତେବେଳେ କୌଣସି ସୁନ୍ଦରୀ ତରୁଣୀର ଦେହ ଉପଭୋଗ କରିଛି ସେତେବେଳେ ଦେହର ସାଙ୍ଗେ ସାଙ୍ଗେ ଏଇ ‘ego’ ଏକ ସୌନ୍ଦର୍ଯ୍ୟର ପ୍ରାପ୍ତିରେ ଉତ୍‌ଫୁଲ୍ଲିତ ହୋଇଉଠିଛି । ସାଫଲ୍ୟତାର ଗୌରବରେ, ପ୍ରାପ୍ତି ନିଶାରେ, ଗର୍ବ ଅହଙ୍କାରରେ ଫାଟିପଡ଼ିଛି । ଯୋଉ ଜିନିଷ ହୁଏତ ସାମାଜିକ ଜୀବନରେ ପାଇବାର ସୁଯୋଗ ଘଟିନଥାନ୍ତା । ତାହାରି ପ୍ରାପ୍ତିରେ ଆନନ୍ଦ ଉତ୍କଳ ବିହ୍ୱଳ ହୋଇଉଠିଛି । ହୁଏତ ମୋର ଦେହ ଓ ମନ ଏକତ୍ର ହୋଇ ସୁଖର ଉପଲବ୍‌ଧି କରିଛନ୍ତି । କିନ୍ତୁ ମୁଁ କ୍ଷଣକପାଇଁ ଭୁଲିନି ଯେ ମୋର ସମସ୍ତ କର୍ମ ଏବେ ବି ସ୍ୱାଧୀନ ନୁହେଁ । ଶାସନ ବଦଳିଛି ମାତ୍ର, ସାମାଜିକତାର ସମ୍ରାଟ ଯାଇ ଆସିଛି ଦେହ ଓ ପ୍ରବୃତ୍ତିର ସମ୍ରାଟ ।

 

ମୁଁ ଯେତେ ଯେତେ ଏଇ ପ୍ରଶ୍ନ ଉପରେ ଚିନ୍ତା କରିବାକୁ ଲାଗିଲି ସେତେ ସେତେ କାହିଁକି ଏମାନଙ୍କ ଶାସନପ୍ରତି ମୁଁ ବିଦ୍ରୋହୀ ହୋଇଉଠିଲି । ମୁଁ ସ୍ୱାଧୀନତା ଚାହିଁ ଯଦି କେବଳ ଅନ୍ୟ ଗୋଟାକର ଦାସତ୍ୱକୁ ସ୍ୱାଧୀନତା ବୋଲି ଗ୍ରହଣ କରିନେବି ତେବେ ମୋର ସନ୍ଧାନର ମୂଲ୍ୟ କ’ଣ ? ମୁଁ ତ ସେଇ ସମାଜର କ୍ରୀତଦାସ ହୋଇ ରହିପାରିଥାନ୍ତି । କିନ୍ତୁ କେମିତି ଏ ଶାସନରୁ ମୁକ୍ତ ହେବି ? ସମାଜର ଶାସନ ଥିଲା ବାହାରିଆ । ତେଣୁ ତାକୁ ଅତି ସହଜରେ ମୁଁ ଭାଙ୍ଗିଦେଇ ପାରିଲି-। କିନ୍ତୁ ଏ ଶାସନ ମୋର ନିଜସ୍ୱ ବନ୍ଦୀଶାଳାର । ତେଣୁ ଏହାକୁ ଭାଙ୍ଗିବା ମୋ ପକ୍ଷରେ ଅତି କଷ୍ଟକର ହୋଇଉଠିଲା । କେତେଜଣଙ୍କ ପରାମର୍ଶ ନେଲି । ସେମାନେ ଦେଖାଇଦେଲେ ମନ୍ଦିର, ଗୀର୍ଜା, ମସ୍‌ଜିଦ୍‌ । ସେଇଠି ଜଣେ କିଏ ଭଗବାନ ଅଛନ୍ତି, ତାଙ୍କୁ ଧ୍ୟାନ କଲେ ଏ ସବୁରୁ ମୁକ୍ତି ମିଳିବ-। ମୁଁ ମନ୍ଦିରକୁ ଗଲି, ମସ୍‌ଜିଦ୍‌, ଗୀର୍ଜା, ସବୁଥିରେ ଯାଇ ପଚାରିଲି । ପଣ୍ଡା ପଣ୍ଡିତ, ମୋଲ୍ଲା ଫକୀର, ଫାଦର ପାଦ୍ରି, କେହି ମୋତେ ଉପାୟ କହିଲେନି କେମିତି ଭାଙ୍ଗିବାକୁ ହେବ ଏ ବନ୍ଦୀଶାଳାକୁ । ସମସ୍ତେ ଉପଦେଶ ଦେଲେ ଭଗବାନଙ୍କ ଉପରେ ନିର୍ଭର କରିବାକୁ । ସେ ଆସି ଆପେ ଆପେ ଭାଙ୍ଗିଦେବେ । ମୁଁ କାହିଁକି ତାଙ୍କ କଥାରେ ବିଶ୍ୱାସ ରଖିଥାନ୍ତି ? ମୁଁ ଯେତେବେଳେ ସାମାଜିକତାକୁ ଭାଙ୍ଗି ଆସିଛି, ଏଇଟାପାଇଁ ମୁଁ ଭଗବାନଙ୍କ ଉପରେ ନିର୍ଭର କରିବି କାହିଁକି ? ଯଦି ଭାଙ୍ଗିବାପାଇଁ ହୁଏ ତେବେ ମୁଁ ଭାଙ୍ଗିବି । ମୁଁ ସ୍ୱାଧୀନତା ପଥରେ ଆଗେଇଆସିଛି ତେଣୁ ସ୍ୱାଧୀନତାର ପଥରେ ସମସ୍ତ ବାଧାବିଘ୍ନକୁ ଚୂର୍ଣ୍ଣ କରିବାର ଦାୟିତ୍ୱ ମୋର, କୌଣସି କଳ୍ପନାର ଅଶରୀରୀ ଦୈବୀ ଶକ୍ତିର ନୁହେଁ ।

 

ସମସ୍ତଙ୍କଠାରୁ ଫେରିଆସିଲି ଶୂନ୍ୟ ହାତରେ । ଭାବି ଦେଖିଲି ଅନ୍ୟ କେହି ମୋପାଇଁ କିଛି କରିବେନି ଯାହା କରିଚି ମୁଁ କରିଚି । ମୋ ଉପରେ ନିର୍ଭର କରେ ମୋ ପ୍ରଶ୍ନର ଉତ୍ତର, ଆଜିଯାଏ ଯେତେ ପ୍ରଶ୍ନ ପଚାରିଛି କେହି ତା’ର ଉତ୍ତର ଦେଇନାହାନ୍ତି । ସବୁ ପ୍ରଶ୍ନର ଉତ୍ତର ମୁଁ ନିଜେ ନିଜେ ସଂଗ୍ରହ କରିଛି । ତେଣୁ ଯଦି କିଛି କରିବାର ଥାଏ ତେବେ ସେଇଟା ମୁଁ କରିବି ।

 

ମୁଁ ଶାସ୍ତ୍ର ପଢ଼ିନି, ପଢ଼ିଲିନି ଜାଣିଶୁଣି । ଧର୍ମଗ୍ରନ୍ଥ ଛୁଇଁନି । କାରଣ ସେଗୁଡ଼ା ସେମାନଙ୍କର କଥା, ମୋର ଏକକ ଅଭିନ୍ନ ଜୀବନର କଥାନୁହେଁ । ମୋପାଇଁ ବାଟ ମୁଁ ଖୋଜିବି । ଅନ୍ୟମାନଙ୍କ ବାଟରେ ଯାଇ ଭୁଆଁ ବୁଲିବି କାହିଁକି ? ଯୋଉ ବାଟ ମୁଁ ଖୋଜିବି ସେଇଟା ହେବ ମୋର ନିଜସ୍ୱ ପନ୍ଥା । ସେ ବାଟ ମୁଁ କେବେ ଭୁଲିପାରିବିନି । ମୁଁ କାହାରି ସାଙ୍ଗରେ ମିଶିପାରିନି । କେହି ମୋ ସାଙ୍ଗରେ ମିଶିନାହାନ୍ତି ତେଣୁ ତାଙ୍କରି ବାଟରେ ଯାଇ ମୁଁ ହଇରାଣ ହେବି କାହିଁକି ?

 

ମୋରି ବାଟ ନିରୂପଣପାଇଁ ମୁଁ ବହୁତ ଭାବିଛି, ଗୋଟାଏ ବାଟ ଚିହ୍ନି କିଛି ଦୂର ଯାଇ ଦେଖେ ସେ ବାଟ ବନ୍ଦ, ପୁଣି ଫେରିଆସେ । ପୁଣି ଆଉଥରେ ନୂତନ ବାଟ ନିରୂପଣ କରି ସେ ବାଟରେ ଚାଲେ, ମୋ ଜୀବନରେ ଏଇ ବାଟ ଖୋଜିବାଟା ଗୋଟାଏ trial ଆଉ error methodରେ ଚାଲିଲା । ଏଇ ବାଟ ଖୋଜୁ ଖୋଜୁ ଏମିତି ମୋ ମନରେ ଗୋଟାଏ ନିଶା ହୋଇଗଲା ଯେ ମୁଁ ଆଉ କିଛି ଜାଣିପାରିଲିନି । ଅନୁଭବ କରିପାରିଲିନି ଅନ୍ୟ କାହାରି ଦାସତ୍ୱ ନାଁ ଦେହର ନାଁ ମନର । ବାଟ ଖୋଜିଲାବେଳେ ମୋର ଆଉ କିଛି ମନେରହିଲା ନାହିଁ । ନିଜକୁ ମୁଁ ସଂପୂର୍ଣ୍ଣରୂପେ ଭୁଲିଗଲି, ମୋର ସମସ୍ତ ସତ୍ତା, ସମସ୍ତ ଦ୍ୱନ୍ଦ୍ୱ ନିଶ୍ଚିହ୍ନ ହୋଇଗଲା କେବଳ ଗୋଟାଏ ମାତ୍ର ଉଦ୍ଦେଶ୍ୟରେ । ଅନେକଦିନ ପରେ ଯେତେବେଳେ ପଛକୁ ଫେରି ଚାହିଁ ଦେଖିଲି ଯେ ଦାସତ୍ୱରୁ ମୁକ୍ତିଲାଭ କରିବାପାଇଁ ମୁଁ ଜାଣତରେ ଚେଷ୍ଟାକରି ସବୁଥିରେ ପରାଜିତ ହୋଇଛି କିନ୍ତୁ ଅଜାଣତରେ ସେଥିରୁ କେବେଠାରୁ ମୁକ୍ତିଲାଭ କରିଯାଇଛି, ଯେତେବେଳେ ମୁଁ ଭାବିଛି, ଗୁଡ଼ା ବନ୍ଧନ, ସେତେବେଳେ ବନ୍ଧନଗୁଡ଼ା ମୋର ଜାଣନ୍ତା ମନରେ ବସା ବାନ୍ଧି ରହିଛି । ଯେତେବେଳେ ବନ୍ଧନଗୁଡ଼ା ମୋର ଜାଣନ୍ତା ମନରେ ବସା ବାନ୍ଧି ରହିଛି । ଯେତେବେଳେ ଭାବିଛି ଏମାନେ ମୋର ପ୍ରକୃତରେ ପ୍ରଭୁ, ସେମାନେ ସେତେବେଳେ ପ୍ରକୃତରେ ମୋତେ ଶାସନ କରିଛନ୍ତି । ତାଙ୍କ ବିରୁଦ୍ଧରେ ବିଦ୍ରୋହ କରି ତାଙ୍କୁ ସ୍ୱୀକାର କରି ନେଇଛି । ଜାଣନ୍ତାରେ ତାଙ୍କୁ ଉପେକ୍ଷା କରି ଅଜାଣତରେ ତାଙ୍କୁ ସ୍ୱୀକାର କରିନେଇଛି, କିନ୍ତୁ ଏଇ ଦ୍ୱନ୍ଦ୍ୱ ଭିତରୁ ବାଟ ଖୋଜିବାପାଇଁ ଯେତେବେଳେ ବ୍ୟସ୍ତ ହୋଇ ରହିଯାଇଛି ସେତେବେଳେ ଦ୍ୱନ୍ଦ୍ୱଗୁଡ଼ା ଆପେ ଆପେ ମିଳେଇ ଯାଇଛନ୍ତି । ମୋତେ ଏବେ ବି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଏକଥା କେମିତି ହେଲା ? ଯୋଉ ବନ୍ଦୀଶାଳାରୁ ମୁକ୍ତିପାଇଁ ମୋର ସମସ୍ତ ଜ୍ଞାନଶକ୍ତି ଦେଇ ତାକୁ ନିଷ୍ଠୁର ଭାବରେ ଆଘାତ କରି ମଧ୍ୟ ବିନ୍ଦୁଏ ମାତ୍ର କ୍ଷତି କରିପାରିନଥିଲି । ଯୋଉ ବନ୍ଦୀଶାଳାକୁ ସତ୍ୟ ବୋଲି ଧରିନେଇ ତାରି ବିରୁଦ୍ଧରେ ଲଢ଼ି ଚାଲିଥିଲି, ହଠାତ୍‌ କରି ଅନୁଭବ କଲି ଯେ ସେ ବନ୍ଦୀଶାଳା ହିଁ ନାହିଁ, କେବଳ ମୁଁ ଗୋଟାଏ ଡନକ୍ୟୁସ୍‌କୋଟ୍‌ ପରି ଅଶରୀରୀ ବାୟୁମଣ୍ଡଳ ସାଙ୍ଗରେ ଲଢ଼େଇ କରିଚାଲିଛି ।

 

ଆଜି ମୁଁ ସ୍ୱାଧୀନ, ମୋରି ଇଚ୍ଛା, କର୍ମ ମଧ୍ୟରେ ଫରକ ନାହିଁ । ମୋର କାମର ସ୍ୱାଧୀନତା ଅଫୁରନ୍ତ, ପ୍ରବୃତ୍ତି ନେଇ ମୁଁ ବ୍ୟସ୍ତ ହୁଏନା । ଦେହ ନେଇ ମୁଣ୍ଡ ଖେଳାଏନା, ମୋର କାମ କେବଳ କାମପାଇଁ । କିନ୍ତୁ ଏ ଭିତରେ ଆଶ୍ଚର୍ଯ୍ୟର କଥା, ମୋର ଦେହଟା ମୁଣ୍ଡଠୁଁ କେବେଠୁଁ କଟିଯାଇଛି ମୁଁ ନିଜେ ଜାଣେନା, ଖାଲି ମୁଣ୍ଡଟା ନେଇ ମୁଁ ବସିଛି କେବଳ, କିଏ ସେତେବେଳେ ଏଇ ଦେହଟାକୁ ଯେ କାଟି ନେଇଯାଇଛି ତା’ର ଖବର ମୁଁ ରଖିପାରିନି । ତେଣୁ ଆଗରୁ ଯାହା ସମାଜଚ୍ୟୁତ ଥିଲି ଏବେ ଦେହଚ୍ୟୁତ ହୋଇଯାଇଛି । ତେଣୁ ମଣିଷମାନଙ୍କ ସାଙ୍ଗରେ ଆଉ ମିଶିବି କେମିତି ? ସମାଜ ଛାଡ଼ିଲେ ବି ଅନେକ ଲୋକ ମୋ ପାଖରୁ ଆସୁଥିଲେ ସେତେବେଳେ, ହଉ ପଛେ କ୍ଷଣକପାଇଁ, କିନ୍ତୁ ଆସୁଥିଲେ, ଏବେ କେହି ଆସନ୍ତି ନାହିଁ । ଏଣୁ ନିଜ ମୁଣ୍ଡଟାକୁ ନେଇ ଏଇ ପୃଥିବୀର ଊର୍ଦ୍ଧ୍ୱରେ ଗୋଟାଏ ଗମ୍ୱୁଜ ଉପରେ ରଖିଦେଇଛି, ମୋର କାମ ଆଉ ଏବେ କିଛି ନାହିଁ ଖାଲି ନିରୀକ୍ଷଣ ଓ ଚିନ୍ତନ, ସେଇ ଉପରୁ ବସି ମୁଁ ସମସ୍ତଙ୍କୁ ଦେଖେ, ସମସ୍ତଙ୍କୁ ନିରୀକ୍ଷଣ କରେ, ସମସ୍ତଙ୍କୁ ଅନୁଭବ କରେ, ଦେହଥାଇ ଯୋଉଟା ଦିନେ ଅନୁଭବ କରିପାରୁନଥିଲି ଆଜି କେବଳ ମୁଣ୍ଡଦେଇ ସମସ୍ତ ମାନବ ସମାଜର ସୁଦ୍ଧ କହଳ, ମାନ ଅଭିମାନ, ପ୍ରେମ ବିରହ, ହସଖୁସିକୁ ମୁଁ ଅନୁଭବ କରିପାରୁଛି ସମ୍ପୂର୍ଣ୍ଣଭାବେ । ଦେହ ଥିଲାବେଳେ ଭୁଲକରି ଯୋଉ ପୃଥିବୀର ଗୋଟାଏ ଅଂଶ ବି ଦେଖିପାରିନଥିଲି ଆଉ ଗୋଟାଏ ଜାଗାରେ ବସି ସମସ୍ତ ପୃଥିବୀକୁ ମୁଁ ପ୍ରଦକ୍ଷିଣ କରୁଛି । ଇଚ୍ଛାମତେ, ବିନା ବାଧାରେ ।

 

ଏଇଠି ବସିକରି ମୁଁ ଦେଖିପାରୁଛି ଯୋଉଟା ଦିନେ ମୁଁ ମଣିଷ ଭିତରେ ରହି ରଖିପାରି ନଥିଲି । ଗୋଟିଏ ଆଶ୍ଚର୍ଯ୍ୟ କଥା । ମଣିଷମାନେ ତ କେବେ ବିଶ୍ୱାସ କରିପାରିବେନି କିନ୍ତୁ ସତ କଥା, ମୋର ସିନା ଖାଲି ମୁଣ୍ଡଟା ଅଛି ଦେହ ନାହିଁ । କିନ୍ତୁ ମୁଁ ଦେଖୁଛି ଏ ମଣିଷ ସମାଜର ଅଧିକାଂଶଙ୍କର ମୁଣ୍ଡ ନାହିଁ, ଖାଲି ଗୁଡ଼ାଏ କବନ୍ଧ ମାତ୍ର । ସେମାନେ ନିଜ ପ୍ରତି ସବୁ କାମ କରୁଛନ୍ତି-। ହସୁଛନ୍ତି, କାନ୍ଦୁଛନ୍ତି କିନ୍ତୁ କେହି ବୁଝିପାରୁନାହାନ୍ତି ତାଙ୍କର ଦେହ ଉପରେ ଥିବା ମୁଣ୍ଡଟା ନାହିଁ ବୋଲି । ମୋତେ ହୁଏତ ଆଶ୍ଚର୍ଯ୍ୟ ଲାଗୁଛି ଯେ ସେମାନେ ଏକଥା ଜାଣି ପାରୁନାହାନ୍ତି କିପରି-? ଆଉ ବଞ୍ଚିଛନ୍ତି ବା କେମିତି ? ସେମାନେ ସେମିତି ମୋଆଡ଼କୁ ଅନେଇ କହୁଥିବେ ଏ ଲୋକଟାର ଦେହଟା ନାହିଁ । ସେ ଜାଣିପାରୁନି ନା କ’ଣ ? ସେ ବଞ୍ଚିଛି କେମିତି ? ଆଉ କାହିଁକି ? କ’ଣ ପାଇଁ-? ସେମାନଙ୍କ ଯେ ବେଳେ ବେଳେ ନ କହିଛି ନୁହେଁ, ସେଇ ଗମ୍ୱୁଜ ଉପରୁ ଚିତ୍‌କାର ଛାଡ଼ି କହିଛି ‘‘ହେ ମଣିଷମାନେ ତମେ କ’ଣ ବୁଝିପାରୁନା ତୁମର ମୁଣ୍ଡ ନାହିଁ ବୋଲି । ତୁମର ମୁଣ୍ଡ ଗଜୁରେଇବାପାଇଁ ଚେଷ୍ଟା କରୁନ କ’ଣ ପାଇଁ ?’’ କିନ୍ତୁ ସେମାନେ ଶୁଣିନାହାନ୍ତି । ହୁଏତ ମୋର ଚିତ୍କାର ତାଙ୍କର ଦୈନନ୍ଦିନ ଚିତ୍କାର ଓ କୋଳାହଳକୁ ଭେଦ କରି ତାଙ୍କ ପାଖରେ ପହଞ୍ଚି ପାରିନାହିଁ ବୋଲି ଅବା ସେମାନେ ଜାଣିଶୁଣି ନାହାନ୍ତି ବୋଲି ଅଥବା ମୋର କଥା ସେମାନେ ବୁଝିପାରୁନାହାନ୍ତି ବୋଲି । ତାଙ୍କର ଅନେକ ଭାଷା, ଅନେକ ଅକ୍ଷର, କିନ୍ତୁ ମୁଁ ତାଙ୍କ କଥା ବେଶ୍‌ ବୁଝିପାରେ, ମୋର ଗୋଟାଏ ଭାଷା, ମଣିଷର ଭାଷା, ଗୋଟିଏ ଅକ୍ଷର, ମନୁଷ୍ୟତାର ଅକ୍ଷର । ତେଣୁ ମୋର ସେମାନଙ୍କୁ ବୁଝିବା ମୋଟେ କଷ୍ଟ ହୁଏନା ।

 

ଏଇ ଗମ୍ୱୁଜ ଉପରେ ବସି ମୁଁ ନିର୍ବିକାର ଭାବେ ଦେଖିଛି ସେମାନଙ୍କର ବିଜୟର ଅଭିଯାନ । ଦେଶ ଜାତି, ଧର୍ମ ବର୍ଣ୍ଣର ଆସ୍ଫାଳନ ପ୍ରଗତିର ଅହଙ୍କାର ନେଇ ସେମାନେ କେମିତି ପରସ୍ପରକୁ ହତ୍ୟା କରନ୍ତି, ଲୁଣ୍ଠନ କରନ୍ତି, ଜଣେ କେମିତି ଅନ୍ୟ ଜଣକୁ ହତ୍ୟାକରି ଉପରକୁ ଉଠୁଛି, ପୁଣି ତାକୁ ହତ୍ୟାକରି ଆଉଜଣେ ଉପରକୁ ଉଠିବାର ଚେଷ୍ଟା କରୁଛି । ଆହୁରି ମଜାର କଥା ଜଣେ ହତ୍ୟା କରି ବାହାଦୂରୀ ନେଉଛି, ଆଉ ଜଣେ ହତ୍ୟାକରି ଲୁଚି ଲୁଚି ବୁଲୁଛି, ଜଣକୁ ତା’ର ହତ୍ୟାପାଇଁ ସମ୍ମାନ ଦିଆଯାଉଛି, ଆଉ ଜଣକୁ ହତ୍ୟାପାଇଁ ହତ୍ୟା କରାଯାଉଛି, ଖାଲି ସବୁ ମୁଣ୍ଡହୀନ, କବନ୍ଧ ଗୁଡ଼ାକର ପ୍ରେତ-ନୃତ୍ୟ ଛଡ଼ା ଆଉ କିଛି ନୁହେଁ ସେଗୁଡ଼ା, କିନ୍ତୁ ସେମାନେ ବୁଝିବେ କିପରି ? ଦେହ ଓ ପ୍ରବୃତ୍ତି ନେଇ ଯୋଉ ଜୀବନ, ସେଥିରେ ଚେତନା କାହିଁ ? କିନ୍ତୁ ସେମାନଙ୍କୁ ବୁଝେଇବ କିଏ ? ସେମାନଙ୍କର ନିତ୍ୟ କାର୍ଯ୍ୟାବଳୀର ଅହଙ୍କାରକୁ ଚୂର୍ଣ୍ଣକରି କିଏ ବୁଝେଇବ ଯେ ସେମାନେ କେବଳ ଗୋଟାଏ ଗୋଟାଏ ଆୟଧ ମାତ୍ର । କେବଳ instrument-। ମୁଁ ମାରିବାର ଗୌରବ ନେବା ଯାହା, ଗୋଟାଏ ରାଇଫଲ ସେ ମାରିଛି ବୋଲି ଗୌରବ ନେବା ଯାହା, ଗୋଟାଏ ରାଇଫଲ ସେ ମାରିଛି ବୋଲି ଗୌରବ ନେବା ସେଇ ଏକା କଥା । ଯେ ମାରୁଛି ସେ ମାରୁଛି ଅଲକ୍ଷ୍ୟରେ, ସଂଗୋପନରେ ଅଥଚ ପ୍ରକାଶ୍ୟ ଭାବରେ ତାଙ୍କ ଆବିଷ୍କାର କରିବା ‘ମୟୀୟେତ ନିହତା ପୂର୍ବମେବା’’ । ସମସ୍ତେ ଆଗରୁ ମାରିଛନ୍ତି । ଯୋଉ ମୁହୂର୍ତ୍ତରେ ମଣିଷ ଜନ୍ମ ନେଇଛି, ସେଇ ମୁହୂର୍ତ୍ତରୁ ହିଁ ମୃତ୍ୟୁର ବୀଜ ବହନ କରିଛି, ମୃତ୍ୟୁ ତା’ର ଅବଶ୍ୟମ୍ଭାବୀ, ସେଇ ଅଦୃଶ୍ୟ ମହାକାଳର ଅଲଂଘ୍ୟ ନିୟମ ।

 

ମହାକାଳ ହିଁ ତା’ର ହତ୍ୟାକାରୀ କିନ୍ତୁ କବନ୍ଧ ବୁଝିବକି ? ଯଦି ନିଜ ଇଚ୍ଛାରେ ମୁଣ୍ଡପାଇଁ ସେମାନେ ଚେଷ୍ଟା ନ କରନ୍ତି ତେବେ ଦେବ କିଏ ?

Image

 

ବିପନ୍ନ ଅହଙ୍କାର

 

ହାରିଯିବା ନିଶ୍ଚିତ ଜାଣି ସୁଦ୍ଧା ମୁଁ ମୋର ସଂଗ୍ରାମ ଚଳେଇ ଯାଉଛି ।

 

‘‘ସଂଗ୍ରାମ’’ ଶବ୍ଦଟା ବୋଧେ ଟିକେ ଉଗ୍ର । ଆଉ ନିଜକୁ ଉଗ୍ର ଦେଖେଇ ହେବାପାଇଁ ବୋଧହୁଏ ମୁଁ ଏ ‘ସଂଗ୍ରାମ’ ଶବ୍ଦଟା ନିଜପାଇଁ ପ୍ରୟୋଗ କରିଛି । କିନ୍ତୁ ଅସଲରେ ମୁଁ ସଂଘର୍ଷ ଚାହେଁନା । ସଂଘର୍ଷ ମୋର ରକ୍ତରେ ନାହିଁ । ବାସ୍ତବରେ ମୁଁ ଜଣେ ଅହଂକାରୀ ପୁରୁଷ । ନିଜର, ଅନୁଭୂତିରେ ପରୀକ୍ଷିତ ମତାମତକୁ ମୁଁ କାହାରି ସହିତ ସାଲିସ୍‌ କରିବାକୁ ଚାହେଁନା । ସତ୍ୟରେ ସାଲିସ ନାହିଁ । ସାଲିସ ବି ମୋ’ ରକ୍ତରେ ନାହିଁ ।

 

ନିଜର ନୀରବ ଅହଂକାରର ଦୁର୍ଗ ଭିତରେ, ଦୁର୍ଜୟ ଆତ୍ମାଭିମାନର ସୁଦୃଢ଼ ପ୍ରାଚୀର ଭିତରେ ମୁଁ ନିଜକୁ ଗୋଟାଏ କଇଁଛ ପରି ବନ୍ଦୀକରି ସମସ୍ତଙ୍କୁ ଉପେକ୍ଷା କରି ଚାଲିଛି କେବଳ ।

 

ସଂଘର୍ଷ ମୁଁ କରିନି । ମୁଁ କେବଳ ଉପେକ୍ଷା କରିଛି ।

 

ଏକ ବୁଦ୍ଧିଜୀବୀର ଅହଂକାର କେତେ ପ୍ରଖର ହୋଇପାରେ ସତେ ! ଗୋଟାଏ ଆଦର୍ଶବାଦ ମଣିଷକୁ ଏମିତି, କନିଷ୍ଠ କରିଦିଏ କେମିତି କେଜାଣି ?

 

ଆଜି ମୋର ବିପର୍ଯ୍ୟୟ । କବଚ କୁଣ୍ଡଳ କେଉଁ ଦିନରୁ ଦାନ ଦେଇସାରିଛି । ଶେଷ ପଞ୍ଚଶର ଭିତରୁ ଚାରୋଟି ଦୁନିଆ ଆଗରୁ ହାତପାତି ଗ୍ରହଣ କରିନେଇଛି । ପଞ୍ଚମ ଓ ଶେଷ ଶର ମାୟାର ଘଟୋତ୍କଚକୁ ନିକ୍ଷେପ କରି ସାରି ଆଜି ମୁଁ ନିଃସ୍ୱ । ରକ୍ତ ।

 

ଆଜି ମୋର ପରାଜୟ ନିଶ୍ଚିତ । କିନ୍ତୁ ମୋର ଏଇ ବିପର୍ଯ୍ୟୟ ଓ ପରାଜୟପାଇଁ ମୁଁ ଦାୟୀ କରିବି ସେଇ ଲୋକଟିକୁ-ସେଇ ଖଦଡ଼ ଧୋତି ପିନ୍ଧା ମଫସଲ ହାଇସ୍କୁଲର ଆଦର୍ଶବାଦୀ ଶିକ୍ଷକକୁ । ସେ ବ୍ରିଟିଶ ସରକାରଙ୍କର ଲୋଭନୀୟ ଚାକିରି ପରିତ୍ୟାଗ କରି ବାଛି ନେଇଥିଲା ଏଇ କୁଚ୍ଛ ସାଧନାର ବ୍ରତକୁ କେବଳ ଗୋଟାଏ ଆଦର୍ଶରେ । ଆଉ ସେଇ ଆଦର୍ଶପାଇଁ ବାରମ୍ୱାର ବହୁ ଜାଗାରୁ ତଡ଼ା ଖାଇ, ବାରଦ୍ୱାର ଶୁଣ୍ଢି ପିଣ୍ଡା ହୋଇ, ଏକ ଅନିଶ୍ଚିତ, ଅସ୍ଥିର ଜୀବନ ନେଇ ସେ ଘୂରି ବୁଲିଥିଲା ଦେଶର ଏ ପ୍ରାନ୍ତରରୁ ଅନ୍ୟ ପ୍ରାନ୍ତରକୁ କେବଳ ନିଜର ସନ୍ତାନ ସନ୍ତତିଙ୍କର ମୁହଁରେ ଦୁଇବେଳା ଦୁଇମୁଠା ଅନ୍ନ ଯୋଗାଇ ଦେବାକୁ । ଆଦର୍ଶର ସାଲିସରେ ନୁହେଁ, ଆଦର୍ଶର ନିଷ୍ଠାରେ-। ଆଉ ସେହି ଆଦର୍ଶର ନିଷ୍ଠୁର ପରିହାସରେ, ନିଜର ଶେଷ ଜୀବନରେ ପରିବାରଠୁଁ ବହୁତ ଦୂରରେ ରହି ଏକାକୀ, ନିଃସହାୟ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା ପ୍ରବାସରେ ।

 

ସେଇ ଲମ୍ୱା, ପତଳା, ଶୀର୍ଣ୍ଣକାୟ ବ୍ୟକ୍ତିଟି । କେତେ ବା ସମୟ ମୁଁ ତାକୁ ଦେଖିଛି । ଗ୍ରାଷ୍ମଛୁଟିରେ, ପୂଜା ଛୁଟିରେ–ମାସେ କିମ୍ୱା ଦୁଇମାସ–ସେଇ ସମ୍ପର୍କ । ତାପରେ ଯେତେବେଳେ ତାଙ୍କୁ ପ୍ରକୃତରେ ବୁଝି ଦେଖିବାର, ବିଚାର କରିବାର ବୟସ ମୋର ଆସୁଥିଲା, ଠିକ୍‌ ସେତିକିବେଳେ ସେ ଚାଲିଗଲେ । ନିଜର ଗୁଡ଼ାଏ ନାବାଳକ ସନ୍ତାନ, ବିବାହ ଯୋଗ୍ୟ ଝିଅ ଓ ଅସହାୟା ସ୍ତ୍ରୀକୁ ଏକ ଅଶରୀରୀ ଭଗବାନଙ୍କର ହାତରେ ସମର୍ପଣ କରି । କୌଣସି ଦୁଶ୍ଚିନ୍ତ; ପରମ ତୃପ୍ତିରେ ସେ ଶେଷ ନିଶ୍ୱାସ ତ୍ୟାଗକଲେ । ସାରାଜୀବନ ଲଢ଼ି ଲଢ଼ି କ୍ଷତ ବିକ୍ଷତ ହୋଇ ନିଜକୁ ନିଃଶ୍ୱ, ରିକ୍ତ କରିଦେଇ ସୁଦ୍ଧା ସେଇ ଆଦର୍ଶବାଦ ପ୍ରତି ନିଜର ଆତ୍ମପ୍ରତ୍ୟୟ, ଦୃଢ଼ ବିଶ୍ୱାସ ମୃତ୍ୟୁପର୍ଯ୍ୟନ୍ତ ବହନ କରିନେବାର କ୍ଷମତା ମୁଁ ଆଜିପର୍ଯ୍ୟନ୍ତ କାହାରିକୁ ଦେଖିନାହିଁ ।

 

ସଚ୍ଚିଦାନନ୍ଦ ମହାନ୍ତି ।

 

ଉପଦେଶ ଦେଇନ । ନୀତିଶିକ୍ଷା ଦେଇନ । ଶାସନ କରିନ । କିଛି କରିନ । କିନ୍ତୁ ଆମ ପରିବାରକୁ ଏକ ବିରାଟ ବରଗଛ ପରି ତମର ନୀରବ ଅହଂକାରର ଛାୟାରେ ଆବୃତ୍ତ କରି ରଖିଥିଲ । ନିଜେ ନିଜକୁ କେବଳ ‘ଉଦାହରଣ’ର ପ୍ରତିମାରେ ନିବିଷ୍ଟ ରଖିଗଲ ।

 

ତଥାପି ତମର ଅଶରୀରୀ ଛାୟାର ଅପ୍ରତିହତ ପ୍ରଭାବ ଆଜି ମୋର ପ୍ରତି ରକ୍ତ କଣାରେ । ସେଇ ଶକ୍ତ କଠିନ, ଅଶରୀରୀ ନୀତିବାଦ, ଆଦର୍ଶବାଦ, ମିଥ୍ୟା ସହିତ ଅନ୍ୟାୟ ସହିତ, ସାଲିସ ନ କରିବାର ଦୃଢ଼ କରି ଧରି ରଖିବାର ପ୍ରବଳ ଶକ୍ତି ଆଜି ମୋର ଜୀବନରେ ଏମିତି ଛାୟା ବିସ୍ତାର କରି ରଖିଛି ଯେ ମୁଁ ତା’ର ବାହାରକୁ ଯିବାପାଇଁ ଏକାନ୍ତ ଅକ୍ଷମ । ନିଜର ସମସ୍ତ ଶକ୍ତି ସତ୍ତ୍ୱେ ମୁଁ ସେଇ ବନ୍ଧନ କାଟିବାକୁ ଅସମର୍ଥ ।

 

ନିର୍ବୋଧ ସଚ୍ଚିଦାନନ୍ଦ ମହାନ୍ତି ।

 

ତମେ ହିଁ ମୋର ଜୀବନର ବିପର୍ଯ୍ୟୟର ପ୍ରଧାନ ପୁରୋଧା ।

 

ଭେଙ୍କଟ ସ୍ୱାମୀ । ଗବେଷଣାଗାରର ଅଧ୍ୟକ୍ଷ ।

 

ମିଃ ମହାନ୍ତି, ଆପଣ ତ ଦେଖୁଛି ଅନେକ ଦିନର ପୁରୁଣା ଅଫିସର ।

 

ସାର୍‌ ।

 

କେତୋଟି ‘ପେପର’ ପ୍ରକାଶ କରିଛନ୍ତି ?

 

ଗୋଟିଏ ବି ନୁହେଁ ।

 

ଆଶ୍ଚର୍ଯ୍ୟ ! କାହିଁକି ?

 

ସତ କହିବି ?

 

ନିଶ୍ଚୟ, ନିଶ୍ଚୟ ।

 

ପ୍ରଥମ କଥା ମୁଁ ସେମିତି କିଛି ମୌଳିକ ଗବେଷଣା କରିନି ଯାହା ପ୍ରକାଶଯୋଗ୍ୟ । ଦ୍ୱିତୀୟତଃ ବର୍ତ୍ତମାନ ଯୋଉ ପ୍ରକାର ଗବେଷଣାର ‘ପେପର’ ପ୍ରତିଯୋଗିତା ଚାଲିଛି, ସେଇପ୍ରକାର ସାର୍ବଜନୀନ ‘‘ନାମ ଓ ପ୍ରତିପତ୍ତି’’ର ଘୋଡ଼ା ଦୌଡ଼ରେ ମୁଁ ଭାଗ ନେବାକୁ ଘୃଣା କରେ । ତୃତୀୟତଃ ଆଜିକାଲିକା ତଥାକଥିତ ‘‘ପେପର୍‌’’ରେ କେବଳ ବିଦେଶୀ ପତ୍ର ପତ୍ରିକାରେ ବହୁ ପୂର୍ବରୁ ପ୍ରକାଶିତ ପ୍ରବନ୍ଧଗୁଡ଼ିକର ଚର୍ବିତ ଚର୍ବଣ ପୁନରାବୃତ୍ତିର ଭାରତୀୟ ସଂସ୍କରଣ ମାତ୍ର । ସେ ପ୍ରକାର ‘ଚୋରି’, ଅର୍ଦ୍ଧ ବୁଝାମଣା ପ୍ରବନ୍ଧ ଲେଖିବାପାଇଁ ମୁଁ ଭୀଷଣ ଘୃଣା କରେ ।

 

ଭେଙ୍କଟ ସ୍ୱାମୀଙ୍କର ମୁହଁ ଉପରର କଳାଛାଇ ଘନୀଭୂତ ହୋଇଉଠିଲା ।

 

ଓଃ, ଆଇ ସି । ତେବେ ମୌଳିକ ପ୍ରବନ୍ଧ ଲେଖିଲେ ନାହିଁ କାହିଁକି ? କିଏ ଆପଣଙ୍କୁ ବାଧାଦେଉଥିଲା ?

 

ସାର୍, ମୋତେ ବି କ’ଣ ଆପଣଙ୍କ ପରି ଅଭିଜ୍ଞ ଲୋକମାନଙ୍କୁ ବୁଝେଇବାକୁ ପଡ଼ିବ ଯେ ମୌଳିକ ଗବେଷଣାପାଇଁ ଆମ ଦେଶର ପରିସ୍ଥିତି, ବାୟୁମଣ୍ଡଳ ଅନୁକୂଳ ନୁହେଁ ବୋଲି !

 

କିନ୍ତୁ ମୁଁ ମନେକରେ, ନିଜର ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଏ କେବଳ ଏକ ବାଜେ କୈଫିୟତ୍‌ ।

 

ହୋଇପାରେ । ପ୍ରତିକୂଳ ପରିସ୍ଥିତିରେ ନୂତନ କିଛି ଆବିଷ୍କାର କରିବା ପରି ‘ଜିନିଅସ୍‌’ ମୁଁ ନୁହେଁ ।

 

କିନ୍ତୁ ସରକାର ଯେ ଗତ ବାରବର୍ଷ ଧରି ଆପଣଙ୍କ ପଛରେ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି–ସେକଥା ଭୁଲନ୍ତୁ ନାହିଁ । ଆପଣ ଯାହା କରିଥାନ୍ତୁ ନା କାହିଁକି ସେ ସବୁ ଅଭିଜ୍ଞତାକୁ ଲିପିବଦ୍ଧ କରିଯିବା ହିଁ ଆପଣଙ୍କର କର୍ତ୍ତବ୍ୟ । ମୁଁ ଆପଣଙ୍କୁ ପନ୍ଦରଦିନ ସମୟ ଦେଲି । ଆପଣ ଆପଣଙ୍କର ଗବେଷଣାର ବିଷୟ ସଂପର୍କରେ ଏକ ପ୍ରବନ୍ଧ ଲେଖିବେ । ଆପଣ ଲିଖିତ ଆଦେଶ ପାଇଯିବେ । ଓପର ଓଳିକୁ । ମୁଁ ଯୋଉ ଯୋଉ ଜାଗାରେ ରହିଆସିଛି, ସେଠାରେ ବର୍ଷକୁ ମୁଁ ନ୍ୟୁନତଃ ତିରିଶରୁ ଚାଳିଶଟା ଭିତରେ ପ୍ରବନ୍ଧ ପ୍ରକାଶ କରିଛି । ଅବଶ୍ୟ ଆପଣମାନଙ୍କ ପରି ସମସ୍ତ ଅଫିସରଙ୍କ ସହଯୋଗରେ ।

 

ମୁଁ ନୀରବ ରହିଲି ।

 

ଦେଖନ୍ତୁ ମିଃ ମହାନ୍ତି, ଆଜିକାଲି ଭାରତବର୍ଷରେ ସେଇ ଯୁଗ ଆସିଛି–Publish or Parish, ମୁଁ ବୁଝିପାରୁଛି ଆପଣଙ୍କର ଆଦର୍ଶବାଦକୁ । କିନ୍ତୁ ତାକୁନେଇ ନିଜକୁ ତିଷ୍ଠି ରଖିବା ଅସମ୍ଭବ । ଦେଖୁନାହାନ୍ତି–ସେଇ ଗୋଟାଏ ବିଷୟ ନେଇ ଆମର ପଚାଶଟା ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ଶିକ୍ଷକ ଗବେଷଣା କରୁଛନ୍ତି । ସେଇ ଏକା ବିଷୟ ନେଇ ଆମର କେନ୍ଦ୍ରୀୟ ଗବେଷଣାଗାର ଓ ରାଜ୍ୟ ସରକାରଙ୍କ ଗବେଷଣାର ମଧ୍ୟ କାମ କରୁଛନ୍ତି । ସବୁ ଛପା ଚାଲିଛି । କିଏ ଦେଖୁନାହାନ୍ତି ତା’ ଭିତରେ ମାଲମସଲା କ’ଣ ? କିନ୍ତୁ ପ୍ରମୋଶନ୍‌ ବେଳେ ଦେଖାଯିବ ଆପଣ କେତେଶହ ପ୍ରବନ୍ଧ ପ୍ରକାଶ କରିଛନ୍ତି । ଟିକିଏ ଚେଷ୍ଟାକରନ୍ତୁ, ଦେଖିବେ ସବୁ ସହଜ ହୋଇଯିବ ।

 

ସହଜ ବି ହୋଇଥିଲା ।

 

ନିଜସ୍ୱ ଜିଜ୍ଞାସା, ନିଜସ୍ୱ ଅନୁଭୂତିରେ ପରୀକ୍ଷିତ ତଥ୍ୟଗୁଡ଼ିକ ସଜାଇବାରେ କିଛି କଷ୍ଟ ହୋଇନଥିଲା । କିନ୍ତୁ ସେଥିରେ ନଥିଲା କିଛି ନିଜସ୍ୱ ସିଦ୍ଧାନ୍ତ । କାରଣ ଏତେ କାମ ତଥ୍ୟରେ ଦେବା ସମ୍ଭବ ନଥିଲା । ମୋର ପ୍ରବନ୍ଧ ଥିଲା ମୋର କେତେଗୁଡ଼ିଏ ଅନୁଚ୍ଚାରିତ ପ୍ରଶ୍ନ ମାତ୍ର । ତଥାପି ବେଶ୍‌ ଖଟି କରି ଲେଖିଥିଲି ପ୍ରବନ୍ଧଟିକୁ ।

 

ଗୋପାଲ ଚାଟାର୍ଜି ଆସିଥିଲା କିଛିଦିନ ପରେ ମୋର କୋଠରିକୁ । ଚାଟାର୍ଜି ମୋ ପରି ଜଣେ ଗବେଷଣାକାରୀ ଅଫିସର ।

 

କି ଓ, ମହାନ୍ତି–କ’ଣ ? ଶେଷରେ ଲେଖିଲ ତ ? ଦେଖିବା, ବାରବର୍ଷର ତପସ୍ୟା କ’ଣ ପ୍ରସବ କରିଛି ?

 

ମୁଁ କିଛି କହିଲିନି । ସେ ପଢ଼ିଲା ।

 

ତମକୁ କଂଗ୍ରାଚ୍ୟୁଲେସନ୍‌ସ ମହାନ୍ତି । ବେଶ୍‌ ଉଚ୍ଚକୋଟୀର ହୋଇଛି । ଯଦିଓ ତମେ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିନାହିଁ-ତଥାପି ଏହାର ମୌଳିକତ୍ୱ ରହିଛି ନୂତନ ପଦକ୍ଷେପରେ । କିନ୍ତୁ, ହାୟ ଏତେ କଷ୍ଟ କଲ ସିନା–ଏ ପ୍ରବନ୍ଧ ତମର ଦିବାଲୋକ ଦେଖିପାରିବ ନାହିଁ ।

 

‘‘କାହିଁକି ?’’ –ମୁଁ ଉତ୍ସୁକ ହୋଇଉଠିଲି ।

 

ପ୍ରବନ୍ଧ ତ ଜୀବନରେ ପ୍ରଥମ ଲେଖୁଛ-ଜାଣିବ କେମିତି ? ଏଥିରେ ଭେଙ୍କଟ ସ୍ୱାମୀଙ୍କର ନାମ କାହିଁ ? ତାଙ୍କ ନାଁ ଆଗେ । ତା’ ପଛରେ ଏବଂ ଯୋଡ଼ି ତମ ନାଁ ।

 

କିନ୍ତୁ ସେ ତ ସେତେବେଳେ ଏଠାରେ ନ ଥିଲେ । ତା’ଛଡ଼ା ତାଙ୍କଠୁଁ ତ ମୁଁ କିଛି ସାହାଯ୍ୟ ପାଇନି । ତାଙ୍କ ନାଁ ଦେବି କାହିଁକି ?

 

ସେଇଥିପାଇଁ ତ କହିଲି–ତମଠୁ ମୂର୍ଖ ଆଉ କେହି ନାହିଁ । ପରିବାର ପୋଷଣ ତମର କର୍ତ୍ତବ୍ୟ । ଗବେଷଣା ନୁହେଁ । ଗବେଷଣା ଏ ଦେଶର ମାଟିରେ ସମ୍ଭବ ନୁହେଁ । ତେଣୁ ତମେ ‘‘ଭେଙ୍କଟ ସ୍ୱାମୀ’’ଙ୍କର ନାମ ଯୋଡ଼ି, ମାସକୁ ମାସ ନିଶ୍ଚିନ୍ତରେ ଦରମା ନେଇ ପରିବାର ପ୍ରତିପୋଷଣ କର ।

 

ଦେହଟା ମୋର ଜଳିଉଠୁଥିଲା ରାଗରେ । ମୁଁ କିଛି କହିବା ଆଗରୁ ସେ ଉଠିପଡ଼ିଲା–

 

ହଉ ଭାଇ, ମୁଁ ଯାଏ । ଏ ତମର ଶିଶୁ । ତମେ ତାକୁ ଯେମିତି ରଖୁଛ ରଖ–ମୋର କିଛି ଯାଏ ଆସେ ନା । ପରଦିନ ଡାକପଡ଼ିଲା ।

 

ମିଃ ମହାନ୍ତି ।

 

ସାର୍‌ ।

 

ମୁଁ ଆପଣଙ୍କ ପ୍ରବନ୍ଧ ପଢ଼ିଲି । ମୁଁ ସେଥିରେ ଏକମତ ନୁହଁ ।

 

‘‘ସାର୍‌, ବୈଜ୍ଞାନିକ ତଥ୍ୟ ଉପରେ ନିର୍ଭରଶୀଳ । ତଥା ଯାହା ନିର୍ଦ୍ଦେଶ ଦେବ-ସିଦ୍ଧାନ୍ତ ସେହିପରି ହେବ ସେଥିରେ ତ କାହାରି ନିଜସ୍ୱ ମତାମତ ଦରକାର ନାହିଁ ।’’ ‘‘ତଥାପି-ପ୍ରବନ୍ଧଟା ନିକୃଷ୍ଟ ଧରଣର । ଆପଣଙ୍କ ପରି ଜଣେ ଅଭିଜ୍ଞ କର୍ମଚାରୀ ପାଖରୁ ମୁଁ ଏଇଟା ଆଶା କରିନଥିଲି-।’’-ଉତ୍ତର ଦେଇଥିଲେ ଭେଙ୍କଟ ସ୍ୱାମୀ ।

 

ଗୋପାଲ ଚାଟାର୍ଜି ଠିକ୍‌ କରୁଥିଲା ।

 

ଭାରତବର୍ଷରେ ଆଜିକାଲି ଏକ ଅଦ୍ଭୁତ ପରିସ୍ଥିତି । ଜଣେ ସ୍ୱାଧୀନ ବୁଦ୍ଧିଜୀବୀର ଏ ଦେଶରେ ସ୍ଥାନ ନାହିଁ । ସାଧାରଣ ଭାବେ ଦେଖିବାକୁ ଗଲେ ଏ ଦେଶରେ ଅନେକ ‘‘ଇଣ୍ଟେଲେକ୍‌ଚୁଏଲ ।’’ କିନ୍ତୁ ଏଇ ତଥାକଥିତ ବୁଦ୍ଧିଜୀବୀମାନଙ୍କ ଭିତରୁ କେତେଜଣଙ୍କ ଭିତରେ ରହିଛି ଜ୍ଞାନର ଅଗ୍ନି ? ତାଙ୍କ ଭିତରେ ଭାବଗତ ସଂହତି ନାହିଁ । ଜ୍ଞାନର ପିପାସା ନାହିଁ । ପରସ୍ପର ମଧ୍ୟରେ ସଦ୍‌ଭାବ ନାହିଁ, ଶ୍ରଦ୍ଧା ନାହିଁ, ପ୍ରୀତି ନାହିଁ । ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାର ଇଚ୍ଛା ବି ନାହିଁ ।

 

କେତେଜଣ ପ୍ରଜ୍ୱଳିତ ହୁଅନ୍ତି ନିଜସ୍ୱ ଜ୍ଞାନର ଆଲୋକରେ ? ବୈଜ୍ଞାନିକ, ଅଧ୍ୟାପକ, ଡାକ୍ତର, ଇଞ୍ଜିନିଅର, ଓକିଲ, ଟେକ୍ନୋଲୋଜିଷ୍ଟ, ପ୍ରଶାସନିକ କର୍ମଚାରୀ, କବି, ଲେଖକ ସମସ୍ତେ କେବଳ ବୁଦ୍ଧିଜୀବୀର ମୁଖୋସ ପିନ୍ଧା, ସ୍ୱାର୍ଥପର, ନୀଚ, ଅହଙ୍କାରୀ ଲୋକଗୁଡ଼ାଏ । ଅଥଚ ସମସ୍ତଙ୍କର ପୁଣି ସଂଘ ଅଛି, ଯେଉଁଠି ଆଲୋଚନା ହୁଏ, ଗବେଷଣାର ପ୍ରବନ୍ଧ ପଢ଼ା ହୁଏ । କିନ୍ତୁ ସେଇ କନ୍‌ଫୋରେନ୍‌ସ, ସମ୍ମିଳନୀ କେବଳ ‘ଗବେଷଣା’ ‘ଆଲୋଚନା’ର ପରଦା ଆଢ଼ୁଆଳରେ ଅନୁଷ୍ଠିତ ହୁଏ, ସାଂସାରିକ ମାନ ବଢ଼େଇବାର ପ୍ରତିଯୋଗିତା, ନିଜକୁ ବଢ଼େଇ ଦେଖେଇବାର ଅହମିକା, ଆଉ ତୁଚ୍ଛା ଯଶର ଔଜ୍ୱଲ୍ୟରେ ନିଜକୁ ଉଜ୍ୱଳତର କରି ଦେଖେଇବାର ପ୍ରଚେଷ୍ଟା । ପୂରା ଦରମାରେ ଛୁଟି, ଅଧା ଦାମରେ ରେଳ ଟିକେଟର କନ୍‌ସେସନ୍‌, ସ୍ତ୍ରୀକୁ ନେଇ ଦୂର ଜାଗା ବୁଲିବାର ଗୋଟାଏ ମୌକା । ସରକାରୀ ପଇସାରେ ମଉଜ କରିବାର ଗୋଟାଏ ନିରାଟ ମେଳା । ସେ ମେଳା ପୁଣି ଉଦ୍‌ଘାଟନ କରନ୍ତି ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ମନ୍ତ୍ରୀ । ଜ୍ଞାନ ବିସର୍ଜନର ହୋମ ଯଜ୍ଞରେ ପ୍ରଧାନ ପୁରୋହିତ । ସେଇ ମନ୍ତ୍ରୀଙ୍କର କରୁଣା ଟିକକ ପାଇବାପାଇଁ ଏଇ ତଥାକଥିତ ବୁଦ୍ଧିଜୀବୀମାନଙ୍କର କି ପ୍ରାଣାନ୍ତକ ପ୍ରୟାସ । ସତେଯେପରି ସ୍ୱୟଂ ଭଗବାନ ଆବିର୍ଭୂତ ।

 

ଭାରତବର୍ଷରେ ପ୍ରକୃତ ‘ଇଣ୍ଟେଲେକ୍‌ଚୁଏଲ’ ବୁଦ୍ଧିଜୀବୀ ନାହାନ୍ତି । ସମସ୍ତେ ସେଇ ଇଣ୍ଟେଲକ୍‌ଚୁଏଲସ୍‌ ।’’ ସେଥିପାଇଁ ଏ ମେଳା ବି ସେମିତି ଏକ ସ୍ୱାର୍ଥପରତାର ମେଳା ।

 

ନିଜ ପ୍ରତି ଟିକିଏହେଲେ ଆତ୍ମ ସମ୍ମାନ ନାହିଁ । ତିଳେମାତ୍ର ଆତ୍ମପ୍ରତ୍ୟୟ ନାହିଁ । ବିଶ୍ୱାସ ନାହିଁ ବା ଆତ୍ମାଭିମାନ ନାହିଁ । ଜ୍ଞାନପାଇଁ ଜ୍ଞାନୀର ଅହଙ୍କାରବୋଧ ନାହିଁ । କିଛି ନାହିଁ କେବଳ ଅହମିକା । ଉଚ୍ଚପଦର, ଉଚ୍ଚ ଦରମାର ଲୋଭ । କେବଳ ଲୋଭ । ଗୋଟାଏ ସ୍ତରର ଅର୍ଦ୍ଧଶିକ୍ଷିତ ସଂପ୍ରଦାୟର ଶାସକ ଗୋଷ୍ଠୀକୁ ବୋକା ବନେଇ କେବଳ ଲୁଟିନିଅ, ଖାଇଯାଅ । ଏଇ ଭାବନା । ତଳ ସ୍ତରର ଲୋକ ପ୍ରତି ସହାନୁଭୂତି ନାହିଁ, ସମବେଦନା ନାହିଁ । ତାଙ୍କୁ ବୁଝି ଦେଖିବାକୁ ସ୍ତରର ଲୋକ ପ୍ରତି ସହାନୁଭୂତି ନାହିଁ, ସମବେଦନା ନାହିଁ ତାଙ୍କୁ ବୁଝି ଦେଖିବାକୁ ତାଙ୍କୁ ବୁଝାଇବାକୁ ପ୍ରଚେଷ୍ଟା ନାହିଁ । ସେଥିପାଇଁ ସେମାନେ ଅନ୍‌ଆଟେଚ୍‌ଡ଼୍‌ । ନିରାସକ୍ତ । ଅନ୍–ଇନ୍‌ଭଲ୍‌ଭଡ଼୍‌ । ସମ୍ପର୍କହୀନ । ସେଥିପାଇଁ ଭାରତବର୍ଷର ବୁଦ୍ଧିଜୀବୀ ସଂପ୍ରଦାୟ ଜଣେ ଜଣେ କେବଳ ଏକ ସମ୍ପର୍କ ବିହୀନ, ବିଚ୍ଛିନ୍ନ ଦ୍ୱୀପ । ନିଜ ନିଜର ସ୍ୱାର୍ଥ କୈନ୍ଦ୍ରିକତାର ହାତୀଦାନ୍ତର ପ୍ରାଚୀର ଭିତରେ ନିର୍ବାସିତ ପଦ୍ମଭୁଜ୍‌ ।

 

ସେଇଥିପାଇଁ ପରସ୍ପର ସହିତ ପରସ୍ପରର ସାମାନ୍ୟତମ ବୁଝାମଣା ନାହିଁ । କେବଳ ଗୋଷ୍ଠୀଗତ ବିଦ୍ୱେଷ ନୁହେଁ । ନିଜ-ସ୍ୱକୀୟ ଗୋଷ୍ଠୀ ମଧ୍ୟରେ ମଧ୍ୟ ବିରୋଧ । ପରସ୍ପର ବିରୁଦ୍ଧରେ କୁତ୍ସାରଟନା, ଘୃଣା, ଈର୍ଷା, ନିନ୍ଦା, ପରଶ୍ରୀକାତରତା ପରସ୍ପର ପରସ୍ପରର ଗୋଡ଼ ଧରି ତଳକୁ ଟାଣିବା ଛଡ଼ା ଆଉ କିଛି ନାହିଁ । ଏଇ ଟଣା ଟଣି ଭିତରେ ସମସ୍ତ ବୁଦ୍ଧିଜୀବୀ ସମାଜଟା କେବଳ ତଳକୁ ଖସିଯାଉଛି ସିନା, ଉପରକୁ ଉଠିବାର ଆଶା ନାହିଁ । ଗୁଡ଼ାଏ କୁକୁର ଖଣ୍ଡିଏ ହାଡ଼ପାଇଁ ମାଡ଼ଗୋଳ ଲାଗିଲା ପରି ଏ ମାଡ଼ଗୋଳ ଲାଗିରହିଛି ସବୁ ସମୟରେ । ବୁଦ୍ଧିଜୀବୀମାନେ ଦେଶର ମେରୁଦଣ୍ଡ । ଯେଉଁ ଦେଶର ମେରୁଦଣ୍ଡରେ କ୍ୟାନ୍‌ସର ସେଇଟି ସେ ଦେଶ ସଳଖି ହୋଇ ଛିଡ଼ାହେବ କେମିତି ?

 

ଜଣେ ନିରପେକ୍ଷ ବୁଦ୍ଧିଜୀବୀର ଜୀବନଯାପନ ଏ ଦେଶରେ ଏକ ଅଭିଶାପ । ସେ ଏକାନ୍ତ ଭାବେ ଏକାକୀ । ତାକୁ ସମସ୍ତେ ଉପେକ୍ଷା କରିଯାଆନ୍ତି । ପ୍ରଶଂସା ତ ଦୂରର କଥା ନିନ୍ଦା ବି କେହି କରନ୍ତି ନାହିଁ । କେବଳ ଏକ ନିର୍ବେଦ ଗ୍ରସ୍ତ ନୀରବତା । ଏକ ଜଡ଼ତ୍ୱର ନିର୍ଲିପ୍ତତା । ‘ର୍ବତ୍ତମାନ’ ଭିତରେ ରହି ସୁଦ୍ଧା ପାରିପାର୍ଶ୍ୱିକ ନିର୍ଲିପ୍ତତା ହିଁ ତାକୁ ଠେଲି ନେଇଯାଏ ‘ଅତୀତ’ର ଗହ୍ୱର ଭିତରକୁ । ସେ ‘ଅତୀତ’ ହୋଇଯାଏ ସ୍ୱାର୍ଥଲାଳସାର ଜଘନ୍ୟ ବର୍ତ୍ତମାନର ବାୟୁମଣ୍ଡଳ ଭିତରେ । ବୁଦ୍ଧିଜୀବୀ ଚାହେଁନା ପ୍ରଶଂସା–ତା’ଠୁ ବେଶି ଚାହେଁ ପ୍ରତିରୋଧ । ମୁହାଁ ମୁହିଁ ପ୍ରତିରୋଧ-। ପ୍ରତିରୋଧ ଫଳରେ ତା’ର ବୁଦ୍ଧି ଶାଣିତ ହୁଏ । ତା’ର ଜ୍ଞାନ ପରିମାର୍ଜିତ ହୁଏ । କିନ୍ତୁ, ଦେଶରେ ତା’ ସମ୍ଭବ ନୁହେଁ । ଏ ଦେଶର ବୁଦ୍ଧିଜୀବୀ ନିଜେ ନିଜର ଶତ୍ରୁ । ସେ ପଛରେ ନିନ୍ଦା କରେ ଗୋପନ–ଈର୍ଷାର ଷଡ଼ଯନ୍ତ୍ର କରେ, ଗୋଛି କାଟେ, ଚୁପି ଚୁପି ମନ୍ତ୍ରଣା କରେ । ଶେଷରେ ପିଠିପଟରୁ ଛୁରା ଭୁଷେ । ପଛରେ ପଛରେ ଚେର କାଟେ । ଏକ ବୁଦ୍ଧିଜୀବୀର ପତନରେ ଜଣେ ବୁଦ୍ଧିଜୀବୀ ଯେତେ ଖୁସିହୁଏ, ଅନ୍ୟ କୌଣସି ବ୍ୟକ୍ତି ସେତେ ଖୁସି ହୁଏନା । ଯେ ନିଜକୁ ନିଜେ ସମ୍ମାନ ଦେଇଜାଣେନା, ସେ ଅପରକୁ ସମ୍ମାନ ଦେବ କିପରି । ଏଭଳି ଏକ ପରିସ୍ଥିତିରେ ନିଜର ଅହଙ୍କାର (ବୁଦ୍ଧିଜୀବୀର ଆତ୍ମାଭିମାନ ?) ନେଇ ଲଢ଼ିବାର ସ୍ପର୍ଦ୍ଧା ମୋର କାହିଁ ? ଯେମିତି ଟସର ଶିଲ୍‌କର ଗୋଟିପୋକ ପରି ନିଜକୁ ଗୁଡ଼େଇ ନେଇ ତା’ର ଅନ୍ତରର ଉତ୍ତାପରେ ନିଜକୁ ଜାଳିବା ଛଡ଼ା ମୋର ବା ଆଉ କ’ଣ ଉପାୟ ଅଛି ?

 

ବାଲ୍ୟବନ୍ଧୁ ସୂର୍ଯ୍ୟକାନ୍ତ ପତି । ବର୍ତ୍ତମାନ ଆମେରିକାର ସ୍ଥାୟୀ ଅଧିବାସୀ । ନିଉୟର୍କ ବିଶ୍ୱବିଦ୍ୟାଳୟର ଆଣବିକ ପଦାର୍ଥ ବିଜ୍ଞାନର ପ୍ରଧାନ ଅଧ୍ୟାପକ । ବୁଲିଆସିଛି ନିଜ ଦେଶକୁ । ପରଦେଶୀ ପରି । ନିଜ ଘରେ ନିଜେ କୁଣିଆ ।

 

ସୂର୍ଯ୍ୟକାନ୍ତ ସ୍ୱାର୍ଥପର ? ସେ କ’ଣ ପଳାତକ ? ନିଜର ସୁଖ ସ୍ୱାଚ୍ଛନ୍ଦ୍ୟପାଇଁ ସେ କ’ଣ ଦେଶ ତ୍ୟାଗୀ ? ହୋଇପାରେ ନ ହୋଇ ବି ପାରେ ! କାରଣ ବର୍ତ୍ତମାନ ପରିସ୍ଥିତିରେ ଭାରତରେ ଜଣେ ବୈଜ୍ଞାନିକ ତା’ର ନିଜସ୍ୱ ପରିଚାଳନାରେ ଗବେଷଣା ଚଳାଇବା ଏକାନ୍ତ ଭାବରେ ଅସମ୍ଭବ-। ମୁଁ ଜାଣେ ଥରେ ସେ ଫେରିଆସିଥିଲା । ଦୁଇବର୍ଷ ରହିଥିଲା ବି । କିନ୍ତୁ ଶେଷକୁ ଆଉ ସହି ପାରିଲାନି । ଚାଲିଗଲା । ତା’ର ଭାଗ୍ୟ । ନ ହେଲେ ସେ ଆତ୍ମହତ୍ୟା କରିଥାନ୍ତା !

 

କିଓ, ଅନେକ ଦିନ ପରେ !

 

ହଁ ଅନେକ ଦିନ ପରେ ।

 

ଦେଶ କଥା ବୋଧେ ମନେପଡ଼େନା କୁବେରପୁରୀର ରାଜ ସମ୍ଭୋଗ ଭିତରେ ?

 

ନା, ବେଶି ମନେପଡ଼େ ବୋଲି ତ ଆସେନା । କାରଣ ପ୍ରବାସରେ ସ୍ୱଦେଶ ଏକ ମଧୁର କଳ୍ପନା–ଏକ ଅପୂର୍ବ ସ୍ୱପ୍ନ ହୋଇ ରହିଥାଏ । ସ୍ୱଦେଶକୁ ଫେରି ସେହି କଳ୍ପନା ଧୂଳିସାତ୍‌ ହୋଇଯାଏ ବୋଲି ତ ଆସେନା । ଆଉ ତମର ସବୁ ଖବର କ’ଣ ?

 

ଚାଲିଛି ଏକ ପ୍ରକାର । ଏ ଦେଶରେ ଉତ୍‌ଥାନ ନାହିଁ କି ପତନ ମଧ୍ୟ ନାହିଁ । କେବଳ ଏକ ଗଡ୍‍ଡାଳିକା ପ୍ରବାହ ।

 

ହଁ ତମେ ପରା ଓଡ଼ିଶାର ଜଣେ ବଡ଼ ଲେଖକ ହୋଇଗଲଣି ଏ ଭିତରେ ?

 

ବଡ଼ ହୋଇଛି କି ନା ଜାଣେନା । ତେବେ ଲେଖୁଛି । ତମେ କେମିତି ଜାଣିଲ ? ତମେ ତ ଜଣେ ବିଖ୍ୟାତ ବୈଜ୍ଞାନିକ ।

 

ଥରେ କହିଲି ପରା, ଦେଶାନ୍ତର ହେଲେ ଯାଇ ଦେଶର ମାୟା ବଢ଼େ । ଏଠି ଥିଲାପର୍ଯ୍ୟନ୍ତ ଓଡ଼ିଆ ପତ୍ରିକା ତ ମୁଁ ଜମା ପଢ଼ିନଥିଲି । ସେଇଠି ଏଇଟା ଗୋଟାଏ ଝୁଙ୍କ । ପ୍ରାୟ ସବୁ ପତ୍ରିକାରେ ଦେଖୁଛି ତମେ ଲେଖୁଛ । ପଇସାପତ୍ର ପାଉଛ ନା ନାହିଁ ।

 

ମୁଁ ହସିଲି ।

 

ପଇସା–ଯେଉଁଠି ନିଜର ଲେଖା ବାହାରିଥିବା ପତ୍ରିକାଟି ପର୍ଯ୍ୟନ୍ତ ସବୁ ସମୟରେ ମିଳେନା–ସେଇଠି –

 

ଆଶ୍ଚର୍ଯ୍ୟ । ଆମେରିକାରେ କିନ୍ତୁ ପ୍ରତି ଶବ୍ଦର ମୂଲ୍ୟ ଅଛି । ବହୁତ ପଇସା–

 

ଆମେରିକା; ଆମେରିକା । ଆମଦେଶ ସେ ଦେଶ ଭିତରେ ତୁଳନା ହୁଏନା ।

 

ବହି ଛପେଇଲଣି ?

 

ହଁ ।

 

ଗଦା ହୋଇଥିବା ବହିଗୁଡ଼ାକ ତାକୁ ଦେଖେଇଦେଲି ।

 

ଏଗୁଡ଼ାକ କ’ଣ ଗଦା ହୋଇଛି ?

 

ମୋ ବହି ।

 

ଏଠି କାହିଁକି ଗଦା ହୋଇଛି ?

 

ନିଜେ ଛପେଇଛ ।

 

ତମେ କ’ଣ ତା’ହେଲେ ହାତରୁ ପଇସା ଖର୍ଚ୍ଚକରି ବହି ଛପେଇଛ ? ପ୍ରକାଶକ କ’ଣ ମିଳିଲେ ନାହିଁ ?

 

ନା–

 

କାରଣ ?

 

ଏ ହେଲା ସ୍ୱାର୍ଥପରତାର ଯୁଗ । ମୁଁ ରାଜନୈତିକ ନେତା ବା କ୍ଷମତାସଂପନ୍ନ ରାଜକର୍ମଚାରୀ ନୁହେଁ ଯେ ତାଙ୍କର ବ୍ୟବସାୟପାଇଁ କିଛି ‘ଫେଭର’ ଦେଖେଇପାରିବି ଆଉ ସେମାନେ ମୋ ବହି ପ୍ରକାଶ କରିବାପାଇଁ ସ୍ୱତଃପ୍ରବୃତ୍ତ ହୋଇ ଆଗେଇଆସିବେ । ତା’ଛଡ଼ା ମୁଁ ‘ଟେକ୍‌ସଟ ବୁକ୍‌’ ଓ ‘ନୋଟ୍‌ ବୁକ୍‌’ ଲେଖା ଅଧ୍ୟାପକ ବି ନୁହେଁ । ବହି ତ ଛପାହୁଏ ସେହିମାନଙ୍କରପାଇଁ ହିଁ ବେଶି । ସାହିତ୍ୟର ମୂଲ୍ୟ ନେଇ ଏଇଠି ପ୍ରକାଶକ ବହି ଛାପନ୍ତି ନାହିଁ ।

 

କିନ୍ତୁ ତମର ବା ଏତେ ଆତ୍ମଭିମାନ କାହିଁକି ? ପ୍ରକାଶକମାନଙ୍କ ପାଖକୁ ଯାଇ ଚେଷ୍ଟାକରି ତାଙ୍କର ବିଶ୍ୱାସ ଜନ୍ମାଇବାରେ ତମର ଆପତ୍ତି କାହିଁକି ? ପୃଥିବୀର ବହୁ ବଡ଼ ବଡ଼ ଲେଖକ ତ ପ୍ରଥମେ ପ୍ରଥମେ ଏମିତି ନିଜ ନିଜର ମୂଲ୍ୟବାନ ପାଣ୍ଡୁଲିପି ନେଇ କେତେ ପ୍ରକାଶକଙ୍କର ଦ୍ୱାରସ୍ଥ ହୋଇଛନ୍ତି ? ତମେ ତ ଏଇ ଆରମ୍ଭ ମାତ୍ର !

 

ସେମାନଙ୍କର କଥା ଅଲଗା, କାରଣ ସେମାନଙ୍କର ବଞ୍ଚିବାର ଏକମାତ୍ର ପାଥେୟ ଥିଲା ବହି ବିକ୍ରି । ଭାଗ୍ୟକୁ ମୋର ସେଇ ଚିନ୍ତା ନାହିଁ । ଲେଖା ମୋର ଏକ ଆଧ୍ୟାତ୍ମିକ ଆବଶ୍ୟକତା, ଆଉ ଆତ୍ମଭିମାନ ? ଜଣେ ଶିଳ୍ପୀର, ଜଣେ ବୁଦ୍ଧିଜୀବୀର ଆତ୍ମଭିମାନ, ଅହଂକାର କ’ଣ ଏତେ ଗର୍ହିତ ଜିନିଷ ? ନିଜ ଉପରେ ଦୃଢ଼ ଆତ୍ମପ୍ରତ୍ୟୟ, ଗଭୀର ବିଶ୍ୱାସ ନ ଆସିଲେ ଏ ଅହଂକାର ଆସେନା–ସୂର୍ଯ୍ୟ ! ଏ ଅହଂକାରକୁ ତମେ ଅହମିକା ଭାବନା, ଏ ଅହଂକାରରେ ଜ୍ୱାଳା ନାହିଁ । ଏଥିରେ ଆତ୍ମପ୍ରତ୍ୟୟର ପ୍ରଶାନ୍ତି ।

 

ତମର ଏ ସାହିତ୍ୟିକ ଭାଷା ବୁଝିବା ମୋ ପକ୍ଷରେ ସମ୍ଭବପର ନୁହେଁ । ସାଧା ଓଡ଼ିଆରେ ହେଲା–ତମର ଲେଖା ପ୍ରକାଶ କରିବାକୁ କେହି ରାଜି ନୁହନ୍ତି, ନୁହେଁ ?

 

ଆପାତତଃ ତମରି ଭାଷାରେ ‘ହଁ’ ।

 

ତମେ କ’ଣ ଭାବୁଛ ଯେ ତମେ ଏମିତି ବିଖ୍ୟାତ ଲେଖକ ଯେ ପ୍ରକାଶକମାନେ ଦୌଡ଼ିବେ ?

 

କାହିଁକି ନୁହେଁ ! ସେମାନେ ଯଦି ଅଶିକ୍ଷିତ କାଗଜ ବ୍ୟବସାୟୀ ପାଖକୁ ବାରମ୍ୱାର ଦୌଡ଼ିପାରନ୍ତି, ପ୍ରେସ୍‍ବାଲା ପାଖକୁ ଯାଇପାରନ୍ତି, କଲେଜ ଓ ସ୍କୁଲର ଲାଇବ୍ରେରୀଆନ୍‌ମାନଙ୍କ ପାଖକୁ ଦୌଡ଼ିପାରନ୍ତି, ଜଣେ ଲେଖକ ପାଖକୁ (ଯାହାକୁ ନେଇ ତାଙ୍କର ବ୍ୟବସାୟ) ତା ପାଖକୁ ଆସିବାରେ ସେମାନଙ୍କର ଦ୍ୱିଧା ହେବ କାହିଁକି ? । ସେମାନେ ଯେ କେତେକ ଲେଖକଙ୍କ ପାଖକୁ ନ ଯାନ୍ତି ସେକଥା ବି ନୁହେଁ । ଅସଲ କଥା, ‘ଟଙ୍କା’ । ସେମାନେ ବ୍ୟବସାୟ କରନ୍ତି ଟଙ୍କାର–ଆଦର୍ଶର ନୁହେଁ । ଆଦର୍ଶର ଅପେକ୍ଷା ‘ପେଟ’ଟାର ଦାବି ବହୁତ ବେଶି ।

 

କିନ୍ତୁ ତମେ କାହିଁକି ବୁଝନା ଯେ ତମ ଲେଖାରେ ହୁଏତ ଏମିତି କିଛି ଦୁର୍ବଳତା ରହିଛି ଯାହାପାଇଁ ସେମାନେ ‘ରିସକ୍‌’ ନେବାକୁ ପ୍ରସ୍ତୁତ ନୁହଁନ୍ତି । ତମେ ହୁଏତ ନିଜ ଲେଖାକୁ ଖୁବ୍‌ ଉଚ୍ଚ ଧରଣର ମନେକରିପାର କିନ୍ତୁ ଜନସାଧାରଣଙ୍କ ନିକଟରେ ଯଦି ତା’ର ଆଦର ନାହିଁ ତେବେ ନିଜର ଏଇ ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଭୀରୁ ପରି ଅନ୍ୟଜଣକ ଉପରେ ଲଦିଦେଉଛ କାହିଁକି ?

 

ମୁଁ ସେକଥା ମାନୁଛି । ମୋ ଲେଖାରେ ଦୋଷ ଦୁର୍ବଳତା ରହିବା ସ୍ୱାଭାବିକ, କିନ୍ତୁ ଜନସାଧାରଣଙ୍କ ରୁଚି ଉପରେ ଯେ ସବୁବେଳେ ସାହିତ୍ୟ ଲେଖାଯିବ ଏ କଥା ବି ଠିକ୍‌ ନୁହେଁ । ଲେଖକ ସୃଷ୍ଟିକରେ । ତା’ର ସେଇ ସୃଷ୍ଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ପ୍ରକାଶକର । କିନ୍ତୁ ସେଇ ‘ସୃଷ୍ଟି’ ଜନସାଧାରଣଙ୍କଦ୍ୱାରା ଗୃହୀତ ହେବ କି ଉପେକ୍ଷିତ ହେବ ସେ ବିଚାର ପ୍ରକାଶକ ଆଗତୁରା ନେବ କେମିତି ? ଉତ୍ପାଦନକାରୀର ସମାଜ ପ୍ରତି ଯେତିକି ଦାୟିତ୍ୱ ରହିବାର କଥା, ତାଠାରୁ ବେଶି ଦାୟିତ୍ୱ ପରିବେଶକମାନଙ୍କର ରହିବା ଉଚିତ । କାରଣ ସେମାନେ ତ ସ୍ରଷ୍ଟା ଓ ଜନସାଧାରଣଙ୍କ ଭିତରେ ଯୋଗସୂତ୍ର ।

 

ତେବେ ଆଉ କିଛି ନୁହେଁ । ଯେଉଁଦିନ ସେମାନେ ଜାଣିପାରିବେ ଯେ ମୋ ବହିରେ ‘ଟଙ୍କା’ ଅଛି–ସେମାନେ ଆସିବେ ।

 

ତମେ କ’ଣ ସେଇ ସୁଦିନର ଅପେକ୍ଷାରେ ଅଛ ?

 

ଅପେକ୍ଷା ମୁଁ କାହାର କରେନା । ତା’ର ଉଦାହରଣ ତ ତମ ଆଗରେ ।

 

ଗୁଡ଼ିଏ ଅର୍ଥଶ୍ରାଦ୍ଧ କରି ଏ ଆଦର୍ଶବାଦର ମାନେ ମୁଁ ବୁଝେନା ।

 

କୁବେର ପୁରୀରେ ରହି ତମେ କୈଳାସର ଚିନ୍ତା କରିପାରିବ ନାହିଁ, ମୁଁ ଜାଣେ ।

 

ମାନେ ?

 

ମାନେ କିଛି ନୁହଁ । ଛାଡ଼ ସେ କଥା ।

 

ବହି କେମିତି କଟୁଚି ?

 

ମନ୍ଦ ନୁହେଁ ।

 

ଆଉ, ସମାଲୋଚକମାନଙ୍କ ମତାମତ କ’ଣ ?

 

(ଆଃ ଫେର୍‌ ସେଇ ଆମେରିକାନ୍‌ ଢଙ୍ଗ । ଲୋକାଟା ଦେଶାନ୍ତରୀ ହୋଇ ପୂରା ପୂରି ‘ଫରେନର୍‌’’ ହୋଇଗଲାଣି ।)

 

ରାମାନନ୍ଦୀ ।

 

କ’ଣ ? କ’ଣ ?

 

ବହିର ସମାଲୋଚନା ହିଁ ବାହାର ହୋଇନି-ଆଉ ମତାମତ, ଶିରୋନାସ୍ତି ଶୀରୋଃପୀଡ଼ା । ତା ଛଡ଼ା ‘ସମାଲୋଚକ’ର ମତାମତ ନେଇ ବହି ବିକ୍ରି ହୁଏନା ଏ ଦେଶରେ ।

 

କାରଣ ?

 

ଏ ଦେଶର ବହୁ କମ୍‌ ପାଠକ କିଣି କରି ଓଡ଼ିଆ ବହି ପଢ଼ନ୍ତି । ଅଧିକାଂଶଙ୍କର କିଣିବାର ସାମର୍ଥ୍ୟ ନାହିଁ । ଯାହାର ସାମର୍ଥ୍ୟ ଅଛି ତା’ର ଇଚ୍ଛା ନାହିଁ । ତେଣୁ ‘ସରକାର’ ହିଁ ଏକମାତ୍ର ଗ୍ରାହକ । ତେଣୁ ଏ ଦେଶରେ ବହି ବିକ୍ରିହୁଏ ଡିପିଆଇ, ଗ୍ରାମମଙ୍ଗଳ, ଲୋକସମ୍ପର୍କ ବିଭାଗ ଓ ସେକ୍ରେଟାରୀଏଟ୍‌ର କୋଠରି ଭିତରେ । ତେଣୁ ଏହି ବହି ବିକ୍ରି କରିବାରେ ଆଉ ଯାହା କାରଣ ଥାଉ ପଛେ ‘ସମାଲୋଚକର ମତାମତ’ ଯେ ମୋଟେ ବିଚାରକୁ ନିଆଯାଏ ନାହିଁ, ଏକଥା ନିରାଟ ସତ୍ୟ ।

 

ତା ବୋଲି କ’ଣ ସାହିତ୍ୟ ସମାଲୋଚନା ହେବ ନାହିଁ ?

 

କିଏ ମନା କଲା? ଆଲୋଚନା ହେଉଛି ତେବେ ‘ସାହିତ୍ୟ’ର ନୁହେଁ ‘ବ୍ୟକ୍ତିତ୍ୱ’ର ।

 

ମାନେ ?

 

ଏ ଦେଶରେ ତିନିପ୍ରକାର ସାହିତ୍ୟ ସୃଷ୍ଟିହୁଏ–ଏକରେ ଚାକିରିଜୀବୀ ସାହିତ୍ୟ, ଦୁଇରେ ଅଧ୍ୟାପକୀ ସାହିତ୍ୟ ଓ ତିନିରେ ସ୍ୱାଧୀନଜୀବୀ ସାହିତ୍ୟ । ସେ ଭିତରୁ ଶତକଡ଼ା ପଞ୍ଚାନବେ ଜଣ ଦ୍ୱିତୀୟ ଶ୍ରେଣୀରେ ଅନ୍ତର୍ଭୁକ୍ତ । ତେଣୁ ଅଧ୍ୟାପକମାନେ ହେଲେ ଏ ଦେଶର ସାହିତ୍ୟ ସଂସ୍କୃତିର କର୍ଣ୍ଣଧାର । ସାହିତ୍ୟ ଲେଖନ୍ତି ସେମାନେ–ସମାଲୋଚନା କରନ୍ତି ସେମାନେ । ତାଙ୍କ ଭିତରେ ପୁଣି ବିଭିନ୍ନ ଗୋଷ୍ଠୀ ରହିଛି । ବିଜ୍ଞାନ ଅଧ୍ୟାପକ, ଇଂରାଜୀ ଅଧ୍ୟାପକ, ଓଡ଼ିଆ ଅଧ୍ୟାପକ ଇତ୍ୟାଦି ଇତ୍ୟାଦି । ତେଣୁ ସେଇ ବିଭିନ୍ନ ଗୋଷ୍ଠୀର ଲୋକେ କେବଳ ନିଜ ଗୋଷ୍ଠୀ ଭିତର ବ୍ୟକ୍ତିର ହିଁ ସମାଲୋଚନା ଲେଖନ୍ତି । ସେଥିରେ ଅନ୍ୟମାନଙ୍କ ପ୍ରବେଶ ନିଷେଧ । ନିର୍ଭୀକ, ସୁଷ୍ଠୁ, ବିଚାରଶୀଳ, ପକ୍ଷପାତ, ଶୂନ୍ୟ ସମାଲୋଚନା ଏ ଦେଶର ମାଟିରେ ଏ ପର୍ଯ୍ୟନ୍ତ ଅଙ୍କୁରିତ ହୋଇନାହିଁ ।

 

ତମେ ବୋଧହୁଏ ନିଜର ବିଫଳତାରେ ବିଷୋଦ୍‌ଗାର କରୁଛ ଅନ୍ୟମାନଙ୍କ ଉପରେ । ତା ନହେଲେ–

 

ହୋଇପାରେ । ମୁଁ ଜଣେ ମଣିଷ । ଦେବତା ନୁହେଁ । ତେଣୁ ମୋ ଭିତରେ ଈର୍ଷା, ହିଂସା ରହିବା ସ୍ୱାଭାବିକ । କିନ୍ତୁ ମୁଁ ଯାହା କହୁଛି ସେଥିରେ ଏସବୁର ବିନ୍ଦୁମାତ୍ର ଲକ୍ଷଣ ନାହିଁ । ତମେ ନିଜେ ଚେଷ୍ଟାକରି ପଢ଼ି ଦେଖ-ଦେଖିବ ମୋର କଥାର ସତ୍ୟତା କେତେ । ମୁଁ ତମକୁ କହିଛି ନା ଏ ଦେଶରେ ସାହିତ୍ୟର ସମାଲୋଚନା ହୁଏନା-ହୁଏ ‘ବ୍ୟକ୍ତିତ୍ୱ’ର । ସେଇ ପରିପ୍ରେକ୍ଷୀରେ ସମାଲୋଚନା ମଧ୍ୟ ତିନି ଶ୍ରେଣୀର ।

 

‘‘ପରସ୍ପରର ପିଠି ଆଉଁଷା’’ ସମାଲୋଚନା ‘‘ନ୍ୟସ୍ତ ସ୍ୱାର୍ଥ ସୁବିଧାବାଦୀ’’ ସମାଲୋଚନା ଓ ‘‘ହିପୋକ୍ରିକ୍‌’’ ସମାଲୋଚନା । ପ୍ରଥମଟି ନିଜ ନିଜର ଗୋଷ୍ଠୀ ଭିତରେ ସୀମାବଦ୍ଧ । ଦ୍ୱିତୀୟଟିରେ ସମାଲୋଚନା ହୁଏ ଉଚ୍ଚ ଶାସନ ପଦବୀରେ ଅଧିଷ୍ଠିତ କର୍ମଚାରୀ ଓ ରାଜନୈତିକ ନେତାମାନଙ୍କର ସାହିତ୍ୟ । ଏହାର ଉଦ୍ଦେଶ୍ୟ ହେଲା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର କୃପାଭାଜନ ହୋଇ, କିଛି ବ୍ୟକ୍ତିଗତ ଲାଭ ବା ଫାଇଦା ଉଠାଇବା–ଯଥା ବଦଳି ବନ୍ଦ (କଟକ କିମ୍ୱା ଭୁବନେଶ୍ୱର ଛଡ଼ା), ପ୍ରମୋସନ୍‌ ସୁବିଧା, ରାଜଧାନୀରେ ଜାଗା ଖଣ୍ଡେ, ଘର ଋଣ କିମ୍ୱା ଗଳି ପଶି କୋଉଠି କିଛି ମାରି ନେବା । ତୃତୀୟ ପ୍ରକାର ସମାଲୋଚନା ହୁଏ ପ୍ରାଚୀନ କାଳର । ଏଇଟା ସବୁଠାରୁ ସୁବିଧା । ସେସବୁ କବି ବର୍ତ୍ତମାନ ମୃତ । ତେଣୁ ତାଙ୍କୁ ଗାଳିଦେଲେ ବା ପ୍ରଶଂସା କଲେ ପ୍ରତିବାଦ କରିବାକୁ କେହିନାହିଁ । ତାଛଡ଼ା କୋଉ କବି କୋଉଠି ଜନ୍ମ ହୋଇଥିଲା, ସେ ବ୍ରାହ୍ମଣ ଥିଲା କି କଣ୍ଡରା ଥିଲା–କୋଉଠି ମଲା–କେମିତି ମଲା ଏମିତି ବ୍ୟକ୍ତିଗତ ଇତିହାସ ସଂଗ୍ରହ କରି ଲେଖିଦେଲେ ଗଲା । ତା’ର ଅସଲ ସାହିତ୍ୟିକ ମୂଲ୍ୟ କୋଉଠି ନିହିତ ରହିଛି ସେକଥା ନ କହିଲେ ଗଲା । ବେଶି କିଛି ହେଲେ କବିର କୌଣସି ପୁସ୍ତକ (ଯାହା ପାଠ୍ୟପୁସ୍ତକ ଭାବେ ମନୋନୀତ ହୋଇଥିବ) ତାର ପଦର ସରଳାର୍ଥ କରି ସମାଲୋଚନା (?) ପ୍ରକାଶ କରିବା । ଏ ହେଲା ଆମର ସାହିତ୍ୟ ସମାଲୋଚନାର ପରମ୍ପରା । ମଝିରେ ମଝିରେ ଅବଶ୍ୟ ଓଡ଼ିଶାର ଗୌରବୋଜ୍ୱଳ ଐତିହ୍ୟର ଆବିଷ୍କାରପାଇଁ ଖଣ୍ଡେ ଖଣ୍ଡେ ତାଳପତ୍ର ପୋଥି ଧରି ସାହିତ୍ୟ ଜଗତରେ ‘ଚହଳ’ ପକାଯାଏ । ଏଇପ୍ରକାର ‘ହିପୋକ୍ରିଟ୍‌ ସମାଲୋଚନା’ର ଉଦ୍ଦେଶ୍ୟ ହେଲା ଗୋଟାଏ ଗବେଷକର ‘‘ହେଲୋ’’ ନିଜ ଚାରିପାଖରେ ସୃଷ୍ଟି କରିବା ଓ ତା ସଙ୍ଗେ ‘ପାଠ୍ୟପୁସ୍ତକ’ର ନୋଟ୍‌ ଲେଖି ଦି’ପଇସା କମେଇନେବା । ସବୁଠାରୁ ଲଜ୍ଜାଜନକ ପରିସ୍ଥିତି ଏଇ ଯେ ଦେଶର ଲେଖକକୁ ନିଜର ପ୍ରଶସ୍ତି ନିଜେ ଲେଖେଇ ଆଣିବାକୁ ପଡ଼େ ।

 

କାହିଁକି ? ନିଜର ପ୍ରଶସ୍ତି ଶୁଣିବାକୁ କ’ଣ ତୁମକୁ ଖରାପ ଲାଗେ ?

 

ନିଶ୍ଚୟ ନୁହେଁ । କିନ୍ତୁ ସେ ପ୍ରଶସ୍ତି ଆସିବା ଦରକାର ଏପରି ଏକ ବ୍ୟକ୍ତିଠାରୁ ଯାହା ସହିତ ମୋର ବ୍ୟକ୍ତିଗତ ଲାଭଲାଭର ସମ୍ପର୍କ ନାହିଁ । କାରଣ ତେବେ ଯାଇ ସେ ମୋର ଦୋଷଗୁଣ ନିରପେକ୍ଷ ଓ ନିର୍ଭୀକ ଭାବରେ ଦେଖାଇପାରିବ । ବୃଥା ପ୍ରଶଂସା ମୁଁ ଚାହେଁନା । ନିଜକୁ ଛୋଟ କରିବାକୁ ମୁଁ ବଡ଼ ଘଣାକରେ ସୂର୍ଯ୍ୟ । ମୋର ଅହଂକାର ମୋଠାରୁ ବହୁ ଊର୍ଦ୍ଧ୍ୱରେ ।

 

ଦେଖ, ତମେ ଯେତେ ବଡ଼ ବଡ଼ କଥା କୁହ ପଛେ, ଗୋଟାଏ କଥା ସତ ଯେ, ତମେ ଯାହା ଲେଖିଛ ତାକୁ ପ୍ରକାଶ କରିବାପାଇଁ ଲୋକ ନାହାନ୍ତି କି ସମାଲୋଚନା କରିବାକୁ କେହି ଚାହୁଁନାହାନ୍ତି । ତମ ଦୋଷ ତ୍ରୁଟି ନିଜେ ନ ଦେଖି ଅପର ମୁଣ୍ଡରେ ଅଠା ବୋଳୁଛ କାହିଁକି ?

 

ଅନେକ ଲେଖକର ବହି ପ୍ରକାଶିତ ହୁଏନା ବା ତା’ର ସମାଲୋଚନା ହୁଏନା । ସେଥିପାଇଁ ଲେଖା ମରିଯାଏନା । ଯଦି ତା ଭିତରେ କିଛି ବଞ୍ଚିବାର ନିଜସ୍ୱ ପ୍ରାଣଶକ୍ତି ଥାଏ ସେ ବଞ୍ଚି ରହିବ ହିଁ ରହିବ ।

 

ତମେ କ’ଣ ଭାବୁଛ ତମ ଲେଖା ସମ୍ୱନ୍ଧରେ ?

 

ମୁଁ କିଛି ଭାବୁନି । ଲେଖିବା ମୋର ଦାୟିତ୍ୱ–ତା’ର ସ୍ଥାୟିତ୍ୱ ନୁହେଁ । ଲେଖା ଯଦି ମୂଲ୍ୟହୀନ ତେବେ ସେ ତ ନିଶ୍ଚୟ ମରିଯିବ । ତାଛଡ଼ା ମୁଁ ମୋ ନିଜ ଲେଖାର ନିରାସକ୍ତ ବିଚାରକ ନୁହେଁ । ଲେଖକ ନିଜ ଲେଖାର ସଠିକ୍‌ ବିଚାର କରିପାରେନା । ସେ ଆଶାକରେ, ବିଶ୍ୱାସକରେ । କିନ୍ତୁ ତା’ର ଆଶା ଓ ବିଶ୍ୱାସ ନେଇ ‘ଲେଖା’ ବଞ୍ଚେନା ।

 

ଭାବିଲେ ଆଶ୍ଚର୍ଯ୍ୟ ଲାଗେ-ଦୁଃଖ ବି ହୁଏ । ଏ ଦେଶ ଏପିକ୍‌ର ଦେଶ । ରାମାୟଣ, ମହାଭାରତ, ବେଦ ଉପନିଷଦର ଦେଶ । ଯୋଉ ଦେଶର ଆଦର୍ଶ ଯେତେ ମହାନ୍‌, ସେ ଦେଶର ଲୋକମାନେ କ’ଣ ସେତିକି ବେଶି ନୀଚ ? ଯୋଉ ଦେଶର ଜଣେ କୌପୀନ୍‌ ଧାରୀ, ଜ୍ଞାନୀ ତପସ୍ୱୀ ପାଖରେ ଶକ୍ତିଶାଳୀ ରାଜପୁରୁଷ ଏକଦା ମୁଣ୍ଡ ନୁଆଁଉଥିଲା, ଯୋଉ ଦେଶର କବିଙ୍କ କଳ୍ପନାର ଆଦର୍ଶ ଚରିତ୍ର, ଦୀର୍ଘ ତିନିହଜାର ବର୍ଷ ଧରି ଜନସାଧାରଣଙ୍କ ମାନସକୁ ଆଚ୍ଛନ୍ନ କରି ରଖିଛି, ସେଇ ଦେଶର କବି, ସେଇ ଦେଶର ଜ୍ଞାନୀ ଆଜି ସାମାନ୍ୟ ରାଜ ଅନୁଗ୍ରହପାଇଁ ଏତେ ବ୍ୟାକୁଳ କାହିଁକି ? ଯେଉଁ ଦେଶ ‘ଜ୍ଞାନ’କୁ ଶତାବ୍ଦୀ ଧରି ଏତେ ସମ୍ମାନ ଦେଇଆସିଛି, ସେଇ ଦେଶରେ ଜ୍ଞାନ ଆଜି ଏତେ ଅପାଂକ୍ତେୟ କାହିଁକି ? ଯୋଉ ଦେଶର କବି ଶହ ଶହ ବର୍ଷ ଆଗେ ଗାଇପାରେ ‘‘ନିରବଧି ସମୟର ବିପୁଳାଚ ପୃଥ୍ୱୀ’’ ସେଇ ଦେଶର କବି ‘ବର୍ତ୍ତମାନ’କୁ ନେଇ ଏତେ ବ୍ୟସ୍ତ କାହିଁକି ? ଏ କ’ଣ ସେଇ ଆଦର୍ଶର ନିଷ୍ଠୁର ପରିହାସ । ପଣ୍ଡିତଙ୍କର ମୂର୍ଖ ସନ୍ତାନ ଜନ୍ମ ନେବା କ’ଣ ଏକ ଅବଶ୍ୟମ୍ଭାବୀ ପରିଣତି ?

 

ପୃଥିବୀରେ ଆଜି ନୂତନ ସଭ୍ୟତାର ଅଭ୍ୟୁଦୟ । ଭୌତିକ ଉନ୍ନତିର ଚରମ ସୀମାରେ ଆଜିର ମଣିଷ । କିନ୍ତୁ ମଣିଷର ପ୍ରକୃତି ତ ବଦଳି ନାହିଁ । ବଦଳି ନାହିଁ ତା’ର ଅର୍ନ୍ତନିହିତ ଚରିତ୍ର, ତା’ର ଚିରାଚରିତ ଜିଜ୍ଞାସା । ତେବେ କାହିଁକି ଏ ଦେଶର ବୁଦ୍ଧିଜୀବୀ ସଂପ୍ରଦାୟର ଏଇ ଶୋଚନୀୟ ପରିଣତି ? ସାମାନ୍ୟତମ ସ୍ୱାର୍ଥ ଲାଳସାରେ ନିର୍ବିଚାର ଭାବରେ ଏମାନେ ଅଜ୍ଞ, ନିର୍ବୋଧ ମୂର୍ଖ ରାଜନୀତିକ ଟାଉଟରମାନଙ୍କର ପଦଲେହନ କରିଚାଲିଛନ୍ତି । ଏଇ ବିଷାକ୍ତ ପରିସ୍ଥିତି ଭିତରେ, ଦେଶର ଜନତା ଅସହାୟ ଭାବରେ ପଚିସଢ଼ି ନିଶେଷ ହୋଇଯାଉଛନ୍ତି । ପ୍ରତ୍ୟେକ ଅନ୍ତର ଭିତରେ ଅଗ୍ନିକଣା ନିର୍ବାପିତ ହୋଇଯାଉଛି ଏଇ ପୂତିଗନ୍ଧମୟ ଅଙ୍ଗାରକାମ୍ଳ ବାଷ୍ପ ଭିତରେ । ତାଙ୍କପାଇଁ କ’ଣ ଆମର କିଛି କର୍ତ୍ତବ୍ୟ ନାହିଁ ? ଦାୟିତ୍ୱ ନାହିଁ ?

 

ରେଜିଷ୍ଟାର୍ଡ଼ ଚିଠିର ଠିକଣାଟା ଦେଖିଲାମାତ୍ରେ ମୁଁ ବୁଝିନେଲି ମୁଁ ହାରିଛି । ଗୋପନୀୟ ଚରିତ୍ର ପତ୍ରରେ ଲିପିବଦ୍ଧ ମୋର ଗୁଣାବଳୀ । କର୍ମ ଦକ୍ଷତାହୀନ, ବିଶୃଙ୍ଖଳା, ବିତଣ୍ଡା ପ୍ରିୟ ଇତ୍ୟାଦି ଇତ୍ୟାଦି ।

 

ଭେଙ୍କଟ ସ୍ୱାମୀ ।

 

ସରକାରୀ ଚରିତ୍ର ଲିପି ବ୍ୟକ୍ତିତ୍ୱର ସମୁଦାୟ ଚରିତ୍ର ନୁହେଁ । ସରକାରୀ ନଥିପତ୍ରର ଏ ଚରିତ୍ର ପତ୍ର ଏକ ଭଣ୍ଡାମି । ସେଇ ଭଣ୍ଡାମି, ଧୂର୍ତ୍ତତା ନେଇ ପ୍ରମୋସନ ଆଦାୟ କରିହୁଏ, ମନୁଷ୍ୟତ୍ୱ ନୁହେଁ ।

 

ମୁଁ ବୁଝିପାରୁଛି ମୁଁ ଏକାକୀ । କିନ୍ତୁ ଏଇ ଏକାକୀତ୍ୱ ମୋତେ ଦୁର୍ବଳ କରୁନି । ଏଇ ଆଶୀର୍ବାଦର ଅହଂକାର ମୋତେ ସାହସୀ କରିଛି, ତେଜସ୍ୱୀ କରିଛି । ସେ ଅହଂକାର ମୋତେ ଏକ ସ୍ୱୟଂ ସଂପୂର୍ଣ୍ଣ ଏକକ ପରି ପରିବେଷ୍ଟନ କରି ଆଗେଇ ଯିବାକୁ ପ୍ରେରଣା ଦେଉଛି ।

 

ମୁଁ ବୁଝିପାରୁଛି ଏ ଅହଂକାର ବଡ଼ ନିଷ୍ଠୁର । ତା’ର ଦାବି ବଡ଼ ନିର୍ମମ । ବ୍ୟକ୍ତିର ସ୍ୱାଭାବିକ ସୁଖ ସ୍ୱାଚ୍ଛନ୍ଦ୍ୟର ବଳିଦାନ ଚାହେଁ ସେ ।

 

ସଚ୍ଚିଦାନନ୍ଦ ମହାନ୍ତି ।

 

ମୁଁ ଆଜି ଠିକ୍‌ ବୁଝିପାରୁଛି ତମକୁ । ଆତ୍ମପ୍ରତ୍ୟୟ ଆତ୍ମବିଶ୍ୱାସ ନ ଆସିଲେ ଆତ୍ମଭିମାନ ଆସେନା–ଅହଂକାର ଆସେନା । ଆଉ ସେ ଅହଂକାର ଥରେ ଆସିଲେ କେବେହେଲେ ଛାଡ଼ି ଯାଏନା । ସେଥିପାଇଁ ଶତ ଯନ୍ତ୍ରଣା, ଶତ ଲାଞ୍ଛନା ସତ୍ତ୍ୱେ ବ୍ୟକ୍ତି ତାକୁ ଛାଡ଼ିପାରେନା । ତାକୁ ହିଁ ବୋହି ନେଇଯାଏ ମୃତ୍ୟୁ ପର୍ଯ୍ୟନ୍ତ ।

 

ସଚ୍ଚିଦାନନ୍ଦ ମହାନ୍ତି ।

 

ତମେ ମୋର ନମସ୍ୟ ।

Image

 

ଚିଲ

 

ବହୁତ ଉଚ୍ଚରେ ଚିଲଟିଏ ଉଡ଼ୁଛି ।

 

ଶେଷ ପୌଷର ମେଘମୁକ୍ତ ଆକାଶ ଅପରାହ୍ନର ନରମ ଖରାରେ ଝଲମଲ କରୁଛି । ଆକାଶଟା ଧୂଳିମୁକ୍ତ ବାୟୁର ପତଳା ଆସ୍ତରଣ ଭିତର ଦେଇ ଅତି ବେଶି ନୀଳ ଦିଶୁଛି । ସେଇ ନୀଳ ଆକାଶ ଓ ଝଲମଲ ସୂର୍ଯ୍ୟକିରଣର ନାଲିଚିଆ ଆଲୋକର ଧୂସର ରଙ୍ଗ ମଝିରେ ଚିଲଟି ଥରେ ନୀଳରଙ୍ଗ ଭିତରକୁ ପହଁରିଯାଉଛି, ପୁଣି ଆଉଥରେ ଫେରିଆସୁଛି ନାଲି-ଧୂସର-ରଙ୍ଗ ଭିତରକୁ । ଥରେ ଥରେ ଅତି କ୍ଷୁଦ୍ର ବିନ୍ଦୁଟି ହୋଇ ସ୍ଥିର ଭାବରେ ରହିଯାଉଛି ବହୁ ସମୟ ଧରି । ଫେରି ଆଉଥରେ ଡେଣା ଝାଡ଼ି ଉପରକୁ ଉଠିଲାବେଳକୁ, କପାଖିଆ ଡେଣା ତେରଛା ସୂର୍ଯ୍ୟାଲୋକର ସୁନେଲୀ ରଙ୍ଗରେ ଚକ୍‌ମକ୍‌ କରି ଝଟକି ଉଠି ଲିଭିଯାଉଛି, ସୂର୍ଯ୍ୟାସ୍ତର ଶେଷ ଆଲୋକରେ ନଈ ଭିତରେ ଡିଆଁମାରି ଉପରକୁ ଉଠି ପୁଣି ପାଣିଭିତରେ ବୁଡ଼ି ଯାଉଥିବା ଛୋଟ ଛୋଟ ରୂପାରଙ୍ଗର କୁନି କୁନି ମାଛ ପରି । ନୀଳ ରଙ୍ଗର ପଟ୍ଟଭୂମିର ତା’ର ଧୂସର ଦେହଟା ସ୍ପଷ୍ଟ ଜଣାପଡ଼ୁଛି । ଡେଣାକୁ ସିଧା ଭାବରେ ମେଲେଇ ରଖି ପବନର ଢେଉରେ ଭାରସାମ୍ୟ ରଖି ସେ ଧୀରେ ଧୀରେ ବହୁ ସମୟ ଧରି କେବଳ ଭାସିଯାଉଛି । ଶୀତଦିନର ନରମ ଖରାର ଉଷୁମ ଉତ୍ତାମ ଓ ସ୍ନିଗ୍‌ଧ ନୀଳିମାର ଆବେଶ ତା’ର ଚକ୍ଷୁ ଦୁଇଟାକୁ ସତେଅବା ତନ୍ଦ୍ରାବିଜଡ଼ିତ କରିଦେଉଛି-। ତେଣୁ କିଛିକ୍ଷଣ ସ୍ଥିର ରହି ସେ ଫେର ତା’ର ନିଜ ଅବସ୍ଥା ସମ୍ୱନ୍ଧରେ ସଚେତନ ହୋଇ ତନ୍ଦ୍ରା କାଟି ଡେଣା ଝାଡ଼ି ସାଏଁ କରି ତଳକୁ ଓହ୍ଲେଇ ଆସି ପୁଣି ଆଉଥରେ ଉପରକୁ ଉଠିଯାଉଛି ।

 

ଦକ୍ଷିଣମୁଖୀ ଘରର ଅଗଣାରେ ଛୋଟ ଦଉଡ଼ିଆ ଖଟ ଉପରେ ଶୋଇଛି ମୁଁ–ମୁଣ୍ଡକୁ ଛାଇରେ ରଖି ଗୋଡ଼କୁ ଖରାରେ ଦେଇ । ଅପରାହ୍ନର ଛାଇ ମୋତେ ଦୁଇଭାଗ କରୁଛି । ଚିତ୍‌ ହୋଇ ଈଷତ୍‌ ଆଖିବୁଜି ଶୋଇରହି ମୁଁ ଆକାଶକୁ ଅନେଇ ଦେଖୁଛି ଚିଲର ଅବିଶ୍ରାନ୍ତ ଖେଳ । ପୂର୍ବପଟ ଆକାଶରେ ଶୁକ୍ଳପକ୍ଷ ନବମୀର ତନ୍ଦ୍ରାଟା ବି ପରିଷ୍କାର ଦିଶୁଛି ତେଜହୀନ ଦିନ ଆଲୁଅ ମଝିରେ ।

 

ପବନଟା ଖୁବ୍‌ ପାତଳା ଜଣାପଡ଼ୁଛି । ବୋଧହୁଏ ଇଥର୍‌ ପାଲଟିଯାଇଛି । ନିଃଶ୍ୱାସ ପ୍ରଶ୍ୱାସ ଭିତରେ ତା’ର ଯିବା ଆସିବାଟା ମୋଟେ ଜଣାପଡ଼ୁନି । ତା’ର ଦେହରେ କିଛି ଗନ୍ଧ ନାହିଁ, ବାସ୍ନା ନାହିଁ । ଏକ ସ୍ୱାଦହୀନ ପବନ । ଖାଣ୍ଟି, ବିଶୁଦ୍ଧ ।

 

ବିଶୁଦ୍ଧ ହେଲେ ସବୁ ଜିନିଷ ବୋଧହୁଏ ଏମିତି ସ୍ୱାଦହୀନ ହୋଇଯାଏ । ସେଥିପାଇଁ ମିଶ୍ରିତ, ଅଶୁଦ୍ଧ ଜିନିଷ ଦେହରେ ଏତେପ୍ରକାର ପ୍ରତିକ୍ରିୟା ସୃଷ୍ଟିକରେ–ଏତେ ଉତ୍ତେଜନା ଆଣେ । ମଣିଷ ତ ବିଶୁଦ୍ଧ ହୋଇଗଲେ ଏମିତି ସ୍ୱାଦହୀନ ହୋଇଯିବ–ରଙ୍ଗହୀନ ହୋଇଯିବ । ପ୍ରତିକ୍ରିୟାହୀନ, ନିର୍ଲିପ୍ତ, ନିର୍ବିକାର । ବିଭିନ୍ନ ରଙ୍ଗ, ସ୍ୱାଦ, ଗନ୍ଧ ଅଛି ବୋଲି ତ ମଣିଷ ଏତେ ବର୍ଣ୍ଣମୟ । ସେ ମିଶ୍ରିତ ବୋଲି ତ ଏତେ ରଙ୍ଗୀନ । ବିଶୁଦ୍ଧ ହେଲେ ସେ ତ ସେ ବିଶୁଦ୍ଧ ପାଣି ପରି ସ୍ୱାଦହୀନ, ବର୍ଣ୍ଣହୀନ ହୋଇଯିବ ।

 

ଆହାରେ ମଣିଷ ।

 

ଦର୍କାର ନାହିଁ–ଦର୍କାର ନାହିଁ ତୋର ଏକାବେଳକେ ଶୁଦ୍ଧ ହୋଇଯିବାରେ । ତମ ଭିତରୁ ଜଣେ ଅଧେ ଶୁଦ୍ଧ ମଣିଷ ବାହାରନ୍ତୁ କିନ୍ତୁ ସେମାନେ ଏଇ ଅସଂଖ୍ୟ ରୂପ ଓ ରଙ୍ଗରେ ପ୍ରକାଶିତ ହୁଅନ୍ତୁ ଏକକ ଉଜ୍ଜ୍ୱଳତାରେ–ଏ ବିଚିତ୍ର ବର୍ଣ୍ଣାଳୀର ଆଉ ଏକ ରଙ୍ଗ ଭାବରେ । କିନ୍ତୁ ସମସ୍ତେ ? ଏକାବେଳକେ ? ଅସମ୍ଭବ । ବିଶୁଦ୍ଧ ଅମ୍ଳଜାନ ଭିତରେ ମଣିଷ ବଞ୍ଚିବ କେମିତି ?

 

ଆଚ୍ଛା, ଯଦି ପୃଥିବୀର ଅଧିକାଂଶ ମଣିଷ ହଠାତ୍‌ ବୁଦ୍ଧ, ଗାନ୍ଧୀ, ମହମ୍ମଦ, ଖ୍ରୀଷ୍ଟ, ରାମକୃଷ୍ଣ, ବିବେକାନନ୍ଦ ହୋଇଯାଆନ୍ତେ ତେବେ କ’ଣ ହୁଅନ୍ତା ? ପୃଥିବୀର ବାୟୁମଣ୍ଡଳ ବୋଧହୁଏ ସେଇ ଏକା ସାଙ୍ଗରେ ହଠାତ୍‌ ପରିଷ୍କାର ହୋଇଯାଆନ୍ତା । ଶଠତା, ନୀଚତା, ହୀନମାନ୍ୟତା ହିଂସା, ଦ୍ୱେଷ, କ୍ରୋଧ, ଲୋଭ ସବୁ ଏକାବେଳକେ କମିଯାଆନ୍ତା ଏବଂ ସେଇ ସଙ୍ଗେ ସଙ୍ଗେ ବାକି ସମସ୍ତ ଲୋକ ଏଇ ନିର୍ଲିପ୍ତ, ନିର୍ବିକାର ବାୟୁମଣ୍ଡଳ ଭିତରେ ଅଣନିଶ୍ୱାସୀ ହୋଇ ଶ୍ୱାସରୁଦ୍ଧ ହୋଇ ମରିଯାଆନ୍ତେ, ନର୍ଦ୍ଦମା ଭିତରର ଲାଙ୍ଗୁଡ଼ିଆ ପୋକ ପରିଷ୍କାର ପାଚନ ସିଦ୍ଧ ପାଣିର ବିଶୁଦ୍ଧତାରେ ମରିଗଲା ପରି । ସଂଘର୍ଷ କମିଯାଆନ୍ତା, ଉତ୍ତେଜନା ଊଣା ପଡ଼ିଯାଆନ୍ତା, ମଣିଷ ମଣିଷ ଭିତରେ ଥିବା ଆକର୍ଷଣ ଲିଭି ଯାଆନ୍ତା । ଜୀବନ ସଂଗ୍ରାମର ଯୁଦ୍ଧ ଭୂମିରେ ବାଜିଉଠନ୍ତା ଯୁଦ୍ଧ ବନ୍ଦର ଶେଷ ବିଗୁଲ୍‌ । ସବୁଆଡ଼ ହୋଇଯାଆନ୍ତା ନୀରବ, ନିସ୍ତବ୍‌ଧ-ଶ୍ମଶାନ ପରି-

 

ସଂଗ୍ରାମ ନାହିଁ ତ ଜୀବନ କାହିଁ ? ଜୀବନ ତ ସଂଗ୍ରାମର ଅନ୍ୟ ନାମ । କେତେ ଲକ୍ଷ କୋଟି ବର୍ଷ ତଳେ ଜୀବନର ପ୍ରଥମ ବିକଶିତ ଏଇ ସଂଗ୍ରାମରୁ, ଜଡ଼ ଜଗତର ସ୍ୱାଭାବିକ ନିୟମର ପ୍ରଥମ ପ୍ରତିକ୍ରିୟାରୂପେ । ତା ପରେ କେତେ ଶକ୍ତି ବିରୁଦ୍ଧରେ ଅବିରତ ଲଢ଼େଇ କରି ସେ ମଣିଷ ଭିତରେ ତା’ର ପୂର୍ଣ୍ଣତା ପାଇଛି । ପ୍ରଖର ତାପ, ପ୍ରବଳ ଥଣ୍ଡା ଓ ଅସମ୍ଭବ ଚାପ, ବର୍ଷା ପବନ ବରଫ ପରି କେତେ କେତେ ପ୍ରାକୃତିକ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରିଆସିଛି ସେଇ ଛୋଟ କଣିକା ଟିକକ । ସେଇ ବିଦ୍ରୋହୀ ଜୀବନ ଆଜି ଜଡ଼ ଜଗତର ପ୍ରଭୁ । ମଣିଷର ପ୍ରକୃତି ବିରୁଦ୍ଧରେ ଅବିରତ ଯୁଦ୍ଧ ତ ତାହାରି ଉତ୍ତରାଧିକାର । ସମସ୍ତ ଜୀବଜଗତ ଓ ପ୍ରାଣୀ ଜଗତ ଭିତରେ ବିକଶିତ ଜୀବନ ତେଣୁ ସଂଗ୍ରାମ କରିବାକୁ ବାଧ୍ୟ ।

ଆକାଶରେ ଆହୁରି ପଞ୍ଝାଏ ଚିଲ । ଅଦୃଶ୍ୟ ସୂତାରେ ବାନ୍ଧି କିଏ ଯେମିତି ସେମାନଙ୍କୁ ଆକାଶର ନୀଳ ଚାନ୍ଦୁଆରେ ଝୁଲେଇ ରଖିଛି ବେଲୁନ ପରି ।

ଦ୍ୱନ୍ଦ୍ୱ ଥାଉ, ସଂଘର୍ଷ ଥାଉ । ତାରି ଭିତରେ ବ୍ୟସ୍ତ ମଣିଷ ଜୀବନର ସ୍ପର୍ଶ ପାଉ । ଆଉ ଏଇ ନିତ୍ୟ ସଂଘର୍ଷମୟ ଜୀବନ ଭିତରୁ ମୁକ୍ତି ପାଇବାପାଇଁ ଏକ ମହା ଜୀବନର ଆଶା ବି ଥାଉ । ଚିଲଟି ନୀଳର ସ୍ପର୍ଶରେ ଅଭିଭୂତ ହୋଇଥାଉ କିନ୍ତୁ ତଥାପି ସେଇ ଭିତରେ ତା’ର ଆଖି ଯୋଡ଼ିକି ତଳର ଶିକାର ବି ଖୋଜୁ ଏକନିଷ୍ଠ ଭାବରେ ।

ଚିଲଟା ଚକ୍‌କର ଦେଇ ଦେଇ ତଳକୁ ଓହ୍ଲେଇ ଆସିଲାଣି । ଏଥର ପରିଷ୍କାର ଦେଖାଯାଉଛି ତା’ର ରୁକ୍ଷ ମାଟିଆ ମାଟିଆ ରଙ୍ଗର ଡେଣା ଓ ଛୁଞ୍ଚି ମୁନିଆ ଥଣ୍ଟଟା । ଆଖିଗୁଡ଼ାକ ଦେଖା ନ ଗଲେ ବି ତା’ର ତୀକ୍ଷ୍ମତା ଯେମିତି ଫୋଡ଼ି ହୋଇଯାଉଛି ଦୁଇଟି ଲେଜର୍‌ ରଶ୍ମି ପରି । ଚିଲକୁ ପାଖରେ ଦେଖିଲେ କିନ୍ତୁ ତା’ର ଆଖି ଯୋଡ଼ିକରେ ମୋଟେ ହିଂସ୍ରତା ବାରି ହୁଏନା । ମନେହୁଏ ଦାର୍ଶନିକର ଆଖି ପରି ଶାନ୍ତ ଓ କୋମଳ । ପେଚା ଆଖିର ଭୟଙ୍କରତା କିମ୍ୱେ ଶାଗୁଣା ଆଖିର ହିଂସ୍ରତା ତା ଆଖିରେ ନାହିଁ ।

ଶୋଇ ଶୋଇ ଚିଲ ଦେଖିବା ଛଡ଼ା ମୋର ଆଉ ଏବେ କିଛି କାମ ନାହିଁ । ପଢ଼ିବାକୁ ଭଲ ଲାଗୁନି । ନିର୍ଦ୍ଦିଷ୍ଟ କିଛି ଭାବିବାକୁ ଭଲ ଲାଗୁନି । ଦିନସାରା, ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ ଏମିତି ଖଟିଆରେ ବାହାରେ ପଡ଼ି ରହିବା ଛଡ଼ା ଆଉ କିଛି କରିବା ମୋର ସାଧ୍ୟାତୀତ । ଏମିତି ଆଉ କେତେଦିନ ପଡ଼ିବାକୁ ହେବ କେଜାଣି ? ତଥାପି ମନ୍ଦ ଲାଗୁନି । ବେଶ୍ କଟିଯାଉଛି ଦିନଗୁଡ଼ିକ । କିନ୍ତୁ ଏ ସୁଖ ଆଉ ବେଶିଦିନ ନୁହେଁ । ୟା ପରେ ଖରା ଆସିଯିବ । ଘର ଭିତରେ କେତେ ସମୟ ଆଉ କଡ଼ିବର୍ଗା ଖପର ଦେଖିବି ? ସେକଥା ଭାବିଲାବେଳକୁ ବର୍ତ୍ତମାନଠାରୁ ବି ମୋତେ ଭୟ ଲାଗିଯାଉଚି । ଅବଶ୍ୟ ରାତିଟା ଶୋଇହେବ ବାହାରେ । କିନ୍ତୁ ରାତିରେ ତ ଆଉ ଚିଲ ଦେଖିହେବନି । ତାରା ଗଣିବି କି ? ଏକ୍‌, ଦୁଇ, ତିନି–

‘‘ଆଉ ଟିକିଏ ଖଟଟା ଘୁଞ୍ଚେଇ ଦେବି କି ?’’

ରମା ପାଖରେ ଆସି ଛିଡ଼ାହେଲା ।

‘‘ଦିଅ ।’’ ଶୀତ ଅପରାହ୍ନର ଛାଇ ଖୁବ୍‍ଶୀଘ୍ର ଲମ୍ବେଇଯାଉଛି । ରମା ଦୁଇହାତ ଲଗେଇ ଜୋର୍‌ରେ ଟାଣିଲା । କେଁ କଚ୍‌ କଚ୍‌ ହୋଇ ଖଟଟା ଘୁଞ୍ଚିଗଲା ଫୁଟଟିଏ । ମାଟି ଉପରେ ଚାରି ଖୁରାର ଦାଗ । ସବୁଦିନ ଏମିତି ବସେ ପୁଣି ଲିଭିଯାଏ ।

ଏଇ ଥରକ ଶେଷ । ତାପରେ ଆଉ ଘୁଞ୍ଚେଇ ହେବନାହିଁ । ଜାଗା ନାହିଁ । ସୂର୍ଯ୍ୟ ଏଥର ଶେଷଥରପାଇଁ ପଡ଼ିଶା ଘର କାନ୍ଥ ସେ ପାଖରେ ଲୁଚିଯିବେ । ତେନ୍ତୁଳି ଗଛ ଆଗରେ ଲାଗିବ ଯାଇ ତାଙ୍କର ଆଲୋକ । ମୁଁ ଯଦି ଚିଲ ହୋଇଥାନ୍ତି ତେବେ ତେନ୍ତୁଳି ଗଛ ଆଗରେ । ଯେ ଯାହା, ସେ ତା’ର ଠିକ୍‌ ବିପରୀତଟା ହିଁ ଚାହେଁ । ଅଚଳ ହୋଇଗଲା ପରେ ମୋର କାହିଁକି ବେଶି ଉଡ଼ିବାକୁ ଇଚ୍ଛା ହେଉଛି ।

ରାମାୟଣରେ ପଢ଼ିଛି ଗୌତମର ଅଭିଶାପରେ ମୁଁ ଆଜି ପାଷାଣ ହୋଇଯାଇଛି !

ଆଚ୍ଛା, ଅହଲ୍ୟା କ’ଣ ସତକୁ ସତ ପଥର ହୋଇଯାଇଥିଲେ ନା ମୋ ପରି ପରିଣତ ହୋଇଥିଲେ ଏକ ଜୀବନ୍ତ ପାଷାଣରେ ? ବୋଧହୁଏ ସେ ମୋରି ପରି ପକ୍ଷାଘାତ ହୋଇପଡ଼ିଥିଲେ । ତା ନ ହେଲେ ରାମଚନ୍ଦ୍ରଙ୍କ ସ୍ପର୍ଶରେ ସେ ପୁଣି ବିକଶିତ ହୋଇଉଠନ୍ତେ କେମିତି-? ପଥରର ଜୀବନ୍ୟାସ ପାଇବା ଅଲୌକିକ ଘଟଣା । କିନ୍ତୁ ଡାକ୍ତର ରାମଚନ୍ଦ୍ରଙ୍କ ସ୍ପର୍ଶ-ଚିକିତ୍ସା ଅସମ୍ଭବ ନୁହେଁ ।

 

ମୋପାଇଁ କ’ଣ କେଉଁ ରାମଚନ୍ଦ୍ର ଆସିବେ ନାହିଁ ?

 

ଗୋଡ଼ଦୁଇଟା ଅଣ୍ଟା ପାଖରୁ ଏକାବେଳକେ ପଥର ହୋଇଯାଇଛି । ଅଥଚ ଆଶ୍ଚର୍ଯ୍ୟ ମୋ ଅନ୍ୟ କିଛିର ସାମାନ୍ୟତମ ପରିବର୍ତ୍ତନ ହୋଇନି । ସ୍ପର୍ଶ ଗନ୍ଧ, ଦୃଷ୍ଟି, ସ୍ୱାଦ–ପ୍ରତ୍ୟେକଥିରେ ‘ମୁଁ’ ସେଇ ପୁରୁଣା ‘ମୁଁ’ । କିଛିକ୍ଷଣପାଇଁ ବିଷାଦିତ ହୋଇଉଠିଲେ ବି ମୋ ଭିତରେ ସଞ୍ଚିତ ହୋଇରହିଛି, ସେଇ ପୁରୁଣା କାମନା, ବାସନା, ଆକାଙ୍‍କ୍ଷା । ଏସବୁ ସତ୍ତ୍ୱେ ବି ମୁଁ ଅସମ୍ପୂର୍ଣ୍ଣ ଅର୍ଦ୍ଧପାଷାଣ ।

 

ତଥାପି ବି ମୁଁ ସ୍ୱପ୍ନ ଦେଖେ ସଂପୂର୍ଣ୍ଣତାର ।

 

ଆଲୋପାଥିକ ଚିକିତ୍ସାର ବିଫଳତା ପରେ ଏଥର ଆରମ୍ଭ ହୋଇଛି କବିରାଜୀ ଚିକିତ୍ସା । ବିଭିନ୍ନ ପ୍ରକାର ତୀବ୍ର ଗନ୍ଧ ବିଶିଷ୍ଟ ତୈଳ, ରସାୟନ, ପାଚନ, ମୋଦକ । ମର୍ଦ୍ଦନ, ସେବନ । ସେଇ ଗନ୍ଧ ଭିତରେ ମୁଁ ବେଳେବେଳେ ଅଣନିଶ୍ୱାସୀ ହୋଇଉଠେ । ସବୁ ଫୋପାଡ଼ି ଦେବାକୁ ଇଚ୍ଛାହୁଏ । କିନ୍ତୁ ତଥାପି ଫୋପାଡ଼ିପାରେ ନାହିଁ । ଆଖିବୁଜି ସବୁ ଔଷଧ ଗିଳେ । କାରଣ ସବୁ ଗନ୍ଧ ଭିତରେ ତୀବ୍ରତର ହୋଇ ଆଉ ଗୋଟାଏ ସୁମଧୁର ବାସ୍ନା ମୋତେ ଏସବୁ ସହ୍ୟ କରିବାକୁ ସାନ୍ତ୍ୱନା ଦିଏ । ସେଇଟା ଜୀବନର ଗନ୍ଧ । ବଞ୍ଚିବାର ବାସ୍ନା । ଏଇ କଟୁତିକ୍ତକଷାୟ ଔଷଧର ଘନକୃଷ୍ଣ ଆବରଣ ଭିତରେ ସେ କୋଉଠି ଲୁଚିରହିଥାଏ କେଜାଣି । ମୁଁ କିନ୍ତୁ ଠିକ୍ ଏକ ପୋଲିସ୍ କୁକୁର ପରି ତାରି ଗନ୍ଧ ବାରିପାରେ । ବାରିପାରେ ବୋଲି ତ ବଞ୍ଚିଛି ।

 

ରମାର ବହୁତ କଷ୍ଟ । ମୁଁ ଜାଣିପାରୁଛି । ସେ ମୁହଁରେ କିଛି ନ କହିଲେ ସୁଦ୍ଧା, ପ୍ରଥମେ ପ୍ରଥମେ ଢେଉ କାନ୍ଦୁଥିଲା । ଅଦୃଷ୍ଟକୁ ଅଭିଶାପ ଦେଇ, ଭଗବାନକୁ ଦୋଷୀ କରି । ଏବେ ତାର ଲୁହ ଶୁଖିଗଲାଣି । ଯନ୍ତ୍ର ପରି ସବୁ କାମ କରିଯାଉଛି । ହୁଏତ ଆଉ କିଛିଦିନ ପରେ ବିରକ୍ତ ହୋଇଉଠିବ । ଚିଡ଼ି ଚିଡ଼ି ହେବ ଆଉ ନିଜ ଅଜାଣତରେ ବି ମୋ କାମ କରିବାପାଇଁ ସେ ଢିଲା ହୋଇଯିବ ।

 

ହୋଇପାରେ, ନ ହୋଇ ବି ପାରେ । ତା’ରି ଜୀବନ, ତା’ରି ବଞ୍ଚିବାର ଆଶା ତାକୁ ଯୋଉ ବାସ୍ନା ଆଣିଦେବ, ତାରି ପରିପ୍ରେକ୍ଷୀରେ ସେ ସବୁ କାମ କରିଯିବ ।

 

ହଠାତ୍ ଯଦି କବିରାଜ ହଟ୍ଟକିଶୋର ଭଟ୍ଟ ମିଶ୍ର, ଆୟୁର୍ବେଦାଚାର୍ଯ୍ୟ ରାମଚନ୍ଦ୍ର ହୋଇଯାଆନ୍ତେ–

 

ଆଃ, କି ବିସ୍ମୟକର ଭାବନା ସତେ !

 

ଚାରିଆଡ଼ ଥଣ୍ଡା ପଡ଼ିଆସିଲାଣି । ଅଗଣାର ଛାଇ ଗଭୀର ହେଉଛି । ପାଚେରି ଉପରେ ପଡ଼ିଥିବା ଆଲୁଅ ଫକ୍‌ କରି ଡିଆଁମାରି ବସିଲାଣି । ଯାଇ ତେନ୍ତୁଳି ଗଛର ଅଗ ଡାଳରେ । ଆଉ କେତେ ସମୟ ସଞ୍ଜ ହେବାକୁ ?

 

କବାଟ ଖଡ଼ ଖଡ଼ ଶୁଭୁଛି । ମାଧିଆ ଗଉଡ଼ ଆସିଥିବ । ଆଜି ତା’ର ଟିକେ ଡେରି ହୋଇଗଲାଣି । ଏଇନା ସେ ଆସିବ ରମା ସାଙ୍ଗରେ । ମୋତେ ଟେକିନେଇ ଘର ଭିତର ବିଛଣାରେ ଶୁଆଇ ଦେବ । ରମା ସବୁଦିନ ପରି ଏଠିକା ବିଛଣା ଗୁଡ଼େଇ ନେଇ ବାରଣ୍ଡା ଉପରେ ଥିବା ନଡ଼ବଡ଼ ଟେବୁଲ ଉପରେ ରଖିଦେବ । ନିଆଁ ଉହ୍ମେଇଟା ଜାଳିଦେଇ ମୋ ଖଟତଳେ ରଖିଦେବ । ତା’ପରେ ମାଧିଆ ହାତକୁ ବଢ଼େଇ ଦେବ କୌଣସି ଏକ ତେଲ ବୋତଲଟିଏ ।

 

ମାଧିଆ ମୋ ଗୋଡ଼ ହାତରୁ ଲୁଗା କାଢ଼ିଦେଇ ମାଲିସ୍‌ କରି ବସିବ । ଏକାଦିକ୍ରମେ ମାଲିସ ଘଣ୍ଟାଏ ଧରି । ଏ ଗୋଡ଼, ସେ ଗୋଡ଼ । ଅଣ୍ଟା ପାଖ । ତାପରେ ନିଆଁରେ ସେକିଦେବ ପାଦ ତଳିପା ।

 

ତାପରେ ନିଆଁ ଉହ୍ମେଇର ନିଆଁରେ ବିଡ଼ି ଖଣ୍ଡେ ଲଗେଇ କବାଟ କୋଣକୁ ମାଟି ଉପରେ ଲଥ୍‌ କରି ବସିପଡ଼ିବ ।

 

କିଛିସମୟ ପରେ ଚା ଧରି ଆସିବ ରମା । ମୋପାଇଁ ଗୋଟାଏ କାଚ ଗିଲାସରେ, ତାପାଇଁ ସିଲ୍‌ଭର ତାଟିଆରେ । ତାକୁ ଦେଖି ମାଧିଆ, ବିଡ଼ି ରଖି ଉଠିପଡ଼ି ମୋଟା ମୋଟା ତକିଆ ଉପରେ ତକିଆ ରଖି ମୋତେ ଆଉଜେଇ ବସେଇ ଦେବ । ରମା କାନି ପଣତରେ ଧରିଆସିଥିବା ସିଲ୍‌ଭର ତାଟିଆଟାକୁ କବାଟ କୋଣରେ ରଖିଦେଇ ଆଗେଇ ଆସି ମୋ ହାତକୁ ବଢ଼େଇ ଦେବ ଗ୍ଲାସଟା । ପୁଣି ଆଉଥରେ ସେମିତି ଚୁପ୍‌ଚାପ ଫେରିଯିବ ରୋଷେଇ ଘରକୁ । କେବେ କେବେ କିଛି ସମୟ ମୋ ଗୋଡ଼ ପାଖରେ ଖଟରେ ବସିଯାଏ ।

 

ଚା ଦେଖି ମାଧିଆର ଗପ ବାହାରିପଡ଼େ । ଦୁଇହାତରେ ଗରମ ତାଟିଆକୁ ଧରି ‘ସୁଡ଼୍‌’ କରି ଢୋକେ ପିଇଦେଇ ସେ ଆରମ୍ଭ କରେ ଗାଁର ଖବର । ମାଧିଆ ମୋର ଗାଁର ଖବରକାଗଜ । ରମା କେତେବେଳେ କେତେବେଳେ ଯୋଗ ଦିଏ କିନ୍ତୁ ଅଧିକାଂଶ ସମୟ ସେ ବାହାରିଯାଏ । ମାଧିଆ ଥିବା ଅବସ୍ଥାରେ ସେ ରୋଷେଇ କାମଟା ସାରିଦିଏ । ରାତିରେ ସେ ମୋତେ ଏକୁଟିଆ ରଖିବାକୁ ଭଲପାଏନା–ଭୟ ଲାଗେ ବୋଧହୁଏ ତାକୁ ! ହଠାତ୍‌ ଯଦି ମୁଁ ମରିଯାଏଁ ତା ନଥିବା ଅବସ୍ଥାରେ ।

 

ମାଧିଆର ଦୈନିକ ମଜୁରି ଆଠଅଣା ତା ଛଡ଼ା କେବେ କେମିତି ରାତିରେ ଥରେ ଖାଇଦେଇଯାଏ । ମଝିରେ ମଝିରେ ଚାଉଳ ସେରେ, ପିଆଜ ଦି’ଟା, ଚିନି ଟିକେ ବି ସେ ନିଏ । ହାଟପାଳିକୁ ହାଟପାଳି ମଜୁରି ଛ’ଡ଼ା ବିଡ଼ି ଓ ଗୁଡ଼ାଖୁ ବାବଦକୁ ଦି’ ଚାରିଅଣା ବି ସେ ପାଏ । ରମା କହେ, ‘‘ଏତେ ଭଲ ଲୋକଟିଏ ଏଯୁଗରେ ପାଇବା ବିରଳ । ତାକୁ ହାତରେ ରଖିଥିବା ଭଲ । ନ ହେଲେ ଏମିତି ଅବସ୍ଥାରେ ସେ ଯଦି ଚାଲିଯାଏ ତେବେ ଅବସ୍ଥା କଅଣ ହେବ ?’’

 

ମୁଁ ବି ଭାବେ ମାଧିଆ ନିଶ୍ଚୟ ଭଲ ଲୋକଟାଏ । ନ ହେଲେ ଦିନଯାକର ପରିଶ୍ରମ ପରେ ଏଠିକୁ ଆସି କବିରାଜୀ ତୈଳର ତୀବ୍ର ଗନ୍ଧ ଭିତରେ ମୋ ଭଳି ଗୋଟାଏ ହାଡ଼ୁଆ ବୃଦ୍ଧକୁ ଘଣ୍ଟାଏକାଳ ମାଲିସ୍‌ କରନ୍ତା କେମିତି ? ଜଣେ ପଙ୍ଗୁ ପାଖରେ ବସିପାରନ୍ତା କେମିତି ?

 

କେବଳ ଦୈନିକ ଆଠଅଣା ଉପୁରି ରୋଜଗାର କ’ଣ ତା’ର ଏକମାତ୍ର ଆକର୍ଷଣ ? ନୁହେଁ ବୋଧେ । ହୋଇଥିଲେ ବି ମୁଁ ତାକୁ ସ୍ୱୀକାର କରିବାକୁ ନାରାଜ । ରମା ବି । ସେ କହେ ‘‘ବୁଝିଲ, ମାଧିଆ ଆର ଜନ୍ମରେ ତମର ପୁଅ ଥିଲା ।’’ ହୋଇପାରେ ସେମିତି ସନିଆ ହାଡ଼ି ବି ଗତ ଜନ୍ମରେ ମୋର ପୁଅ ଥିବ । ନ ହେଲେ ସେ ଏତେ ନିର୍ବିକାର ଚିତ୍ତରେ ମୋର ଝାଡ଼ା ପରିସ୍ରା ଥିବା ବେଡ଼ପେନ୍‌ ପରିଷ୍କାର କରିପାରୁଥାନ୍ତା କେମିତି ?

 

ନା ମଣିଷ ବଞ୍ଚିବାପାଇଁ ସବୁକିଛି କରିପାରେ । ମଣିଷ ମାରିପାରେ, ମଇଳା ସଫା କରିପାରେ । ବଞ୍ଚିବାଟା ହିଁ ତାର ଏକମାତ୍ର ଅଭିପ୍ରାୟ, ଏକମାତ୍ର ଆକାଙ୍‍କ୍ଷା, ଏକମାତ୍ର ବିଶ୍ୱାସ । ଦୟା, କ୍ଷମା, କର୍ତ୍ତବ୍ୟ ବୋଧ ସବୁ କେବଳ ସେଇ ଗୋଟିଏ ବିଶ୍ୱାସର ବିଭିନ୍ନ ଅଙ୍ଗ ।

 

ବଞ୍ଚିବାର ନାମ ହିଁ ସ୍ୱାର୍ଥପରତା ।

 

ସେଥିପାଇଁ ଦୁନିଆର ଲକ୍ଷ ଲକ୍ଷ କୋଟି କୋଟି ସ୍ୱାର୍ଥପରତାର କାହାଣୀ ସାଧାରଣ ହୋଇଥିବା ବେଳେ ଗୋଟିଏ ଦିଓଟି ନିଃସ୍ୱାର୍ଥପରତାର କାହାଣୀ ଏତେବଡ଼ ହୋଇ ଆମ ଆଖିଆଗରେ ଦେଖାଦିଏ । ଏଇ ସର୍ବବ୍ୟାପୀ ସ୍ୱାର୍ଥପରତାର ଧୂସର ମରୁଭୂମି ଭିତରେ ଓଏସିସ୍‌ ପରି । ଆମେ ବୁଝିପାରୁ ସେଗୁଡ଼ା ଏକ ନୂତନ ଜଗତର ଝର୍କା । ତଥାପି ସେ ଭିତରକୁ ଲମ୍ଫ ଦେବାକୁ ଆମର ଇଚ୍ଛା ହୁଏନା, ସାହସ ବି ହୁଏନା ।

 

ନିଃସ୍ୱାର୍ଥପରତା ସାଧାରଣ ଜୀବନ ସଂଗ୍ରାମର ପ୍ରତିକ୍ରିୟା । ଜୀବନ ଭିତରେ ମହାଜୀବନର ପ୍ରଥମ ବିକଶିତ କଣିକା ।

 

ଥାଳିରେ ରୁଟି ତରକାରୀ, ଅନ୍ୟ ହାତରେ ପାଣି ଗିଲାସେ ଧରି ରମା ଆସିଲା । ରାତି ଆଠଟା ହେବ । ମାଧିଆ ଥିବା ଅବସ୍ଥାରେ ମୋର ଖିଆପିଆ ବି ଶେଷ ହୁଏ । ଏଥର ମାଧିଆ ଏଠୁ ଉଠିଯାଇ ରୋଷେଇ ଘର ବାରଣ୍ଡାରେ ବସିବ । ବିଲେଇ ପଶିଯିବ । ମରା ଚୁଲିରେ ଦୁଧ ଉଷୁମ ହେଉଛି ।

 

ଦିନେ ଦିନେ ମୁଁ ନିଜ ହାତରେ ଖାଏ । ନହେଲେ ରମା ନିଜ ହାତରେ ମୋତେ ଖୁଆଇଦିଏ । ମନାକଲେ ମାନେନା । ‘‘ପାଣି ହାତ କାହିଁକି ହେବ ଏଇ ଥଣ୍ଡାଟାରେ ।’’ ମୁଁ ବି ଆଉ କିଛି କହେନା । ସେ ସାନ୍ତ୍ୱନା ପାଉ । ତାଛଡ଼ା ଜଣେ ପକ୍ଷାଘାତଗ୍ରସ୍ତ ବୃଦ୍ଧ ପକ୍ଷରେ ଆଉ କ’ଣ ଦେବାର ଥାଇପାରେ ।

 

ମୋତେ ଖୁଆଇ ପିଆଇ, ପଣତ କାନିରେ ମୁହଁ ପୋଛିଦେଇ ରମା ପୁଣି ଚାଲିଗଲାଣି ରୋଷେଇ ଘରକୁ । ସେଇଠି ସେ ଚୁଲିମୁଣ୍ଡରେ ବସି ଖାଇବ । ଖିଆପିଆ ସାରି ରୋଷେଇ ଘର କବାଟ ବନ୍ଦ କରି ଗରମ ଦୁଧ ଗିଲାସଟା ନେଇ ସେ ଆସିବ ।

 

ତାପରେ ଯାଇ ମାଧିଆ ଯିବ । ଫେର୍‌ କାଲି ସକାଳ ପର୍ଯ୍ୟନ୍ତ । କେତେଦିନ ? ଓଃ ଭଗବାନ, ଆଉ କେତେଦିନ ଏମିତି କଟିବ ? କେତେ କାଳ ? କେତେ ଯୁଗ ? କେତେ ମନ୍ୱନ୍ତର-?

 

ମୁଁ ଆଖିବୁଜିଲି ।

 

ମାଧିଆ ଫେର୍‌ ଆସିଲାଣି । ପାଟିର ଚାକୁରୁ ଚାକୁରୁ ଶବ୍ଦ ହେଉଛି । ରମା ବୋଧହୁଏ ବଳିଥିବା ରୁଟିରୁ ଖଣ୍ଡେ ତା ହାତରେ ଦେଇଛି । ସେ ଆସି ଲିଭି ଆସିଥିବା ଉହ୍ମେଇ ପାଖରେ ବସିପଡ଼ିଲା । ଦି ଚାରିଟା ଛୋଟ ଛୋଟ କାଠ ଦେଇ ଫୁଙ୍କି ଫୁଙ୍କି ଜଳେଇଲା । ତାପରେ ଦି ହାତ ସେକୁ ସେକୁ ମୋ ଉଦ୍ଦେଶ୍ୟରେ କହିଲା ‘‘ଏସନ ଭାରି ଥଣ୍ଡାପଡ଼ିଛି ।’’ ମାଧିଆ ମୋ ଉତ୍ତରର ଅପେକ୍ଷା ରଖେନା । ସେ ପୁଣି ବୋଧହୁଏ ଭୁଲିଯାଇଥିବା ଗାଁର ଆଉ ଗୋଟିଏ ଘଟଣା କହିବାକୁ ଆରମ୍ଭ କଲା ।

 

କିଛି ଶୁଣେ–କିଛି ଶୁଣେନା । ତଥାପି ଭଲଲାଗେ । ମଣିଷର ଶବ୍ଦ । ଏକୁଟିଆ, ନିଃସଙ୍ଗ, ପଙ୍ଗୁ ମଣିଷ ପାଖରେ ଅଗଣିତ ମଣିଷର ଖବର ଶୁଣିଲେ ନିଜକୁ ଅସହାୟ ଲାଗେନା । ମନେହୁଏ ଚାରିପାଖରେ ଘେରି ରହିଛନ୍ତି ବହୁତ ଲୋକ । ମୁଁ ନିଃସଙ୍ଗ ନୁହେଁ । ମୁଁ ଏକାକୀ ନୁହେଁ ।

 

‘‘ଏଥର ମୁଁ ଉଠେ ଆଜ୍ଞା ।’’ ମାଧିଆର କଥା ଶୁଣି ବୁଝିପାରିଲି, ରମା ଆସିଗଲାଣି । କାନ୍ଥଠଣା ଉପରେ ଗ୍ଲାସଟା ରଖିଦେଇ ସେ ପୁଣି ଗଲା ବାହାରକୁ ଦାଣ୍ଡକବାଟ ବନ୍ଦ କରିବାକୁ ।

 

ଟୁଲ୍‌ ଉପରେ ଲଣ୍ଠନଟା ମଞ୍ଜି ମିଞ୍ଜି ହୋଇ ଜଳୁଛି । ଫିତା କଟାହୋଇନି ବୋଧହୁଏ । ଗୋଟିଏ ପାଖଟା ବେଶି ବେଶି ଜଳି ଅଧାକାଚକୁ କଳା କରି ସାରିଲାଣି । କେତେଆଡ଼କୁ ଆଉ ନଜର ଦେବ ବିଚାରୀ ? ମୁଁ ଭଲା ଟିକିଏ ସାହାଯ୍ୟ କରି ପାରୁଥାନ୍ତି । ନିଜର ଅସହାୟତ୍ୱ ଓ ଅକର୍ମଣ୍ୟତା ଯୋଗୁଁ ନିଜ ଉପରେ ବିରକ୍ତି ଆସିଗଲାଣି । ଯଦି ଚାହିଁଲେ ମୃତ୍ୟୁ ଆସୁଥାନ୍ତା, ତାହେଲେ ବୋଧହୁଏ ମୁଁ କେତେଦିନୁ ମରିସାରନ୍ତିଣି । ମୋପାଇଁ ନୁହେଁ–ରମାପାଇଁ । ଅଲୋଡ଼ା, ବେଦରକାରୀ ଜୀବନ ବୋଝ ହୋଇ ତା ପିଠିରେ କେବଳ ଲଦିହୋଇଛି । ସେ ତାକୁ ବୋହିପାରୁନି, ଛାଡ଼ିପାରୁନି । ତା’ର ସମସ୍ତ ପରିଶ୍ରମ, ସ୍ୱାର୍ଥତ୍ୟାଗ କେବଳ ବୃଥାଟାରେ । ମରନ୍ତା ଘୋଡ଼ାକୁ ପାଣିଦେଇ ଲାଭ କ’ଣ ?

 

ମୁଁ ମରିପାରୁନି । ମରିବାର କ୍ଷମତା ଟିକକ ବି ମୋର ନାହିଁ । କିନ୍ତୁ ମରୁନି କାହିଁକି ? ଜୀବନ ମୋତେ ମରିବାକୁ ଦେଉନି-। ସେ ଚାହେଁ ମୁଁ ସଂଗ୍ରାମ କରେ । ମୃତ୍ୟୁର ଜଡ଼ତା ବିରୁଦ୍ଧରେ-। ସେ ଚାହେଁ ସଂଘର୍ଷ ନ ହେଲେ ଅମୃତର ଉଦ୍‌ଭବ ହେବ କିପରି ?

 

ରମା ଆସି ଡାକିଲା । ‘‘ନିଅ, ଦୁଧ ଟିକକ ପିଇଦିଅ ।’’

 

ମୁଁ ତା’ ମୁହଁକୁ ଅନେଇଲି । ଲଣ୍ଠନର ମଇଳା ଆଲୁଅ ତା ମୁହଁରେ ତେରେଛା ଭାବରେ ପଡ଼ି ଅସ୍ପଷ୍ଟ କଳା ରେଖାଗୁଡ଼ାକୁ ଆହୁରି ସ୍ପଷ୍ଟ କରିଦେଉଛି । କପାଳ ଉପରେ ଫୁରୁଫୁରୁ ହେଉଛି କେତେଟା ଅଲରା ବାଳ । ଅଧେ ପାଚିଲା । ଭାବଲେଶହୀନ ଆଖିଯୋଡ଼ିକ । ଶାନ୍ତ, ଗମ୍ଭୀର, ଅଚଞ୍ଚଳ । କିନ୍ତୁ କଳା ଆଖି ଡୋଳାର ଗୋଟିଏ କ’ଣକୁ ଚିକ୍‌ମିକ୍‌ କରୁଛି କୌଣସି ଗୋଟାଏ ଭାବ-। ଲୁହ କି ? ନା ଆଉ କିଛି ? କ’ଣ ଭାବୁଛି ସେ ? ଆଖି କ’ଣ ଭାବନାର କଥା କହିପାରେ-? ରୂପ ଦେଇପାରେ ଅରୂପର ? ରମା କ’ଣ ସତରେ ଏକାବେଳକେ ନିର୍ବିକାର ? ତା’ର କିଛି ବିରକ୍ତି ନାହିଁ, ଆସକ୍ତି ନାହିଁ–ଦ୍ୱନ୍ଦ୍ୱ ନାହିଁ । ସଂଘର୍ଷ ନାହିଁ । ଆଶା ନାହିଁ, ନିରାଶା ନାହିଁ । ସେ କ’ଣ ଯନ୍ତ୍ର ନା ଜୀବନ୍ମୁକ୍ତ ନିର୍ଲିପ୍ତ ମଣିଷ ?

 

ମୁଁ ତାକୁ ଆଉଥରେ ନିଠେଇ କରି ଚାହିଁଲି । ବତିଶବର୍ଷ ତଳେ ବାହା ହେବା ସମୟର ତା’ର ପ୍ରଥମ ରୂପଟାକୁ ମନେପକେଇବାକୁ ଚେଷ୍ଟା କଲି । କିଛି ମନେପଡ଼ୁନି । ସେ ମୁହଁଟା ଭୁଲିଗଲାଣି । ବର୍ତ୍ତମାନର ଏଇ ଶାନ୍ତ ମୁହଁଟା ଭିତରେ ସେ ଚଳଚଞ୍ଚଳ ମୁହଁଟା କେବେଠାରୁ ହଜିଗଲାଣି ।

 

ଆଚ୍ଛା, ସେ ମୋତେ ଛାଡ଼ି ଚାଲିଯାଉନି କାହିଁକି ? କି ଦର୍କାର ତା’ର ଏତେ ସେବା ଯତ୍ନ କରିବାରେ ? ଏଇ ରୁଟିନବନ୍ଧା ତା’ର ଆଶାହୀନ ଯାତ୍ରା ତା’ ମନରେ କ’ଣ ଟିକିଏ ବି ବିଦ୍ରୋହ ସୃଷ୍ଟି କରୁନାହିଁ ? ଏଇ ଅଯଥା ବନ୍ଧନ, ନୀରସ ଯାନ୍ତ୍ରିକ ଜୀବନରୁ ମୁକ୍ତି ପାଇବାପାଇଁ କ’ଣ ତା’ର ମନ ଟିକେହେଲେ ବି ଛଟପଟ କରୁନି ।

 

ବତିଶବର୍ଷ ତଳେ ତା’ ହାତ ଓ ମୋ ହାତ ଛନ୍ଦି ପୁରୋହିତ କେତେଗୁଡ଼ାଏ ଦୁର୍ବୋଧ୍ୟ ମନ୍ତ୍ରପଢ଼ି ଯେଉଁ ହାତଗଣ୍ଠି ପକେଇଥିଲେ ସେଇ ଗଣ୍ଠିଟା କ’ଣ ଏତେ ଶକ୍ତ, ଏତେ କଠିନ ଯେ ତାକୁ ଫିଟେଇପାରୁ ନାହିଁ ? ତା’ର ସ୍ୱାର୍ଥତ୍ୟାଗ କ’ଣ ସେଇଥିପାଇଁ ? ସାମାଜିକ ବ୍ୟବହାର, ଲୋକ ଲଜ୍ଜା, ନିନ୍ଦା କଅପମାନର ଭୟରେ ସେ ଯାହା ଚାହୁଁଛି ତାହା ସେ କରିପାରୁନି ? ମୁଁ ତା’ ମୁହଁକୁ ଆହୁରିଥରେ ଭଲକରି ନିଠେଇ ନିଠେଇ ଚାହିଁଲି । ତା ଆଖିରେ ଆଖି ରଖି ବୁଝିବାକୁ ଚେଷ୍ଟା କଲି ତା’ର ଅନ୍ତର ଭିତରର ଗୋପନ କଥା । କେଉଁଟା ସତ ? ତା’ର ନିଃସ୍ୱାର୍ଥପରତା ନା ଲୋକାଚାରର କର୍ତ୍ତବ୍ୟବୋଧ ?

 

ହୁଏତ ଏହା ମୋର ରୁଗ୍‌ଣ ମନର ପ୍ରତିଫଳନ ହୋଇପାରେ । ହୁଏତ ଏହା ମୋର ନିଜସ୍ୱ ବିଶ୍ୱାସ ହୋଇପାରେ । ତଥାପି ମୋତେ କାହିଁକି ବିଶ୍ୱାସ ହେଲାନାହିଁ ଯେ ତା’ର ଏଇ ତିଳ ତିଳ ଆତ୍ମୋତ୍ସର୍ଗ କେବଳ ତୁଚ୍ଛ ବ୍ୟବହାରିକତା, ସାମାଜିକତା, ଲୋକାଚାର ଓ ନିଷ୍ପ୍ରାଣ କର୍ତ୍ତବ୍ୟବୋଧ । ଏସବୁ ଥାଇପାରେ, ତଥାପି ତାରି ଭିତରେ ନିଶ୍ଚିତ ଭାବେ ଲୁଚି ରହିଛି ନିଜକୁ ଅପରର ମଙ୍ଗଳପାଇଁ ଉତ୍ସର୍ଗୀକୃତ କରିବାର ଏକ କ୍ଷୀଣ ଅଭିଲାଷ, ମହାଜୀବନର ଅଗ୍ନିକଣା, ଯାହା ବ୍ୟକ୍ତି ଭିତରରୁ ସଞ୍ଚରି ଯାଇ ପ୍ଲାବିତ କରେ ପରିବାରକୁ ଓ ପରିବାରର ସୁଉଚ୍ଚ ପାଚିରିକୁ ଲଂଘନ କରି ବ୍ୟାପ୍ତ ହୋଇଯାଏ ଗ୍ରାମ, ଦେଶ, ମହାଦେଶ, ପୃଥିବୀ ମଧ୍ୟଦେଇ ସମଗ୍ର ବିଶ୍ୱରେ । ଜଡ଼ ଜଗତର ସାର୍ବଭୌମ କ୍ଷମତା ଭିତରେ ହିଁ ଜନ୍ମଲାଭ କରି ‘ଜୀବନ’ ଯଦି ନିଜର ଶକ୍ତି ବଳରେ ତାକୁ ପଦାନତ କରିପାରେ, ତେବେ ଜୀବନର ସର୍ବବ୍ୟାପୀ, ସଂଘର୍ଷମୟ, ଶକ୍ତିଶାଳୀ ରାଷ୍ଟ୍ର ଭିତରୁ ମହାଜୀବନର ଏଇ ଛୋଟ ଅଗ୍ନିକଣାଟି ଯେ ସମଗ୍ର ବିଶ୍ୱରେ ଦିନେ ନିଜକୁ ପ୍ରତିଷ୍ଠିତ କରିବ, ଏଥିରେ ସନ୍ଦେହ କ’ଣ ଥାଇପାରେ ?

 

ରମାର ଚକ୍ଷୁ ତାରକାର ସେଇ ଚିକ୍‌ମିକ୍‌ ଅଂଶଟା କ’ଣ ସେଇ ମହାଜୀବନର ପ୍ରତୀକ-?

 

ମୁଁ ପରମ ନିଶ୍ଚିନ୍ତରେ ଦୁଧ ଗ୍ଲାସଟି ପିଇଦେଇ ଶୋଇପଡ଼ିଲି । ସେଇଦିନ ରାତିରେ ମୁଁ ସ୍ୱପ୍ନ ଦେଖିଲି ।

 

ପୃଥିବୀ ଓ ଆକାଶ ମଝିରେ ଥିବା ଧୂସର ସୀମାନ୍ତକୁ ଅତିକ୍ରମ କରି ଚିଲଟି ଉପରକୁ ଉଠୁଛି । ଉଡ଼ିଯାଉଛି ଧୀରେ ଧୀରେ ନୀଳ ଆକାଶ ଭିତରକୁ । ଡେଣାକୁ ସିଧା ରଖି, ମୁହଁକୁ ଉପରକୁ କରି, ନୀଳ ତରଙ୍ଗ କାଟି କାଟି ସେ ଉଡ଼ୁଛି ଏକମୁହାଁ ହୋଇ ଉପରକୁ–ଉପରକୁ–। କ୍ରମେ କ୍ରମେ ତା’ର ଆକାର ଛୋଟ ହୋଇଆସୁଛି । ଛୋଟରୁ ଛୋଟ–ଆହୁରି ଛୋଟ–ତା’ପରେ କ୍ଷୀଣ ବିନ୍ଦୁଟିଏ ।

 

ତା’ପରେ ଆଉ ଚିହ୍ନ ନାହିଁ ।

Image

 

ବେଲ, ଅଶ୍ୱତ୍‌ଥ ଓ ବଟ ବୃକ୍ଷ

 

ଧନ୍ୟ ଜୀବନ ଏ ଜଗତେ ।

ଯେ ପ୍ରାଣ ଧରେ ପ୍ରାଣୀ ହିତେ ।।

ଧନ୍ୟ ଜୀବନ ଧନ୍ୟ ତାର ।

ଦୁର୍ଲଭ କର୍ମ ଏ ବେଭାର ।।

ଏହା ମୁଁ ବୃକ୍ଷଙ୍କର ସ୍ଥାନେ ।

ଶିଖିଲି ପର୍ବତ ଗହନେ ।।

 

(ଭାଗବତ)

 

ବସ୍‌ଷ୍ଟେଣ୍ଡରେ ପହଞ୍ଚିଲାବେଳକୁ ସରକାରୀ ବସ୍‌ଟି କେତେବେଳୁ ଛାଡ଼ିଦେଲାଣି । ସେଥିରେ ଯାଇଥିଲେ ସିଧାସଳଖ ନଅଟାବେଳକୁ ଗାଁପାଖରେ ପହଞ୍ଚି ଯାଇଥାନ୍ତେ । କିନ୍ତୁ ଆଉ ତ ଉପାୟ ନାହିଁ । ପଛ ବସ୍‌ ଧରି ଫୁଲନଖରାରେ ଓହ୍ଲେଇ ପୁଣି ଆଉଥରେ କୁଜି ଘରୋଇ ବସ୍‌ରେ ବସି ଗାଁ ପାଖ ବସ୍‌ଷ୍ଟାଣ୍ଡରେ ପହଞ୍ଚିଲାବେଳକୁ ବେଳ ଏଗାରଟା ହେଲାଣି । ଏକେ ତ ବୈଶାଖ ମାସ ଖରା । ସକାଳ ଆଠଟାବେଳକୁ ବି ବାହାରକୁ ଗୋଡ଼ କାଢ଼ିହୁଏନା । ଏବେ ଏଇ ଏଗାରଟାବେଳକୁ ଚାରିଆଡ଼ ନିଆଁ ଜଳୁଛି ଯେମିତି । ଖରାକୁ ଚାହିଁ ହେଉନି । ଆଖି ବୁଜି ହୋଇଆସୁଛି ତା’ ତେଜରେ । ପବନଟା ବି ନିଆଁ ପରି ତାତିଛି । ଏତେବେଳେ ଆଉ ଗାଁକୁ ଯିବେ କି ନ ଯିବେ ଏମିତି ଦୋଦୋପାଞ୍ଚ ହୋଇ ବସ୍‌ରୁ ଓହ୍ଲେଇ ନଟବରବାବୁ ବସ୍‌ଷ୍ଟାଣ୍ଡ ପାଖରେ ଥିବା ଚାକୁଣ୍ଡା ଗଛ ତଳରେ ପାନ ଜଳଖିଆ ଦୋକାନ କରିଥିବା ହରି ଗୁଡ଼ିଆର ଚାଳିଆଆଡ଼କୁ ମୁହେଁଇଲେ ।

 

ଝାଟିମାଟି କାନ୍ଥ । ଉପରେ ତାଳ ବରଡ଼ାର ଛପର । ଦରଆଉଜା ହୋଇରହିଛି ତାଳ ବରଡ଼ାର ତାଟି । ଚାଳିଆ ଆଗରେ ଖୁଣ୍ଟ ଦି’ଟା ପୋତି ତା’ଉପରେ ଖଣ୍ଡିଏ ଦରଚଞ୍ଛା ପଟା ପିଟି ଦି’ଟା ବେଞ୍ଚ । ଖରା ତାତିରେ ସେଇଟା ଗରମ ହୋଇରହିଛି । ସେଥିରେ ଟିକେ ହାତମାରି ଦେଉଁ ଦେଉଁ ଚାଉଁକିନା ଲାଗିଲା ହାତକୁ । ନଟବରବାବୁ ଦରଆଉଜା ତାଟି ଫାଙ୍କଦେଇ ଅନେଇଲେ ଭିତରକୁ । ଖଣ୍ଡିଏ ଦରଭଙ୍ଗା ନଡ଼ବଡ଼ ଟେବୁଲ । ତା’ଚାରିପାଖେ ସେମିତିକା ଦି’ଚାରିଟା ଚେଆର । କୋଉଟାରେ ହାତ ନାହିଁ । ସେ କ’ଣକୁ ପଡ଼ିଛି ଖଣ୍ଡିଏ କାଠ ବେଞ୍ଚ । ଏ ପାଖରେ ଥାକ ହୋଇଥିବା କାଠର ଖଣ୍ଡିଏ ଆଲମିରା । ସେଇ ଥାକ ଉପରେ ସିଲଭରି ଥାଳିଆ ଆଉ ବାଉଁଶ ପାଚିଆରେ ସକାଳୁ ହୋଇଥିବା ବାସି ବରା ଗୁଲୁଗୁଲା ପକୁଡ଼ି ଓ ବିନ୍ଦିଆ ମିଠେଇ ସଜା ହୋଇ ରହିଛି । ତଳକୁ ଗୋଟାଏ ଖୋଲା ମୁହଁ ଡେକ୍‌ଚି ଉପରେ ଚିନି ସିରା ଭିତରେ ଭାସୁଛି ଚାରି ଛଅଟା ରସଗୋଲା । ସିଲ୍‌ଭର୍‌ ଚଟୁ ଉପରେ ଚିନି ସିରା ଲାଗି ଶୁଖିଯାଇଥିବା ଜାଗାଟିରେ ଦଳ ଦଳ ମାଛି ଭଣ ଭଣ । ଖଣ୍ଡିଏ ଛିଣ୍ଡା ସପ ଉପରେ ନାଲି କରିଆ ଖଣ୍ଡେ ପିନ୍ଧି ହରି ଗୁଡ଼ିଆ ଗୋଟିଏ କ’ଣରେ ଗଡ଼ପଡ଼ ହେଉଛି । ବାସନଧୁଆ ଟୋକାଟା ବେଞ୍ଚ ଉପରେ ଲମ୍ୱପମ୍ୱ ହୋଇ ପଡ଼ିଛି ।

 

ନଟବାବୁ ଧୀର ଗଳାରେ ଡାକିଲେ ‘ହରି, ଅଛୁ କିରେ ?’ ପରିଚିତ ଗଳାର ସ୍ୱର ଶୁଣି ହରି ଗୁଡ଼ିଆ ମୁଣ୍ତ ଟେକି ଚାହିଁଲା ଆଉ ତାପରେ ଧଡ଼ପଡ଼ ହୋଇ ଉଠି ବସି ମୁଣ୍ଡ ଉପରେ ହାତ ଦୁଇଟା ଲଗେଇ କହିଲା ‘ଆରେ ନଟ ଭାଇ ଯେ, ଏ ଉଦୁଉଦିଆ ଖରାବେଳଟାରେ କୋଉଠୁ ଆଇଲ ମ ? ଏଇ ଦଶୁଟା ବସ୍‌ରେ ?’ ହରି ଗୁଡ଼ିଆର ପାଟି ଶୁଣି ବାସନ ମଜା ଟୋକାଟା କେତେବେଳୁ ଛିଡ଼ା ହୋଇଗଲାଣି ।

 

ଭିତରକୁ ପଶିଆସି ନଡ଼ବଡ଼ ଚେଆରଟା ଉପରେ ବସି ପଡ଼ୁ ପଡ଼ୁ କହିଲେ ‘ହଇରେ ଏ ଟୋକା, ମନ୍ଦାଏ ପାଣି ଦେଲୁ । ଶୋଷରେ ତଣ୍ଟିଟା ଅଠା ଅଠା ହୋଇଗଲାଣି । ହଁ, ପରା । ଆଉ କହନା, ସକାଳୁ ବସ୍‌ଟା ଫେଲ୍‌ ହେଲି । ବାଧ୍ୟହୋଇ ପଛ ବସ୍‌ଟାରେ ଆସିଲି ।’

 

‘କାହିଁକି ସଞ୍ଜ ବସ୍‌ରେ ଆଇଲନି ?

 

‘ଆଉ କ’ଣ ତର ଅଛି ? କାଲି ସଞ୍ଜବେଳକୁ ତାର ପାଇଲି । ବୋଉର ଦେହ ଖରାପ । ରାତିରେ ତ ଆସିବାପାଇଁ କିଛି ନାହିଁ । ତେଣୁ ବାଧ୍ୟ ହୋଇ ସକାଳୁ ଆସିଲି ।’

 

‘କ’ଣ ହୋଇଛି ?’

 

‘କିଛି କ’ଣ ଜଣା ଅଛି । ଖାଲି ତାର । ଶୀଘ୍ର ଆସ । ’

 

‘ଏଇନେ ପୁଣି ଗାଁକୁ ଯିବ ? ଏତେ ଖରାଟାରେ ?’

 

‘ନ ଯାଇ ଚାରା ନାହିଁ । ଫେର୍ ଯଦି ଏ ଭିତରେ କ’ଣ ନାଇଁ କ’ଣ ହୋଇଯାଏ ଶେଷ ବେଳକୁ ଆଉ-’

 

‘ଛି ଛି ଛି-ଏ କାଳ କଥା ଆଉ ତୁଣ୍ଡରେ ଧର ନାହିଁ ।’

 

‘ତୁ ତ ଜାଣୁ ହରି–ମନଟା କାଲି ସଞ୍ଜଠୁଁ ଏମିତି ପାପ ଛୁଉଁଛି । ରାତିସାରା କାଲି ଶୋଇପାରିନି । ହଉ ଏଥର ଉଠେ ।’

 

ଗାମୁଛାଟାକୁ ପାଣିରେ ଭିଜେଇ ମୁଣ୍ଡଉପରେ ଥୋଇ ଛତା ଧରି ବାହାରିପଡ଼ିଲେ ନଟବରବାବୁ ।

 

ସଡ଼କ ତଳରୁ ଲମ୍ୱିଛି ଅଙ୍କାବଙ୍କା ହୋଇ ପାଦଚଲା ରାସ୍ତା । ବର୍ଷାଦିନରେ ହିଡ଼ ଉପର ରାସ୍ତା ବଦଳରେ ଏଥର ବିଲ ମଝିରେ ରାସ୍ତା ହୋଇଛି । ଚାରିଆଡ଼ର ଆବୁଡ଼ା ଖାବୁଡ଼ା, ଧାନ ଗଛର ଥୁଣ୍ଟା ବୁଦା ମଝିରେ ସେଇ ଟିକକ ବେଶ୍‌ ଚିକ୍‌କଣ । ପରିଷ୍କାର । ମଣିଷ ଚାଲି ଚାଲି ଧୂଳି ହୋଇଗଲାଣି ଠାଏ ଠାଏ । ଖରା ତେଜରେ ଚାରିଆଡ଼ ଦାଉ ଦାଉ ଜଳୁଚି । ଦୂରକୁ ଚାହିଁ ହେଉନି । ଆଖିପତା ବୁଜିଆସୁଛି ଖରା ତେଜରେ । ନିଆଁ ବର୍ଷୁଛି ଯେମିତି । ପବନଟା ଚୁଲିମୁଣ୍ଡର ପବନ ପରି ତାତିଛି । ଦେହ ହାତ ପୋଡ଼ିଯାଉଛି ଗରମରେ ।

 

ଏସବୁ ଭ୍ରୂକ୍ଷେପ ନ କରି ନଟବରବାବୁ ଛତା ମୁଣ୍ଡେଇ ମୁଣ୍ଡରେ ଓଦାଗାମୁଛା ଥୋଇ ଚାଲିବାକୁ ଆରମ୍ଭ କଲେ ଏକ ଲୟରେ । ପହଞ୍ଚୁ ପହଞ୍ଚୁ ଯଦି ବେଶି ଡେରି ହୋଇଯାଏ ।

 

ସେମିତି କିଛି ବେଶି ନ ହୋଇଥିଲେ ବୋଉ କେବେ ଟେଲିଗ୍ରାମ କରିନଥାନ୍ତା । ସେଇ ଯେ ପାଞ୍ଚବର୍ଷ ଦିନରୁ ବାପା ମଲାଠାରୁ ସେ ବୋଉର ଏମିତି ଦେହ ଖରାପ କେବେ ଦେଖିନାହାନ୍ତି-। ଦେଖିଥିଲେ ମଧ୍ୟ ବୁଝିପାରିନାହାନ୍ତି । ଆଉ ହୋଇଥିଲେ ବି ବୋଉ ତାଙ୍କଠାରୁ ଲୁଚେଇ ରଖିଛି । କେତେ କଷ୍ଟରେ ମଣିଷ କରିଚି ସେ । ସବୁ ଦୁଃଖ ଅଭାବ ଦୈନ୍ୟ ସତ୍ତ୍ୱେ ସେ ତାଙ୍କର ମୁହଁକୁ ଚାହିଁ ସିଧାସଳଖ ଛିଡ଼ାହୋଇ ତାଙ୍କୁ ପାଠ ପଢ଼େଇଛି–ମଣିଷ କରିଛି । ବାହାକରେଇଛି । ନିଜର ସବୁ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ କେବଳ ତାଙ୍କରିପାଇଁ ସେ ନିଜ ଜୀବନକୁ ଏକାବେଳକେ ଉତ୍ସର୍ଗ କରିଦେଇଛି । କେବେହେଲେ ତାଙ୍କୁ କିଛି ମାଗିନାହିଁ । କେବଳ ଦେଇଯାଇଛି ।

 

ସାମାନ୍ୟ ଚାକିରି । ସେଥିରେ ଚାରି ପାଞ୍ଚୁଟା ପିଲା । ଦରମା ଯାହା ଆଣନ୍ତି ସେତିକିରେ ସଂସାର ଚଳିବା କଷ୍ଟ । ସେଥିପାଇଁ ତାଙ୍କୁ ପାଖରେ ରଖିବାକୁ ଯେତେ କହିଲେ ବି ସେ କେବେ ଭୁବନେଶ୍ୱରରେ ନ ରହି ଗାଁକୁ ପଳେଇଆସିଛି । ଭାଗ ଚାଷ ଜମିରୁ ଧାନ ଆଦାୟ କରି ଚାଉଳ କରି, ତାଙ୍କ ପାଖକୁ ପଠେଇଛି । ପିଲାମାନେ ସୁଖରେ ରହିବେ ବୋଲି ଆଜି ମୁଗ ଦିଟା, କାଲି ବିରି, ପଅରଦିନ ବଡ଼ି, ନଡ଼ିଆ ଚିନାବାଦାମ ସବୁ ଗୋଟି ଗୋଟି କରି ସଜେଇ ସାଜେଇ ନିଜେ ଯାଇ ଦେଇଆସିଛି ।

 

ଆଉ ସେ ? ତାପାଇଁ କ’ଣ କରିଛନ୍ତି ? କିଛି ନାହିଁ । କେବଳ ନିଜ ସ୍ତ୍ରୀ ପିଲାଝିଲାଙ୍କପାଇଁ ସବୁକିଛି କରିଛନ୍ତି । ଆଶ୍ଚର୍ଯ୍ୟ । ମଣିଷ ଜାତିଟା ଏମିତି ଅକୃତଜ୍ଞ । ପଛକୁ ଫେରି ଚାହେଁନା । ଖାଲି ଆଗକୁ ଦେଖେ । ଖାଲି ମଣିଷ କାହିଁକି ସବୁ ପଶୁ ପକ୍ଷୀ, ଗଛ ଲତା । ପ୍ରାଣୀ ଜଗତର ନିୟମ ଏଇଟା । ପ୍ରାକୃତିକ ନିୟମ । ସୃଷ୍ଟିର ଲୀଳା ଅକ୍ଷୁର୍ଣ୍ଣ ରଖିବାକୁ । ଗଛ ଯଦି ତା’ର ପୁରୁଣା ପତ୍ରଗୁଡ଼ାକ ସବୁବେଳେ ନିଜର ଭାବେ ରଖିବାକୁ ଚାହେଁ ତେବେ ସେ କିପରି ସୃଷ୍ଟି କରିବ ନୂତନ ପତ୍ର, ନୂତନ ଫୁଲ, ନୂତନ ଫଳକୁ । ଅକୃତଜ୍ଞ ହେବା ବୋଧହୁଏ ସେଇଥିପାଇଁ ଏତେ ସ୍ୱାଭାବିକ ।

 

ପିଲାଙ୍କପାଇଁ ସେ ନିଜେ ବା କ’ଣ ନ କରୁଛନ୍ତି ? ନିଜେ ଭଲକରି ଗଣ୍ଡେ ନ ଖାଇ ନ ପିନ୍ଧି ପିଲାଏ କେମିତି ଭଲ ଖାଇବେ, ଭଲ ପିନ୍ଧିବେ, ଭଲ ପାଠ ପଢ଼ିବେ ସେଥିପାଇଁ ଅନବରତ ଖଟି ଚାଲିଛନ୍ତି । ସକାଳଠାରୁ ରାତି ପର୍ଯ୍ୟନ୍ତ କେବଳ ସେଇ ଚିନ୍ତା । ନିଜେ ଯେମିତି କଷ୍ଟ ସହି ପାଠ ପଢ଼ିଥିଲେ, ସବୁ ଅସୁବିଧା ସହ୍ୟ କରିଥିଲେ, ସବୁବେଳେ ମନରେ ଭାବନା ହୋଇଛି ମୋ ପିଲାଏ ଯେମିତି ସେମିତି କଷ୍ଟ ନ ପାଆନ୍ତି । ସେତିକି ଅସୁବିଧା ଭୋଗ ନ କରିନ୍ତି । ତାଙ୍କ ମନରେ ‘ଗରିବ’ ବୋଲି ଯେମିତି Infiriority complex ନ ରହୁ, ସେଥିପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଆସିଛନ୍ତି ।

 

କିନ୍ତୁ ତଥାପି ଫଳ କ’ଣ ହେଉଛି ?

 

ବୋଉର ସ୍ୱାର୍ଥ ତ୍ୟାଗ ଓ ଆତ୍ମୋତ୍ସର୍ଗ ସାଙ୍ଗେ ସାଙ୍ଗେ ନିଜର ବି ତାଙ୍କର ଥିଲା ପ୍ରଗାଢ଼ ଚେଷ୍ଟା । ସେତେବେଳର ଶିଶୁ ମନ ନେଇ ବୋଉକୁ ସୁଖରେ ରଖିବାର ଦୃଢ଼ ପ୍ରତିଜ୍ଞା । ସେଥିପାଇଁ ସେ ଯାହାହେଉ, ବଡ଼ ନ ହେଉ ପଛେ, ସାଧାରଣ ଭାବେ ବଞ୍ଚିବାର ପାଥେୟ ସଂଗ୍ରହ କରିପାରିଛନ୍ତି ତ ?

 

କିନ୍ତୁ ତାଙ୍କର ଏତେ ଆତ୍ମୋତ୍ସର୍ଗ ସତ୍ତ୍ୱେ ତାଙ୍କ ପିଲାମାନଙ୍କ ଭିତରେ ସେ ଚେଷ୍ଟା କାହିଁ-? ମଣିଷ ହେବାର ଆକାଙ୍‍କ୍ଷା କାହିଁ ?

 

କ’ଣପାଇଁ ଏମିତି ହେଲା ? କୋଉଠି ଭୁଲ୍ ରହୁଛି ।

 

ବଡ଼ପୁଅଟା ବି.ଏ. ପଢ଼ୁ ପଢ଼ୁ ହିପି ହୋଇଗଲା । ଖାଲି ଟଂ ଟଂ ବାହାରେ ବୁଲା । ପାଠ ଶାଠ ନାହିଁ । ଘରକୁ ଖାଇବା ଶୋଇବା ଛଡ଼ା ଅନ୍ୟ କିଛିପାଇଁ ଆସେନା । କେତେ ବୁଝାମଣା, କେତେ ଗାଳି ମନ୍ଦ ସବୁ ବୃଥା ହେଲା । ବାପା ମା’ପାଇଁ ନ ହେଉ, ନିଜର ଛୋଟ ଛୋଟ ଭାଇ ଭଉଣୀ ପ୍ରତି ସାମାନ୍ୟତମ କର୍ତ୍ତବ୍ୟବୋଧ ବି ନାହିଁ ? କ’ଣ ଆଉ କରାଯାଏ ? ଯୁଗ ତ ସେମିତି ହୋଇଛି ? ସମସ୍ତେ କେମିତି ଏକଘରକିଆ, ବ୍ୟକ୍ତିନିଷ୍ଠ ସ୍ୱାର୍ଥପର ହୋଇଯାଉଛନ୍ତି । ନିଜ ଛଡ଼ା ଯେମିତି ପୃଥିବୀରେ ଆଉ କାହାରି ପ୍ରତି କିଛି ତାଙ୍କର କରିବାର ନାହିଁ । କିନ୍ତୁ ପୃଥିବୀର ସମସ୍ତେ ତାଙ୍କ କାମ କରିବା ଆଗ ଦରକାର ।

 

ସେଇଥିପାଇଁ ଦୁନିଆ ଅଶାନ୍ତି ଘରେ । ଝିଅ ଦିଟା ବି ସେମିତି ହେଲେଣି । କଲେଜରେ ପାଠ ପଢ଼ିବା ମାନେ ଯେମିତି କେବଳ ଫେସନ ହୋଇ ବୁଲିବାଟା ଏକମାତ୍ର ଉଦ୍ଦେଶ୍ୟ । ଭଲ ଶାଢ଼ି ଦରକାର, ନାନା ପ୍ରକାର ଡ୍ରେସ୍ ଦରକାର । ସ୍ନୋ, ପାଉଡ଼ର, ସେମ୍ପୁ ନ ହେଲେ ଯେମିତି କଲେଜରେ ପାଠ ପଢ଼ାହୁଏନା । ଘର କାମରେ ଟିକିଏ ମନ ନାହିଁ । ବୋଉକୁ ଟିକିଏ ସାହାଯ୍ୟ କରିବା, କିଛି କାମଦାମ କରିବା । ନା–କିଛିରେ ମନ ନାହିଁ । ସାନଟା ନାଁରେ ତ ପରୋକ୍ଷ ଭାବେ କେତେ କଥା ଶୁଣାଗଲାଣି । ତା ବୋଉ ତାକୁ ସେଥିପାଇଁ କେତେ ଗାଳି ମନ୍ଦ କଲାଣି । ଦିନେ ତ ଝାଡ଼ୁ ନେଇ ବାଡ଼େଇ ପକେଇଲା । କ’ଣ ହେବ ? ‘‘ମୋତେ ଯେତେ ମାଠିବୁ ମାଠ ।’’

 

ସବୁଆଡ଼ୁ ଅଶାନ୍ତି । ଜୀବନରେ ଟିକିଏ ଶାନ୍ତି ନାହିଁ । ଯାହାପାଇଁ ସବୁ ସୁଖ ସୁବିଧାକୁ ବଳି ଦେଇଛନ୍ତି ସେମାନେ ଯଦି ଶେଷକୁ ଏମିତି ଅମଣିଷ ହୋଇଯାଆନ୍ତି, ତେବେ ସେ ଆତ୍ମୋତ୍ସର୍ଗର ମୂଲ୍ୟ କ’ଣ ? କି ସୁଖ ଆଉ ରହିଲା ଜୀବନରେ ?

 

ଝାଳରେ ପଞ୍ଜାବୀଟା ପୂରାପୂରି ଓଦା ହୋଇଗଲାଣି । ଶୋଷରେ ତଣ୍ଟି ଅଠା ଅଠା ହୋଇଯାଉଛି । ଓଦା ଗାମୁଛାଟା ଶୁଖି କାଠ ହୋଇଗଲାଣି । ଆଖି ପୋଡ଼ୁଚି ଖରା ତେଜରେ । ଜୋତାଗୁଡ଼ାକ ମଧ୍ୟ ଏତେ ଗରମ ହୋଇଗଲାଣି ଯେ ତଳିପାଠୁ ଆରମ୍ଭ କରି ଗୋଟା ପାଦଟା ସିଝିଯାଉଛି । କାଢ଼ି ଫୋପାଡ଼ି ଦେବାକୁ ଇଚ୍ଛା ହେଉଛି । ସାରା ଦେହଟା ଗରମ ହୋଇଗଲାଣି । ସତେଯେମିତି କିଏ ତତଲା ଲୁହା କରେଇରେ ପକେଇଦେଇଛି ।

 

ହଁ, ସଂସାରଟା ଆଉ କ’ଣ ? ତତଲା ଲୁହା କରେଇ ତ । ଜୀବନସାରା ଖାଲି ଏମିତି ଭାଜିହେବା କଥା । ସୁଖ କାହିଁ ଶାନ୍ତି କାହିଁ ?

 

ଆଗରେ ଦେଖାଯାଉଛି ହରିଚନ୍ଦନପୁର ଗାଁ । ବ୍ରାହ୍ମଣ ଶାସନ । ଗାଁ ମୁଣ୍ଡ, ପୋଖରୀହୁଡ଼ାରେ କୋଡ଼ିଏ ପଚିଶଟା ତାଳଗଛ ବାବନାଭୂତ ପରି ହାଁ କରି ଛିଡ଼ା ହୋଇ ରହିଛନ୍ତି । ହଲ୍‌ ନାହିଁ କି ଚଲ୍‌ ନାହିଁ । ପୋଖରୀ ଶୁଖିଯାଇଛି । କାଦୁଅଗୁଡ଼ା ଶୁଖିଯାଇ ଛ କୋଣିଆ ଛ କୋଣିଆ ହୋଇ ଫାଟିଯାଇ ଗୋଟାଏ ଚାଦରର ପେଟାର୍ନ ପରି ମନେହେଉଛି । ଫାଟ ଦାଢ଼ରେ ଧଳା ଧଳା ଶୁଖିଲା ଗେଣ୍ଡା ଖୋଳପା । ପୋଖରୀ ଗୋଟିଏ କ’ଣକୁ ବେଲବଣ । ବେଲବଣ ମଝିରେ ଅରାଏ ସଫା ଜାଗାରେ ବହୁ ଜୀର୍ଣ୍ଣ ପୁରାତନ ଶିବ ମନ୍ଦିରଟିଏ । ମନ୍ଦିରଟା ଭାଙ୍ଗି ରୁଜି ଜଲାଣି । ଅଧା କାନ୍ଥି ଭିତରେ ଶିବଲିଙ୍ଗ ଖରା ବର୍ଷା ଖାଇ ପୂଜାପାଆନ୍ତି । ବେଲ କଣ୍ଟାରେ ଚାରିଆଡ଼ ଭର୍ତ୍ତି । ବେଲଗଛଗୁଡ଼ାକ ଟିକିଏ ଟିକିଏ କଅଁଳିଛନ୍ତି । ବାକି ବଡ଼ ବଡ଼ ଡାଳ ସବୁ କଙ୍କାଳର ହାଡ଼ ପରି ସମ୍ପୂର୍ଣ୍ଣ ଧଳା ଧଳା ଦେଖାଯାଉଛନ୍ତି ।

 

ଆଉ ଉପାୟ ନାହିଁ । ନଟବରବାବୁ ସେଇ ବେଲବଣ ଭିତରେ କଣ୍ଟା ଆଡ଼େଇ ପଶିଲେ-। ଟିକିଏ ବିଶ୍ରାମ ଦରକାର ।

 

ଟିକିଏ ଭଲକରି ଛାଇ ନାହିଁ । ତଥାପି ଗଛ ଗଣ୍ଡିତଳକୁ ଆଉଜି ବସିଲେ ସେ । ମୁଣ୍ଡରୁ ଗାମୁଛା କାଢ଼ି ଦେହ ମୁଣ୍ଡ ପୋଛିହୋଇ କିଛିସମୟ ବସିରହିଲେ । ନା, ଆଉ ବସି ରହି ଲାଭ ନାହିଁ-। ଶୋଷରେ ତଣ୍ଟି ଅଠା ଅଠା ହେଲାଣି । ଶାସନ ଭିତରେ ପଶି ମନ୍ଦାଏ ପାଣି ନ ପିଇଲେ ଆଉ ଜୀବନ ରହିବ ନାହିଁ । ସେ ଧୀରେ ଧୀରେ ଉଠି ଗାଁ ଭିତରକୁ ପଶିଲେ ।

 

ଗାଁ ମୁଣ୍ଡର ବନ୍ଧୁ ଷଡ଼ଙ୍ଗୀର ବାଉଁଶ ବାଡ଼ି । ଗଛରେ ଗୋଟିଏ ହେଲେ ପତ୍ର ନାହିଁ । ଠୁଙ୍ଗା ଠୁଙ୍ଗା ଲମ୍ୱ ଲମ୍ୱ ଗଛଗୁଡ଼ାକ ବିନା ପବନରେ ବି ଦୋହଲୁଛନ୍ତି । କଣ୍ଟା ଭର୍ତ୍ତି ବାଉଁଶ କଣିଗୁଡ଼ାକ ରାସ୍ତା ଉପରକୁ ଅଧେ ମାଡ଼ିଆସି କଙ୍କାଳର ଆଙ୍ଗୁଳି ପରି ଦେଖାଯାଉଛନ୍ତି । ସାମାନ୍ୟ ପବନରେ ଶୁଖିଲା ବାଉଁଶ ପତ୍ରଗୁଡ଼ାକ ସାଁ ସାଁ କରି ଉଡ଼ିଆସୁଛନ୍ତି । ବାଉଁଶ ବାଡ଼ି ଶେଷକୁ ମନ୍ଦିର-। ତା’ଆଗରେ ମଧୁ ତିଆଡ଼ୀର ଘର । ମନ୍ଦିରର ପୂଜକ । ତା ପଛକୁ ପଛ ଘରକୁ ଘର ଲମ୍ୱିଛି । କେଉଁ କାଳର ପୁରୁଣା ମନ୍ଦିର । ଧଉଳା ହୋଇ ନାହିଁ ବୋଧହୁଏ କୋଡ଼ିଏ ପଚିଶବର୍ଷ ହେଲା । ବୈଶାଖର ଖରାରେ ମନ୍ଦିର ଉପରର ଶିଉଳିଗୁଡ଼ା ଫାଟି ଫାଟି ଚକଡ଼ା ଚକଡ଼ା ହୋଇ ଅଧେ ଖସି ଅଧେ ଲାଗି ରହିଛି କାଛୁ ବକଳା ପରି ।

 

ମନ୍ଦିର ଚଉତରା ଉପରେ ପଶାପାଲି ପଡ଼ିଛି । ଦଶବାରଜଣ ଘେରି ବସିଛନ୍ତି ଚାରିଆଡ଼େ । ମଝିରେ ମଝିରେ ହୋ ହୋ ହୋଇ ଚିତ୍କାର ଉଠୁଛି ଗୋଟାଏ ବଢ଼ିଆ ଦାନପାଇଁ । ଚଉତରାର ଭିତର ପାଖ କ’ଣକୁ ବଉଳ ଗଛ ଛାଇରେ ଚକାମାଡ଼ି ବସି ମଧୁ ତିଆଡ଼ୀଏ ଭାଗବତ ପଢ଼ୁ ପଢ଼ୁ ଏଆଡ଼େ କାନ ଡେରି ଦାନ କଥା ବୁଝିନେଇ, ଗୋଟାଏ ମନ୍ତବ୍ୟ କରି ପୁଣି ଆଉଥରେ ପଢ଼ାରେ ମନ ଦେଉଛନ୍ତି ।

 

ନଟବରବାବୁ କେତେବେଳୁ ଆସି ଚଉତରା ପାଖରେ ଛିଡ଼ା ହେଲେଣି । କାହାରି ନଜର ନାହିଁ । ସେ ମଧୁ ତିଆଡ଼ୀଙ୍କ ପାଖରେ ଯାଇ ମୁଣ୍ଡିଆ ମାରିଲେ । ‘ତିଆଡ଼ୀ ନନା, ଓଳିକି’ । ମଧୁ ତିଆଡ଼ୀ ବହିରୁ ମୁହଁ ଉଠାଇ ତାଙ୍କ ମୁହଁକୁ ଘଡ଼ିଏ ଚାହିଁ କହିଲେ ‘ଆରେ ନଟ କିରେ, ଏଇ ଧୂମ୍‌ ଖରାବେଳଟାରେ କୁଆଡ଼ିକି ବାହାରିଛୁ ?’ ‘ଆଉ କହନା, ନନା, ବୋଉର ଦିହ ଖରାପ, ତାର ପାଇ ସାଙ୍ଗେ ସାଙ୍ଗେ ଆସୁଛି । ଏଇ ବସ୍‌ ଷ୍ଟେଣ୍ଡରୁ ତ ଏଇନେ ଓହ୍ଲେଇ ସିଧା ଆସୁଛି । ଖାଲି ମନ୍ଦାଏ ପାଣିପାଇଁ ଏଠିକୁ ପଶିଆସିଲି । ଓଃ କି ଶୋଷ ।’

 

ମଧୁ ତିଆଡ଼ୀ ପାଖରେ ଲୁଙ୍ଗୁରୁ ପୁଙ୍ଗୁରୁ ହେଉଥିବା ଗୋଟାଏ ଅଧା ଲଙ୍ଗଳା ଟୋକାଟିକୁ ଡାକି କହିଲେ ‘ହଇରେ ପରି, ଗଲୁ ଲୋଟାଏ ପାଣି ଆଣିଲୁ ।’

 

ମନ୍ଦିର ବନ୍ଦ ଅଛି । ଖୋଲା ହେବ ଯାଇ ସନ୍ଧ୍ୟାବେଳକୁ । ଠାକୁର ଗମ୍ଭୀରାରେ । ପାଣି ପିଇସାରି ନଟବର ପାହାଚ ଉପରେ ଠାକୁରଙ୍କୁ ମୁଣ୍ଡିଆ ମାରି ଗୁହାରି ଜଣେଇ ପୁଣି ବାହାରିପଡ଼ିଲେ । ଛାଇ ତଳୁ ଖରାକୁ ବାହାରି ଆସିଲା ପରେ ଖରାଟା ଯେମିତି ବେଶି କଷ୍ଟ ଦେଉଛି । ଜାଲୁ ଜାଲୁଆ ଦିଶୁଛି ଚାରିଆଡ଼ ।

 

ଠାକୁରଙ୍କୁ ପ୍ରାର୍ଥନା କରିଆସିଛନ୍ତି । ‘ବୋଉକୁ ଭଲ କରିଦିଅ ଠାକୁରେ । ନ ହେଲେ ଅନ୍ତତଃ ମୁଁ ଯିବା ପର୍ଯ୍ୟନ୍ତ ସେ ଯେମିତି ବଞ୍ଚିଥାଉ’ । କିନ୍ତୁ ସେ ପ୍ରାର୍ଥନାରେ ଯେମିତି ବିଶ୍ୱାସ ନାହିଁ । ସେ ଡାକିବାରେ ପ୍ରଗାଢ଼ ଆକୁଳତା ବି ନାହିଁ । କେମିତି ଗୋଟାଏ ଲୋକଦେଖାଣିଆ ଅଭ୍ୟାସ । ଗତାନୁଗତିକ ପରମ୍ପରାର ପୁନରାବୃତ୍ତି । କାହିଁକି ଏମିତି ହେଉଛି ? କାହିଁକି ସେ ପ୍ରାଣ ଭରି, ଆକୁଳରେ ଡାକି ପାରୁନାହାନ୍ତି ? ନଟବର ନିଜେ ଗୋଟାଏ ଅଶ୍ୱସ୍ତିରେ ଛଟପଟ କରିଉଠିଲେ । ଏଇ ପ୍ରଚଣ୍ଡ ଖରାରେ ବି ଦେହଟା ତାଙ୍କର ଶୀତେଇଉଠିଲା ।

 

ଏଇ ଅତ୍ୟଧିକ ଗରମରେ ସବୁ କୂଅ ପୋଖରୀ ନଦୀ ଶୁଖିଗଲା ପରି ତାଙ୍କର ଅନ୍ତରର ସେଇ ବିଶୁଦ୍ଧ ଭଲପାଇବାର ଉତ୍ସ କ’ଣ ଶୁଖିଯାଇଛି । ମଧୁ ତିଆଡ଼ୀ କହିଲା ପରି ଏ ପାପ ଅନ୍ୟାୟ ଅନାଚାର ଭିତରେ ଠାକୁର ଆଉ କ’ଣ ମନ୍ଦିର ଭିତରେ ବି ନାହାନ୍ତି ? ସେଥିପାଇଁ କ’ଣ ତାଙ୍କର ମନେହେଲା ଶୁଖିଲା, ଥୁଣ୍ଟା ବାଉଁଶ ଓ ବେଲ ଗଛ ପରି ମନ୍ଦିରଟା ବି ସେମିତି ଭଙ୍ଗାରୁଜା, ବେଢ଼ଙ୍ଗିଆ ହୋଇଯାଇଛି ଏଇ ଖରାର ଉତ୍ତାପରେ । କିନ୍ତୁ ତା’ର ଚେର ଲମ୍ୱିଛି, କାହିଁ କେଉଁ ପାତାଳକୁ । ସେଉଠୁ ରସ ଶୋଷି ଶୋଷି ସେ ଖାଲି ବଞ୍ଚିରହିଛି । ପୁଣି ଯେତେବେଳେ ବର୍ଷା ହେବ, ପାଣିରେ ଶୁଖିଲା ମଟାଳ ମାଟି କାଦୁଅ ପଚ୍‌ ପଚ୍‌ ହୋଇଯିବ, ସେତିକିବେଳେ ପୁଣି ପତ୍ର କଅଁଳିବ, ଫୁଲଫୁଟିବ । ତା’ର ଶୁଖିଲା ଡାଳ ପୁଣି ପୂରିଉଠିବ ସବୁଜ ପତ୍ରର ମାଂସଳ ପରିପୂର୍ଣ୍ଣତାରେ, ହସଫୁଟିବ ଫୁଲର ପାଖୁଡ଼ା ପାଖୁଡ଼ାରେ ।

 

କିନ୍ତୁ ବର୍ଷା କେବେ ଆସିବ ? କେବେ ପୁଣି ବୈଶାଖର ଗୈରିକ ଆକାଶ ଶ୍ୟାମଳ ମେଘର ବାତ୍ସଲ୍ୟମୟୀ କରୁଣାରେ ପୂରିଉଠିବ ? କିଏ ଖୋଜି ବାହାର କରିବ ସେଇ ପାତାଳମୁଖୀ ଝରଣାର ଚିରନ୍ତନ ଉତ୍ସକୁ ?

 

ରାସ୍ତା ସରିଆସୁଛି । ନଡ଼ିଆ ବଣ ଭିତରେ ଚକ୍‌ମକ୍‌ ମାରୁଛି ସୁରଜମଲ ମାରୁଆଡ଼ିର ଧଳା କୋଠାଟା । ମଦନପୁର । ସେଉଠୁ ଆଉ ପାଏ ବାଟ ଗଲେ ତାଙ୍କ ଗାଁ ପଡ଼ିବ । ମଦନପୁର ମୌଜା ଓ ତାଙ୍କ ମୌଜାର ସୀମା ଚିହ୍ନଟ କରୁଥିବା ପ୍ରକାଣ୍ଡ ବରଗଛଟା ବି ଦେଖାଯାଉଛି । ଜୋର୍‌ରେ ଜୋର୍‌ରେ ପାଦ ପକେଇ ଚାଲିଲେ ନଟବର ।

 

ବିରାଟ ଅଶ୍ୱତ୍‌ଥ ଗଛଟି । ଦି’ଚାରିଜଣ ମଣିଷର କୁଣ୍ଢ ପାଇବ ନାହିଁ ଏତେବଡ଼ ଗଣ୍ଡି । ଏତେବଡ଼ ଗଛଟା ଅଥଚ ଟିକିଏ ବୋଲି ଛାଇ ନାହିଁ । ଗୋଟାଏ ହେଲେ ବି ପତ୍ର ନାହିଁ । ଟିକିଏ ଟିକିଏ କଅଁଳୁଛି । ଗଛ ଚାରିପଟେ ଛୋଟ ଛୋଟ ଅସଂଖ୍ୟ ଅଶ୍ୱତ୍‌ଥ କୋଳି । କେତେ ବଡ଼ ଗଛ–ଅଥଚ କେତେ ଛୋଟ ତା’ର ଫଳ । ନଟବର ମନେ ମନେ ହସିଲେ । ଗୋଟାଏ ବଡ଼ ଚେର ଉପରେ ଦଣ୍ଡେ ବସିଗଲେ ସେ । ଗଛ ଗଣ୍ଡି ଉପରେ ମୋଟା ନାଲି ସିନ୍ଦୂରର ଦାଗ । ତା ତଳକୁ ଲମ୍ୱିଛି ନାଲି ପିମ୍ପୁଡ଼ିର ଧାର । ସୁରଜମଲ ମାରୁଆଡ଼ିର ବାପା ସବୁଦିନ ସକାଳେ ଏଇଠି ପିମ୍ପୁଡ଼ିମାନଙ୍କପାଇଁ ଗୁଡ଼ କି ଚିନି ଦେଇଯାଏ । ନଟବର ମନକୁ ମନ ହସିଲେ ।

 

ଏଇ ଅଶ୍ୱତ୍‌ଥ ଗଛ ମୂଳେ ବସି ବୁଦ୍ଧଦେବ କୁଆଡ଼େ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲେ । ଏଇ ଗଛ ମୂଳେ ମହାବୀର ଜୀନ୍‌ ପରମ ଜ୍ଞାନ ପାଇଥିଲେ । ବୁଦ୍ଧଙ୍କର ଧର୍ମ କୁଆଡ଼େ ଗଲା, ଜୈନ ଧର୍ମ କୁଆଡ଼େ ଗଲା, ଖାଲି ଗଛଟା ହିଁ ପୂଜା ପାଉଛି । କି ଅଛି ଏଇ ଗଛରେ ? ନା ଟିକିଏ ଛାଇ–ନା ତା’ର କାଠ କିଛି କାମରେ ଆସୁଛି ?

 

ସମୟର ଖରା ଏମିତି ଶୋଷିନିଏ ପ୍ରକାଶିତ ପେଶଖରୀ, ନଦୀକୁ । କିନ୍ତୁ ଶୋଷିପାରେ ନାହିଁ ସାତତାଳ ଭେଦୀ ଭିତରେ ପରିବ୍ୟାପ୍ତ ହୋଇ ରହିଥିବା ରସର ସମୁଦ୍ରକୁ । ପୁଣି ଜଣେ କିଏ ଭାଗୀରଥ ଜନ୍ମ ହୋଇ ତାକୁ ପୁଣି ବାଟ କଢ଼େଇ ଆଣିବ ପୃଥିବୀ ଉପରକୁ । ଆଉଜଣେ କିଏ ଅର୍ଜୁନ ତୀକ୍ଷ୍‌ଣ ଶରରେ ପୃଥିବୀର କଠିନ ଆବରଣ ଭେଦ କରି ପୁନରାୟ ଉପରକୁ ଉଠାଇ ଆଣିବ ସ୍ୱତଃ ନିଃସାରଣ ଝରଣାର ସ୍ରୋତକୁ । କିନ୍ତୁ ତା’ଆଗରୁ ଏଇ ଶୁଷ୍କ ଟାଙ୍ଗର ଧୂସର ଭୂମି ଉପରେ ଶୀଳତ ଜଳ ପ୍ରକାଶ କ’ଣ କୋଉଠି ନାହିଁ ?

 

ଏମିତି ଭାବୁ ଭାବୁ ନଟବର କେତେବେଳେ ବରଗଛ ପାଖରେ ପହଞ୍ଚି ଯାଇଛନ୍ତି ଜାଣନ୍ତି ନାହିଁ । ହଠାତ୍‌ ବରଗଛ ତଳର ଶୀତଳ ଛାଇରେ ତାଙ୍କର ଚେତା ପଶିଲା । ସାରା ଦେହରେ ଯେମିତି କିଏ ମଧୁର ଶୀତଳ ସ୍ପର୍ଶ ଦେଇଗଲା । ଆଃ ! କି ଆରାମ । ସେ ଆଉ ଟିକିଏ ଘଞ୍ଚ ଛାଇ ତଳେ ଯାଇ ବସିପଡ଼ିଲେ । ପ୍ରକାଣ୍ଡ ବରଗଛ । ତାଙ୍କ ପିଲାଦିନରୁ ସେ ତାକୁ ଏମିତି ଦେଖିଆସିଛନ୍ତି । ଏଇ କେତେବର୍ଷ ଭିତରେ ଆହୁରି କେତେଟା ଓହଳ ବାହାରି ଗଛର ଆୟତନ ଆହୁରି ବଢ଼େଇ ଦେଇଛି । ପାଖକୁ କେତେଗୁଡ଼ାଏ ଗୋରୁ ବସି ପାକୁଳି କରୁଛନ୍ତି । କିଏ କେତେଟା ଡାଳ କାଟି ପକେଇ ଦେଇଛି ଯେ ତାରି ଚାରିପାଖରେ ଛେଳିଗୁଡ଼ାଏ ପତ୍ର ଛିଣ୍ଡାଇ ଛିଣ୍ଡାଇ ଖାଉଛନ୍ତି-। ଦୁଇ ଚାରିଟା ପିଲା ଏଇ ଧୁମ୍‌ ଖରାବେଳଟାରେ ସହଳରେ ଝୁଲି ଝୁଲି ଡାଳ କାମୁଡ଼ି ଖେଳୁଛନ୍ତି । ତାଙ୍କ ପାଖକୁ ଟିକିଏ ଦୂରରେ କେତେଜଣ ତାଙ୍କରି ପରି ବାଟୋଇ ଚାରିକାତ ମେଲେଇ ନିଘୋଡ଼ ନିଦରେ ଶୋଇଯାଇଛନ୍ତି । ସାରା ଗଛଟା ଭର୍ତ୍ତି ନାନା ପ୍ରକାର ଚଢ଼େଇ । ସେମାନଙ୍କର କିଚିରି ମିଚିରି ଶବ୍ଦରେ କାନ ଅତଡ଼ା ପଡ଼ିଯାଉଛି । କିନ୍ତୁ ସବୁ ସତ୍ତ୍ୱେ ବି ଗଛଟା ଯେମିତି ତା’ର ସହସ୍ର ବାହୁ ମେଲେଇ ତା’ର ସବୁ ସନ୍ତାନକୁ ଆନନ୍ଦରେ ଆଲିଙ୍ଗନ କରି ରଖିଛି ଏକ ମହାନ୍‌ ସ୍ନେହମୟୀ ଜନନୀ ପରି ।

 

ମୁଣ୍ଡ ତଳେ ଗାମୁଛାଟା ଦେଇ ଗଡ଼ିପଡ଼ିଲେ ନଟବର । ଜୋତାଗୁଡ଼ା କାଢ଼ିପକେଇ ଦୂରକୁ ଥୋଇଦେଲେ । ନିଆଁ ପରି ତାତିଥିଲା ସେଗୁଡ଼ାକ । କାଣି ଆଙ୍ଗୁଳି କ’ଣରେ ଗୋଟାଏ ଫୋଟକା ବାହାରିଲାଣି । ଜୋତା କାଢ଼ିଦେଲା ମାତ୍ରେ ପାଦ ଦୁଇଟା ଥଣ୍ଡା ହୋଇଆସିଲା । ଗୋଡ଼ ଳମ୍ୱେଇ ଉପରକୁ ମୁହଁକରି ସେ ଆଖି ବୁଜିବା ଆଗରୁ ଚାରିଆଡ଼କୁ ଅନେଇଦେଲେ । ଗୋଟାଏ ଜାଗାରେ ତାଙ୍କର ଆଖି ଅଟକି ଗଲା । କୋରଡ଼ ଭିତରେ ଉଠିଛି ଅଶ୍ୱତ୍‌ଥ ଗଛ ଆଉ ବେଲ ଗଛ ।

 

ସେ ପରମ ତୃପ୍ତିରେ ଆଖି ବୁଜିଲେ ।

 

ସେଇ ମୁଦା ଆଖିପତା ଉପରେ ଭାସିଉଠିଲା ଗୋଟାଏ ବିରାଟ ବରଗଛର ଛବି । ଆଉ ସେଇ ବରଗଛଟିକୁ ଆଚ୍ଛନ୍ନ କରି ଆଉ ଗୋଟାଏ ଛବି । ସେ ଛବି ତାଙ୍କ ବୋଉର । କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆହୁରି ଗୋଟାଏ ଛବି ଦେଖାଗଲା । ସେ ଛବିଟା ତାଙ୍କ ନିଜର ।

Image

 

ଆଶ୍ରୟ ପ୍ରାର୍ଥୀ

 

ଆମେ ସମସ୍ତେ ଚାଲିଛୁ । ଏକମୁହାଁ ହୋଇ ପଛକୁ ଫେରି ଚାହିଁବାର ସମୟ ନାହିଁ–ଇଚ୍ଛା ବି ନାହିଁ । ଅତୀତର ଭୟ ବିକଟାଳ ରୂପଧରି ପଛରେ ଡରଉଛି । ସ୍ମୃତିର ବିକଳାଙ୍ଗ ରୂପ ବିଭତ୍ସ ଭାବରେ ପଛରୁ ମାଡ଼ିଆସୁଛି । ଉପାୟ ନାହିଁ । ମାଡ଼ିଚାଲି ଆଗକୁ । ଆଶ୍ରୟ ଦରକାର, କିଛିର ଗୋଟାଏ ଆଶ୍ରୟ । କିଛିର ଗୋଟାଏ ଅବଲମ୍ୱନ । ବଞ୍ଚିବାପାଇଁ କୌଣସିର ଗୋଟାଏ ଉପାଦାନ ।

 

ଚାଲିଛୁ–ଗୋଟାଏ ଦଳ । ରିଫ୍ୟୁଜି । ଆଶ୍ରୟ ପ୍ରାର୍ଥୀ । ପୁରୁଣା ଘର ସବୁ ଭାଙ୍ଗିଚୂରି ଉଜାଡ଼ି ହୋଇଯାଇଛି । ଆଉ କିଛି ନାହିଁ । ଘର ନାହିଁ, ଗାଁ ନାହିଁ–ସମାଜ ନାହିଁ । ଯୋଉ ଘର ଦିନେ ଏତେ ଆପଣାର, ଏତେ ନିଜର ଥିଲା–ସେ ଆଜି ଆଉ ନାହିଁ । ଯା’ର ନିରାପଦ କୋଳରେ ମୁଣ୍ଡ ରଖି ନିଶ୍ଚିନ୍ତରେ ଶୋଇ ହୋଇ ଯାଉଥିଲା–ସେ ଆଜି ଭସ୍ମୀଭୂତ, କାହାର ଅଭୟ ବାଣୀରେ ଜୀବନ ହେବ ନିରାପଦ–ନିଶ୍ଚିନ୍ତ ?

 

ଚାଲ । ଚାଲ । ସେଇ ଦୂରଦିଗନ୍ତର ଶେଷ ପ୍ରାନ୍ତରେ ଛାୟାସ୍ନିଗ୍‌ଧ ଗୋଟାଏ ଆଶ୍ରୟ ସ୍ଥଳ । ହାତଠାରି ଡାକୁଛି । ଦୂରତ୍ୱ–ସତରେ କେତେ ସ୍ୱପ୍ନ ଦିଏ–କେତେ ଆଶା ଦିଏ ? ତା’ରି ନିଶାରେ ତ ଏତେ ଦୁଃଖ କଷ୍ଟ ନିର୍ଯ୍ୟାତନା ଭୁଲି ଆମେ ସମସ୍ତେ ଆଗେଇ ଚାଲିଛୁ । ସମୟର ଘାତ ପ୍ରତିଘାତ ସହି, ଏକ ଚିରନ୍ତନ ନିୟମିତତାର ନିଶ୍ଚିତତା ସୃଷ୍ଟି କରିଥିବା ଭ୍ରାନ୍ତ ନୀଡ଼ ଆଜି ନିଶ୍ଚିହ୍ନ ହୋଇଯାଇଛି । ଯୋଉଟା ଦିନେ ଥିଲା ଏକାନ୍ତ ଭାବରେ ଧ୍ରୁବସତ୍ୟ, ସମୟର ପରିପ୍ରେକ୍ଷିରେ ସେ ବି ପରିଣତ ହୋଇଛି ନିପଟ ମିଥ୍ୟାରେ । ତଥାପି ଆମେ ବଞ୍ଚିଛୁ । ଆଶାହତର ତୀବ୍ର ଅନୁଶୋଚନା, ଦୁଃଖ ବେଦନାରେ ଜର୍ଜରିତ ହୋଇ ସୁଦ୍ଧା ଆମେ ସ୍ୱପ୍ନ ଦେଖୁଛୁ ଆଗାମୀ ଏକ ନୂତନ ସ୍ୱପ୍ନର । ସେଇଥିପାଇଁ ଆମର ଏ ଯାତ୍ରା ।

 

କିଏ ନାହିଁ ଏ ଦଳରେ । ସ୍ତନ୍ୟପାୟୀ ଶିଶୁଠାରୁ ଆରମ୍ଭ କରି ଆଷ୍ଟୋତ୍ତର ବର୍ଷର ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ଚାଲିଛନ୍ତି ଆମ ସାଙ୍ଗରେ । ତରୁଣ, ତରୁଣୀ, ଯୁବକ, ଯୁବତୀ, ପ୍ରୌଢ଼ା, ବାଳକ, ବାଳିକା କେତେ ଲୋକ । ବୟସର ବିଭିନ୍ନତା, ଭାବନାର ବିଭିନ୍ନତା ସତ୍ତ୍ୱେ ବି ସମସ୍ତେ ବାନ୍ଧି ହୋଇଛନ୍ତି କେବଳ ଗୋଟାଏ ଲକ୍ଷ୍ୟରେ । ସେଇ ଗୋଟାଏ ଲକ୍ଷ୍ୟହିଁ ଆମକୁ ପରିଣତ କରିଛି ଗୋଟାଏ ଐକ୍ୟବଦ୍ଧ ସେନାବାହିନୀ ପରି ଶୃଙ୍ଖଳିତ । ସେଇ ଦୂର ଦିଗନ୍ତର ତୀରରେ ଝଲମଲ କରୁଛି ଆମର ଲକ୍ଷ୍ୟ, ଆମର ଆଶା–ଆଶ୍ରୟ । ନିରୁପଦ୍ରବ, ଶାନ୍ତିମୟ କ୍ରୋଡ଼ । ମା’ର କୋଳପରି ମମତାମୟୀ, ନିରାପଦ ନିଶ୍ଚିନ୍ତ । କିନ୍ତୁ କେତେଦୂର ସେଇ ଜାଗା ? ଯେତେ ପଥ ଆଗେଇଆସିଲେ ବି ମନେହେଉଛି ସତେଯେପରି ସେ ଆହୁରି ପଛକୁ ପଛକୁ ଘୁଞ୍ଚିଯାଉଛି । କାହା ମୁଣ୍ଡରେ ଗୋଟାଏ ପୁଟଳା । କିଏ ଧରିଛି ହାତରେ ସୁଟ୍‌କେଶ୍‌ । କିଏ ବା ମୁଣ୍ଡେଇଛି ଗୋଟାଏ ଟ୍ରଙ୍କ୍‌ । କେହି ବା ଖାଲି ହାତରେ ଗୋଟାଏ ବାଡ଼ି ଧରି ଚାଲିଛି । ବାକି ଯୋଉମାନେ କିଛି ଆଣି ପାରିନାହାନ୍ତି ସେମାନେ ଖାଲି ସତୃଷ୍ଣ ନୟନରେ, ପୁଟୁଳା, ବାକ୍‌ସ, ବେଗ୍‌ଆଡ଼କୁ ଚାହିଁ ଚାହିଁ ବାଟ ଚାଲୁଛନ୍ତି । ମନରେ ଗ୍ଲାନି ଆସୁଛି । ନିଜର ଅପାରଗତାର ବେଦନାରେ ନିଜପ୍ରତି ଧିକ୍‌କାର ଉଠୁଛି-। କିନ୍ତୁ ଅନନ୍ୟୋପାୟ ସେମାନେ । ବାଟ ଚାଲିବାକୁ ହେବ । ପହଞ୍ଚିବାକୁ ପଡ଼ିବ ସେଇ କଳ୍ପିତ ସୁଖର ସାମ୍ରାଜ୍ୟ ଭିତରେ । ଆଉ ଦୂର ନାହିଁ–ହେଇ ତ ଦେଖାଯାଉଛି ତା’ର ଘନ ସବୁଜ ବନଭୂମିର ଶୀର୍ଷ ଦେଶ ।

 

ଆମ ଭିତରେ ଅଛନ୍ତି ସବୁ ଶ୍ରେଣୀର ଲୋକ । କୃଷକ, ଶ୍ରମିକ, କଳାକାର, ଲେଖକ, ଚିତ୍ରକାର, ବୈଜ୍ଞାନିକ, ଶାସକ ବ୍ୟବସାୟୀ, ସବୁ ଗୋଷ୍ଠୀର ଲୋକେ । ଆମର ସମସ୍ତ ସମ୍ୱନ୍ଧ, ଆମର ବହୁଦିନର ପ୍ରତିଷ୍ଠିତ ସମାଜ ଏକାବେଳକେ ଧ୍ୱଂସ ହୋଇଯାଇଛି । ଆଜି ସମସ୍ତେ ଏକାଠି ରାସ୍ତାଉପରକୁ ଉଠିଆସିଛୁ । ସମସ୍ତେ ଆଜି ନିରାଶ୍ରୟ । ସମସ୍ତେ ବାସ୍ତୁହରା । ନିଜ ନିଜର ପୈତୃକ ଭିଟାମାଟି ଛାଡ଼ି ବହୁ ବନ୍ଧନର ଗଣ୍ଠି କାଟି–କୁଟି ପଳେଇଆସିଛୁ । ଅତୀତରେ କିଏ କ’ଣ ଥିଲା ତା’ର ଆଜି କିଛି ମୂଲ୍ୟ ନାହିଁ । ଆମର ପରସ୍ପର ଭିତରେ ଯୁଗ ଯୁଗ ଧରି ଯୋଉ ବିବାଦର ପାଚେରି ଥିଲା ସେ ବି ଆଜି ଆଉ ନାହିଁ ? ନାହିଁ ବି ଆମର ସେଇ ଅତୀତର ଚିରାଚରିତ ଅନୁସୃତ ନିୟମାବଳୀ । ବିଜୟୀ ସମ୍ରାଟ ଆଜି ସବୁ ଅତୀତକୁ ଭାଙ୍ଗିଚୁରି ନିଶ୍ଚିହ୍ନ କରିଦେଇ ସମସ୍ତଙ୍କୁ ପୁଣି ଏକାଠି କରିଦେଇ ଚାଲିଯାଇଛି । ଆମର ଆଜି ଗୋଟାଏ ନାଁ । ‘‘ଆଶ୍ରୟ ପ୍ରାର୍ଥୀ ।’’

 

କିନ୍ତୁ ସବୁ ହରେଇ ବି ଆମେ ଗୋଟାଏ ଜିନିଷ ଏ ପର୍ଯ୍ୟନ୍ତ ହରେଇନୁ । ସେଇଟା ସମସ୍ତଙ୍କର ଗଣ୍ଠିଲି ଭିତରେ, ସୁଟ୍‌କେଶ ଭିତରେ ଠିକ୍‌ ସେମିତି ନିଖୁଣ ଅବସ୍ଥାରେ ନେଇଆସିଛୁ । ସେଇଟା ହେଉଚି ଆମର ପରମ୍ପରା । ଆମର ଐତିହ୍ୟ, ଆମର ଅତୀତର ସଂସ୍କୃତି । ସେଥିପାଇଁ ଆମେ ଏକାଠି ଆଜି ବାନ୍ଧିହୋଇ ରହିଛୁ । ଗୋଟାଏ ଭୟରେ ଆମେ ଏକଜୁଟ ହୋଇ ପଳେଇଆସିଛୁ ସତ କିନ୍ତୁ ସେଇ ପରମ୍ପରାର ଦଉଡ଼ି ଆମକୁ ଆହୁରି ଦୃଢ଼ତର କରି ବାନ୍ଧିଦେଇଛି ତା’ର ନିବିଡ଼ ବନ୍ଧନରେ । ସେଥିପାଇଁ ଆମ ଭିତରେ ସମସ୍ତ ବିଭିନ୍ନତା ସତ୍ତ୍ୱେ ଆମେ ଗୋଟାଏ ଲକ୍ଷ୍ୟରେ ଏକାଠି ହୋଇ ବାଟ ଚାଲୁଛୁ ଏକାସାଙ୍ଗରେ । ଆଉ ସେଥିପାଇଁ ହିଁ ଆମ ଭିତରେ ଥିବା ସେଇ ବିଭିନ୍ନତା ସେମିତି ନିଜ ନିଜର ବୈଶିଷ୍ଟ୍ୟ ଘେନି ଆଜି ବି ସଞ୍ଜିବୀତ ହୋଇ ରହିଛି ଆମ ଭିତରେ ।

 

ଜାଣୁନା ଏ ଚଲାପଥର ଶେଷ କେଉଁଠି ! କେତେଦୂର ରହିଲା ସେଇ ଚିର ବାଞ୍ଛିତ ସ୍ୱପ୍ନ ରାଜ୍ୟର ଇଲାକା ? କେତେଦିନ, କେତେବର୍ଷ, କେତେଯୁଗ ଲାଗିବ ସେଇଠିକି ପହଞ୍ଚିବାକୁ ? କିନ୍ତୁ ତଥାପି ସବୁ ଅନିଶ୍ଚିତ ଭିତରେ ବି ଗୋଟାଏ ଆଶାର ଆଲୁଅ ଆମକୁ ଆମର ନିଜ ଅଜାଣତରେ ବି ଠେଲି ନେଇଯାଉଛି । କିଏ ସଠିକ ଜାଣେ ନାହିଁ ସେ ରାଜ୍ୟର ସ୍ୱରୂପ କ’ଣ ? କିଏ ତା’ର ସଜା ? କେମିତି ତା’ର ଜଳବାୟୁ ? କେତେ ପ୍ରାଚୁର୍ଯ୍ୟର ଦେଶ ସିଏ ? କିନ୍ତୁ ସମସ୍ତଙ୍କର ମନ ଭିତରେ ରହିଛି ସେଇ ଦେଶର ଏକ ସ୍ୱପ୍ନ । ଏକ ମଧୁର କଳ୍ପନା । ନିଜ ନିଜର ଅନୁଭୂତି, ଆଶା ଓ ଆକାଙ୍‍କ୍ଷାର ରଙ୍ଗଦେଇ ପ୍ରତ୍ୟେକେ ଗଢ଼ୁଛନ୍ତି ସେଇ ଦେଶକୁ ନିଜ ନିଜର କଳ୍ପନାରେ । ସ୍ୱପ୍ନ ସେଥିପାଇଁ ସବୁବେଳେ ମଧୁର । ଆଶା ସେଥିପାଇଁ ସବୁବେଳେ ମନୋହର । ନିଜର ବାସ୍ତବ ଅପ୍ରାପ୍ତି ଭିତରେ ପ୍ରାପ୍ତିର ପୂର୍ଣ୍ଣତାର ଅନୁଭୂତି ।

 

ରାସ୍ତା ଶେଷହେବାକୁ ନାହିଁ । ଭୋକ ଶୋଷରେ କେତେଜଣ ପ୍ରାଣ ହରେଇଲେଣି, କେତେ ଲୋକ ଶାନ୍ତି ଓ କ୍ଲାନ୍ତିରେ ଅଟକି ଗଲେଣି । କେତେଜଣ ପ୍ରତୀକ୍ଷାର ଅଧୀରତା ସହ୍ୟକରି ନ ପାରି ଆତ୍ମହତ୍ୟା କଲେଣି । କିନ୍ତୁ କେହି କାହାରି ପ୍ରତୀକ୍ଷା କରୁନାହିଁ । ବାପା ଛାଡ଼ୁଛି ସନ୍ତାନକୁ–ମା’ ଛାଡ଼ୁଛି ଶିଶୁକୁ, ଭାଇ ଛାଡ଼ୁଛି ଭଉଣୀକୁ–ସ୍ୱାମୀ ଛାଡ଼ୁଛି ସ୍ତ୍ରୀକୁ । ଏଠି ଆଉ ଅପେକ୍ଷାର ବେଳ ନାହିଁ । ଯେ ଚାଲିଗଲା ସେ ଗଲା । ତାକୁ ଅପେକ୍ଷା କରି ଲାଭ କ’ଣ ? ତାରିପାଇଁ ଶୋକ କରି ପଥ ପ୍ରାନ୍ତରେ ଜୀବନ ବିତେଇ ଦେବାରେ ମୂଲ୍ୟ କ’ଣ ? ନିଜକୁ ବଞ୍ଚିବାକୁ ହେବ । ନିଜର ସ୍ୱପ୍ନକୁ ଚରିତାର୍ଥ କରିବାକୁ ହେବ । ‘ଇମୋସନ୍‌’ର ସ୍ଥାନ ନାହିଁ ଏଠି । ଇଏ ଏକ ନିର୍ମମ ନିଷ୍ଠୁର ବାସ୍ତବ । ଚାଲ ଆଗେଇ ଚାଲ । ସମସ୍ତଙ୍କୁ ପଛେଇ ଦେଇ କେବଳ ଆଗେଇ ଯାଅ ।

 

ଭୋକ, ଶୋଷ ନମାନି ଆମେ ଆଗେଇ ଚାଲିଛୁ । ଚାଲି ଚାଲି ପାଦରେ ଟୋଟକା ହେଲାଣି । ପଥଶ୍ରମରେ ଦେହ ହାତ ଅବଶ ହୋଇ ଗଲାଣି । ପରିଶ୍ରମ ଜନିତ କ୍ଲାନ୍ତିରେ ଆଗେଇବାକୁ ଆଉ ସ୍ପୃହା ହେଉନାହିଁ । ପ୍ରତୀକ୍ଷାର ଆଶା ଧୈର୍ଯ୍ୟର ବନ୍ଧ ଡେଇଁଗଲାଣି । ତଥାପି ଏକ ଅଜଣା ଅଦମନୀୟ ଆକର୍ଷଣରେ ଆମେ ଯେମିତି ଓଟାରି ବାଟ ଚାଲୁଛୁ । ଆଶା ଉଙ୍କିମାରୁଛି, ‘‘ହେଇ, ପହଞ୍ଚି ଗଲାକି ଆଉ ? ଏତେବାଟ ଆସି ଶେଷମୁଣ୍ଡରେ ପହଞ୍ଚି ଅଟକି ଯିବା କାହିଁକି ? ଆଉ ଟିକେ ? ଆଉ ଟିକେ ଚଲାଯାଉ ? କାଳେ ମିଳିଯିବ !’’ ଆଶାର କେତେ ଶକ୍ତି ସତେ । ମଣିଷର ସମସ୍ତ ଦୈହିକ ଦୁର୍ବଳତାକୁ ଅଗ୍ରାହ୍ୟ କରି ସେ ହାତ ଧରି ଆଗେଇନିଏ ଆଗକୁ । ଚାଲ, ଚାଲ, ଆଗକୁ, ଆଗକୁ–ଆହୁରି ଆଗକୁ ।

 

ଦୂରରେ ଦେଖାଗଲା ଗୋଟାଏ କ୍ଷୀଣ ଆଲୋକ । କ୍ରମଶଃ ସେ ଆଲୋକ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହେବାକୁ ଲାଗିଲା । ଶୁଣାଗଲା କେତେ ବାଦ୍ୟଯନ୍ତ୍ରର ସ୍ୱର । ପ୍ରାଣ ମତାଣିଆ ସୁରର ଝଙ୍କାର । ନୂପୁରର ଧ୍ୱନି । ଆନନ୍ଦର ମହୋଲ୍ଲାସ । ଆଃ, ଏତେଦିନେ, ଏତେଦିନେ ଆମେ ପହଞ୍ଚିପାରିଛୁ ଆମର ଲକ୍ଷ୍ୟସ୍ଥଳରେ । କେତେଜଣଙ୍କର ଗତି ଚଞ୍ଚଳ ହୋଇଉଠିଲା । ଦ୍ରୁତ ପଦଶବ୍ଦରେ କମ୍ପିଉଠିଲା ଚାରିଆଡ଼ । ଆଉ କେତେଜଣ ପ୍ରାପ୍ତିର ଆନନ୍ଦରେ ଆଉ ଚାଲି ନ ପାରି ସେଇଠି ବସିପଡ଼ିଲେ । ଆନନ୍ଦର ସୁର, ଲକ୍ଷ୍ୟସ୍ଥଳରେ ନିକଟତ୍ୱ ତାଙ୍କୁ ଯେମିତି ଏକ ହର୍ଷ ବିଷାଦର ପୁଲକରେ ଅଚଳ, ଅଥର୍ବ ପଙ୍ଗୁ କରିଦେଇଗଲା ।

 

ଚାରିଆଡ଼େ ଉଚ୍ଚକିତ ଆନନ୍ଦର କଳରୋଳ । କେଉଁଠି ଭାଙ୍ଗ ବଟା ହେଉଛି । କିଏ ବା ବସି ଚିଲମରେ ଗଞ୍ଜେଇ ଭର୍ତ୍ତିକରି ଦମ୍‌ ନେଉଛି । କେତେଜଣ ଦଳ ଦଳ ହୋଇ ବସି ବୋତଲ ପରେ ବୋତଲ ସୋମରସ ସେବନ କରୁଛନ୍ତି । ସମସ୍ତେ ମତ୍ତ, ସମସ୍ତେ ଖୁସିରେ ପାଗଳ । ଚାରିଆଡ଼େ କେବଳ ଯୁବକ ଯୁବତୀର ଭିଡ଼ । ନାନାରଙ୍ଗର ବେଶ ପୋଷାକ–କେତେ ଉଲଗ୍ନ–କେତେ ଅର୍ଦ୍ଧ ଉଲଗ୍ନ । ଆଖିରେ କାମନାର ଅଗ୍ନିକଣା । ଦେହରେ ଯୌବନର ଉଛୁଳା ତରଙ୍ଗ । କେତେଜଣ ସେଇ ଭିତରେ ଆଲିଙ୍ଗନାବକ ହୋଇ ପରସ୍ପରକୁ ଅବିଶ୍ରାନ୍ତ ଭାବରେ ଚୁମ୍ୱନ କରି ଚାଲିଛନ୍ତି । କିଏବା ବିଭିନ୍ନ ଭଙ୍ଗିରେ ରତକ୍ରିୟାରେ ବ୍ୟସ୍ତ । ସବୁଠି ଏକ ଆନନ୍ଦର ଉତ୍ତେଜନା । ଏକ ମତ୍ତତାର ବାୟୁମଣ୍ଡଳ ।

 

ଆଃ ! ଏଇ ତ ସେଇ କଳ୍ପିତ ସାମ୍ରାଜ୍ୟ । ଆନନ୍ଦର ଓ ଖୁସିର । ଉପଭୋଗ ଓ ବିସ୍ମୃତିର-

 

ଆମ ଭିତରେ ଥିବା ଅପେକ୍ଷାକୃତ ଅଳ୍ପ ବୟସର ଲୋକେ ରାସ୍ତାର ମୋଡ଼ ଭାଙ୍ଗି ଧାଇଁବାକୁ ଲାଗିଲେ ସେଇଆଡ଼କୁ । ତରୁଣ, ତରୁଣୀ, ଯୁବକ, ଯୁବତୀ, ପ୍ରୌଢ଼, ପ୍ରୌଢ଼ା ଏକ ପ୍ରାପ୍ତିର ଉତ୍ତେଜନାରେ ଅସମ୍ଭାଳ ହୋଇ ମାଡ଼ିଚାଲିଲେ ସେଇ ମେଳାଆଡ଼କୁ । ଆଃ–ଏତେଦିନକେ ଏତେଦିନର ଦୁଃଖ କଷ୍ଟ ବେଦନାର ଶେଷରେ ମଜି ମିଳିଛି ସେଇ ବାଞ୍ଛିତ ତୃପ୍ତ । ତାଙ୍କ ସାଙ୍ଗରେ ମିଶିଗଲେ ସେମାନେ । ଆନନ୍ଦର ଚିତ୍କାର ଗଗନ ଭେଦି ହୋଇଉଠିଲା । ଭାଙ୍ଗ, ଗଞ୍ଜେଇ, ଅଫିମ, ଗୁଲି, ମଦର ସୌରଭରେ ଆକାଶ ଆମୋଦିତ ହୋଇଉଠିଲା । ଯୌନର ଉତ୍ତାପରେ ବାୟୁମଣ୍ଡଳ ଉତ୍ତପ୍ତ ହୋଇଉଠିଲା ।

 

ତଥାପି ଆମେ ବାଟ ଛାଡ଼ିଲୁନି । ଭାବିଲୁ–ନା, ଇଏ ଏକ ମରୀଚିକା । ଲକ୍ଷ୍ୟର ପଥରେ ଏକ ମାୟା ସ୍ୱର୍ଗ । ଏଥିରେ ତୃପ୍ତି ନାହିଁ–ଅତୃପ୍ତି ଅଛି । ଶାନ୍ତି ନାହିଁ, ଜ୍ୱାଳା ଅଛି । ପିପାସାର ଶେଷ ନାହିଁ–ଆରମ୍ଭ ମାତ୍ର । ଏ କେବେ ଆମର ସେଇ କଳ୍ପିତ ଶାନ୍ତି-ସୁଖ ସମୃଦ୍ଧିର ସାମ୍ରାଜ୍ୟ ନୁହେଁ–ହୋଇନପାରେ । ଆମେ ବାଟ ଭୁଲିବୁନି । ଆମେ ବିଜ୍ଞ । ଆମେ ଜ୍ଞାନୀ । ଆମର ଅନୁଭୂତି ଅଛି । କ୍ଷଣକର ମୋହରେ ଚିରନ୍ତନ ସୁଖର ସାମ୍ରାଜ୍ୟକୁ ଚିରଦିନପାଇଁ ଛାଡ଼ିଦେଇ ଆମେ ପାରିବୁ ନାହିଁ । କ୍ଷଣକାଳ ଅଟକି ରହି ଫେର୍‌ ଆମେ ଚାଲିବାକୁ ଆରମ୍ଭ କଲୁ ।

 

ଫେର୍‌ ସେଇ ଦୀର୍ଘପଥ । ଳମ୍ୱିଯାଇଛି ଦୂର ଦିଗନ୍ତ ପର୍ଯ୍ୟନ୍ତ । ଗ୍ରୀଷ୍ମର ପ୍ରଖର ରୌଦ୍ରତାପ, ବର୍ଷାର ନିଝୁମ ବର୍ଷା, ଶୀତର ପ୍ରଚଣ୍ଡ ଶୀତକୁ ଉପେକ୍ଷା କରି କଣ୍ଟା, ବୁଦା, ଖାଲ, ଢିପ ନ ମାନି ପୁଣି ଆମେ ଚାଲିଛୁ ସେଇ ନିଶାରେ । ଆମକୁ ପହଞ୍ଚିବାକୁ ପଡ଼ିବ ସେଇ ଦେଶରେ । ଯେତେ ବାଧା ଆସୁ, ବିଘ୍ନ ଆସୁ ଆମକୁ ଅତିକ୍ରମ କରି ଆଗେଇବାକୁ ପଡ଼ିବ । ଆଉ ବୋଧେ ବେଶି ବାଟ ନୁହେଁ । ଆମେ ଗୋଟିଏ ଦେଶ ଅତିକ୍ରମ କରିସାରିଲୁଣି । ନୂତନ ଦେଶର ସୀମା ନିଶ୍ଚୟ ଆଉ ବେଶି ଦୂର ନାହିଁ । ପଛର କୋଳାହଳ ସ୍ତିମିତ ହୋଇଆସିଲାଣି । ନୂତନ ଦେଶର ପକ୍ଷୀର କଳରୋଳ ଆମକୁ ନିମନ୍ତ୍ରଣ କରୁଛି ସ୍ୱାଗତିକା ଗାଇ ।

 

ଆମ ଭିତରୁ ଜଣେ କେହି ଚିତ୍କାର କରିଉଠିଲା:–‘‘ଆସିଗଲା ଆସିଗଲା ’’। ତଳକୁ ମୁହଁପୋତି ଆମେ ଚାଲୁଥିଲୁ । ନିଜର ଦୁଃଖ ଓ କଷ୍ଟକୁ ନିଜ ଭିତରେ ଏକ ଅଦ୍ଭୁତ ପୂର୍ବ ପ୍ରଚେଷ୍ଟାରେ ଚାପିରଖି କାହାରିଆଡ଼କୁ ଦୃଷ୍ଟି ନ ଦେଇ ଏକ ଲୟରେ ଚାଲିଥିଲୁ । ହଠାତ୍‌ ଏକ ଚିତ୍କାର ଶୁଣି ସମସ୍ତେ ଏକାବେଳକେ ସ୍ତବ୍‌ଧ ହୋଇ ରହିଥିଲୁ । ସମସ୍ତେ ନିରିଖି ଚାହିଁଲୁ ଦୂର ଦିଗ୍‌ବଳୟର ସୀମାରେଖାକୁ । ସେଇ ଚକ୍ରବାଳର ବୃତ୍ତକାର ସୀମାକୁ ବର୍ଚ୍ଛାପରି କାଟିଦେଇ ଦେଖାଯାଉଛି କେତେଗୁଡ଼ାଏ ଅଟ୍ଟାଳିକାର ଗମ୍ୱୁଜ । ବୃତ୍ତାକାର, ସିଲିଣ୍ଡ୍ରିକେଲ୍‌, ସୁଚ୍ୟଗ୍ର ଶୀର୍ଷ । ଆନନ୍ଦର ଏକ ସୁତୀବ୍ର ଚିତ୍କାର ସମସ୍ତଙ୍କର ଫୁସ୍‌ଫୁସ୍‌ରୁ ସମସ୍ତ ପବନ ନିଃଶେଷ କରି ଏକ ଉଦାର ଚିତ୍କାର ବାୟୁମଣ୍ଡଳକୁ ପ୍ରକମ୍ପିତ କରିଦେଲା । ଆମେ ସମସ୍ତେ ପୁଣି ଦ୍ୱିଗୁଣ ଉତ୍ସାହରେ ଚାଲିବାକୁ ଆରମ୍ଭ କଲୁ । କି ସୁନ୍ଦର ଶାନ୍ତ ଏଇ ଦେଶ । ଦୀର୍ଘ ବୃକ୍ଷର ଘନ ଶ୍ୟାମଳିମାରେ ଦିଗନ୍ତ ପରିବ୍ୟାପ୍ତ-। ତାରି ଘନଛାୟା ତଳେ ତଳେ ଏକ ସ୍ନିଗ୍‌ଧ ବାୟୁର ଅମୃତମୟୀ ପ୍ରଲେପ ଆମର ସମସ୍ତ କ୍ଲାନ୍ତି ପୋଛି ପୋଛି ନେଉଛି । ମନରେ ଏକ ଅପୂର୍ବ ଶାନ୍ତି ସମସ୍ତ ଉତ୍ତେଜନାକୁ ଧୀରେ ଧୀରେ ଏକ ଅତିନ୍ଦ୍ରୀୟ ସ୍ପର୍ଶରେ ଆବେଶ ମୁଗ୍‌ଧ କରି ରଖୁଛି । କୋଳାହଳ ନାହିଁ । ଚିତ୍କାର ନାହିଁ । ବାଦ୍ୟଯନ୍ତ୍ରର କର୍ଣ୍ଣକଟୁ ଶବ୍ଦ ନାହିଁ । ସେଇ ଶାନ୍ତ ପରିବେଶକୁ ଆହୁରି ଶାନ୍ତ କରି ରଖୁଛି କେତୋଟି ମନ୍ଦ୍ରଗମ୍ଭୀର ସୁରମାତ୍ର । ଧୂପ, ଝୁଣା, ଫୁଲର ମହକ ବାୟୁମଣ୍ଡଳର ପ୍ରତ୍ୟେକ ଅଣୁ କଣାରେ ବିଞ୍ଚିଦେଉଛି ଶାନ୍ତିର ସ୍ନିଗ୍‌ଧ ଜଳକଣା ।

 

ଆମ ଭିତରରୁ ଅଧିକାଂଶ ସେଇ ଅଟ୍ଟାଳିକାଗୁଡ଼ିକ ଭିତରେ ପଶିବାକୁ ଆରମ୍ଭ କଲେ । ଯାହାର ଯୋଉଠି ଇଚ୍ଛା ସେ ସେଇଠିକୁ ଚାଲିଲା । ଏଇ ତ ଆଶ୍ରୟ । ଏଇ ତ ଜୀବନର ପଥଚଲାର ଶେଷ । ଆଉ ବାକି କିଛି ନାହିଁ । ସବୁ ଏଇଠି ଶେଷ । ଏହା ପରେ ଆଉ କିଛି ପ୍ରାପ୍ତି ନାହିଁ । ଆଉ କିଛି ଆଶା ନାହିଁ । ସେଇ ଅଟ୍ଟାଳିକାର ବେଢ଼ା ଭିତରେ, ଚଉତରାରେ, ସମସ୍ତେ ବସିପଡ଼ିଲେ । ହାତଯୋଡ଼ି, ଆଣ୍ଠୁମାଡ଼ି, ଲମ୍ୱତମ୍ୱ ହୋଇ, ଅଧାବସା–ଅଧାଉଠା ହୋଇ ଚକାମାଡ଼ି ବିଭିନ୍ନ ଭଙ୍ଗୀରେ ସେମାନେ ସମସ୍ତେ ବିହ୍ୱଳ, ବିମୁଗ୍‌ଧ, ସ୍ତବ୍‌ଧହୋଇ ରହିଗଲେ ସେଇ ଅଟ୍ଟାଳିକା ଭିତରେ । ପ୍ରାପ୍ତିରେ ଆଶା ତାଙ୍କର ପୂର୍ଣ୍ଣ ହୋଇଛି । ସୁଦୀର୍ଘ ପ୍ରତୀକ୍ଷା ତାଙ୍କର ଶେଷ ହୋଇଛି । ଏବେ ଖାଲି ନିଦ । ନିଘୋଡ଼ ନିଦ । ନିରାପଦ ଭୂମି । ନିଶ୍ଚିନ୍ତତାର ଆଶ୍ରୟ ।

 

କିନ୍ତୁ ଏଇକି ସେଇ ଦେଶ ? ସତରେ କ’ଣ ଏଇ ଦେଶ ପରେ ଆଉ କିଛି ନାହିଁ ? ଆମେ ଦେଶ ପରେ ଦେଶ ଛାଡ଼ି ଆସିଛୁ । କିଏ କହିବ ଏଇଟା ଶେଷ ବୋଲି ? ଆଉ ଟିକିଏ ଆଗେଇ ଗଲେ କ୍ଷତି କ’ଣ । ଆଗକୁ ଯାଇ ପରୀକ୍ଷା କରି ଦେଖିଲେ କ’ଣ ହୁଅନ୍ତା ନାହିଁ । ଆମ କେତେଜଣଙ୍କ ମନରେ ସନ୍ଦେହ, ଦ୍ୱିଧା ଓ ଆଶଙ୍କା । ଆମ ଦଳ ଖୁବ୍ ସୀମିତ ହୋଇଯାଉଛୁ । ଯାତ୍ରା ଆରମ୍ଭରୁ ଆମେ ଥିଲୁ ଅନେକ । ଏବେ ମାତ୍ର କେଇଜଣ ରହିଯାଇଛୁ । ଭୟ ଲାଗୁଛି–ଆଶଙ୍କା ହେଉଛି । ଯଦି, ନ ଥାଏ ?

 

ତଥାପି ଆମେ ଦୃଢ଼ ହେଲୁ ।

 

ଚାଲ ଆଗେଇ ଚାଲ । ଆମକୁ ଆଶ୍ରୟ ଦରକାର । ୟାଠାରୁ ସୁନ୍ଦର ୟାଠାରୁ ଆହୁରି ମନୋହର–ଆହୁରି ଆକର୍ଷଣୀୟ । ପଥ ଏଥର ଦୁର୍ଗମ । କଙ୍କରିଳ । କ୍ରମଶଃ ସଂକୀର୍ଣ୍ଣ । ଆମେ ଚାଲିଛୁ । ଏତେ ବାଧା ସହିଆସିଛୁ । ଏତେ କଷ୍ଟ ଅନୁଭବ କରିଛୁ, ସାମାନ୍ୟ ବାଧା ଟିକକ ଆମର ଗତି ପ୍ରତିରୋଧ କରିବ କି ? ଆମର ନିଶ୍ଚିନ୍ତ ଆଶ୍ରୟରୁ ବିତାଡ଼ିତ ହୋଇ ପଥ ଉପରକୁ ଓହ୍ଲେଇଆସିଛୁ । ପଛକୁ ତ ଫେରିବାର ଉପାୟ ନାହିଁ । ତେଣୁ ସେ ଦେଶ ଅନ୍ୱେଷଣର ଯାତ୍ରା ପଥରେ ଶେଷ ହୋଇଗଲେ କ୍ଷତି ବା କ’ଣ ?

 

ଥରକୁ ଥର ଏମିତି ଆମର ଘର ଭାଙ୍ଗିଛି । ଅତ୍ୟାଚାରୀ ସମ୍ରାଟର ସୈନ୍ୟବାହିନୀମାନେ ଏମିତି କେତେଥର ଆମ ଘର ଦ୍ୱାର ଜାଳିପୋଡ଼ି ଦେଇ ଆମକୁ ନିଃଶ୍ୱ, ଅସହାୟ କରି ପଥର ଭିକାରି କରିଦେଇଛନ୍ତି । କିନ୍ତୁ ଆମେ ହାରିଯାଇନୁ । ନୂତନ ଭାବେ ପୁଣି ସଙ୍ଗଠିତ ହୋଇଛୁ-ଆହୁରି ନୂତନ କରି ନୂଆ ପଦ୍ଧତିରେ, ଦୃଢ଼ ମୂଳ ଭିତ୍ତି ଦେଇ ନୂତନ ଅଟ୍ଟାଳିକା ଗଢ଼ିଛୁ । ସେ ସମ୍ରାଟର ବିଳୟ ନାହିଁ । ସେ କେତେବେଳେ ଆସେ ସମ୍ରାଟର ମୁକୁଟ ପିନ୍ଧି ଯୋଦ୍ଧା ବେଶରେ, କେତେବେଳେ ଅବା ଲଣ୍ଡିତ ମସ୍ତିଷ୍କଭିକ୍ଷୁ ବେଶରେ, ପୁଣି କେତେବେଳେ ବା ବୈଜ୍ଞାନିକର ଛଦ୍ମବେଶରେ । ସେ ଆସିବ ହିଁ ଆସିବ । ଯେମିତି କରି ଘର ତିଆରି କଲେ, ଯେତେ ନିରାପତ୍ତା ସୁଦୃଢ଼ କଲେ ବି ସେ ନୂତନ ଉପାୟ ଉଦ୍‌ଭାବନ କରି ଏ ଘରକୁ ଭାଙ୍ଗିବାକୁ ଆସିବ ହିଁ ଆସିବ ।

 

ତେଣୁ ଆମକୁ ଦରକାର ଗୋଟାଏ ସୁଦୃଢ଼ ଆଶ୍ରୟ ଯା’ର ପରିଧି ଭିତରକୁ ଆଉ କେହି ପାରିବେନି । ତା’ରି ସୁଦୃଢ଼ ରକ୍ଷୀମାନଙ୍କ ଆଢ଼ୁଆଳରେ ରହି ଆମେ ବଞ୍ଚିବୁ । ନିଶ୍ଚିନ୍ତରେ ନିରାପଦରେ ।

 

ତେଣୁ ଚାଲ, ଆଗେଇ ଆଗେଇ ଚାଲ ।

 

ନା, ରାସ୍ତା ନାହିଁ । ଆଗରେ ଲମ୍ୱିଯାଇଛି ଏକ ବିରାଟ ମରୁଭୂମି । ଖାଲି ବାଲି ଆଉ ବାଲି । ଆଦିଗନ୍ତ ବିସ୍ତୃତ ହୋଇ ରହିଛି ବାଲିର ଏକ ବିସ୍ତୀର୍ଣ୍ଣ ଶଯ୍ୟା । ତଥାପି ଆମେ ଚାଲିଛୁ । ବାଲି ଭିତରେ ଗୋଡ଼ ପଶିଯାଉଛି । ଉତ୍ତାପରେ ଦେହ ସିଝିଯାଉଛି । ଶୋଷରେ ତଣ୍ଟି ଅଠା ଅଠା ହୋଇଯାଉଛି । ଦେହ ଅବଶ ହୋଇଉଠୁଛି । ତଥାପି ଧୀରେ ଧୀରେ ଆମେ ଆଗେଇବାକୁ ଲାଗିଛୁ-। କିନ୍ତୁ ଏ କ’ଣ ? ଏ ବାଲିର ଆଉ ଶେଷ ନାହିଁ । ଏ ମରୁଭୂମିର ଶେଷ ନାହିଁ ।

 

ସମସ୍ତଙ୍କର ଦେହ କ୍ଳାନ୍ତିରେ ଭାଙ୍ଗିପଡ଼ୁଛି । କାହାରି ଆଉ ପଦେହେଲେ ଅଗ୍ରସର ହେବାର ଶକ୍ତି ନାହିଁ । ସମସ୍ତେ ଏକାବେଳକେ ପଙ୍ଗୁ । ଅଚଳ ହୋଇଯାଇଛନ୍ତି । ଆମେ ଚାହିଁଲୁ ପରସ୍ପରକୁ । ପରସ୍ପରର ମୁହଁରେ ଆଶାହତର ପ୍ରତିବିମ୍ । ସମସ୍ତେ୍ ନିର୍ବାକ୍‌ । ସମସ୍ତେ ମୂକ । କେବଳ ଏକ ନିବିଡ଼ ନିସ୍ତବ୍‌ଧତାରେ ଆମେ ଜଡ଼ିଭୂତ । ନିରାଶାର ଅଭିଶାପରେ ଆମେ ଶାପ ଗ୍ରସ୍ଥ-। ପ୍ରସ୍ତୁରୀ ଭୂତ ।

 

ହଠାତ୍‌ ଯେମିତି ଆମେ ବୁଝିପାରିଲୁ । ଆମର କିଛି ଆଶ୍ରୟ ନାହିଁ । ଆମର ଅନ୍ୱେଷଣ ଭ୍ରାନ୍ତ । ଆମର ଆଶା ମରୀଚିକା । ଆମର ଅନ୍ୟଦେଶର କଳ୍ପନାଟା ହିଁ ଗୋଟାଏ ନିପଟ ନିର୍ବୋଧତା । ଏକ ପ୍ରବଞ୍ଚନା । ଏକ ଆତ୍ମ ପ୍ରତାରଣା । ଆମେ ସବୁ କାଳରେ, ସବୁ ସମୟରେ ଏମିତି ଆଶ୍ରୟହୀନ ହୋଇଥିଲୁ, ଥିବୁ, ରହିଥିବୁ ।

 

ଆମେ ପୁଣି ମୁଖର ହୋଇଉଠିଲୁ । ଭାଷାରେ ନୁହେଁ ଭାବରେ । ସମସ୍ତେ ପରସ୍ପରର ମୁହଁ ଦେଖିବାକୁ ଲାଗିଲୁ । ସମସ୍ତଙ୍କ ମୁହଁରେ ପ୍ରାପ୍ତିର ଏକ ମହାଲୋକ ପ୍ରଦୀପ୍ତ ।

Image

 

ବହୁରୂପୀ

ତକ୍ଷକ

 

ମୁଁ ତା’ର ଶବ୍ଦ ଶୁଣିପାରୁଛି । ଅନ୍ଧକାର କୋଠରି ଭିତରେ ସେ ଖସ୍‌ଖସ୍‌ ହେଉଛି । କେତେବେଳେ କୋଠରି କାନ୍ଥରେ ଧୀରେ ଧୀରେ ହଠାତ୍‌ କରି ସର୍‌ସର୍‌ ହୋଇ ପଳାଇଯାଉଛି । କ୍ଷଣକପାଇଁ ଦେଖାଯାଇଛି ତା’ର ସ୍ୱର୍ଣ୍ଣାଭ ବିଦ୍ୟୁତ୍‌ଦୀପ୍ତି । ପୁଣି କିଛିସମୟ ଚୁପ୍‌ଚାପ । ପୁଣି କେତେବେଳେ କୋଠରିର ସିଲିଂ ଉପରେ ଦେଖାଯାଉଛି ତା’ର ଦୁଇଟି ଜ୍ୱଳନ୍ତ ଆଖି । ଅନ୍ଧକାର ଭିତରେ ଦୁଇଟି ଅତ୍ୟୁଜ୍ୱଳ ତାରକା–ନା ଜ୍ୱଳନ୍ତ ଅଙ୍ଗାର ପରି ଜ୍ୱଳ ଜ୍ୱଳ କରୁଛି । ମୁଁ ତା’ର ଏସବୁ ଲୀଳା ଖେଳା ସହିତ ଅଭ୍ୟସ୍ତ ହୋଇଗଲିଣି । ମୋତେ ଏବେ ଆଉ ଆସ୍ୱସ୍ତି ଲାଗୁନି । ସେ ଏବେ ମୋର ଏକାନ୍ତ ଆପଣାର, ଅତି ପରିଚିତ ଜଣାଶୁଣା ହୋଇଗଲାଣି । ତେଣୁ ତା’ର ଯିବା ଆସିବା ମୋତେ ଆଉ ବିବ୍ରତ କରୁନି । ତା’ର ହିପ୍ନୋଟିକ୍‌ ଚାହାଣୀ, ବିଦ୍ୟୁତ ଦୀପ୍ତିର ଝଲକ ମୋ ଆଖି ଝଲସାଇ ଦେଉନି । ଗୋଟାଏ ଅବ୍ୟକ୍ତ ଭୟରେ ମୋ ଦେହ ଆଉ ଶିରିଶିରି କରିଉଠୁନି । ସାରା ଦେହ ଆଉ ଉତ୍କଣ୍ଠିତ ହୋଇଉଠୁନି–ତା’ର ଦଂଶନର ସ୍ପର୍ଶପାଇଁ ଏକ ବ୍ୟାକୁଳ ଆଗ୍ରହ ଓ ଉତ୍ତେଜନାରେ ।

 

କିନ୍ତୁ ପ୍ରଥମେ ପ୍ରଥମେ ସେ କି ଆଶ୍ୱସ୍ତି ! କେତେ ଯନ୍ତ୍ରଣା ! ଦୀର୍ଘ ପ୍ରତୀକ୍ଷାରେ କେତେ ଜ୍ୱାଳାମୟ ମୁହୂର୍ତ୍ତ । ରାତି ରାତି ଦିନ ଦିନ ଅନିଦ୍ରାର କ୍ଲାନ୍ତି । ମନେହୁଏ ଏଇ ବୋଧେ ଆସିଲା । ଏଇ ବୋଧେ ବିଛଣା ଚାଦର ଉପରକୁ ଉଠିଲା–ଏଇ ତା’ର ଉଦ୍ୟତ ଫଣା ତୋଳି ମୋତେ ଦଂଶନ କଲା–ଉଃ, ଛଟପଟ ହୋଇ ବିଛଣାରେ ଉଠିବସେ । ଲାଇଟ୍‌ ଜାଳି ଘରସାରା ଖୋଜେ । କିନ୍ତୁ ତା’ର ଦର୍ଶନ ମିଳେନା । ପୁଣି ଅନ୍ଧାର କରି ଶୋଇବାକୁ ଯାଏ । କିଛି ନାହିଁ ବୋଲି ମନକୁ ପ୍ରବୋଧ ଦିଏ । କିନ୍ତୁ ଲାଇଟ୍‌ ଲିଭିବାର କିଛି ସମୟ ଭିତରେ ମୁଁ ପୁଣି ତା’ର ଚାଲ୍‌ବୁଲ୍‌ର ଶବ୍ଦ ଶୁଣେ । ମଝିରେ ମଝିରେ ଦେଖେ ତା’ର ବିଦ୍ୟୁତ୍‌ଦୀପ୍ତି । କେବେ ଦେଖିଥିଲି ତାକୁ ପ୍ରଥମେ ? କେବେ ତାକୁ ପ୍ରଥମେ ଦେଖିଥିଲି କେଜାଣି ? ମୋର ମନେନାହିଁ । ଅନେକ ବର୍ଷ ହେବ–ପ୍ରାୟ ୨୨ବର୍ଷ ତଳେ, ସେଇ କ୍ଲାସ୍‌ ନାଇନ୍‌ରେ ପଢ଼ିଲାବେଳେ । ସେଇଦିନୁ ସେ ମୋ ସାଙ୍ଗରେ ଅଛି ।

 

ଏବେ ବି ମନେଅଛି ସେଇ ଘଟଣା । ସେଦିନ ସନ୍ଧ୍ୟାବେଳ । ଆମେ ସମସ୍ତେ ଲୁଚୁକାଳି ଖେଳୁଥାଉଁ । ମୁଁ, ମୋର ଭାଇ ଭଉଣୀମାନେ, ଆଉ ପଡ଼ିଶା ଘରର ସେଇ ଝିଅଟି ମିନତୀ ମୋ ସାଙ୍ଗରେ ପଢ଼େ । ମୁଁ ଯାଇ ଲୁଚିଯାଏ ବାଡ଼ି ପଛପାଖ ଗୁହାଳ ଘରର ଅନ୍ଧାର କୋଣରେ । ମୋ ପଛେ ପଛେ ପଶିଲା ମିନତୀ । କନକନ ହୋଇ ଚାରିଆଡ଼କୁ ଚାହିଁ ସେ ବି ଆସିଲା ସେଇ ଅନ୍ଧାରିଆ କୋଣଆଡ଼କୁ । ମୁଁ ଚୁପ୍‌ଚାପ୍‌ ନିଶ୍ୱାସ ବନ୍ଦକରି ଛିଡ଼ା ହୋଇଥାଏ । ପଛେଇ ପଛେଇ ଆସୁ ଆସୁ ମୋ ଦିହରେ ଦିହ ବାଜି ହଠାତ୍‌ ଚମକି ପଡ଼ି ଗୋଟାଏ ଚିତ୍କାର କରି ମୋତେ ସେ କୁଣ୍ଢେଇ ଧରିଥାଏ । ସେ ମୋତେ ଖୁବ୍‌ ଜୋର୍‌ରେ ଜାକି ଧରିଥାଏ । ଏକ ଅଜଣାଭୟ, ଆନନ୍ଦ ଉତ୍ତେଜନାରେ ଆମ ଦୁଇଜଣଙ୍କ ନିଃଶ୍ୱାସ ପ୍ରଶ୍ୱାସ କ୍ରମଶଃ ଦ୍ରୁତରୁ ଦ୍ରୁତତର ହେଉଥାଏ । ସେ ଭୀଷଣ ଜୋର୍‌ରେ ଥରୁଥାଏ । ମୁଁ ବି ଠିଆ ହୋଇ ପାରୁନଥାଏ; ଏତେ ଜୋରେ ଥରୁଥାଏ ମୋ ଦିହଟା । ତା’ପରେ, ତା’ପରେ ହଠାତ୍‌ କିଛି ନ ଭାବି କେମିତି ଗୋଟାଏ ଧକ୍‌କାରେ ମୁଁ ତା’ର ଗାଲ ଉପରେ ମୁହଁ ରଖିଦେଲି । ତା’ପରେ ଦେଖିଲି ସେଇ ସାପକୁ । ଗୁହାଳ ଘରର ଅସ୍ପଷ୍ଟ ଅନ୍ଧାର ଭିତରେ ସେ ଆମଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଛି । ଗୋଟିଏ ସ୍ୱର୍ଣ୍ଣସାପ, ଦେହସାରା ତା’ର ଶୁଦ୍ଧ ସୁବର୍ଣ୍ଣର କାତି । ମୁହଁଟା ଅସମ୍ଭବ ଲାଲ୍‌ । ଆଖି ଡୋଳାଦୁଇଟି ମୁକ୍ତାପରି ଜ୍ୱଳ ଜ୍ୱଳ ହେଉଛି । କି ତୀକ୍ଷ୍‌ଣ ଆଉ ସୁନ୍ଦର ସେଇ ଦୁଇଟା ଆଖି । ମୁଁ ସମ୍ମୋହିତ ହୋଇଗଲି ସେ ଦୁଇଟା ନିଷ୍ପଲକ ଆଖି ଡୋଳା ଦୁଇଟିର ଅବିଶ୍ରାନ୍ତ ଦୃଷ୍ଟିର ତୀକ୍ଷ୍‌ଣ ବର୍ଚ୍ଛାରେ । ତା’ପରେ ମୁଁ ମିନତୀକୁ ଚାହିଁଲି । ଦେଖିଲି ତା’ର ହଳଦି ଗୋରା ଦେହଟା କେମିତି ନିର୍ଜୀବନ ଅସାଡ଼ ହୋଇ ମୋ ଛାତିରେ ଆଉଜି ରହିଛି । ସନ୍ଧ୍ୟାର ଆକାଶର ଅପୂର୍ବ ନାଲିରଙ୍ଗ ବିଛାଡ଼ି ହୋଇପଡ଼ିଛି ତା’ର ସାରା ମୁହଁରେ । ଆଖିଦୁଇଟି ଦରବୁଜା । ଓଠ ଦୁଇଟି ଦରବୁଜା । ଥରଥର ହୋଇ କମ୍ପୁଚି ଦୁଇଟି ଗୋଲାପର ପାଖୁଡ଼ା ପରି । କିଛି ନ ଭାବି କିଛି ନ ବୁଝି ଏକ ଅପ୍ରତିହତ ଦୂରନ୍ତ ବନ୍ୟାର ଜଳଚାପ ଯେମିତି ମୋତେ କ୍ରମାଗତ ଠେଲି ନେଇଯାଉଛି ଦୂରକୁ, ଦୂରକୁ । ମୁଁ ସେଇ ଚାପ ସହ୍ୟ କରିନପାରି ନିଜକୁ ଉଜାଡ଼ କରିଦେଇଛି ମିନତୀର କୋମଳ ଗାଲର ଦିଗହୀନ ବେଳାଭୂମି ଉପରେ । ହଠାତ୍‌ ମନେହେଲା ଯେମିତି ସେଇ ସ୍ୱର୍ଣ୍ଣ ସାପଟି କ୍ରମାଗତ ସେମିତି ନିଷ୍ପଲକ ଆଖି ଡୋଳା ମୋ ଉପରେ ନିବଦ୍ଧ ରଖି ଆସ୍ତେ ଆସ୍ତେ ମୋଆଡ଼କୁ ମାଡ଼ିଆସୁଛି, ମୁଁ ଭୟରେ ଚାପିଧରିଲି ମିନତୀକୁ ଆଉରି ନିବିଡ଼ ଭାବରେ । କିନ୍ତୁ ସେ ପାଖେଇ ଆସୁଛି–ଆସ୍ତେ ଆସ୍ତେ ଧୀରେ ଧୀରେ । ଭୟରେ ଆଖିପତା ମୋର ବୁଜି ହୋଇଗଲା । ମୁଁ କିନ୍ତୁ ଅନୁଭବ କଲି ତା’ର ସ୍ପର୍ଶ । ମୋର ପାଦ ଦେଇ ସେ ଉଠୁଛି । ଦୁଇଗୋଡ଼ ମଝିରେ–ଆସ୍ତେ ଆସ୍ତେ । କି ଉଷ୍ମ ସେ ସ୍ପର୍ଶ । କି ଭୟ, କି ଉତ୍ତେଜନା, କି ଯନ୍ତ୍ରଣା । ମୁଁ ସ୍ତବ୍‌ଧ ହୋଇ ଛିଡ଼ା ହୋଇ ରହିଲି । ସେ ଆସ୍ତେ ଆସ୍ତେ ଉପରକୁ ଉଠି ଉଠି ମୋ ଦେହର ମଧ୍ୟଭାଗରେ ନିଜକୁ ଗୁଡ଼ାଇ ନେଇ ଫଣା ତୋଳି ମାରିଲା ଏକ ତୀକ୍ଷ୍‌ଣ ଚୋଟ । ସେ ଦଂଶନରେ ଯେମିତି ବହୁ ଅତୃପ୍ତ ଯୁଗର ସଞ୍ଚିତ ଜ୍ୱାଳା ଅପସରି ଗଲା । ଏକ ଅବ୍ୟକ୍ତ ଆନନ୍ଦ ଏକ ବେଦନା ମିଶ୍ରିତ ସୁଖାନୁଭୂତି ମୋତେ ଆଚ୍ଛନ୍ନ କରିଦେଲା । ତା’ପରେ ସହସା ଚମକିପଡ଼ିଲି, ମୋର ପ୍ୟାଣ୍ଟଟା ଭିଜାଭିଜା, ରକ୍ତ ? ସାପ ଦଂଶନର କ୍ଷତ । ମିନତୀକୁ ଛାଡ଼ିଦେଇ ପଳାଇଆସିଲି, ବାଡ଼ି ଉପର ପାଖ ପୋଖରୀ ହୁଡ଼ାକୁ । ପଛେ ଦେଖିଲି–ନାଁ, ସେଗୁଡ଼ା ରକ୍ତ ନୁହେଁ ।

 

କିନ୍ତୁ ସେଦିନ କ’ଣ ତାକୁ ପ୍ରଥମେ ଦେଖିଲି ? ବୋଧହୁଏ, ନା । ତା’ର ସ୍ପର୍ଶ ହୁଏତ ସେଦିନ ପ୍ରଥମଥର ପାଇଥିଲି । କିନ୍ତୁ ବୋଧହୁଏ ତାକୁ ମୁଁ ଅନେକ ଦିନରୁ ଜାଣେ–ମୋର ଜନ୍ମନେବା ଆଗରୁ । ବହୁତ ଆଗରୁ ସେ ମୋର ଜନ୍ମ ଜନ୍ମାନ୍ତରର ସାଥୀ ।

 

କିନ୍ତୁ କେବେ ଦେଖିଥିଲି ତାକୁ ପ୍ରଥମେ ? କେବେ–କେବେ–କେବେ ? କେତେ ଶତାବ୍ଦୀ–କେତେ ମନ୍ୱନ୍ତରର ଆଗରୁ । ସେ କେଉଁ ଦୂର ଅତୀତର–ମୋ ଜନ୍ମର ପ୍ରଥମ ଲଗ୍ନରେ । କିଛି ସ୍ପଷ୍ଟ ନୁହେଁ କିଛି ସଠିକ ନୁହେଁ । ଖାଲି ଏକ ସ୍ୱପ୍ନପରି ମନେହୁଏ–ଅଧଭୁଲା ସ୍ୱପ୍ନପରି । ସାରା ରାତିର ମଦିରା ଉତ୍ସବ ପରେ ପ୍ରଭାତର ଅବସାଦ ଗ୍ରସ୍ତ ତନ୍ଦ୍ରାପରି ।

 

ଏକ ସୁରମ୍ୟ ଉଦ୍ୟାନ । ଚାରିଆଡ଼େ ବସନ୍ତର ମହୋତ୍ସବ । ଗଛରେ ଗଛରେ ନାନା ବର୍ଣ୍ଣ ଫୁଲର ମହୋତ୍ସବ । ଧୀରେ ଧୀରେ ପବନରେ ଏକ ମୃଦୁମନ୍ଦ ଉତ୍ତେଜନାର ତାପ । ସମସ୍ତ ବନାନୀ ଘେରି ଉଛୁଳିଉଠୁଛି କୋଇଲିର କୁହୁତାନ । ଅସଂଖ୍ୟ ରଙ୍ଗ ବେରଙ୍ଗ ପକ୍ଷୀମାନଙ୍କର କାକଳୀର ମଧୁର ଅର୍କେଷ୍ଟ୍ରା । ଏକ ମନ ମୁଗ୍‌ଧକର ପରିବେଶ । ହଠାତ୍‌ ଦେଖିଲି ଗୋଟିଏ ଏକୁଟିଆ ଗଛ ଫଳ ଭାରାରେ ନଇଁପଡ଼ୁଛି । ସବୁ ଗଛରେ ଫୁଲ, କିନ୍ତୁ ଏଇ ଏକମାତ୍ର ଗଛରେ ଫଳର ସମାରୋହ । ଲାଲ, ଲାଲ, ଈଷତ୍‌ ହଳଦିଆ ପାଚିଲା ଟୁକୁଟୁକୁ ଫଳ । ତା’ର ପାଚିଲା ମିଠା ଗନ୍ଧରେ ଚାରିଆଡ଼ ମହକିଉଠୁଛି । ତାକୁ ଖାଇବାର ଏକ ପ୍ରବଳ ଉତ୍ତେଜନା ମୋ ଦେହରେ ଦେହରେ କ୍ରମଶଃ ଘନୀଭୂତ ହୋଇଉଠୁଛି । ହଠାତ୍‌ ଦେଖିଲି ସେଇ ଗଛପାଖରେ ଉଲଗ୍ନ ହୋଇ ଛିଡ଼ାହୋଇଛି ମିନତୀ । ତା’ର ହେମଗୌର ନିଟୋଳ ଦେହଟା ଶୁଦ୍ଧ ସୁବର୍ଣ୍ଣର ଫଳକ ପରି ଝଲସିଉଠୁଛି । ସେ କିନ୍ତୁ ଚାହିଁ ରହିଛି ସେଇ ଫଳ ଗଛଆଡ଼କୁ ନିର୍ନିମେଷ ନୟନରେ । ଆଖିରେ ଆଖିଏ ଭୋକ; କିନ୍ତୁ ମନରେ ତା’ର ଦ୍ୱନ୍ଦ୍ୱ । ହାତ ବଢ଼େଇଲେ ହାତ ପାଇବ; କିନ୍ତୁ ସେ ବଢ଼ାଇ ପାରୁନି । ଠିଆ ହୋଇଛି ସଙ୍କୋଚିତ ମନର ଭେଳାରେ ଝୁଲି ଝୁଲି । ଦୋଦୋ ପାଞ୍ଚ ହେଉଛି । ଭୟରେ ଅଥଚ ଏକ ଅଦ୍ଭୁତ ଆକର୍ଷଣରେ । ସେ ଛିଡ଼ା ହୋଇ ରହିଛି ସେଇଠି, ଫେରିପାରୁନି ।

 

ଠିକ୍‌ ସେତିକିବେଳେ ଦେଖିଲି ତାକୁ ସେଇ ଗଛଉପରେ, ଚକ୍‌ ଚକ୍‌ କରି ଉଠିଲା ସ୍ୱର୍ଣ୍ଣ ସାପ । ମୋଡ଼ ଭାଙ୍ଗି ହୋଇ ଆଳସ୍ୟ ଗତିରେ ଡାଳ ଉପରେ ଆସି ଫଣାଟେକି ଠିକ୍‌ ମିନତୀର ମୁହଁ ପାଖରେ ଲହ ଲହ ହେଉଛି । କି ସୁନ୍ଦର ହଳଦିଆ ତା’ର ରଙ୍ଗ ! କି ତୀକ୍ଷ୍‌ଣ ହିପ୍ନୋଟିକ୍‌ ଆଖି-। ସେ କ’ଣ କହୁଛି କି ମିନତୀକୁ ! ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହୋଇ ଦେଖିଲି ମିନତୀ ହାତ ବଢ଼େଇ ଆଣିଲା ଫଳଟିକୁ । ତା’ପରେ ନିଶାଗ୍ରସ୍ତ ମଣିଷ ପରି ଏକ ଅଦ୍ଭୁତ ଭାବଭଙ୍ଗୀ କରି ଢଳି ଢଳି ଚାଲିଆସୁଛି ମୋ ପାଖକୁ । ତା’ର ଦେହଟା ସୁନାର ସାପପରି ହଳଦିଆ । ଆଖିଦୁଇଟି ସେଇ ସୁନାସାପର ଆଖିପରି, ବଡ଼ ବଡ଼, ଗୋଲ ଗୋଲ ତୀକ୍ଷ୍‌ଣ ଓ ଲାଲ । ତା’ର ସମ୍ମୋହିନୀ ଶକ୍ତିରେ ମୁଁ ବି ଯେମିତି ଆସ୍ତେ ନିଜର ନିଜତ୍ୱ ହରାଇବସୁଛି । ଠିକ୍‌ ସେତିକିବେଳେ ପୁଣି ସାପଟାକୁ ଦେଖିଲି ମୋ ଗୋଡ଼ତଳେ । ସେଇ ମୋର ପ୍ରଥମ ଦେଖା–ଦିନର ଆଲୋକରେ ।

 

ତା’ପରେ ପୁଣି କେତେବାଟ, କେତେ ଶତାବ୍ଦୀର ପୁଣି ଚାଲିଛି; କିନ୍ତୁ ସବୁବେଳେ ତା’ର ଦେଖାଯାଉଛି ଅସ୍ପଷ୍ଟ ଭାବରେ ଅନ୍ଧକାରରେ, ଆଲୋକରେ ନୁହେଁ । କାରଣ ସେତେବେଳକୁ ସମସ୍ତଙ୍କ ମନଭିତରେ ତା’ପ୍ରତି ଏକ ଘୃଣା, ଭୟ ଓ ଆଶଙ୍କା ଏକ ଅବଶେସନ ପରି ରହିଯାଇଥାଏ-। ରାଜାଙ୍କର ଆଦେଶ ଦିନର ଆଲୋକରେ ଯେ ଯେଉଁଠି ତାକୁ ଦେଖୁଛ–ବାଡ଼ାଅ, ହତ୍ୟାକର । ହଜାର ହଜାର ଲୋକଙ୍କର ସଜାଗ୍ରତ ଦୃଷ୍ଟି ବଡ଼ବଡ଼ ନୀତିର ବାଡ଼ିରେ ମାଡ଼ଖାଇ ବିଚରା ସାପ ଆଉ କେବେ ବୋଧହୁଏ ଆଲୁଅରେ ବାହାରିବାକୁ ସାହସ କରିପାରିଲା ନାହିଁ । ତେଣୁ ସେ ଅନ୍ଧକାରରେ ଆତ୍ମଗୋପନ କଲା । କିନ୍ତୁ ମୁଁ ତାକୁ ଆବିଷ୍କାର କରିଛି ପ୍ରତ୍ୟେକ ମଣିଷର ବାଡ଼ିତଳେ, ଖଞ୍ଜା ଭିତରେ, ଛପର ଭିତରେ, ଗମ୍ଭିରୀ ଭିତରେ, ଅନ୍ଧକାର କୋଣରେ । ଏମିତି ଗୋଟିଏ ଘର ନାହିଁ ଏମିତି ଗୋଟିଏ ଜାଗା ନାହିଁ ଯେଉଁଠି ସେ ନାହିଁ, କିନ୍ତୁ ସେ ଅନ୍ଧକାର ଭିତରେ କେହି ତାର ଖୋଜଖବର ରଖିଲେନି । ଅନ୍ଧାରରେ ତା’ର ଘର, ଅନ୍ଧାରରେ ସେ ଆସେ, ଅନ୍ଧକାର ଭିତରେ ସେ ଦଂଶନ କରି ପୁଣି ଅନ୍ଧାର ଭିତରେ ସେ ଲୁଚିଯାଏ ।

 

କେହି ତାକୁ ଦେଖିପାରନ୍ତି ନାହିଁ । କିନ୍ତୁ ସବୁଠି ତା’ର ଅସ୍ତିତ୍ୱ । କେହି ତାକୁ ପ୍ରକାଶ୍ୟରେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ରାତ୍ରିର ଅନ୍ଧକାର ଭିତରେ, ନିର୍ଜ୍ଜନତାର ଛାୟାଘେରା ପରିବେଶ ଭିତରେ ସମସ୍ତେ ଅନୁଭବ କରନ୍ତି ତା’ର ଯାଦୁକାରୀ ଆଖିର ସ୍ପର୍ଶ ! ତା’ର ଉଷ୍ମତାର ସ୍ପର୍ଶରେ ସମସ୍ତେ ହୁଅନ୍ତି ସମ୍ମୋହିତ ।

 

ତା’ପରେ ଅନେକ ଦିନ ।

 

କେତେଦିନ ହେବ କେଜାଣି, ହଠାତ୍ ଦେଖିଲି ତାକୁ ପୃଥିବୀର ମନୁଷ୍ୟ ସମାଜର ମୁକୁଟହୀନ ସମ୍ରାଟ ରୂପରେ । କି ହିଂସ୍ର, କି ଲୋଭନୀୟ, କି ବିଭତ୍ସ ତା’ର ସେଇ ରୂପ । ସମସ୍ତ ମଣିଷର ସଚେତନ ପ୍ରତିବାଦ ପ୍ରବଳ ପ୍ରତିରୋଧ ଶକ୍ତି ବି; ସର୍ପରାଜ ଅନ୍ଧକାର ପାତାଳର ଗହ୍ୱର ଭିତରେ ରହି ନିୟନ୍ତ୍ରିତ କରିବାକୁ ଲାଗିଲା ମୋତେ । ଧୀରେ ଧୀରେ ତା’ର ଦୃଢ଼ କୁଣ୍ଡଳୀ ବନ୍ଧନରେ ମୁଁ ନିଷ୍ପେଷିତ ହେବାକୁ ଲାଗିଲି । ମୁକ୍ତି କାହିଁ ? ଏଇ ପ୍ରବଳ ସମ୍ମୋହିନୀ ବନ୍ଧନୀ ଭିତରୁ ମୁକ୍ତି କାହିଁ-? ପାଗଳ ହୋଇଉଠିଲି ମୁକ୍ତିପାଇଁ । ଶତ ସହସ୍ର ନୀତିର ନିଗଡ଼ ବନ୍ଧନ ଲକ୍ଷ ଲକ୍ଷ ବିବେକର ପ୍ରହରୀ–ତଥାପି ସାପର ମୃତ୍ୟୁ ନାହିଁ । ସେ ହେଲା ମହାଶକ୍ତିଶାଳୀ, ଚିର ଅମର ମୃତ୍ୟୁଞ୍ଜଳୀ । ତା’ରି ଭୟରେ ନଗର, ଗ୍ରାମ ଛାଡ଼ି ପଳାୟନ କରିବାରେ ଲାଗିଲି । ଗଭୀର ଜଙ୍ଗଲ ଭିତରେ ଗଢ଼ିଲି ଶହ ଶହ ଆଶ୍ରମମାନ । କେତେ କୃଚ୍ଛ୍ର ସାଧନା, କେତେ ମନ୍ତ୍ର, ନିଜପ୍ରତି କେତେ ଅକଥ ଅତ୍ୟାଚାର । ନିଜକୁ ଦୃଢ଼ କରିବାକୁ, ସାପର ସମ୍ମୋହନ ଶକ୍ତିରୁ ନିଜକୁ ମୁକ୍ତ କରିବାକୁ କେତେପ୍ରକାର ସାଧନା ଅନାହାରୀ, ଉପବାସ, ଧ୍ୟାନ, ଧାରଣା କିନ୍ତୁ ନା, ତା’ଠାରୁ ଆଉ ମୁକ୍ତି ନାହିଁ, ମୁକ୍ତିର କେତୋଟି ମୁହୂର୍ତ୍ତ ମାତ୍ର । ପୁଣି ଆଉଥରେ ଫେରିଆସିବାକୁ ପଡ଼େ ସେଇ ବନ୍ଧନୀ ଭିତରକୁ-। ସେ ଠିକ୍‌ ବନ୍ଦୀର କ୍ଷଣସ୍ଥାୟୀ ମୁକ୍ତି ପରି ।

 

ସେତିକିବେଳେ ସାପକୁ ଦେଖିଥିଲି ଦିନର ଆଲୋକରେ । ମହେଞ୍ଜୋଦାରୋ, ବାବିଲୋନ, ଏସିଆ ମାଇନର, ବୈଶାଳୀର ରାଜପଥ ଉପରେ । ସେମାନେ ସେତେବେଳକୁ ହିଂସ୍ର-। ଅନ୍ଧକାର ଭିତରୁ ଆଲୋକକୁ ଲମ୍ଫ ଦେଉଛନ୍ତି ଏକ ପ୍ରବଳ ବିଦ୍ୱେଷରେ । ଅନ୍ଧକାର ଓ ଆଲୁଅ ଉଭୟରେ ସାମ୍ରାଜ୍ୟ ବିସ୍ତାର କରିବାକୁ ତାଙ୍କର ଅବିସମ୍ୱାଦୀୟ ପ୍ରଭୁତ୍ୱ । ମୁଁ ହେଲି ପରାଜିତ । ମୋର ସାତତାଳ ପରୀକ୍ଷିତ ଦୁର୍ଗର ଅଭ୍ୟନ୍ତରରେ ଅତି ଗୋପନରେ ପ୍ରବେଶ କରି ସେ ମୋତେ ହାଣିଲା ତା’ର ଶେଷ ଦଂଶନ ।

 

କିନ୍ତୁ ତା’ର ଏଇ ଆଲୋକର ଆକ୍ରମଣ ବେଶି କ୍ଷଣସ୍ଥାୟୀ ହୋଇପାରିଲାନି । ମୁଁ ପୁଣି ଦୃଢ଼ ହୋଇଉଠିଲି । ଆରମ୍ଭ କଲି ସର୍ପ ମାରଣର ବିଶେଷ ଅନୁଷ୍ଠାନ । ତା’ର ପ୍ରଧାନ ପୁରୋଧା କରି ପାଛୋଟି ଆଣିଲି ଜନ୍ମେଞ୍ଜୟକୁ । ଆରମ୍ଭ ହେଲା ସର୍ପ ମାରଣର ବିରାଟ ଅଭିଯାନ । ଆରମ୍ଭ ହେଲା ସର୍ପ ଯଜ୍ଞର ବିରାଟ ଅନୁଷ୍ଠାନ । ଅନ୍ଧକାର ଭିତରୁ, ଆଲୋକ ଭିତରୁ ସମସ୍ତ ସର୍ପ ବଂଶର ସମୂଳେ ବିନାଶ । ଲକ୍ଷ ଲକ୍ଷ, କୋଟି କୋଟି ସର୍ପ କ୍ରମଶଃ ବିଲୁପ୍ତ ହେବାକୁ ଲାଗିଲେ । ସମଗ୍ର ସର୍ପ ସମାଜରେ ଖେଳିଗଲା ଭୟ ଓ ଆଶଙ୍କାର ତୀବ୍ର ଆନ୍ଦୋଳନ । ସତେ କ’ଣ ସେଇ ସୁନା ସାପ ଚିରଦିନ ଲାଗି ଅବଲୁପ୍ତ ହୋଇଯିବ ? କିନ୍ତୁ ସମସ୍ତ ସାପ ନିଃଶେଷ ହୋଇଗଲେ ବି ସୁନାସାପର ଆଉ ଦେଖା ମିଳିଲାନି । ଶତସହସ୍ର ପୁରୋହିତ, ଅଗ୍ନିହୋତ୍ରୀଙ୍କର ବେଦମନ୍ତ୍ର ଗଗନଭେଦୀ ଓଁକାର, ଶତ ଶତ ଭାଣ୍ତ ଘୃତ ଓ ପ୍ରଚଣ୍ଡ ଯଜ୍ଞ ହୁତାଶନ ଜାଜୁଲ୍ୟ ଓ ଉତ୍ତାପକୁ ଅପେକ୍ଷା କରି ସୁନା ତକ୍ଷକ ଆତ୍ମଗୋପନ କଲା ମୋର ନିଭୃତତମ ଅନ୍ତର ଭିତରେ । ତା’ର ଧ୍ୱଂସରେ ତ ସୃଷ୍ଟି ଧ୍ୱଂସ । ଅସମାପ୍ତ ରହିଲା ସର୍ପ ଯଜ୍ଞ । ଚିରଦିନପାଇଁ ସେ ରହିଗଲା ଅସମ୍ପୂର୍ଣ୍ଣ । ମୁଁ ପୁଣି ପରାଜିତ ହେଲି । କିନ୍ତୁ ସେ ସ୍ୱର୍ଣ୍ଣମୟ ସର୍ପର ବିଷାକ୍ତ ଜ୍ୱାଳା କ୍ଷଣକପାଇଁ ଲିଭିଗଲା ମୋ ଦେହରୁ ।

 

ତା’ପରେ ପୁଣି ଅନ୍ଧାର ଭିତରେ ପୁଣି ଆତ୍ମଗୋପନ କଲା ସୁନା ସାପ । ଏଥର ଆଉ ବାଡ଼ି ନୁହେଁ, ବାହାର ନୁହେଁ, ଠିକ୍‌ ମୋର ଗୋପନ କୋଠରିର ଅନ୍ଧାରିଆ କୋଣ ଭିତରେ । ପୁଣି ସେ ନିଃଶବ୍ଦରେ ଧୀରେ ଧୀରେ ବଂଶ ବିସ୍ତାର କରିବାକୁ ଲାଗିଲା–ସେଇ ଗୋପନ ଗହୀରର ଅନ୍ଧାରିଆ ଗାତ ଭିତରେ ।

 

ତା’ପରେ ପୁଣି କେତେ ଯୁଗ, କେତେ ଶତାବ୍ଦୀ, କେତେ ସମ୍ୱତ୍ସର । ସେଇ ଅନ୍ଧାର ଭିତରେ ତା’ର ଆତ୍ମ-ନିର୍ବାସନ । ତା’ପରେ ଚଳିତ ଶତାବ୍ଦୀର ପ୍ରାରମ୍ଭରେ ମୁଁ ଦେଖିଲି ତା’ର ପ୍ରଥମ ଆତ୍ମପ୍ରକାଶ–ପ୍ୟାରିସ୍‌, ନ୍ୟୁୟର୍କ, ଲଣ୍ଡନ, ସ୍ୱିଡ଼େନ୍‌ର ରାଜପଥ ଉପରେ । ପୁଣି ତା’ର ସେଇ ହିଂସ୍ର ରୂପ । ଲହ ଲହ ଜିଭ, ଉଦ୍ୟତ ଫଣା, ସ୍ଥିର ନିଶ୍ଚଳ ଚକ୍‌ ଚକ୍‌ ଆଖି ଡୋଳା ଏଥର ମୋର ଆଉ ସେଇ ପ୍ରତିରୋଧ ନାହିଁ । ସବୁ ପ୍ରତିରୋଧ ଭାଙ୍ଗି ଏଥର ସାପ ବାହାରିପଡ଼ିଛି ଅନ୍ଧାର ଭିତରୁ ଆଲୁଅକୁ । ପୂର୍ବ ଅପମାନର ପ୍ରତିଶୋଧପାଇଁ–ଦେଶ ପରେ ଦେଶ ମହାଦେଶ ପରେ ମହାଦେଶକୁ ଚାଲିଲା ବିଜୟୀ ସାପର ଜୟଯାତ୍ରା । ମୁଁ ଭାଙ୍ଗିପଡ଼ିଲି । ପ୍ରତିରୋଧ ଶକ୍ତି ଆଉ ମୋର ନାହିଁ । ଦେଶରୁ ଦେଶକୁ ପଳାୟନ କରିବାକୁ ଲାଗିଲି । ସେ କିନ୍ତୁ ପଶ୍ଚାତ୍‌ଧାବନ କରିବାକୁ ଲାଗିଲା ।

 

ଏଇତ କିଛିଦିନ ତଳେ ଦେଖିଲି ତାକୁ । ଦଳ ଦଳ ହୋଇ ବୁଲୁଛନ୍ତି ସେମାନେ ପାର୍କରେ, ଘାଟରେ, ରାସ୍ତାରେ, ବେଳାଭୂମିରେ । କିନ୍ତୁ ଆଖିରେ ଆଉ ସେ ପ୍ରତିହିଂସା ନାହିଁ । ଫରା ଆଉ ଟେକିପାରୁନି ସେ । ଆଖି ଡୋଳାରୁ ସମ୍ମୋହନ ଶକ୍ତି ହରାଇବସିଛି । ତା’ ବଦଳରେ କେମିତି ଶାନ୍ତ, ନିରୀହ ଆଖି ଡୋଳାଗୁଡ଼ିକ । ଧୀରେ ଧୀରେ ଅଳସ ଗତିରେ ଘୂରିବୁଲୁଛି ସେ–ମଣିଷମାନଙ୍କ ଭିତରେ । ତାଙ୍କ ସାଥିରେ ଖେଳୁଛି, ନାଚୁଛି, ଦେହ ଉପରେ ଚଢ଼ୁଛି । ସାପୁଆ କେଳା ପରି ସବୁ ମଣିଷ ସେମାନଙ୍କ କାନ୍ଧରେ ଧରି ବୁଲୁଛନ୍ତି । ବେକରେ ଗୁଡ଼େଇ ହେଉଛନ୍ତି । ପୁଣି ହାତରେ ଫୁଲମାଳ ପରି ଗୁଡ଼େଇହୋଇ ବୁଲି ଯାଉଛନ୍ତି । ମୋତେ କାହିଁକି ଭାରି ଭଲ ଲାଗିଲା ସେଇ ସାପଗୁଡ଼ାଙ୍କୁ ଦେଖି । କେଡ଼େ ସୁନ୍ଦର, କେଡ଼େ କମନୀୟ, କେତେ ମନଲୋଭା ସେମାନଙ୍କର ରୂପ । ଗରଳହୀନ, ବିଷଦାନ୍ତହୀନ ସେମାନଙ୍କର ମଧୁର ଦଂଶନ । ଆଉ କିଛି ଜ୍ୱାଳା ନାହିଁ ସେଥିରେ । ଅଛି ଖାଲି ଏକ ମୃଦୁ, ମନ୍ଦ, ମଧୁର ଉତ୍ତେଜନା; ଯେଉଁଟା ଖାଲି ଦିଏ ଏକ ସୁରଭୀତ ଆବେଶ । ଭାସି ଭାସି ଉଡ଼ି ଉଡ଼ି ବୁଲିବାର ଏକ ସ୍ନିଗ୍‌ଧ ମମତାମୟୀ ପ୍ରଲେପ ।

 

ଏଥର ମୁଁ ଠିକ୍‌ କରିଛି । ମୋ ଘର ଅଗଣା ଭିତରେ ଛାଡ଼ିଦେବି ସେଇ ସାପଟିକୁ । ଦୁଧ, କଦଳୀଦେଇ ପୋଷା ମନେଇବି । ତାକୁ ସ୍ୱୀକାର କରିନେଇ ଅନ୍ଧାର କୋଠରି ଭିତରୁ ନେଇଆସି ଛାଡ଼ିଦେବି ଆଲୁଅର ବନ୍ୟା ଭିତରେ । ହୁଏତ ସେ ପ୍ରଥମେ ଅନ୍ଧ ହୋଇଯିବ ଆଲୋକର ପ୍ଲାବନରେ । ହୁଏତ ପ୍ରତିହିଂସାରେ ଦଂଶନ ବି କରିବ । କିନ୍ତୁ, ସବୁ ମୁଁ ସହିଯିବି । କାରଣ ମୁଁ ଜାଣିପାରୁଛି ମୋର ସ୍ନେହ ଆଦର ପାଇଲେ ସେ ଆଉ ହିଂସ୍ର ହୋଇ ରହିପାରିବନି । ସେ ହେବ ମୋ ଛୋଟ ବିଲେଇଟି ପରି ଏକାନ୍ତ ନିରୀହ । ମୋ କୋଳରେ ବସିବ, ମୋ ପାଖରେ ଶୋଇବ, ମୋ ସାଙ୍ଗରେ ବୁଲିବ; ଆଉ ସେ ମୋତେ ଏମିତି ଅନ୍ଧାରରେ ଡରେଇବ ନାହିଁ କି ମୁଁ ଆଉ ତାକୁ ଡରି ଡରି ସାରା ରାତି ଅନିଦ୍ରା ହୋଇପାରିବିନି । ସେ ରହିବ ମୋ ଆଖି ସାମନାରେ ନିରୀହ ଶିଶୁଟି ପରି ।

Image

 

ପ୍ରତି ବିପ୍ଳବୀ

 

ପୁଣି ଆଉଥରେ ସେଇ ଗାଁ ।

 

ସହରର କ୍ରମାଗତ ଗତିଶୀଳତା-ରିକ୍‌ସା କାର୍‌, ଟ୍ରକ୍‌, ସ୍କୁଟର, ସାଇକେଲ–ସମୟର ନିର୍ଦ୍ଦିଷ୍ଟତା-ଅଫିସ୍‌ ଟାଇମ୍‌-ବସ୍‌ ଟାଇମ୍‌-ଟ୍ରେନ ଟାଇମ୍‌-ସ୍କୁଲ ଟାଇମ୍‌-ସିନେମା ଟାଇମ୍‌-ପରେ ପୁଣି ଏକ ସ୍ଥାଣୁତ୍ୱ । ଚିରନ୍ତନ ଗତିହୀନତା-ଚିରନ୍ତନ ସମୟର ଅନିର୍ଦ୍ଦିଷ୍ଟତା ।

 

ସହରଠାରୁ ମାତ୍ର ଶହେମାଇଲ୍‌ ଦୂର । ଅଥଚ ପାର୍ଥକ୍ୟ ।

 

ବେଳେବେଳେ ନିଜକୁ ମନେହୁଏ ଜଣେ ଅନାହୂତ ଟ୍ରେସ୍‌ପାସାର୍‌ । ସହରର ସମସ୍ତ ପ୍ରସ୍ତାବ, ସମସ୍ତ କାର୍ଯ୍ୟକ୍ରମ, ଦୃଢ଼ ଅଭିଳାଷ ସବୁ ମିଳେଇ ଯାଏ ଧୀରେ ଧୀରେ । ଗ୍ରାମର ଏଇ ଅଦ୍ଭୁତ ପ୍ରଶାନ୍ତି ଆସ୍ତେ ଆସ୍ତେ ସମସ୍ତ ଶିରା ପ୍ରଶିରାର ଉତ୍ତେଜନାକୁ, ସମସ୍ତ କର୍ମ ପ୍ରେରଣାର ତୀବ୍ର ଉତ୍ତାପକୁ ଯେମିତି ଏକ ଶୀତଳତାର ସ୍ପର୍ଶରେ ଆଚ୍ଛନ୍ନ କରିଦିଏ । ଏକ ବିରାଟ ସମୁଦ୍ର ପରି ନିଜ ଭିତରେ ନିଶ୍ଚିହ୍ନ କରିଦିଏ । ଅଫିମର କୁହୁଡ଼ି ସମସ୍ତ ସ୍ନାୟୁମାନଙ୍କୁ ମୋହଗ୍ରସ୍ତ କରେ । ମନେହୁଏ, ଏଇ ଭଲ । ଏ ପ୍ରଶାନ୍ତି ଏ ସୁଷୁପ୍ତି ଏ ଭାବନା–ସବୁ ଭଲ । ସବୁ ସୁନ୍ଦର । ପୁଞ୍ଜୀଭୂତ ଆଳସ୍ୟର ନିଶା କ୍ରମେ କ୍ରମେ ଦେହର ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ସଞ୍ଚରିଯାଇ ପଙ୍ଗୁ କରିପକାଏ । ମନହୁଏ ଇଚ୍ଛାଶକ୍ତିହୀନ ।

 

ଅଦ୍ଭୁତ ।

 

ଥରେ ଥରେ ସେଥିପାଇଁ ନିଷ୍କ୍ରିୟ ଲାଗେ । ଏତେ ଅସହାୟ ଲାଗେ ଯେ ମନେହୁଏ ନିଷ୍କ୍ରିୟତା ହିଁ ବୋଧହୁଏ କାମ୍ୟ । ଭାବେ, କି ଦରକାର ଆଉ ଏତେ କାମ କରିବାରେ ? ଫେରିଯିବାହିଁ ଉଚିତ ।

 

ଦୈନନ୍ଦିନ ଛୋଟ ଛୋଟ ବାଦ ବିସମ୍ୱାଦ ସତ୍ତ୍ୱେ, ଉତ୍‌ଥାନପତନ ରହିତ ନିସ୍ତରଙ୍ଗ ସମୁଦ୍ର ପରି ଗ୍ରାମର ଏଇ ଘୁମନ୍ତ ମୁହଁଟାକୁ ଯେତେବେଳେ ଦେଖେ, ଏକ ଅପରିସୀମ ଦୟା, କରୁଣା, ବାତ୍ସଲ୍ୟରେ ହୃଦୟ ପୂର୍ଣ୍ଣ ହୋଇଯାଏ । ସତେଯେମିତି ସବୁ ଅଝଟ, ଦୁଷ୍ଟାମୀ ସାରି ଶିଶୁଟିଏ ଶୋଇପଡ଼ିଛି । ମୁହଁରେ ତା’ର ଲାଖିରହିଛି ସରୁ ହସଟିଏ । ତାକୁ ଜଗେଇବାକୁ, ଉଠେଉବାକୁ ଦୁଃଖ ଲାଗେ । ବେଦନା ହୁଏ । ଥାଉ, ଶୋଇଥାଉ ।

 

କିନ୍ତୁ ସମୟ ହୋଇଗଲାଣି ।

 

ଏ ବୟସ୍କର ପୃଥିବୀ । ତାକୁ ଉଠିବାକୁ ପଡ଼ିବ । ତା’ ନହେଲେ ଗାଡ଼ି ଛାଡ଼ିଦେବ ଯେ । ସବୁ ଦୁଃଖ ଓ ବେଦନା ସତ୍ତ୍ୱେ ବି ଗାଡ଼ି ଫେଲ୍‌ ହେବାର ଆଶଙ୍କା, ଘୁମନ୍ତ ଶିଶୁଟିର ପିତାମାତାଙ୍କୁ ଯେମିତି ବାଧ୍ୟକରେ ଜଗାଇବାକୁ, ମୋତେ ବି ସେମିତି କରିବାକୁ ପଡ଼ିବ । ପିଲାର ଭବିଷ୍ୟତ ଅଛି-

 

ଶିଶୁଟି ଅବୋଧ । ଅଜ୍ଞାନ ।

 

କିନ୍ତୁ ବୟସ୍କ ହୋଇ ତାକୁ ସେମିତି ଅବସ୍ଥାରେ ଛାଡ଼ିଦେଇ ଯିବି କେମିତି ?

 

ନିଜର ନିଷ୍କ୍ରିୟତାକୁ ଭାଙ୍ଗିବାପାଇଁ ନିଜେ ନିଜର ଲାଞ୍ଜକୁ ମୋଡ଼େ ।

 

ଆଃ କେତେନିଦ ସତେ । ଯେତେ ଡାକିଲେ ବି ଉଠୁନି । ଏପଟେ ଗଡ଼େଇଲେ ସେପଟକୁ ଗଡ଼ିଯାଉଛି । ଉଠିବାର ସାମାନ୍ୟତମ ଲକ୍ଷଣ ବି ଦିଶୁନି । କ’ଣ ହୋଇଛି ତା’ର ? ନିଶା ଖାଇଛି କି ? ହଁ, ବୋଧହୁଏ । ତା ବୁଢ଼ୀମା ହୁଏତ ଅଝଟ ହେବ ବୋଲି ତାକୁ ଧର୍ମ ଓ କର୍ମଫଳର ଅଫିମ ଖୁଆଇଦେଇଛି । ପିଲା ଉଠିଲେ ଭାତ ମାଗିବ, ଲୁଗା ମାଗିବ । କିଏ ପାରେ-? ଶୋଇଥାଉ ସେ ସେମିତି । ବାପା ନିଶ୍ଚିନ୍ତ, ମା ନିଶ୍ଚିନ୍ତ । ସାଇପଡ଼ିଶା ନିଶ୍ଚିନ୍ତ ।

 

ମୁଁ କ’ଣ ଏକୁଟିଆ ତାକୁ ଉଠେଇପାରିବ ?

 

‘‘ଭଲ, ଭଲ । ରଥ, ମହାନ୍ତି, ପଟ୍ଟନାୟକ, ମିଶ୍ର, କୃଷ୍ଣମୂର୍ତ୍ତି, ଦେଶଶଇ, ଚକ୍ରବର୍ତ୍ତୀ, ସାନ୍ୟାଲ, ମଜୁମ୍‌ଦାର, ଭଣ୍ଡାରକାର, ଯୋଶୀ, ମାଲହୋତ୍ରାମାନେ । ଅଫିସ୍ ଘର କୋଠରି ଭିତରେ ଚା’ ଓ ସିଗାରେଟ ଖାଇ ‘ଥିଓରୀ’ ଚର୍ଚ୍ଚା କରି, କାର୍ଯ୍ୟକ୍ରମ, ମେନିଫେଷ୍ଟୋ ପ୍ରସ୍ତୁତି କରି ଆମକୁ ପଠେଇ ଦେଉଥା । ସେଇ ଆଠଫୁଟ କୋଠରି ଭିତରେ ସମସ୍ତେ ବାରଫୁଟ ଲମ୍ୱା । ଏକା ପାହୁଣ୍ଡକେ ପୃଥିବୀ ଖେଦିଯିବେ । କିନ୍ତୁ ଏଇଠି ମୁଁ ଯେ ଲିଲିପୁଟ୍‌ ହୋଇଯାଇଛି ସେକଥା ତମେ କେମିତି ବୁଝିବ ? ତମେ ତ କେବେ ଏଠିକି ଆସିନ ? ଶୋଇଲା ପିଲାଟିକୁ ଭଲକରି ଦେଖିନ । ତମେ କେମିତି ଜାଣିବ ଯେ ସେ ପିଲାଟି ଦୂରରୁ ଯେତେ ଛୋଟ ଦେଖାଯାଉଥିଲା, ପ୍ରକୃତରେ ସେ ସେତେ ଛୋଟ ନୁହେଁ । ଭୀମ ଶୋଇଛି । ହର୍‌କିଉଲାସ । ତାପରି ଗାଲିଭରକୁ ଉଠେଇବାପାଇଁ ଜଣେ ଲିଲିପୁଟ୍‌ ସକ୍ଷମ ନୁହେଁ । ଲକ୍ଷ ଲକ୍ଷ ଦରକାର । ତମେ ଗଢ଼ିପାରିବ ଏଇ ଲକ୍ଷ ଲକ୍ଷ ଲିଲିପୁଟ୍‌ ବାହିନୀ ?’’

 

କମରେଡ଼୍–

 

ରାକ୍ଷସ ମାରିବାକୁ ସବୁବେଳେ ବାରହାତ ଖଣ୍ଡାର ସାହାଯ୍ୟ ଦରକାର ପଡ଼େନା । ସେଥିପାଇଁ ରାଜକୁମାରୀକୁ ଗୋଇନ୍ଦାଗିରି କରିବାକୁ ପଡ଼େ । ପର ‘ଜୀବନ’ର ସୁରକ୍ଷିତ ଗୋପନୀୟ ସ୍ଥାନକୁ ଆବିଷ୍କାର କରିସାରିଲା ପରେ, ଫରୁଆ ଭିତରର ଦୁର୍ବଳ ‘ଭଅଁର’ଟିକୁ ମାରିବାକୁ କେତେ ବା ଶକ୍ତିର ପ୍ରୟୋଜନ ?

 

ମୁଁ କେବଳ ବାରହାତ ଖଣ୍ଡାଧରି ବସିଛି ।

 

ମୋତେ ସହାଯ୍ୟ କରିବାକୁ ‘ରାଜକନ୍ୟା’ ନାହିଁ କି ରାଜକନ୍ୟା ପାଖକୁ ଭେଟିବାର ସୁଯୋଗ ଦେବାପାଇଁ ‘ମାଲୁଣୀ’ ବି ନାହିଁ ।

 

ସେଇଥିପାଇଁ ଅନେକ ସମୟରେ ମୋର ମନେହୁଏ ମୁଁ ଯେମିତି ଗୋଟାଏ ଭଙ୍ଗା ହାତୁଡ଼ି ନେଇ ହିମାଳୟ ଭାଙ୍ଗିବାକୁ ଚେଷ୍ଟା କରୁଛି । ତମେ ବୁଝିପାରିବ ନାହିଁ ମୋର ଅବସ୍ଥା । ମୁଁ ଯେତେବେଳେ ମୋର ଏଇ ଉଦ୍ଭଟ ଅଭିଳାଷର ସାମ୍ନା ସାମ୍ନି ହୁଏ, ସେତେବେଳେ ନିଜକୁ କେତେ କ୍ଷୁଦ୍ର, କେତେ ନଗଣ୍ୟ ମନେହୁଏ । ନିଜ ଶକ୍ତିର ନଗଣ୍ୟତା–ପ୍ରତିରୋଧର ବିଶାଳତା ଆଗରେ ମୋତେ ଏତେ ଲଜ୍ଜା ଦିଏ ଯେ ନିଜକୁ ମନେହୁଏ ପାଗଳ ଅବା ବିଦୁଷକ । ଯଦି ଏଇ ପ୍ରତିଶୋଧର ସମ୍ମୁଖୀନ ହୋଇ ମୁଁ ନିଷ୍କ୍ରିୟ ହେବାକୁ ବାଧ୍ୟ ହୋଇପଡ଼େ, ତମେ ମୋତେ ଦୋଷ ଦେଇପାରିବ କି-? ମୁଁ ନିଜକୁ ଭୀଷଣ ଅସହାୟ ଓ ଦୁର୍ବଳ ମନେକରୁଛି । ମୁଁ ଯେମିତି ଧୀରେ ଧୀରେ ପଙ୍ଗୁ ହୋଇଯାଉଛି ।

 

ଯୁଦ୍ଧ କରିବାକୁ ଆମର ଅସ୍ତ୍ର ନାହିଁ । ଯୋଉ ‘ମାଲୁଣୀ’ଟି ଆମର ପ୍ରଧାନ ସହାୟ ହୋଇଥାନ୍ତା ତାକୁ ବି ଆମେ ସହର ଭିତରେ ନେଇ ବନ୍ଦୀକରି ରଖିଲୁ । ଯୁଦ୍ଧ କରିବ କେମିତି ? ତଥାପି ମୁଁ ଆଶା ଛାଡ଼ିନି ।

 

ଆଲୋ ‘ମାଲୁଣୀ’, ତୁ ତ ଏଇଠି ଆସି ସହରରେ ରହିଛୁ । ମୋ ଭାଷା ନେଇ ଯିବ କିଏ-? କେମିତି ରାଜକନ୍ୟା ମୋ କଥା ଜାଣିବ ? ଦାଣ୍ଡ ଦୁମରେ ରାକ୍ଷସ ବସିଛି । ବାଡ଼ିପଟେ, ଉମସ ଚାରିପାଖରେ କେତେ ବେଶରେ, କେତେ ଢଙ୍ଗରେ ପ୍ରହରୀମାନେ ତାକୁ ଘେରି ରହିଛନ୍ତି । କେତେ କେତେ ଅସୁରୁଣୀ ତାକୁ ସହଚରୀ ବେଶରେ ନିଶା ଖୁଆଇ, ଭୟ ଦେଖାଇ ତାକୁ ଶୁଆଇ ପକାଉଛନ୍ତି । ସେ ତା ନିଜ ଜନ୍ମ କଥା ଭୁଲି ଆସିଲାଣି । କ୍ରମେ କ୍ରମେ ସ୍ମୃତି ବିଭ୍ରମ ଘଟୁଛି । ଅଥଚ ତୁ ଏତିକିବେଳେ ଏଇଠି ? ନିଜେ ନିଜର ବନ୍ଦୀ ହୋଇ ରହିଲୁ ।

 

ଯୂଇ, ଯାଇ, ମଲ୍ଲୀ, ମାଧବୀ, ନିମଳି, କଇଁ, ଚମ୍ପା, ପଦ୍ମ କଥା ଭୁଲିଗଲୁଣି । ଜିନିଆ, ବୋଗେନଭିଲ୍ଲା, ଡାଲିଆ, କ୍ରିସେନ୍ଥାମାମ୍‌, ଗୋଲାପ ନେଇ ବନ୍ଦୀଶାଳାକୁ ସଜେଇ ଲାଗିଛୁ । ସାଜସଜ୍ଜା ଚମତ୍କାର ଦିଶୁଛି । ଦେଖିଲେ ଆଖି ଲାଖି ରହିବ । ଲୋକେ ମୁଗ୍‌ଧ ହେବେ, ଚକିତ ହେବେ, ମଶ୍ଚର୍ଯ୍ୟ ହେବେ, ବିସ୍ମିତ ହେବେ ।

 

କିନ୍ତୁ ମାଲୁଣୀ ଲୋ, ବାସ୍ନା କାହିଁ ?

 

ଲୋକ ତ ଅନୁଭବ କରିପାରୁନି । ସବୁ କ’ଣ ଆଖିପାଇଁ ? ମସ୍ତିଷ୍କପାଇଁ ?

 

ହୃଦୟପାଇଁ କିଛି ନାହିଁ ।

 

କମରେଡ଼୍‌–

 

ବର୍ତ୍ତମାନ ସନ୍ଧ୍ୟା ସାତଟା ହେବ । ଗାଁରେ ଆଲୋକ ନାହିଁ । ଯେଉଁ କେତେଟା ଡିବି, ଲଣ୍ଠନ ଓ ଚୁଲି ନିଆଁର ଆଲୁଅ ଜିକି ଜିକି କରୁଥିଲା ସେଗୁଡ଼ା ଅନେକବେଳୁ ଲିଭିଗଲାଣି । ସମସ୍ତେ ଗଭୀର ନିଦ୍ରାରେ ଅଭିଭୂତ । ସନ୍ଧ୍ୟାବେଳୁ ଶୋଇପଡ଼ିଲେ ସୁବିଧା ତାଙ୍କର । କାରଣ ପୁଣି ଭୋର ସକାଳୁ ଉଠିବାକୁ ପଡ଼ିବ । କିନ୍ତୁ ସନ୍ଧ୍ୟାବେଳେ ଶୋଇବାର ସେଇ ଗୋଟିଏ କାରଣ ନୁହେଁ-। ବିଛେଇବାକୁ ଅଧିକାଂଶ ଘରେ ଚଟେଇ ନାହିଁ କି କନ୍ଥା ନାହିଁ । ଘୋଡ଼ିହେବାକୁ ଚାଦର ଖଣ୍ଡେ ନାହିଁ । ତେଣୁ ସମସ୍ତେ ନିଆଁଜାଳି ଚୁଲି ଚାରିପାଖରେ ମୁଣ୍ଡୁଳି ହୋଇ ଶୋଇପଡ଼ନ୍ତି । ଯେତେପର୍ଯ୍ୟନ୍ତ ନିଆଁର ତାତି ରହେ, ସେତେପର୍ଯ୍ୟନ୍ତ ନିଦ ।

 

ନିଆଁର ତାତି କମିଲେ ଶୀତର ପ୍ରକୋପ ବଢ଼େ । ନିଦ ଭାଙ୍ଗେ । ତେଣୁ ଆଉଥରେ ଚୁଲି ଜାଳି ତା ପାଖରେ ବସି ଘୁମେଇବା ଛଡ଼ା ଅନ୍ୟ ଉପାୟ ଆଉ କ’ଣ ଅଛି ? ଏତେ ବୀଭତ୍ସ ଦାରିଦ୍ର୍ୟ ତମେ କଳ୍ପନା କରିପାରିବ ନାହିଁ । ତଥାପି ସେମାନେ ମୂକ । କଥା କହିବାର ଇଚ୍ଛା ଟିକକ ବି ସେମାନଙ୍କର ମରିଯାଇଛି । ନିଜକୁ ଅନ୍ୟସହିତ ତୁଳନା କରିବା କିମ୍ୱା ନିଜ ଅବସ୍ଥାର ଘୃଣ୍ୟତା ସମ୍ବନ୍ଧରେ ସଚେତନ ରହିବାର କୌଣସି ଲକ୍ଷଣ ନାହିଁ ଏକାବେଳକେ କାଠ ପଥର ପରି ନିର୍ଜୀବ । ମୁଁ ବେଳେ ବେଳେ ଭାବେ ଏଇଟା କ’ଣ ‘ସନ୍ତୋଷ’ର ଲକ୍ଷଣ ? ନା ଏହାରି ନା ‘ସନ୍ତୋଷ’ ?

 

ଛାଡ଼ ସେକଥା ।

 

ମୁଁ କିନ୍ତୁ ଏଇ ସନ୍ଧ୍ୟାବେଳ ଗୁଡ଼ାକରେ ଖୁବ୍ ମିସ୍‌ କରୁଛି ତମମାନଙ୍କୁ । ସବୁବେଳେ ମନେପଡ଼ୁଛି ସହରର ସେଇ ସନ୍ଧ୍ୟା ଆସରଗୁଡ଼ାକର କଥା । ସ୍ୱେଟର, କୋଟ୍‌, ପଶମ ସାଲ, ମଫଲର ଘୋଡ଼େଇ ଚା ଓ ସିଗାରେଟ୍‌ ଖାଇ କେତେ ଆଲୋଚନା ଆମର ହୁଏ । ଇଲିଅଟ, ପାଉଣ୍ଡ, ଲର୍କା, ନେରୁଦା, କାମ୍ୟୁ ସାର୍ତ୍ତେ, କାଫ୍କା, ଆୟୋନେସ୍କୋ, ବେକେଟ । ଚିତ୍ରକଳ୍ପ, ପ୍ରତୀକବାଦ, ସାମ୍ୟବାଦ, ସ୍ଥିତିବାଦ । କେତେ ଯୁକ୍ତି, କେତେ ତର୍କ । ନିଜ ନିଜର ବହିପଢ଼ା ବିଦ୍ୟା ନେଇ କେତେ ଜ୍ଞାନର ଗର୍ବ । କେତେ ‘କୋଟେସନ’ । କେତେ ବହିର ମୁଖସ୍ଥ କରା ନାମ । ନିଜକୁ ‘ଜ୍ଞାନୀ’ ବୋଲି ଦେଖେଇହେବାର କେତେ ଅହମିକା-କେତେ ଛଳନା । ସବୁ ଆମେ ବୁଝିପାରୁ । କିନ୍ତୁ ସେଇ ବୁଝିବାଟାକୁ ଅସ୍ୱୀକାର କରି ନିଜର ପୃଥିବୀ ଭିତରେ ଦଳିଚକଟି ହୋଇ ରହିବାକୁ ଭଲପାଉ । ପରସ୍ପରର ଛଳନା, ଅହମିକା ବୁଝିପାରିବା ସତ୍ତ୍ୱେ ବି ଆମେ କେହି କାହାରିକୁ ଛାଡ଼ିପାରୁନା-କାରଣ ଆମର ଆଉ ଅନ୍ୟ ଉପାୟ ନାହିଁ । ସେଇଟା ହିଁ ଆମର ପୃଥିବୀ । ତା’ଛଡ଼ା ଆମର ସତ୍ତା ଅସମ୍ଭବ ।

 

ସେଇ ନିଜସ୍ୱଗତ ପୃଥିବୀରୁ ବାହାରି ଆସି ମୁଁ ବୁଝିପାରୁଛି ସତରେ ଆମେ କେତେ ନିଃସଙ୍ଗ, କେତେ ଅସହାୟ, କେତେ ଏକାକୀ । ଏଠାକାର ଗ୍ରାମୀଣ ବାୟୁମଣ୍ଡଳରେ ସେ ପୃଥିବୀର ଅସ୍ତିତ୍ୱ ନାହିଁ । ତେଣୁ ବୁଝିପାରୁଥିବ କେମିତି ଭୀଷଣ ଭାବରେ ମୁଁ ନିଃସଙ୍ଗ ହୋଇପଡ଼ିଛି । ଏମାନଙ୍କ ସହିତ ମୋର କିଛିହେଲେ ଯୋଗସୂତ୍ର ନାହିଁ । ତେଣୁ ତାଙ୍କପାଇଁ କାର୍ଯ୍ୟ କରିବାକୁ ଗଲାବେଳେ ତାଙ୍କ ଓ ମୋ ଭିତରେ ଥିବା ଯୋଗାଯୋଗର ଅନୁଭବ ମୁଁ କରିପାରୁନି କି ସେମାନେ ପାରୁନାହାନ୍ତି । ତେଣୁ ମୋର ସମସ୍ତ ଚେଷ୍ଟା ସତ୍ତ୍ୱେ ସେମାନେ ମୋ କଥା ବୁଝିପାରୁନାହାନ୍ତି କି ମୁଁ ସେମାନଙ୍କ କଥା ବୁଝିପାରୁନାହିଁ । ଏକ ଅସମ୍ଭବ ପରିସ୍ଥିତି ।

 

ଏଠିକାର ପୃଥିବୀ ଏକ ନିଷ୍କ୍ରିୟତାର ପୃଥିବୀ । ଭାଗବତ, ମାଳିକା, ଛାନ୍ଦ, ଚଉପଦୀ, କୀର୍ତ୍ତନର ଅଫିମିଆ ଧୂଆଁର କୁହୁଡ଼ି ଭିତରେ ସମସ୍ତେ ମୋହାଚ୍ଛନ୍ନ । କେବଳ ଏଇ କୁହୁଡ଼ିର ବନ୍ଧନ ଭିତରୁ ସାମୟିକ ମୁକ୍ତି ପାଇବାପାଇଁ, ଗଣକବିମାନଙ୍କର ନିର୍ଲଜ୍ଜ ଫାର୍ଶ ବା ପକେଟ୍‌ ସଙ୍ଗୀତର ହାସ୍ୟରସ ।

 

କିନ୍ତୁ ଆମ ‘କୋଠରି’ ଆଲୋଚନା ସହିତ ୟାର ବା ମୌଳିକ ପାର୍ଥକ୍ୟ କେଉଁଠି ? ଦୁଇଟା ଅଲଗା ଗ୍ରହ–ନିଜ ନିଜର ଗତିପଥରେ ଘୂର୍ଣ୍ଣାୟମାନ । କେମିତି ଯେ ଏଇ ଦୁଇଟି ଗ୍ରହ ଏକ ହେବେ–ସେଇଟାହିଁ ପ୍ରଧାନ ପ୍ରଶ୍ନ । ଆଉ ସେଇ ପ୍ରଶ୍ନର ସମାଧାନ ଉପରେ ହିଁ ନିର୍ଭର କରୁଛି ଆମର ଭବିଷ୍ୟତ କର୍ମପନ୍ଥା ।

 

ହଁ, ଫାର୍ଶ କଥାରୁ ମନେପଡ଼ିଲା ।

 

ଆଜିକାଲି ଆମ ସହରରେ ଏଇ ‘ଗଣକବି’ମାନଙ୍କୁ ନେଇ ବେଶ୍‌ ଚହଳ ପଡ଼ିଯାଇଛି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଆମର ତଥାକଥିତ ବୁଦ୍ଧିଜୀବୀମାନେ ମଧ୍ୟ କେମିତି ଏଇ ଲଜ୍ଜାକର ‘ହୋ’ରେ ମାତି ଯାଇଛନ୍ତି । ସ୍କୁଲ କଲେଜଠାରୁ ଆରମ୍ଭ କରି ସାଂସ୍କୃତିକ ସଭାରେ ମଧ୍ୟ ଏହା ସଂକ୍ରମିତ ହୋଇଯାଇଛି । ଅତୀତପାଇଁ ଗୌରବବୋଧ ଏକ ଅତ୍ୟାବଶ୍ୟକୀୟ ପ୍ରେରଣା-ଭବିଷ୍ୟତପାଇଁ । କିନ୍ତୁ ଅତୀତକୁ ପୁଣିଥରେ ପୁନର୍ଜୀବନ ଦେଇ ‘ଅତୀତ’ ଭିତରେ ଆଉଥରେ ବଞ୍ଚି ରହିବାର ଚେଷ୍ଟାର ନାମ ପଳାୟନବାଦ ବା ପ୍ରତିକ୍ରିୟାଶୀଳତା । ଇତିହାସର ରୁକୁଣାରଥ ଚକ୍ରକୁ ପଛକୁ ଫେରେଇନେବାର ଚେଷ୍ଟା ଯେତିକି ହାସ୍ୟାସ୍ପଦ ସେତିକି ଦୟନୀୟ । ଏହା ସମ୍ଭବ କେବଳ ଏକ ଭବିଷ୍ୟତହୀନ ପଙ୍ଗୁ ଜାତିର ପକ୍ଷରେ–ଯାହାର କିଛି ସମ୍ଭାବନା ନାହିଁ ଆଗେଇବାର-। ଐତିହ୍ୟର ବଳୀବର୍ଦ ହୋଇରହିବାହିଁ ଯେମିତି ଆମର ଏକମାତ୍ର ପଥ । ଏହାର କାରଣ କ’ଣ ଜାଣିଛ ?

 

ତଥାକଥିତ ଆଧୁନିକତାର ଅଗ୍ରଗତି ଭିତରେ ମଧ୍ୟ ଆମ୍ଭେ ବର୍ତ୍ତମାନ ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ପଥ ନିରୂପଣ କରିପାରିନାହୁଁ । ସେଥିପାଇଁ ଗ୍ରାମୀଣ ବ୍ୟକ୍ତି ପରି ‘ଆଧୁନିକ ବୁଦ୍ଧିଜୀବୀ ସହରୀ ବ୍ୟକ୍ତି’ ମଧ୍ୟ ଏମିତି ପଶ୍ଚାତ୍‌ ଉଲମ୍ଫନ କରିବାକୁ ଲଜ୍ଜାବୋଧ କରୁନାହିଁ ।

 

ମୁଁ ଭାବିଥିଲି ଏହାର ପ୍ରତିରୋଧ କରିବାକୁ । କିନ୍ତୁ ଏବେ ଭାବୁଛି ଏହା ଗୋଟିଏ ସୁଯୋଗ । ଏହାକୁ ଅବଲମ୍ୱନ କରି ଆମେ ଆମର କର୍ମପନ୍ଥାକୁ ସମସ୍ତଙ୍କ ଆଗରେ ପରିସ୍ଫୁଟ କରାଇପାରିବା । ଆମର ନିଜସ୍ୱ ମତାମତ ଯାହା ଥାଉନା କାହିଁକି, ପାର୍ଟି କମିଟିରେ ଏକଥା ଉତ୍‌ଥାପନ କରିପାରିବ । ମୋ ମତରେ ଏହାଛଡ଼ା ଦୁଇ ସମାନ୍ତରାଳ ଗ୍ରହ ଭିତରେ ସଂଯୋଗ କରିବାକୁ ଅନ୍ୟ ଯୋଗସୂତ୍ର ବର୍ତ୍ତମାନ ପରିପ୍ରେକ୍ଷୀରେ ନାହିଁ ।

 

ମୁଁ ଏଇନା ଶୋଇ ଶୋଇ ଭାବୁଛି, ଏକ ପ୍ରଦେଶ, ଏକ ପ୍ରଦେଶ, ଏକ ଭାଷା ଓ ଏକ ସଂସ୍କୃତିର ମଣିଷ ହୋଇ ମଧ୍ୟ ଆମେ କେମିତି ଏତେ ଅଲଗା ? ଆମ ଭିତରେ ଏତେ ପାର୍ଥକ୍ୟ କାହିଁକି ? ଦିନକୁ ଦିନ ସେଇ ପାର୍ଥକ୍ୟର ପରୀକ୍ଷା କ୍ରମେ ଗଭୀରରୁ ଗଭୀରତର ହେଉଛି । ହୁଏତ ଦିନ ଆସିବ, ଏଇ ଦୁଇ ଜଗତ ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇଯିବ ଏବଂ ସେ ପରୀକ୍ଷା ଉପରେ ପୋଲ ବାନ୍ଧିବାକୁ କାହାରି ଶକ୍ତି ନ ଥିବ ।

 

ଏଥିରେ ଆମମାନଙ୍କର କ’ଣ କିଛି ଦାୟିତ୍ୱ ନାହିଁ ? କିନ୍ତୁ ଆମେ ସମସ୍ତେ ଏହି ଦାୟିତ୍ୱ ଏଡ଼େଇ ଯିବାକୁ ବ୍ୟସ୍ତ । ଶାସକ, ରାଜନୀତିଜ୍ଞ କର୍ମୀ, ଲେଖକ ସମସ୍ତେ ଏକ ଦୋଷରେ ଦୋଷୀ । ମୁଁ ମୋ ନିଜ ଅନୁଭୂତିରୁ ବେଶି ଦାୟୀ କରିବି କବି ଓ ଲେଖକମାନଙ୍କୁ । କାରଣ ଜଣେ ଶିଳ୍ପୀହିଁ ମାନବ ସମାଜର ସବୁଠାରୁ ସମ୍ୱେଦନଶୀଳ, ଭାବପ୍ରବଣ, ସ୍ପର୍ଶକାତର ବ୍ୟକ୍ତି-ସେ ଯେତେ ନଗଣ୍ୟ ହେଉନା କାହିଁକି, ଅପରର ବେଦନା ଓ ଦୁଃଖକୁ ସେ ଯେତେ ଗଭୀର ଭାବରେ ଅନୁଭବ କରିପାରେ, ଅନ୍ୟ କାହାରି ପକ୍ଷରେ ତାହା ସମ୍ଭବ ନୁହେଁ । ତେଣୁ ସଜ୍ଞାନରେ ହେଉ ବା ଅଜାଣତରେ ହେଉ ସେ ମାନବଜାତିପାଇଁ ଅଙ୍ଗୀକୃତ ହେବାକୁ ବାଧ୍ୟ । ସତ୍ୟଦ୍ରଷ୍ଟା ଭାବରେ ସେ ଏକକ କିନ୍ତୁ ସତ୍ୟ ପ୍ରଚାର ନିମନ୍ତେ ତାକୁ ନିଜକୁ ବହୁ ସାଙ୍ଗରେ ମିଶାଇ ଦେବାକୁ ପଡ଼େ । ତେଣୁ ଲେଖକ ତା’ର ଏଇ ନିଜସ୍ୱ ଦାୟିତ୍ୱବୋଧକୁ ଅସ୍ୱୀକାର କରି ‘ନିଃସଙ୍ଗ’ ‘ଏକାକୀ’ ‘ବିଚ୍ଛିନ୍ନ’ ବେଶଲି ଡିଣ୍ଡିମ ପିଟି, ଏକ ମେସୋଚିଷ୍ଟିକ୍‌ ଆନନ୍ଦରେ ଉତ୍‌ଫୁଲ୍ଲ ହେବାର କୌଣସି କାରଣ ମୁଁ ଦେଖିପାରୁ ନାହିଁ । ଯେକୌଣସି ଲେଖକ ତତ୍କାଳିକ ସମାଜର ମୁଖପତ୍ର ଓ ଆଗାମୀ ସମାଜର ଦୂରଦ୍ରଷ୍ଟା । ଏଣୁ କେବଳ ସୀମିତ ଅର୍ଥରେ ସାମାଜିକ ଅଙ୍ଗୀକାର ତା’ର ଥାଉ ବା ନ ଥାଉ, ସେଇ ସାମାଜିକ ପରିସ୍ଥିତିରେ ସେ ଅସାମାଜିକ’ ‘ଅନୈତିକ’ ଲେଖା ଲେଖୁନା କାହିଁକି ଏକଥା ଚରମ ସତ୍ୟ ଯେ ଏକ ବୃହତ୍ତର ମାନବ ସମାଜପାଇଁ ସେ ବିଧିବଦ୍ଧ ଭାବରେ କମିଟେଡ଼ । ଅନ୍ୟାନ୍ୟ ଆନୁସଙ୍ଗିକ ଲାଭ ଭିତରେ ମଧ୍ୟ ଏଇ ସ୍ୱୀକୃତି ହିଁ ତା’ର ଲେଖକ ହେବାର ଅନ୍ତର୍ନିହିତ ପ୍ରେରଣା ଶକ୍ତି ।

 

ମୁଁ ଜାଣେ ତମେ ମୋତେ ଅଭିଯୁକ୍ତ କରୁଛ । ଯଦି ଲେଖକ ଏତେ ଦାୟିତ୍ୱବାନ, ତେବେ ଆଜିକାର ପରିସ୍ଥିତିରେ ସେ ଗୋଟାଏ ସଂଯୋଗର ଭାଷା ସୃଷ୍ଟି କରିପାରୁନି କାହିଁକି ?

 

ମୁଁ ବି ତମରି ପରି ଭାବୁଛି କାହିଁକି ? କାହିଁକି ମୁଁ ପାରୁନି । ମୁଁ ବୁଝିପାରୁଛି ଯେ ଆଜିକାର ପରିସ୍ଥିତିରେ ମୁଁ କେବେହେଲେ ସାମାଜିକ ପରିବେଷ୍ଟନୀରୁ ବିଚ୍ଛିନ୍ନ ହୋଇନପାରେ । ମୋ ଚାରିପାଖର ଅସଂଖ୍ୟ ସାଧାରଣ-ବ୍ୟକ୍ତିମାନଙ୍କ ମଧ୍ୟରୁ ମୁଁ ଜଣେ । ତଥାପି ସାମାଜିକ ଉତ୍‌ଥାନ ପତନର ସାମାନ୍ୟତମ ଆଲୋଡ଼ନ ମୋ ଭିତରେ ଅପେକ୍ଷାକୃତ ବେଶିଭାବରେ ସୃଷ୍ଟି କରେ ଅଜସ୍ର ଢେଉ । କିନ୍ତୁ ମୁଁ ସେଇ ଢେଉରେ ଭାସିଯାଉଛି । ମୋ ପରି ସମସ୍ତେ ଏଇ ସଂଘାତର ଢେଉରେ ଭାସମାନ । ଆମ ଭିତରୁ ଏପର୍ଯ୍ୟନ୍ତ କେହି ବଳିଷ୍ଠ ପୁରୁଷ ଉଦ୍‌ଭବ ହୋଇନି ଯେ ଏଇ ଢେଉର ଊର୍ଦ୍ଧ୍ୱରେ ଉଠି, ସୃଷ୍ଟି କରିବ ନୂତନ ଦିଗ୍‌ଦର୍ଶନ, ନୂତନ ସମାଜ ଗଠନପାଇଁ । ସେଇ ସ୍ଥିର ଦିଗ୍‌ଦର୍ଶନର ଦିଗବାରଣ ଖୁଣ୍ଟର ନିର୍ମାଣର ଭିତ୍ତିସ୍ତମ୍ଭର ସ୍ଥାପନ କରିବାର କ୍ଷମତା କେବଳ ସେଇ ନୂତନ ବ୍ୟକ୍ତିଟିର ।

 

ମୁଁ ତମକୁ କହିରଖେ ଏହି ବ୍ୟକ୍ତିଟି ଆଉ କେହି ନୁହେଁ-ଜଣେ ଲେଖକ । ରାଜନୀତିଜ୍ଞ ନୁହେଁ, ଅର୍ଥନୀତିଜ୍ଞ ନୁହେଁ, ପ୍ରାଶସକ ନୁହେଁ, ବୈଜ୍ଞାନିକ ନୁହେଁ । ବର୍ତ୍ତମାନ ପରିସ୍ଥିତିରେ ନାନାପ୍ରକାର ଅର୍ଥନୀତି, ରାଜନୀତି ଓ ବିଜ୍ଞାନର କ୍ରମମନ୍ଥନ ଫଳରେ ଜନ୍ମିତ ବିଷାକ୍ତ ହଳାହଳକୁ ନିର୍ଦ୍ୱନ୍ଦ୍ୱରେ ପାନ କରି ଅମୃତ ବିତରଣ କରିବ ଜଣେ ନୀଳକଣ୍ଠ ଲେଖକ–ଆଉ କାହାରି ସେ ସାମର୍ଥ୍ୟ ନାହିଁ, ଶକ୍ତି ନାହିଁ, କ୍ଷମତା ନାହିଁ ।

 

ମାଲୁଣୀ ଲୋ, ଅନେକ ଫୁଲ ମୁଁ ସଂଗ୍ରହ କରି ରଖିଛି । ତୋରି ଅପେକ୍ଷାରେ ରହି ରହି ସେ ସବୁ ମଉଳି ଆସିଲାଣି । କିନ୍ତୁ ଗଛ ତ ମରିନି । ପୁଣି ଫୁଲ ଫୁଟିବ । ପୁଣି ମୁଁ ଚାଙ୍ଗୁଡ଼ି ଭର୍ତ୍ତିକରି ତୋରି ପ୍ରତୀକ୍ଷାରେ ରହିବି । ଯେତେଦିନ ପର୍ଯ୍ୟନ୍ତ ତୁ ନିଜେ ବନ୍ଦୀଶାଳାକୁ ଭାଙ୍ଗିଚୁରି ମୁକ୍ତି ପାଇ ଫେରି ନ ଆସିଛୁ ସେତେଦିନ ପର୍ଯ୍ୟନ୍ତ ମୁଁ ସେମିତି–ଅପେକ୍ଷା କରି ବସିଥିବି । ତୁ ନ ଆସିଲେ ତାକୁ ଗୁନ୍ଥିବ କିଏ ? କିଏ ଜାଣେ ଫୁଲହାର ଭିତରେ ଗୋପ ‘ଭାଷା’ ଲେଖିବାର ଉପାୟ ?

 

ରାଜଜେମା ଭୁଲିଯାଇଛି । ଜାଣିପାରୁନି । ଚିହ୍ନିପାରୁନି । ତୋର ଭାଷା ପାଇଲେ ସିନା ସେ ରାକ୍ଷସପୁରୀରୁ ବାହାରି ଆସିବାପାଇଁ ବାଟ ଖୋଜିବ । ଭୋଗବିଳାସର ଉଆସରୁ ଫେରିଆସିବ ବାସ୍ତବତାର ଭିଟାମାଟି ଉପରକୁ ?

 

କେବେ ଆସିବୁ ?

 

ଶୋଇଥାରେ ପିଲା ଶୋଇଥା । ଏତେ ଡାକୁଛି, ତୋ ନିଦ ଭାଙ୍ଗୁନି । କ’ଣ ଆଉ କରିବୁ ତୁ ? ଅଫିମ ନିଶାରେ ତ ତୋ ଦେହ ଭାରି ହୋଇଯାଇଛି । ଆଖି ମାଡ଼ି ମାଡ଼ି ପଡ଼ୁଛି । ଉଠିବାକୁ ମନ କଲେ ବି ଉଠି ପାରୁନୁ । କିନ୍ତୁ ମୁଁ ତୋତେ ଛାଡ଼ୁନି । ଗେଲ କରିବି କିନ୍ତୁ ତା ସାଙ୍ଗରେ ଚିମୁଟିବି-। ନହେଲେ ଶେଷକୁ ତତଲା ଚଟୁରେ ତୋ ପିଚାରେ ନିଆଁ ଲଗେଇ ଦେବି ।

 

ଆଉ କ’ଣ କରିବି ? କେତେ ସମୟ ଅପେକ୍ଷା କରିବି ।

 

କମରେଡ଼୍‌–

–ଜେଲ୍‌

ସେଲ ନମ୍ୱର–

 

ଯେ ଯାହାକୁ ଯେତେ ଭଲପାଏ ତାଠାରୁ ସେତିକି ଆଘାତ ମଧ୍ୟ ପାଏ । ଚେଙ୍କା ଦେବାକୁ ବାଧ୍ୟ ହେଲି । ଅପେକ୍ଷା କରିପାରିଲିନି ।

 

ଏଇ ଅଳ୍ପଦିନ ତଳେ ଧରାପଡ଼ିଲି । କିଛିଦିନ–ଜେଲ୍‌ରେ କଟେଇ ପଅରଦିନ ଏଠାକୁ ଆସିଛି । ସେଇ ଗାଁବାଲାଏ ଶେଷକୁ ଧରେଇଦେଲେ । ସେଥିରେ ରାଗିବାର ବା ଦୁଃଖ କରିବାର କିଛି ନାହିଁ । କାରଣ ଆମେ ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିନଥିଲୁ । ଏପର୍ଯ୍ୟନ୍ତ ବି କରିପାରି ନାହୁଁ । ମୁଁ ଜାଣିଥିଲି ଏକଥା ଆଗରୁ । କିନ୍ତୁ ଜାଣିଶୁଣି ଗାଁ ଛାଡ଼ି ଗଲିନାହିଁ । କାରଣ ତା’ ହୋଇଥିଲେ ତା’ର ପ୍ରତିକ୍ରିୟା ଖୁବ୍‌ ଖରାପ ହୋଇଥାନ୍ତା । ଆମେ ବହୁତ ଛୋଟ ହୋଇଯାଇଥାନ୍ତୁ ତାଙ୍କ ଆଗରେ । ବୀରତ୍ୱ ଶିଖାଇବାକୁ ଯାଇ ଚୋର ପରି ଲୁଚି ପଳେଇବାକୁ ମୁଁ ଜମା ଉଚିତ୍‌ ଭାବିଲି ନାହିଁ ।

 

ଗୋଟାଏ ପ୍ଲାଟୁନ୍‌ ପୋଲିସ୍‌ । କେବଳ ମୋତେ ଧମକପାଇଁ । ହସମାଡ଼ିଲା । କିନ୍ତୁ ଏକରକମ ଭଲ ହେଲା । ଆମର ସମ୍ମାନ ବଢ଼ିଗଲା ।

 

ତମେ ବିଶ୍ୱାସ କରିବନି ସେଦିନ ଅବସ୍ଥା । ସାରା ଗାଁ ଯାକ ଲୋକ ଆସି ରୁଣ୍ଡ ହୋଇଥାନ୍ତି ମୋ କୁଡ଼ିଆ ଚାରିପଟେ । ଏତେ ପୋଲିସ ବୋଧହୁଏ ସେମାନେ ଜୀବନରେ କେବେହେଲେ ଦେଖିନଥିଲେ । ସମସ୍ତଙ୍କ ଆଖିରେ ଭୟ, ଜିଜ୍ଞାସା, କୌତୂହଳ । ମୁଁ ମୋର ପନ୍ଥା ଠିକ୍‌ କରିନେଲି ସେଇ ମୁହୂର୍ତ୍ତକ ମଧ୍ୟରେ ।

 

ପୋଲିସ କମେଣ୍ଡାର ସହିତ ଖୁବ୍‌ ଉଚ୍ଚ ସ୍ୱରରେ ଯୁକ୍ତିତର୍କ ଆରମ୍ଭ କରିଦେଲି । ହାତ ହଲେଇ ଗୋଡ଼ କଚାଡ଼ି । ଷ୍ଟାଣ୍‌ଟ ଅବଶ୍ୟ ?

 

ତା’ପରେ ଫେରି ଚାହିଁଲି ସେମାନଙ୍କ ଆଡ଼େ । ଆଖିରେ ତାଙ୍କର ଅବିଶ୍ୱାସ ଅଥଚ ପ୍ରତ୍ୟକ୍ଷ ଅଲୌକିକ ଘଟଣାର ବିସ୍ମୟକର ଭାବ ।

 

ମୁଁ ଠିକ୍‌ ସେଇ ମୁହୂର୍ତ୍ତରେ ସେମାନଙ୍କ ଆଖିରେ ହୋଇଗଲି ଜଣେ ଦେବତା । ଶ୍ରେଷ୍ଠବୀର । ଏଥର ବୋଧହୁଏ ମୋର କାମ ଖୁବ୍‌ ସହଜ ହୋଇଯିବ । ଅବଶ୍ୟ ଏଠୁ ଫେରିଲେ-

 

ମୁଁ ଆଗେଇ ପାରିଛି ହୁଏତ ଏକ ମିଲିମିଟର ବି ନୁହେଁ । ବୋଧହୁଏ ସେ କେବଳ ଆଗେଇବାର ସମ୍ଭାବନା ଟିକକ । କିନ୍ତୁ ସେତିକି କ’ଣ ବର୍ତ୍ତମାନପାଇଁ ଯଥେଷ୍ଟ ନୁହେଁ ?

Image

 

ନିରୁଦ୍ଦିଷ୍ଟ ବ୍ୟକ୍ତି

 

‘‘ଲୋକ ହଜିଛି ।

 

ଏମିତିରେ ବୟସ ଅନେକ । କିନ୍ତୁ ଦେଖିଲେ ଜଣାପଡ଼େ ବୟସ ୨୧ରୁ ୨୫ ଭିତରେ-। ବର୍ଣ୍ଣ ଗୋରା । ଦୀର୍ଘମୟ ଉଚ୍ଚତା ଛଅଫୁଟ, ଅଙ୍ଗପ୍ରତ୍ୟଙ୍ଗ ବଳିଷ୍ଠ । ଆଖିଦୁଇଟି ବୁଦ୍ଧିଦୀପ୍ତ-ଉଜ୍ଜଳ-। ତୀକ୍ଷ୍‌ଣ ନାକ । ଓଠ ଦୁଇଟି ସରୁ ଓ ଈଷତ୍‌ ନାଲି । କଥାବାର୍ତ୍ତା ବେଶ୍‌ ଦୃଢ଼ତାବ୍ୟଞ୍ଜକ ଓ ଗଭୀର ଆତ୍ମବିଶ୍ୱାସପୂର୍ଣ୍ଣ । ଚାଲିଚଳନରେ ଏକ ନିର୍ଦ୍ଦିଷ୍ଟ ନିଶ୍ଚିତତା । ସହିଷ୍ଣୁ । ପରିଧାନରେ ଏକ ଶୁଭ୍ର ବସ୍ତ୍ର ଓ ଗୈରିକ ଉତ୍ତରୀୟ । ଏକମୁହାଁ ହୋଇ ଚାଲୁଥିବ-କାହାରି ପ୍ରତି ଭ୍ରୂକ୍ଷେପ ନକରି ।

 

ଏହିପରି ଜଣେ ଲୋକ ଗତ କିଛିଦିନ ଧରି ନିରୁଦ୍ଧିଷ୍ଟ ହୋଇଯାଇଛନ୍ତି । ଯେକୌଣସି ବ୍ୟକ୍ତି ଏହାଙ୍କୁ ଦେଖିଲେ ନିକଟସ୍ଥ ପୋଲିସ୍‌ ଷ୍ଟେସନ୍‌ ବା ତଳ ଲିଖିତ ଠିକଣାରେ ଜଣାଇଲେ ଉପକୃତ ହେବୁଁ ।’’

 

ଏହି ଖବରଟି ତଳେ ଗୋଟାଏ ଚାରିଛକିଆ କଳାଗାର ଭିତରେ ଏତିକି ଲେଖାଥିଲା-

 

ତମେ ଚାଲିଗଲା ଦିନୁ ଆମେ ସମସ୍ତେ ଭୀଷଣ ମନସ୍ତାପରେ କାଳ କାଟୁଅଛୁଁ । ଅନେକେ ଅଖିଆ ଅପିଆ ପଡ଼ି ରହିଛନ୍ତି । କେତେଜଣ ମୃତ୍ୟୁଶଯ୍ୟାରେ, ତେଣୁ ଏ ସମ୍ୱାଦ ପଢ଼ିବାମାତ୍ରେ, ତୁରନ୍ତ ଫେରିଆସ । ଆମେ ସମସ୍ତେ ତମରି ପ୍ରତୀକ୍ଷାରେ ରହିଛୁ ।

 

ଖବରକାଗଜରେ ମୁଁ, ସମ୍ୱାଦ ଦେଇନଥିଲି; କିନ୍ତୁ ସେଦିନ ସେଇଟା ପଢ଼ିଲା ପରେ ହଠାତ୍‌ ମନେପଡ଼ିଗଲା-ସେଇ ଲୋକଟା ଏଇ କିଛିଦିନ ତଳେ ମୋ ଘରୁ ବାହାରିଯାଇଛି । କୁଆଡ଼େ ଗଲା ମୁଁ ଜାଣିନି । ଏଇ ପଞ୍ଚାବନ କୋଟି ଲୋକ ସଂଖ୍ୟା ନା ଦୁଇଶହ କୋଟି ଲୋକସଂଖ୍ୟା ଭିତରେ କୋଉଠି ହଜିଯାଇଚି କିଏ କହିବ ?

 

ପ୍ରକୃତରେ ଲୋକଟି ବାହାରିଯାଇନି । ମୁଁ ତାକୁ ତଡ଼ିଦେଇଛି । କାରଣ ମୋର ଆଉ ଦରକାର ନଥିଲା । ଠିକ୍‌ ତା’ନୁହେଁ-ସେତେବଳେ ମନେହେଲା ଯେ ମୋର ଆଉ ତାକୁ ଦରକାର ନାହିଁ । କିନ୍ତୁ ମୁଁ ବର୍ତ୍ତମାନ ବୁଝିପାରୁଛି ଯେ ପ୍ରକୃତରେ ଲୋକଟି କେତେ ଦରକାରୀ ଥିଲା । ତା’ବିନା ବର୍ତ୍ତମାନ ମୁଁ ବଡ଼ ଅସୁବିଧାରେ ପଡ଼ିଛି । ତେଣୁ ତା’ର ନିଜ ଲୋକମାନେ ତାକୁ କେତେ ସ୍ନେହ କରୁନଥିବେ ।

 

ଆହା, ବିଚରା ଗଲା କୁଆଡ଼େ ?

 

ନା ।

 

ଆମପରି ବିଚରାମାନଙ୍କୁ ଛାଡ଼ି ସେ ଗଲା କୁଆଡ଼େ ?

 

ଆମେ କାହିଁକି ତାକୁ ଘଉଡ଼େଇ ଦେଲୁ ?

 

ମୁଁ ଜାଣେ, ନିଶ୍ଚିତ ଭାବରେ ଜାଣେ ଯେ ଯେଉଁମାନେ ଏମିତି ବିଜ୍ଞାପନ ଦେଇଛନ୍ତି, ସେମାନେ ନିଶ୍ଚୟ ତାକୁ ଘରୁ ତଡ଼ି ଦେଇଥିବେ । ନ ହେଲେ କେବେହେଲେ ଯିବା ଲୋକ ନୁହେଁ ।

 

ନା, ମୋତେ ତାକୁ ଖୋଜିବାକୁ ହେବ ।

 

ତା’ବିନା ମୋର ଚଳିବା ଅସମ୍ଭବ । ଏକାବେଳକେ ଅସମ୍ଭବ । ତାକୁ ଖୋଜି ବାହାର କରିବାକୁ ପଡ଼ିବ । ନ ହେଲେ ବଞ୍ଚିବାର ମାନେ କିଛି ହୁଏନା । ଗୋଟାଏ ଭୟ, ହତାଶା, ଅବସାଦର ପାହାଡ଼ ମାଡ଼ିଆସୁଛି, ମୋ ଉପରେ ।

 

ମୁଁ ସାର୍ଟ-ପେଣ୍ଟ ପିନ୍ଧି ଓହ୍ଳେଇଆସିଲି ରାସ୍ତା ଉପରକୁ । କାହାକୁ ପଚାରିବି ? ସେଇ ଗଳି ମୁଣ୍ଡର ଦୋକାନୀକୁ ? ସେ ଅନେକଦିନର ବାସିନ୍ଦା । ଯଦି କାଳେ ଜାଣିଥିବ ।

 

ମୁଁ ତାକୁ ପଚାରିଲି ।

 

ସେ ମନାକଲା । ହଁ, ସେ ତାକୁ ଦେଖିଥିଲା ପ୍ରାୟ ଚାଳିଶବର୍ଷ ତଳେ । ସେ ଲୋକଟି ତା’ ବାପାଙ୍କ ଦୋକାନରେ କାମ କରୁଥିଲା । ବେଶ୍‌ ଭଲ ଲୋକଟି । ଅନେକଦିନ ତାଙ୍କରି ଘରେ ଥିଲା । ତାଙ୍କ ଗାଁରେ । ତା’ପରେ ସେମାନେ ଯେତେବେଳେ ଗାଁର ଦୋକାନ ଭାଙ୍ଗି ଏଠାକୁ ଚାଲିଆସିଲେ, ସେ ବି ତାଙ୍କ ସାଙ୍ଗରେ ଆସିଥିଲା । କିନ୍ତୁ କିଛିଦିନ ପରେ, ସେମାନେ ସେତେବେଳକୁ ଚିନି, ଚାଉଳ, ଲୁଗାର କଣ୍ଟ୍ରୋଲ ବ୍ୟବସାୟୀ, ଠିକ୍‌ ଯୁଦ୍ଧ ସମୟରେ ସେ ଚାଲିଗଲା-। କୁଆଡ଼େ ଯେ ଚାଲିଗଲା-ତା’ର ଖୋଜଖବର ଆଉ ନାହିଁ । ଲୋକଟା ସତେଯେମିତି ଉଭାନ୍‌ ହୋଇଗଲା । ତା’ପରେ ଅବଶ୍ୟ ସେମାନଙ୍କର ବ୍ୟବସାୟରେ ଉନ୍ନତି ହେଲା । ଛଣ ଛପର ଘର ପରିବର୍ତ୍ତେ କୋଠାଘର ହେଲା । କିନ୍ତୁ ସେମିତି ଲୋକ ସେମାନେ ଆଉ ପାଇଲେ ନାହିଁ । ବାକି ଯେତେ ଲୋକ ରଖିଲେ ସେମାନେ ସବୁ ଚୋର । ତାଙ୍କ ଭିତରୁ କେତେଜଣ ଏବେ ଏହି ସହରରେ ବଡ଼ ବଡ଼ ବ୍ୟବସାୟୀ । ପୂର୍ବକାଳର ବ୍ୟବସାୟ ଏବେ ଅବଶ୍ୟ ଆଉ ନାହିଁ । ତଥାପି ସେକାଳରେ ଅଳ୍ପଆୟରେ ବି କେମିତି ସନ୍ତୋଷ ଥିଲା । ‘‘କ’ଣ କହିବା ଆଜ୍ଞା, ସେ ଯୁଗ କଥା । ଆହା’’

 

ଦୀର୍ଘ ନିଃଶ୍ୱାସ ନେଲା ଦୋକାନୀ ।

 

ମୁଁ ଦୋକାନୀ କଥାରେ ଆଶ୍ଚର୍ଯ୍ୟ ହେଲି । ସେଇ ଏଇ କିଛିଦିନ ତଳେ ମୋ ପାଖରେ ଥିଲା । ଅଥଚ ସେ କହୁଛି ଚାଳିଶବର୍ଷ ତଳର କଥା । ପାଗଳ ନା’ କ’ଣ ? ବୁଢ଼ା ବୋଧହୁଏ ଆଉକାହା କଥା କହୁଛି ।

 

ମୁଁ ସେଇଠୁ ଫେରିଆସିଲି ।

 

ବାଟରେ ଦେଖାହେଲା ଜଗବନ୍ଧୁବାବୁଙ୍କ ସହିତ । ମୋ ବାପାଙ୍କ ସାଙ୍ଗ । ବୟସ ୭୫ କି ତା’ଠାରୁ ବେଶି ହେବ । ମୋ ବାପା ମରିଗଲେଣି ଅନେକ ଦିନୁ । କିନ୍ତୁ ସେ ଏବେ ବି ସୁସ୍ଥ ସବଳ ଅଛନ୍ତି । ପ୍ରତିଦିନ ସକାଳେ ଓ ସଞ୍ଜରେ ବାଡ଼ି ଧରି ବୁଲିଆସନ୍ତି । ମୁଁ ନମସ୍କାର କଲି । ସେ ଆଶୀର୍ବାଦ କରି କହିଲେ ‘‘କୁଆଡ଼େ ଯାଉଛୁ ? ଆ–ଏଇ ପାଖରେ ଟିକେ ବସିବା ।’’ ମୁଁ ବସିଲି ଯାଇ ତାଙ୍କ ପାଖରେ । ଭାବିଲି ତାଙ୍କୁ ପଚାରିବି (ସେଇକଥା) । କିଛିସମୟ ଏଣୁତେଣୁ କଥାବାର୍ତ୍ତା ପରେ ପଚାରିଦେଲି କଥାଟା । ଶୁଣିଲାମାତ୍ରେ ସେ ହାତଦୁଇଟା ମୁଣ୍ଡ ଉପରକୁ ଟେକିଦେଇ କହିଲେ-‘‘ଆଃ, ତା କଥା କହନା ବାପ, ଦେବତା, ଦେବତା ସିଏ । ସିଏ ଯେତେବେଳେ ହାକିମ ଥିଲା ଏ ଦେଶରେ ରାମରାଜ୍ୟ ଥିଲା କହ । ଆଜିକାଲିକା ପରି ଏତେ ଲାଞ୍ଚ ମିଛ, ଚୋରି, ଧପ୍‌ପାବାଜି କିଛି ନଥିଲା । ପଦେ କଥା କହିଦିଅ-ବାସ୍‌ ହୋଇଗଲା । ଆଉ କିଛି ଅବିଶ୍ୱାସ ନାହିଁ । ସେ କାମ ଠିକ୍‌ ହୋଇଯିବ । ସମସ୍ତେ ବି ତାକୁ ମାନୁଥିଲେ ଦେବତା ପରି । ତା’ରି ଯୋଗୁଁ ତ ସେକାଳରେ ଏତେ ଶାନ୍ତି ଥିଲା, ସୁଖ ଥିଲା, ସନ୍ତୋଷ ଥିଲା, ଲୋକ ବି ଥିଲା ସେମିତି, କି ଚଉଡ଼ା କପାଳ, କି ଠିଆ ଠିଆ ନାକ । ପାଞ୍ଚହାତ ମରଦ । ଭାଙ୍ଗିଯିବ ପଛେ ନଇଁବ ନାହିଁ । କଥା ଉପରେ ବାଘ ବକରୀ ଏକା ଘାଟରେ ପାଣି ପିଇଥିଲେ । ଆରେ, ନାଇଁ ନାଇଁ, ତୁ ଯାହା ଭାବୁଛୁ ସେଇଆ ନୁହେଁ । ସେ ପ୍ରତାପୀ ଥିଲା ସତ; କିନ୍ତୁ ଅତ୍ୟାଚାରୀ ନଥିଲା; ନିଷ୍ଠୁର ନଥିଲା । ମୁଁ ତ କେବେ ଦେଖିନି ସେ କାହାକୁ ଦଣ୍ଡଦେଇଛି ବୋଲି । ଦୋଷୀ ତ ନିଜେ ତା’ ଦୋଷ ଆପେ ଆପେ ସ୍ୱୀକାର କରିନେଉଥିଲା । ତା’ଛଡ଼ା ତା’ କଥା ଭାଙ୍ଗିବ କିଏ ? ସବୁ ଲୋକଙ୍କର ତ ସେଇ ଥିଲା ଭରସା ।

 

ସିଏ ଗଲାଦିନରୁ ତ ଏ ରାଜ୍ୟ ନାରଖାର ହୋଇଗଲା । ଆରେ ଯେତେ କୋଠାବାଡ଼ି, ବନ୍ଧ ବାଡ଼ କଲେ କ’ଣ ହେବ, ଶାନ୍ତି କାହିଁ ? ଦେଖୁନୁ ଟିକିଏ କଥାକୁ ଖାଲି ମାଡ଼ ପିଟାପିଟି, ଛୁରି ମରାମରି ଗୁଳି ପର୍ଯ୍ୟନ୍ତ ଚାଲୁଛି । କିଏ କାହାକଥା ମାନିଲେ ସିନା ? ପୁଅ ବାପକୁ ମାନୁନି-ବାପ ମା’କୁ ମାନୁନି । ଛାତ୍ର ଶିକ୍ଷକକୁ ମାନୁନି । ଜନତା ଶାସନକୁ ମାନୁନି । ଏଇ ଯେ ଚାଲିଛି କାହିଁକି କହିଲୁ ? ସେ ପରା ନାହିଁ । ସେ ଥିଲେ କ’ଣ ଏମିତି ହୁଅନ୍ତା ? କଥା ପଦକରେ ସମସ୍ତେ ଶାନ୍ତ । ଆହା, ଯୁଗଜନ୍ମା ପୁରୁଷଟିଏ ତ !’’

 

ଆଚ୍ଚା, ମୁସ୍କିଲ ତ । ମୁଁ ପଚାରୁଛି କାହା କଥା, ସେ କହୁଛି କାହା କଥା । ବୁଢ଼ାର ବୋଧହୁଏ ସ୍ମୃତି ବିଭ୍ରମ ହେଲାଣି । ମୁଁ ତାକୁ ସେ ଲୋକର କଥା ପଚାରିଲାବେଳକୁ ସେ ମୋତେ କହୁଛି ଷାଠିଏ ବର୍ଷ ତଳର ଆଉଜଣଙ୍କ କଥା । ବୁଢ଼ାର ଠିକ୍‌ କାଳଜ୍ଞାନ ରହୁନି । ବର୍ତ୍ତମାନ ଆଉ ଅତୀତ ଭବିଷ୍ୟତ ସବୁ ଯେମିତି ଗୋଳେଇ ଘାଣ୍ଟି ହୋଇଯାଇଛି ।

 

ନା, ସେ ଲୋକଟା ଗୋଟାଏ ବହୁରୂପା । ସବୁକାଳରେ ସେ ଥିଲା । ସବୁ କାଳକୁ ସେ ରହିଥିବ । କିଛି ବୁଝିହେଉନି ତ ? ଦୋକାନୀକୁ କହିଲାବେଳକୁ ସିଏ ଜଣଙ୍କ କଥା କହୁଛି; ଆଙ୍କୁ ପଚାରିଲାବେଳକୁ ଇଏ ଆରଜଣଙ୍କର କଥା କହୁଛନ୍ତି । ଅଥଚ ରୂପ ବେଶଭୂଷା, ଚାଲିଚଳଣ ସବୁ ଏକ ପ୍ରକାରର । ଲୋକଟା ମାୟାବୀ ନୁହେଁ ତ ? ଧେତ୍‌ । ବୁଢ଼ୀମା କାହାଣୀ ? ସବୁ ଗୁଲି । ଶଳା ଦୋକାନୀଟା ବି ବୁଢ଼ା । ୟେ ତ ତହିଁରୁ । ଭାବିଲି, ଏଇ ସହରରେ ତାକୁ ଖୋଜି ଲାଭ ନାହିଁ । ସେ ବୋଧହୁଏ ଏଣୁ ଛାଡ଼ି ଗାଁକୁ ପଳେଇଛି । ବସ୍‌ଷ୍ଟାଣ୍ଡ୍‌ ରେଳଷ୍ଟେସନ, ଅଫିସ୍‌, ସ୍କୁଲ୍, କଲେଜ, ସାହିତ୍ୟ ସଭା, ବ୍ୟବସାୟୀ ସଂଘ, କଳକାରଖାନା, କଳାକେନ୍ଦ୍ର ସବୁଜାଗାରେ ତାକୁ ଖୋଜି ଦେଖିଲିଣି । ସେ କେଉଁଠି ନାହିଁ । ନା, ସେ ନିଶ୍ଚେ ସେଇ ଗାଁକୁ ପଳେଇଛି । ଏଇଠି ଥିଲେ ସେ ନିଶ୍ଚୟ ଧରାପଡ଼ିଯାଇଥାନ୍ତା ।

 

ମୁଁ ଫେର୍‌ ବାହାରିପଡ଼ିଲି ଗାଁକୁ । ଗାଁ ଆମେ ଛାଡ଼ିଲୁଣି ବହୁତ ଦିନରୁ । ଗାଁରେ ମୋର ଚିହ୍ନା କେହିନାହାନ୍ତି । ପିଲାଟିଦିନୁ ତ ସହରରେ । ଚିହ୍ନା ଦେଲେ ଅବା ଆତ୍ମୀୟସ୍ୱଜନ କିଏ ଜାଣିପାରନ୍ତି; କିନ୍ତୁ କ’ଣ ଦରକାର ? ମୁଁ କାହାକୁ କିଛି ନ କହି ଗାଁର ଶିବମନ୍ଦିର ଚଉତରାରେ ଯାଇ ବସିଲି । କେହି କୁଆଡ଼େ ନାହିଁ । ବେଲ ବଣ, ଦି’ ଚାରିଟା ଆମ୍ୱଗଛ ଆଉ ଅନାବନା ଗଛର ବୁଦିବୁଦିକିଆ ଜଙ୍ଗଲ ଭିତରେ ମନ୍ଦିରଟା ଗୋଟାଏ ଭୂତଙ୍କ ପରି ଛିଡ଼ାହୋଇଛି । ପଲସ୍ତରା ଖସିଗଲାଣି ଇଟାଗୁଡ଼ାକ କଙ୍କାଳ ପରି ଦାନ୍ତ ନିକୁଟି ବସି ରହିଛନ୍ତି । ପକା ଚଉତରାର ତିନିଭାଗ ସିମେଣ୍ଟ ଉଠିଯାଇଛି ।

 

ମୁଁ ସେଇଠି ପତ୍ରଝଡ଼ା ଚଉତରା ଉପରେ ବସିପଡ଼ିଲି । ଭାବୁଥାଏ କାହାକୁ ପଚାରିବି । କିଏ କ’ଣ ଭାବିବ ? ଠିକ୍‌ ଏତିକିବେଳକୁ ପହଞ୍ଚିଲା ଜଣେ କିଏ ମଧ୍ୟବୟସ୍କ ଲୋକ । ନୀଳ ଲୁଙ୍ଗି-। ହାତକଟା ଗେଞ୍ଜି । ଗେରୁଆ ଗାମୁଛା କାନ୍ଧରେ । ହାତରେ ଟେଳାଏ ଗୁଡ଼ାଖୁ । ବାଁ ହାତରେ କଂସା-ଲୋଟାଟିଏ । କହିଲା, ‘‘କ’ଣ ଦରକାର କିଓ ବାବୁ ?’’ ମୁଁ ଚମକିପଡ଼ିଲି । କହିଲି, ‘‘ନାଇଁ, ଏ ମନ୍ଦିରକୁ ଆସିଥିଲି ।’’ ‘‘ଘର କେଉଁଠି ?’’ ମୁଁ ମିଛ କହିଲି । ଗୋଟାଏ ପାଖ ଗାଁ ନାମ କହିଦେଲି-। ‘‘କ’ଣ ଏମିତି ପୂଜା ହେବ ନା ମାନସିକ ଅଛି ?’’ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି-‘‘ତମେ ?’’ ‘‘ମୁଁ ଏ ମନ୍ଦିରର ପୂଜାରୀ’’, ସେ କହିଲା । ମନଟା କେମିତି ହଠାତ୍‌ ଖଟ୍‌ଟା ହୋଇଗଲା-। ମୋ ମନରେ ହୁଏତ ଗୋଟେ କଳ୍ପନା ଥିଲା, ଏମିତି ଗୋଟାଏ ଭଙ୍ଗା ମନ୍ଦିରର ପୂଜକ ସେମିତି ଏକ ଜୀର୍ଣ୍ଣ ଶୀର୍ଣ୍ଣ ପୁରାତନ ହୋଇଥିବେ । ଚମ ଧୁଡ଼ୁ ଧୁଡ଼ୁ, ଆଖିକି ଦିଶୁନଥିବ, ମଠା ଲୁଗା ପିନ୍ଧି, କୋଚଟ ମଇଳା ପଇତା ପକେଇ, ଚୁଟି ଝୁଲେଇ, ବାଡ଼ିଧରି ଚାଲୁଥିବ । ହଠାତ୍‌ ଏମିତି ଗୋଟାଏ ନବ୍ୟ ସଭ୍ୟ, ଗଜା ଟୋକାକୁ ପୂଜାରୀ ଭାବରେ ଦେଖି ମନଟା ବିଷେଇ ଉଠିଲା । ଭାବିଲି, ଛାଡ଼ି ପଳେଇବି । ୟାକୁ ଗୋଟାଏ କ’ଣ ପଚାରିବି ? ଏ କ’ଣ ଉତ୍ତର ଦେବ ? ମୁଁ ଏମିତି ଦୋଦୋପାଞ୍ଚ ହେଉଛି, ସେ କହିଲା, ‘‘ଏଠି ତ କିଛି ଭୋଗରାଗ ମିଳେନା । ଦେଖୁଛ, ତମେ ବି କିଛି ଆଣିନ । ଆଉ ପୂଜା କେମିତି ହେବ ? ଏଇଠି, ଗୋଟାଏ ଦୋକାନ ଅଛି ଯେ ସେ ଶଳା ଗୁଡ଼ିଆ ଖାଲି କି ତେଲ ନାଇଁ କି ତେଲରେ ଛାଣୁଛି ଯେ ମିଠେଇଗୁଡ଼ା ବି ପିତା ଲାଗୁଛି ।’’ ମୁଁ କହିଲି, ‘‘ତେବେ କ’ଣ କରିବା ?’’ ‘‘କିଛି ନାହିଁ, ତମେ କେତେଟଙ୍କାର ମାନସିକ କରିଛ କହ, ସେତିକି ପଇସା ମୋତେ ଦେଇଦିଅ । ତମ ଗା ନାଁ ଠିକଣା କହିଦିଅ । ତମ ନାଁରେ ପୂଜା ଚଢ଼େଇ ଦେବି ।’’

 

ଇଚ୍ଛାହେଉଥିଲା ଠୋ କରି ଚଟକଣାଟେ ମାରିବାକୁ । କିନ୍ତୁ ଚୁପ୍‌ ରହିଲି । ପାଞ୍ଚଟଙ୍କା ବଢ଼େଇ ଦେଇ ଗପ ଜମେଇ ଦେଲି । ସେ ଲୋକଟାକୁ ଯେ ଖୋଜିବାକୁ ହେବ । କଥା ପ୍ରସଙ୍ଗରେ ପଚାରିଲି–ସେଇ ଲୋକଟା କଥା । ସେ କହିଲା–‘‘ଓଃ ତାଙ୍କ କଥା କହୁଛ । ସେ ତ ନନାଙ୍କ ମଲା ବାସି ଦିନ ଏ ଗାଁ ଛାଡ଼ିଛି । ସେ ହେବ, ଧର ପଚିଶବର୍ଷ । ସେ ତ ଏ ମନ୍ଦିର ଦେଖାଶୁଣା କରୁଥିଲା-। ନନା ତାକୁ ଖୁବ୍‌ ଭଲପାଉଥିଲେ । ତା’ରି ଯୋଗୁଁ ଏତେବଡ଼ ମନ୍ଦିର ଏଠି ହୋଇଥିଲା ନାଁ ? ସେ ଗଲାଦିନୁ ଏ ମନ୍ଦିର ଅବସ୍ଥା ଆସ୍ତେ ଆସ୍ତେ ଖରାପ ହୋଇଗଲା । ଶଳା, ଜମିବାଡ଼ି ଖଣ୍ଡେ ଯାହାଥିଲା, ଦେବୋତ୍ତର ଆଇନ୍‌ରେ ସବୁ ଗଲା । ଆଉ ମୋର କିଏ ପାରୁଛି ଏତେ ସବୁ ଝାମେଲା । ୟାହାପ, ନିଜ ରକ୍ଷଣ ଅସମ୍ଭବ । ଖାଲି ପିତୃ ପୁରୁଷର କାମଟା ବୋଲି ଯାହା କରିବା କଥା, ନହେଲେ ହୃଦୟ ଆଉ ଡାକୁନାହିଁ । ହଇହୋ ବାବୁ ତମେ କୋଉଠି କାମ କରୁଛ ? କଟକରେଟି-? ଖଣ୍ଡେ ପିଅନ୍‌ ଫିଅନ୍‌ ଚାକିରି ବୁଝନ୍ତ ନାହିଁ ?’’

 

ଯା’ହେଉ, ଷାଠିଏ ବର୍ଷ ତଳରୁ ବର୍ଷକୁ ଆସିଲାଣି । ଏମାନେ ସମସ୍ତେ ପାଗଳ ନା ମୁଁ ପାଗଳ ।

 

ହେଇ ତ ସେଦିନର କଥା । ଛଅମାସ ବି ହୋଇନି । ପିଲାଦିନର ବନ୍ଧୁ ଗୌରିଶଙ୍କର । ବ୍ୟବସାୟ କରିବ ବୋଲି ଧାର ନେଇଥିଲା ଦଶହଜାର । ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ରୁ ଋଣ କରି ତାକୁ ଦେଇଥିଲି, ଅଥଚ ସେ ଫାଙ୍କିଦେଲା । ଦୁଇହଜାର ଟଙ୍କା ଧରେଇ ଦେଇ କହିଲା, ‘‘ଥାଉ କି ଟଙ୍କା-? କିରେ, ମୋ ସାଙ୍ଗରେ ବେଇମାନୀ କରୁଛୁ ?’’ ଲେଖା ନାହିଁ, ପଢ଼ା ନାହିଁ । କ’ଣ କରିଥାନ୍ତି ଆଉ ? ଗାଳି ଫଜିତ୍‌ କଲି । କହିଲା ମାନହାନୀ ମୋକଦ୍ଦମା କରିବ । କିଏ ସାକ୍ଷୀ ? ନା, କେହି ସାକ୍ଷୀ ମୋର ନାହିଁ । ଚୁପ୍‌ଚାପ୍‌ କାନମୁଣ୍ଡ ଆଉଁସି ଘରକୁ ଫେରିଲି । କାହାକୁ କହିବି ? ଠିକ୍‌ ତା’ର କିଛିଦିନ ପରେ ମୋର ଏକମାତ୍ର ଝିଅ ତା’ ବୋଉର ସବୁ ସୁନା ଗହଣା ନେଇ ପଡ଼ିଶା ଘର ଟୋକା ସାଙ୍ଗରେ ପାର୍‌ ।

 

ସେଇ କେତେଦିନ ଧରି ମୁଁ ତା’ରି ପାଖରେ କାନ୍ଦିଛି । କାରଣ ତା’ରି କଥାରେ ପଡ଼ି ମୁଁ ମୋ ସାଙ୍ଗକୁ ଟଙ୍କା ଦେଇଥିଲି । ତା’ରି କଥାରେ ପଡ଼ି ମୁଁ ସେଇ ଟୋକାକୁ ଆମ ଘରକୁ ଆସିବାକୁ ପ୍ରଶ୍ରୟ ଦେଇଥିଲି ।

 

ତା’ପରେ ସେଇଦିନ ମୁଁ ମୋର ସହ୍ୟର ଚରମ ସୀମାରେ ପହଞ୍ଚିଯାଇଥିଲି-ଯୋଉଦିନ ଜାଣିଲି ଯେ ମୋର ସ୍ତ୍ରୀ ଚରିତ୍ରହୀନା-ଦୀର୍ଘ କୋଡ଼ିଏ ବର୍ଷର ବିବାହ ଭିତରେ ମୁଁ କେବେହେଲେ ଏକଥା ସନ୍ଦେହ କରିନଥିଲି ଯେ ଅନୁପସ୍ଥିତିରେ ମୋର ବନ୍ଧୁମାନେ ମୋର ସ୍ତ୍ରୀକୁ ଉପଭୋଗ କରନ୍ତି ବୋଲି । ସବୁ ଖାଲି ସେଇ ଲୋକର କଥାରେ ପଡ଼ି । ସବୁବେଳେ ସେ ମୋର ପାଖରେ ଥାଏ । ମୋତେ ସାହସ ଦିଏ, ଦମ୍ଭ ଦିଏ । କିନ୍ତୁ ସେଦିନ ଆଉ ପାରିଲି ନାହିଁ । ତାକୁ ଧକ୍‌କା ମାରି ମୋ’ଘରୁ ନିକାଲି ଦେଲି । କହିଲି, ‘‘ତୁ ଯଦି ମୋ ଘରକୁ କେବେ ଆସିବୁ, ମୁଁ ତୋତେ ହତ୍ୟା କରିବି ।’’

 

କିନ୍ତୁ ମୁଁ କ’ଣ ଜାଣିଥିଲି ଯେ ମୁଁ ହିଁ କେବଳ ତାକୁ ପାଖରେ ରଖିଛି । ଅନ୍ୟମାନେ ତାକୁ ବହୁତ ଆଗରୁ ତଡ଼ି ଦେଇଥିଲେ । ଶେଷକୁ ଆଶ୍ରୟ ନ ପାଇ ଆମରି ଘରେ ଆଶ୍ରୟ ଚାହିଁଥିଲା । ମୋର ସ୍ତ୍ରୀ, ମୋର ପିଲାମାନେ ତାକୁ କୋଉଦିନରୁ ତଡ଼ିଦେଇଥାନ୍ତେ, କିନ୍ତୁ ମୋରି ଯୋଗୁଁ ସେ ଥିଲା । କହିବାକୁ ଗଲେ ସେ ଥିଲା ମୋର ନିଜସ୍ୱ ଲୋକ । ଶେଷକୁ ମୁଁ ବି ତାକୁ ତଡ଼ିଦେଲି ।

 

କିନ୍ତୁ ସେ ଚାଲିଯିବା ପରେ ମୁଁ ନିଜକୁ ଭୀଷଣ ଅସହାୟ, ଏକାକୀ ମନେକରୁଛି । କାମ କରିବାର ଆଗ୍ରହ ନାହିଁ–ବଞ୍ଚିବାର ଇଚ୍ଛା ବି ନାହିଁ । ବୋଧହୁଏ ସେ ଥିଲା ମୋର ବଞ୍ଚିବାର ଏକମାତ୍ର ଅବଲମ୍ୱନ । ସେ ଚାଲିଗଲା ପରେ ଆଜି ବୁଝୁଛି ଯେ ସେ ମୋର ହୃଦୟରେ କେତେ ଜାଗା ଅଧିକାର କରି ରଖିଥିଲା । ମୋତେ ଚାରିଆଡ଼ ଶୂନ୍ୟ ଲାଗୁଛି । ମହାଶୂନ୍ୟରେ ମୁଁ ଯେମିତି ଖାଲି ଝୁଲୁଛି । ଫେରିଆସିଲି ଗାଁରୁ ଶୂନ୍ୟ ହାତରେ । ସତରେ କ’ଣ ସେ ହଜିଗଲା ? ସତରେ କ’ଣ ମୁଁ ତାକୁ ଆଉ ପାଇବି ନାହିଁ ? ସେ କ’ଣ କେବେ ଆଉ ଫେରିଆସିବ ନାହିଁ । ଏକ ଗଭୀର ଯନ୍ତ୍ରଣାରେ ମୋ ହୃଦୟ ବ୍ୟଥିତ ହୋଇଉଠୁଛି । ବଞ୍ଚିବାର ଶୂନ୍ୟତାରେ, ଶୂନ୍ୟତାର ବେଦନାରେ, ବେଦନାର ଗୁରୁ ଭାରରେ ମୁଁ ଯେମିତି ପେଷି ହୋଇଯାଉଛି । ସବୁ ମୋର ଚାଲିଯାଉଛି । କିନ୍ତୁ ସେଇ ଲୋକଟି ସାଥିରେ ମୁଁ ସାରା ଜୀବନ ବିତେଇ ଦେଇପାରିଥାନ୍ତି । କିନ୍ତୁ ତାକୁ ହଜେଇ ଦେଇ ମୁଁ ଆଜି ନିଃସ୍ୱ । ମୁଁ ଆଜି ନିଃସମ୍ୱଳ, ଅସହାୟ । ଏକ ନିଷ୍ଫଳ ବେଦନାରେ ମୋର ଆଖିଯୋଡ଼ିକ ବାଷ୍ପାକୁଳ ହୋଇଉଠୁଥାଏ । ଠିକ୍‌ ଏତିକିବେଳେ ଶୁଣିଲି ମୋର ନାମ ଧରି କିଏ ଡାକୁଛି । ‘‘ଆରେ-! ଟୁନାବାବୁ ଯେ-ଦଣ୍ଡବତ । କୁଆଡ଼େ ଆଇଥିଲ । ଇଆଡ଼େ ?’’ ଫେରି ଚାହିଁଲି । ଆମ ଘରର ପୁରୁଣା ଚାକର ହରିବନ୍ଧୁ । ଆଜିକୁ ବହୁଦିନ ପ୍ରାୟ ୧୫ବର୍ଷ ହେବ ସେ ଆମଘର ଛାଡ଼ିଲାଣି-। ‘‘ଇଆଡ଼େ ଆଇଥିଲ, ଗରିବ କୁଡ଼ିଆରେ ଟିକେ ପାଦଧୂଳି ଦେଲନି ? ସତରେ ମୋତେ ଭୁଲିଗଲ ଟୁନାବାବୁ । ଏଇ କୋଳରେ କାଖରେ ତମକୁ ମଣିଷ କରିଥିଲି ।’’ ମୁଁ ଅପ୍ରସ୍ତୁତ ହୋଇଉଠିଲି-।‘‘ଆରେ ନାଁରେ, ମୁଁ ଗୋଟାଏ ବିଶେଷ କାମରେ ଆସିଥିଲି । ସାଙ୍ଗେ ସାଙ୍ଗେ ଫେରିଯାଉଛି ନ ହେଲେ ତୋ ଘରକୁ ଯାଇନଥାନ୍ତି ? ତୁ ତ ଆଉ ଆମଆଡ଼େ ଆସୁନୁ ?’’

 

‘‘ନାଇଁ ଆଜ୍ଞା, ବୁଢ଼ା ହେଲିଣି । ଏ ଚାଷକାମକୁ ତ ବେଳ ନିଅଣ୍ଟ । କୁଆଡ଼େ ଆଉ ଯାଇହେଉନି । ହଁ ଏଇଥର ନିଶ୍ଚୟ ଯିବି । ଏଇନେ ତ କଟକ ବାହାରିଥିଲି ।’’

 

‘‘କିରେ କାହିଁକି ?’’

 

‘‘ମୋ ନାତି ପରା କଟକ କଲେଜରେ ପଢ଼ୁଛି । ବାବୁ ତା’ ନାଁ ଦେଇଥିଲେ ‘‘ଗୋପବନ୍ଧୁ’’-। କହିଲେ ତୋ ନାଁ ତ ହରିବନ୍ଧୁ, ତୋ ନାତି ନାଁ ଗୋପବନ୍ଧୁ ।

 

ପାକୁଆ ପାଟିରେ ବୁଢ଼ା ଠୋ ଠୋ ହସିଲା । ତା’ପରେ ହଠାତ୍‌ କେମିତି ନୀରବ ହୋଇଯାଇ ଦୀର୍ଘନିଃଶ୍ୱାସ ଛାଡ଼ି କହିଲା ‘‘ଆହା, କୁଆଡ଼େ ଗଲା ସେଦିନ ?’’

 

ଦୂରରେ ବସ୍‌ର ହର୍ଣ୍ଣ ଶୁଣାଗଲା । ହଠାତ୍‌ ବୁଢ଼ା ଗାଞ୍ଜିଆ ଫିଟେଇ ଗୋଟି ଗୋଟି କରି ଟଙ୍କା ଗଣିଲା । ତା’ପରେ ଟଙ୍କାଟା ଆଣି ମୋ ହାତରେ ଗୁଞ୍ଜିଦେଇ କହିଲା–‘‘ଟୁନାବାବୁ, ଏଇ ଟଙ୍କାଟା ନିଅ । କଟକରେ ଆମ ଗୋପିମକୁ ଦେଇଦେବ । ସେ ହଷ୍ଟେଲରେ ରହୁଛି । ହେଇଟି ତା’ ଠିକଣା । ଭୁଲିବ ନାହିଁ ଟି । କାଇଁକି ଆଉ ପଇସା ଖର୍ଚ୍ଚ କରି, କାମ ମାରା କରି, କଟକ ଯିବି ? ବାଧ୍ୟକୁ ପଡ଼ିଯାଉଥିଲି ନା ।’’

 

‘‘ଆରେହେ ତୋ ନାତି କଲେଜରେ ପଢ଼ିଲାଣି ନା କ’ଣ ?’’ ‘‘ହଁ ପରା ବାବୁ । ବାପ ଛେଉଣ୍ଡ ପିଲାଟା-ଅଝଟ କଲା-କ’ଣ ଆଉ କରିବି ? ଏଇ ବୁଢ଼ା ଦିନେ ଦୁଃଖ କଷ୍ଟ କରି ଓଳିଏ ଖାଇ ତାକୁ ପାଠ ପଢ଼ଉଛି । ମଣିଷ ହେଉ ।’’

 

‘‘ତୁ ଚାଲୁନୁ ?’’

 

‘‘ନାଇଁ ନାଇଁ ବାବୁ, ତମେ ତ ଯାଉଛ । ଦେଇଦେବନି, ମୁଁ ଆଉରି କଷ୍ଟ କରିବି ? ତମକୁ ମୁଁ କ’ଣ ଅବିଶ୍ୱାସ କରିବି ? ’’

 

ମୁଁ ନାହିଁ କରିପାରିଲିନି । ସ୍ୱରଟା ଯେମିତି ବହୁ ପରିଚିତ ମନେହେଲା । ଠିକ୍‌ ସେଇ ଲୋକର ସ୍ୱର ପରି–ଅବିକଳ । ଟଙ୍କା ଧରିଲି । ପଚାଶଟା ଟଙ୍କା-କିନ୍ତୁ ମନେହେଲା ଯେପରି ପଚାଶ ମହଣ ଭରି ।

 

ବସ୍‌ ଛାଡ଼ିଲା ।

 

ମୁଁ ଜାଣିଲି ମୋର ଏ ଗାଁକୁ ଆସିବା ବ୍ୟର୍ଥ ହୋଇନି । ସେ ହଜି ଯାଇନି । ସେ କୋଉଠି ଲୁଚି ଯାଇଛି । ତାକୁ ଖୋଜିଲେ ପାଇବା ସମ୍ଭବ । ଖୋଜିଲେ ସେ ନିଶ୍ଚୟ ମିଳିବ ।

 

ଚାଲନ୍ତୁ ନା, ଆମେ ସମସ୍ତେ ସେଇ ଲୋକଟିକୁ କେବଳ ମୋ’ପାଇଁ ନୁହେଁ ଆମ ସମସ୍ତଙ୍କପାଇଁ ଖୋଜି ବାହାର କରିବା ।

Image

 

ଯେ ପକ୍ଷୀ ଉଡ଼େ ଯେତେ ଦୂର

 

ବାବୁ ରଙ୍କନିଧି ମହାପାତ୍ର ଜଣେ କିରାଣୀ-ହେଡ଼୍‌ କିରାଣୀ । ‘କିରାଣୀ’ କହିଲେ ଓଡ଼ିଶାର ବିଗତ ପଚାଶ ବର୍ଷର ଓଡ଼ିଶା ସାହିତ୍ୟିକମାନଙ୍କ ଦାନ ଫଳରେ ଆମ ମନର ସ୍ୱଭାବତଃ ଯେଉଁ ନିରୀହ, ଅମାୟିକ, ମଇଳା ଧୋତି ଓ କୁର୍ତ୍ତା ପିନ୍ଧା (ବିଭିନ୍ନ ଜାଗାରେ କାଳି ଲାଗିଥିବା ଅସମ୍ଭବ ନୁହେଁ) ଭୀରୁ, ସାତଦିନର ରୁଢ଼ ଥିବା ମୁହଁ, କୋଟରଗତ ଆଖି, ହାଡ଼ୁଆ ଗାଲ, ପାନବୋଳାରେ ନାଲିପଡ଼ିଥିବା ଦାନ୍ତ ବିଶିଷ୍ଟ ଚିତ୍ରଟିଏ ଉଦୟ ହୁଏ, ରଙ୍କନିଧିବାବୁଙ୍କୁ ଦେଖିଲେ ସେଇଟାର ଓଲଟା ମନେହୁଏ । ସେ ଯେ ଧୋତି ସାର୍ଟ ପିନ୍ଧନ୍ତି ନାହିଁ ଏ କଥା ନୁହେଁ । କିନ୍ତୁ ଏମିତି ଦରମଇଳା ଇତ୍ୟାଦି ଇତ୍ୟାଦି ନୁହେଁ । ତା’ଛଡ଼ା ତାଙ୍କର ତିନି ଚାରୋଟି ଫୁଲପେଣ୍ଟ ଅଛି । ଟେରିଲିନ୍‌ ହାଓ୍ୱାଇ ସାର୍ଟ ମଧ୍ୟ ଅଛି । ଶୀତଦିନରେ ସେ ପେଣ୍ଟ୍‌ ଭିତରେ ସାର୍ଟ ପୂରେଇ ତା’ଉପରେ ଘରବୁଣା ବଢ଼ିଆ ଡିଜାଇନ୍‌ର ଉଲ୍‌ ସ୍ୱେଟର ପିନ୍ଧି ଅଫିସ ଯିବା ଦେଖାଯାଇଛି ।

 

ମୋଟ ଉପରେ ସେ ‘ଟିପିକାଲ କିରାଣୀ ଚିତ୍ର’ ସହିତ ଏକଦମ୍‌ ମିଶନ୍ତି ନାହିଁ । ଏ ତ ଗଲା ବାହ୍ୟିକ ରୂପ । ତାଛଡ଼ା ‘‘ଭୀରୁ, ଅମାୟିକ, ଦୁର୍ବଳ, ଅତ୍ୟାଚାରିତ, ଲାଞ୍ଛିତ ଓ ଦାରିଦ୍ର୍ୟର କଷାଘାତରେ ନିପୀଡ଼ିତ’’ ପ୍ରଭୃତି ଯୋଉ ସଦ୍‌ଗୁଣାବଳୀ (?) କିରାଣୀର ଏକମାତ୍ର ଏକଚାଟିଆ ଅଧିକାର ବୋଲି ବର୍ଣ୍ଣନା କରାଯାଇଥାଏ, ତା’ସହିତ ରଙ୍କନିଧିବାବୁଙ୍କ ବ୍ୟବହାର ମୋଟେ ଖାପ୍‍ଖାଏ ନାହିଁ ।

 

ଅଫିସ୍‌ ଭିତରେ ତାଙ୍କ ଚେୟାରରେ ବସିଥିବା ବେଳେ ଯେ ତାଙ୍କୁ ନ ଦେଖିଛି ସେ କେବେ କଳ୍ପନା କରିପାରିବ ନାହିଁ କିପରି ପତାପଶାଳୀ ସିଏ । ଉଚ୍ଚ ଅଫିସରଙ୍କୁ ଯେତେ ଡର ନାହିଁ, ସମସ୍ତ ଅଧସ୍ତନ କର୍ମଚାରୀମାନେ ତାଙ୍କ ଭୟରେ ଥରହର । ସେ ମଧ୍ୟ ବାହାରିକୁ ଡରନ୍ତି ନାହିଁ । ଏପରି କି ସେକ୍ରେଟାରୀମାନଙ୍କୁ ମଧ୍ୟ ନୁହେଁ ଜବାବ ଦେଇଦିଅନ୍ତି । ସେମାନେ ବି ବୋଧହୁଏ ତାଙ୍କୁ ଡରନ୍ତି । ତା’ଛଡ଼ା, ତାଙ୍କର ଚେୟାର ଆଗରେ କେତେ ବଡ଼ ବଡ଼ ଅଫିସର୍‌ (କ୍ଲାସ ଓ୍ୱାନ୍‌ ହେଉ ବା କ୍ଲାସ ଟୁ ହେଉ) ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇରହନ୍ତି ଯେ ସେ ସେମାନଙ୍କୁ ବସିବାକୁ ବି କହନ୍ତି ନାହିଁ ।

 

କିଏ କହିବ ସିଏ ଭୀରୁ, ଦୁର୍ବଳ ଓ ଅତ୍ୟାଚାରିତ ? ସେ ତ ତାଙ୍କ ଡିପାର୍ଟମେଣ୍ଟ ଚଳାଉଛନ୍ତି । ଅଫିସର କ’ଣ ଜାଣେ ? ସେଇ ଯେ ଅଣତ୍ରିଶ ବର୍ଷ ତଳେ ସଦ୍ୟ ମେଟ୍ରିକ୍ୟୁଲେସନ ପାଶ୍ କରି ଅଠରବର୍ଷ ବୟସରେ ସେକ୍ରେଟେରୀଏଟ୍‌ ଭିତରେ ପଶିଯାଇଥିଲେ ସେଥିରୁ ସେ ଆଉ ବାହାରି ପାରିନାହାନ୍ତି । ସେ ବି ନିଜେ ବାହାରିଯିବାକୁ ଚାହିଁ ନାହାନ୍ତି । ଥରେ ଦିଥର ପ୍ରମୋସନ ହୋଇଥିଲା ‘ଅଫିସର’ ହୋଇ ବାହାରକୁ ଯିବାକୁ । ସେ, କିନ୍ତୁ ସେସବୁକୁ ପ୍ରତ୍ୟାଖ୍ୟାନ କରିଦେଇ ସେକ୍ରେଟେରୀଏଟ୍‌ରେ ରହିବାକୁ ପସନ୍ଦ କରିଛନ୍ତି ।‘‘ ଛ୍ୟା ଛ୍ୟା–କ୍ଲାସ୍‌ଟୁ ଗୋଟାଏ ଅଫିସର ? ବାରଦ୍ୱାର ଶୁଣ୍ଢି ପିଣ୍ଡା ହୋଇ କାଳ କଟିଯିବ । ଏମିତି କେତେ କ୍ଲାସ୍‌ଟୁ–କ୍ଲାସ୍‌ ଓ୍ୱାନ ମୋ ଦାଣ୍ଡଦୁଆରେ ପ୍ରତିଦିନ ଆସି ବସୁଛନ୍ତି । ମୁଁ ଫେରିଯିବି ସେମିତି ? ରାମ୍‌ ବୋଲ ।’’ ଏଇ ଅଣତ୍ରିଶ ବର୍ଷ ଭିତରେ ସେକ୍ରେଟେରୀଏଟ୍‌ର ଏପଟ ସେପଟ ସେ ଘାଣ୍ଟି ଦେଇଛନ୍ତି–ସବୁ ଆଇନ୍‌ କାନୁନ୍‌, ପିସିଡ଼େଣ୍ଟ ତାଙ୍କର ନଖ ଦର୍ପଣରେ ।

 

ଆଉ ଦାରିଦ୍ର୍ୟ ଗ୍ରସ୍ତ ?

 

ନିହାତି ଅନ୍ଧ ମଧ୍ୟ ସେ କଥା କହିବ ନାହିଁ । ଚାକିରି ଭିତରେ ସେ ଘର କରିଛନ୍ତି ଭୁବନେଶ୍ୱରରେ । ଦି ତିନିଟା ପ୍ଲଟ୍‌ ବି ତାଙ୍କ ପୁଅ, ସ୍ତ୍ରୀ, ଝିଅ ନାଁରେ ରହିଛି । ବଡ଼ପୁଅ ଡାକ୍ତରୀ ପାଶ୍‌ କରି ହାଉସ୍‌ ସର୍ଜନ ଅଛି ଓ ବଡ଼ ଝିଅ ବି ଡାକ୍ତରୀ ପଢ଼ୁଛି । ସାନଟି ଏମ୍‌.ଏ ପରୀକ୍ଷା ଦେଇ ଆଇ.ଏ.ଏସ୍‌ପାଇଁ ପ୍ରସ୍ତୁତ ହେଉଛି । ତଳ ଝିଅ ଦି’ ଜଣ ବି ଏଇ ବର୍ଷେ ଦି’ବର୍ଷ ଭିତରେ ମାଟ୍ରିକ ଦେବେ, ଘରେ ବାହାପାଇଁ ଗହଣାଗାଣ୍ଠି ବି ବେଶ୍‌ କରି ରଖିଛନ୍ତି । ଉପୁରି ଦି’ପଇସା ଅଛି । ଆରେ, କହିବାକୁ ସିନା ସେକ୍ରେଟେରୀଏଟ୍‌ରେ ପଇସା ନାହିଁ । ନ ହେଲେ ବୁଦ୍ଧିଆ ଲୋକଙ୍କୁ ସବୁଠି ପଇସା । ସେ ବଦଳି ସେକ୍‌ସନରେ ଥିବାବେଳେ ବେଶ୍‌ କିଛି ପଇସା ଆମଦାନୀ କରିଥିଲେ । ତା ଚଡ଼ା ଘରଟା ତ ଅଧେ ସରକାରୀ ଛଡ଼ ଓ ସିମେଣ୍ଟରେ ହୋଇଛି । ଛକ ଜାଗାରେ ଘର । କିଛି ନ ହୋଇ ମାସକୁ ସାଢ଼େ ତିନିଶ ଆସୁଛି । ଦୋ ମହଲାଟାପାଇଁ ଇଚ୍ଛା ଅଛି ଯେ ଥାଉ, ପୁଅମାନେ ପାରିଯାଆନ୍ତୁ, ତାପରେ ହେବ । ବାଇଶି ଟଙ୍କା ବେତନରେ ଚାକିରି ଆରମ୍ଭ କରି ସେ ଆଉ କେତେ କରନ୍ତେ ? ଯଥେଷ୍ଟ, ଯଥେଷ୍ଟ ।

 

ରଙ୍କନିଧିବାକୁ ସେକାଳର ରୀତି ଅନୁସାରେ ପିଲାଦିନୁ ବିବାହ କରିଥିଲେ । ତାଙ୍କର ପ୍ରଥମ ସନ୍ତାନ ଲାଭ ହୋଇଥିଲା ତାଙ୍କୁ ଯେତେବେଳେ ମାତ୍ର କୋଡ଼ିଏବର୍ଷ । ତାଙ୍କୁ ତିରିଶବର୍ଷ ହେଲାବେଳକୁ ସବୁ ପିଲାଗୁଡ଼ାକ ଜନ୍ମ ହୋଇସାରିଥିଲେ । ଆଉରି ବୋଧହୁଏ ହୋଇଥାନ୍ତା । ତାଙ୍କର ସ୍ତ୍ରୀ ରୋଗାଗ୍ରସ୍ତା ହୋଇପଡ଼ିଥିବାରୁ ଜରାୟୁଟି କାଟି ବାହାର କରିଦେବାକୁ ପଡ଼ିଥିଲା । ସେଇଦିନଠୁ ସେ ଏତେ ବେଶି କାମକୁ ପାରନ୍ତି ନାହିଁ । ତଥାପି ସେଇ ରୋଗୀଣା ଦେହକୁ ନେଇ ଘର ଗୋଟାକର ଦାୟିତ୍ୱ, ରନ୍ଧାବଢ଼ା ସବୁ ତ ଚଳେଇ ଆସିଛନ୍ତି, ଦୀର୍ଘ ସତେଇଶ ବର୍ଷ ଧରି-। ରଙ୍କନିଧିବାବୁଙ୍କ ମନରେ ଗର୍ବ ଏମିତି ଗୃହଲକ୍ଷ୍ମୀଟିଏ ପାଇବା ସମସ୍ତଙ୍କ ଭାଗ୍ୟରେ ଜୁଟେନାହିଁ । ଲକ୍ଷ୍ମୀ ତ । ଆସିଲା ଦିନଠାରୁ ତାଙ୍କର ଉନ୍ନତି ହୋଇଚାଲିଛି । ଏମିତି ‘ଅନ୍‌ଟିପିକାଲ’ ‘ମଡ଼ର୍ଣ୍ଣ’ କିରାଣୀବାବୁ ରଙ୍କନିଧି ମହାପାତ୍ରଙ୍କର ବେଶ୍‌ ଖୁସିର ସଂସାର । ତେବେ ଗୋଟାରଏ ଗୁଣ ଅଛି, ସେଇଟା ‘କିରାଣୀ’ର ବୋଲି କହିବା କେମିତି, ପ୍ରତ୍ୟେକ ଓଡ଼ିଆର ବିଶେଷତ୍ୱ ଗୁଣ ସେଇଟା-। ସେ ଏଇ ଅଣତ୍ରିଶ ବର୍ଷ ଚାକିରି କାଳ ଭିତରେ କଟକ, ଭୁବନେଶ୍ୱର ଓ ଗାଁ ଛଡ଼ା ଆଉ କିଛି ଦେଖିନାହାନ୍ତି । ଅବଶ୍ୟ ବାପା ଓ ବୋଉଙ୍କୁ ନେଇ ଥରେ ପୁରୀ ଯାଇଥିଲେ । ସେ ହେବ ପନ୍ଦରବର୍ଷ ତଳର କଥା । ତାଙ୍କର କାଳ ହେବା ପରଠୁ ସେ ଆଉ କୁଆଡ଼େ ମୁହେଁଇ ନାହାନ୍ତି । ଅଫିସ୍‌-ଘର, ଘର-ଅଫିସ୍‌ ମଝିରେ ମଝିରେ ବଜାର, ହାଟ, ଦୋକାନ ସଉଦା ଛଡ଼ା ସେ ଜୀବନରେ ଆଉ କିଛି କରିନାହାନ୍ତି କି ଦେଖିନାହାନ୍ତି । ସକାଳ ଦଶଟାବେଳେ ଗଣ୍ଡାଏ ଖାଇଦେଇ, ଟିକିଏ କାଠ ଆରାମ ଚୌକିରେ ଷାଠିଏଟା ନିଃଶ୍ୱାସ ମାରି, ସେ ଯେ ଅଫିସକୁ ଯାଆନ୍ତି, ଫେରୁ ଫେରୁ କେଉଁଦିନ ରାତି ଦଶଟା ବି ହୋଇଯାଏ । ଏ ଜୀବନକୁ ସେ ଏମିତି ଭଲପାଉଥିଲେ ଯେ ୟା ବାହାରେ ଆଉ ଗୋଟାଏ ଜୀବନ ଥାଇପାରେ, ୟା’ଛଡ଼ା ବାହାରେ ଅନ୍ୟକିଛି ଦେଖିବାକୁ ସୁନ୍ଦର ଥାଇପାରେ, ସେକଥା ମଧ୍ୟ ସେ ଭୁଲିଯାଇଥିଲେ । ତାଙ୍କର ସେଇ ଛୋଟ ଦୁନିଆ ଭିତରେ ସେ ତୃପ୍ତ । ଆଉ କିଛି ଦେଖିବା ଦରକାର ନାହିଁ କି ଚାହିଁବା ଦରକାର ନାହିଁ ।

 

ଏମିତି ଭାବରେ ହୁଏତ ବାବୁ ରଙ୍କନିଧି ମହାପାତ୍ର ଦୀର୍ଘ ସଇଁତ୍ରିଶ ବର୍ଷ କାଳ ଏକ ଭାବରେ କଟାଇ ପଞ୍ଚାବନ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତେ । ତା’ପରେ ହୁଏତ ଚେଷ୍ଟାକରି କୌଣସି ‘କୋର୍ଡ଼’ କମିଟି ପ୍ରଭୃତିରେ ଅନରାରୀ ସଭ୍ୟ ଭାବରେ ରହି ଭତ୍ତା ହିସାବରେ ତିନି ଚାରିଶଟଙ୍କା ଉପାର୍ଜନ କରିଥାନ୍ତେ । ପେନ୍‌ସନ ସହ ସେଇଟା ମିଶି ତାଙ୍କୁ ଭବିଷ୍ୟତ ଜୀବନପାଇଁ ଆଉ ଚିନ୍ତା କରିବାକୁ ପଡ଼ନ୍ତା ନାହିଁ । ହୁଏତ ସେ ସେମିତି ଅବସ୍ଥାରେ ନିର୍ବିଘ୍ନରେ, ନିଶ୍ଚିନ୍ତରେ, ପରିଣତ ବୟସରେ ‘ସ୍ୱର୍ଗାରୋହଣ’ କରିଥାନ୍ତେ ।

 

କିନ୍ତୁ ଘଟଣାଗୁଡ଼ାକ ତ ଠିକ୍‌ କ୍ରମାନୁସାରେ ଘଟେନାହିଁ । ହଠାତ୍‌ ସେଦିନ ସେକ୍ରେଟେରୀ ମହାନ୍ତି ସାହେବ (ଯେ କି ସବ୍‌ଡେପୁଟି ହୋଇ ଜଏନ୍‌ କରିଥିଲେ ପଚିଶିବର୍ଷ ତଳେ-ରଙ୍କନିଧିଙ୍କ ଅଫିସର ଭାବରେ) ଡାକି କହିଲେ–‘କିଓ ରଙ୍କବାବୁ ଦିଲ୍ଲୀ ଯିବ ।’

 

ରଙ୍କନିଧିବାବୁ ଆକାଶରୁ ପଡ଼ିଲେ । କିନ୍ତୁ ମୁହୂର୍ତ୍ତେ ସମ୍ଭାଳିନେଇ ମୁଚ୍‌ ମୁଚ୍‌ ହସିଲେ । ପୁରୁଣା ଚିହ୍ନା ଯୋଗୁଁ ମଝିରେ ମଝିରେ ମହାନ୍ତିବାବୁ ତାଙ୍କ ସାଙ୍ଗରେ ଏମିତି ଥଟ୍ଟା ତାମସା କରିଥାନ୍ତି-। ସେ ଓଲଟି କହିଲେ, ‘‘ସେ ଭାଗ୍ୟ ତ ସାର୍‌ ଆପଣମାନଙ୍କର । ଆପଣଙ୍କର ଆଗ ସରୁ-। ପରେ ବଳୁଛି କାହିଁ ଯେ ଆମ ଭାଗ୍ୟରେ’’-

 

ଥଟ୍ଟା ବୁଝୁଛ କି ନାହିଁ ? ଆରେ ନାଇଁମ, ସତରେ । ବଡ଼ମେଳାଟିଏ ହେଉଛି । ଜୀବନରେ ଗୋଟାଏ ଜିନିଷ ଦେଖିବା କଥା ।

 

ହଁ ଆଜ୍ଞା ହେଲା ଯେ, ତେବେ–ଟଙ୍କା !

 

ଆରେ ତମେ କ’ଣ ହାତରୁ ପଇସା ଖର୍ଚ୍ଚ କରି ଯିବ ? ଆମ ଡିପାର୍ଟମେଣ୍ଟ ତରଫରୁ ଟଙ୍କା ସାଙ୍କସନ୍‌ ହୋଇଛି । ସେଇଟା ଠିକ୍‌ହେଲା ନ ହେଲା ଦେଖିବା ନାହିଁ । ମୁଁ ଯାଉଛି ସେଇ ଇନ୍‌ସପେକେସନ୍‌ରେ । ତା ଛଡ଼ା ଗୋଟାଏ ଦି’ଟା ମିଟିଂ ବି ଅଛି ଦିଲ୍ଲୀ ସେକ୍ରେଟେରୀଏଟ୍‌ରେ । ତମେ ଯଦି ଯିବ, ତାହେଲେ ମୋ ସାଙ୍ଗରେ ତମ ଟୁର୍‌ଟା ବି ପକେଇଦିଅନ୍ତି ।

 

ହେଲା ଯେ–ରାସ୍ତା ଖର୍ଚ୍ଚଟା ସିନା–ଫେର୍‌ ଦିଲ୍ଲୀ ଜାଗା–କେତେ ଖର୍ଚ୍ଚ–

 

ତମେ ଏମିତି ଟଙ୍କା ଟଙ୍କା କାହିଁକି ହେଉଛ କିହୋ ? ଜୀବନରେ ଗୋଟାଏ ଜିନିଷ ଦେଖିବ । ଯିବା ଆସିବା ଖର୍ଚ୍ଚ ନାହିଁ–ତଥାପି କେଇଟା ଟଙ୍କାପାଇଁ-

 

ନାଇଁ ସାର୍‌, ଆପଣ ତ ଜାଣନ୍ତି । କେବେ ବାହାରି ନାହିଁ ସେଇଥିପାଇଁ–

 

ଆରେ କିଛି ଡର ନାଇଁ ମ ? ଯିବ ତାହେଲେ–

 

ହଉ ସାର୍‌ ।

 

‘ହଁ’ ମାରିଦେଇ ଆସିଲା ପରଠୁ ରଙ୍କ ନିଧିବାବୁଙ୍କ ଆଖିରେ ନିଦ ନାହିଁ । କେମିତି ଯିବେ-? କେମିତି ରହିବେ ? କ’ଣ ପିନ୍ଧିବେ ? କ’ଣ ଖାଇବେ ? ଖାଲି ଚିନ୍ତା ଲାଗିଲା ତାଙ୍କ ମୁଣ୍ଡକୁ । ବଡ଼ପୁଅ ସବୁକଥାକୁ ହସି ଉଡ଼େଇ ଦେଲା । ‘‘ବାପା, ଏତେ ଲୋକ ଯାଉଛନ୍ତି, କାହାରି କିଛି ହେଉନି । ତମେ ଖାଲି ମିଛଟାରେ ଡରୁଛ । ତା ଛଡ଼ା ତମେ ଏକା ଯାଉନ । ମହାନ୍ତିବାବୁ ସାଙ୍ଗରେ ଯାଉଛନ୍ତି । ସେଇଠିକି ଏଠିକା ଓଡ଼ିଶା ଲୋକ ବହୁତ ଯାଇଛନ୍ତି, କୌଣସି କୌଣସି ବିଭାଗର ତ ଚେୟାର ବେଞ୍ଚ ଉଠିଯାଇଛନ୍ତି । ସମସ୍ତେ ରହୁଛନ୍ତି । ତାଙ୍କ ସାଙ୍ଗରେ ରହିବ । କିଛି ଚିନ୍ତା ନାହିଁ ।’’

 

ଅବଶେଷରେ ବହୁତ କଷ୍ଟରେ ମନ ସ୍ଥିର କରି ରଙ୍କନିଧି ମହାପାତ୍ର ଝିଅ ପୁଅଙ୍କର ନାନାପ୍ରକାର ଜିନିଷର ଫରମାସ୍‌ ସାଙ୍ଗରେ ଧରି ଟ୍ରେନ୍‌ରେ ବସିଲେ । ଗୋଟା ପରିବାର ଯାଇଥିଲେ ତାଙ୍କୁ ଷ୍ଟେସନକୁ ବାଟୋଇ ଦେବାକୁ । ଟ୍ରେନ୍‌ରେ ବସିଲା ପର୍ଯ୍ୟନ୍ତ ତାଙ୍କ ମନ ସ୍ଥିର ହେଉନଥାଏ । ଯିବେ କି ନଯିବେ ଭାବୁଥାନ୍ତି, କିନ୍ତୁ ଷ୍ଟେସନରେ ଫେର୍‌ ମହାନ୍ତିବାବୁଙ୍କ ସାଙ୍ଗରେ ଦେଖା । ଏକା ଟ୍ରେନ୍‌ରେ ଯିବା କଥା । ପୁଣି ଯୋଗକୁ ଦି’ଚାରି ଜଣ ଚିହ୍ନା ଲୋକଙ୍କ ସାଙ୍ଗରେ ଦେଖାହୋଇଗଲା । ସମସ୍ତେ ‘ଦିଲ୍ଲୀ’ ବଗିରେ । ସେମାନେ ବି ଯାଉଛନ୍ତି ମେଳା ଦେଖି । ରଙ୍କନିଧି ବାବୁ ସ୍ୱସ୍ତିରେ ଦୀର୍ଘଶ୍ୱାସ ଛାଡ଼ିଲେ । କିନ୍ତୁ ଏସବୁ ସତ୍ତ୍ୱେ ବି ଟ୍ରେନ୍‌ ଛାଡ଼ିଲାବେଳକୁ କାହିଁକି କେଜାଣି ତାଙ୍କ ଆଖି ଲୁହରେ ଜକେଇ ଆସିଲା । ସତେଯେମିତି ତାଙ୍କର ପ୍ରାଣପ୍ରିୟ ଭୁବନେଶ୍ୱରକୁ ସେ ଏକାବେଳକେ ଛାଡ଼ି ଚାଲିଯାଉଛନ୍ତି । ସେ ଆଉ ଫେରିବେ ନାହିଁ । କିମ୍ୱା ଫେରିଲେ ବି ଦେଖିବେ ସେ ଭୁବନେଶ୍ୱର ଆଉ ନାହିଁ ।

 

ରଙ୍କନିଧିବାବୁ ଯାହା ଆଶଙ୍କା କରୁଥିଲେ ଟ୍ରେନ୍‌ରେ ଦି’ଦିନ କଟିବା ପରେ ସେସବୁ ଆଶଙ୍କା ତାଙ୍କର ଊଣା ଅଧିକେ ଦୂରୀଭୂତ ହୋଇଗଲେ । ଓଡ଼ିଆ ଲୋକ ପାଖରେ ଅଛନ୍ତି ଭୟ କ’ଣ-? ଟଙ୍କା, ପଇସା, ବେଗ୍‌ ପତ୍ର ସବୁ ଠିକ୍‌ ଅଛି । ଦିଲ୍ଲୀରେ ପହଞ୍ଚିବା ଆଗରୁ ସେ ପ୍ରାୟ ସୁସ୍ଥ ହୋଇଉଠିଥିଲେ, ଦୁଃଶିନ୍ତା କଟିଯାଇଥିଲା । ଷ୍ଟେସନରେ ଓହ୍ଲେଇ କିଛି ଭାବିବାକୁ ପଡ଼ିନି । ମହାନ୍ତିବାବୁ ଟେକ୍‌ସି କରିଥିଲେ । ତାଙ୍କ ସାଙ୍ଗରେ ବସି ଚାଲିଗଲେ ‘ଉତ୍କଳ ଭବନ’କୁ । ସେଇଠି ବି ଗୁଡ଼ାଏ ଓଡ଼ିଆ ଲୋକ ଥିଲେ । ତାଙ୍କୁ ଚିହ୍ନିଥିବାଗୁଡ଼ାଏ ଲୋକ ବି ପାଇଗଲେ । ତେଣୁ ସେଠି ବି ତାଙ୍କର କିଛି ଅସୁବିଧା ହେଲାନି ।

 

ଅସଲ ଗଣ୍ଡଗୋଳ ଘଟିଲା ଦିଲ୍ଲୀ ଦେଖିବାରେ । କୁତବ୍‌ମିନାର, ଯନ୍ତରମନ୍ତର, ପାର୍ଲାମେଣ୍ଟ ଭବନ, ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀଙ୍କ ଭବନ–ଆଃ, କେତେ ବଡ଼ ବଡ଼ ଘର । ଘର ତ ନୁହେଁ ପ୍ରାସାଦ । ତା ତୁଳନାରେ ଓଡ଼ିଶା ଭୁବନେଶ୍ୱର-ପୁଣି ତା ଭିତରେ ସେକ୍ରେଟେରିଏଟ୍‌ କିଛି ନୁହେଁ । ଦିଲ୍ଳୀର ଖଣ୍ଡିଏ ଭଲ ଘର ସାଙ୍ଗରେ ତୁଳନା ଯୋଗ୍ୟ ନୁହେଁ । ହଠାତ୍‌ ଯେମିତି ରଙ୍କନିଧିବାବୁଙ୍କର ଆଖିଫିଟିଗଲା । ସେ ଯେମିତି ପୁଣି ଆଉଥରେ ପିଲା ହୋଇଗଲେ । ବଡ଼ ବଡ଼ ଆଖି କରି, ବିସ୍ମିତ ଓ ଆଶ୍ଚର୍ଯ୍ୟ ହୋଇ ସବୁଗୁଡ଼ାକ ଗିଳିଯିବାକୁ ଚାହିଁଲେ-। କୌତୂହଳ, ଆଶ୍ଚର୍ଯ୍ୟ, ବିସ୍ମୟରେ ତାଙ୍କର ଲୋମ ଟାଙ୍କୁରିଉଠିଲା । କେତେ ଜିନିଷ ଅଛି ଏଇ ପୃଥିବୀରେ ଦେଖିବାପାଇଁ । କେତେ ଜିନିଷ ! ତାଙ୍କର ପଢ଼ିଲାବେଳେ ଏସବୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଥା ଇତିହାସରେ ନ ଥିଲା; କିନ୍ତୁ ତାଙ୍କର ମନେଥିଲା ଭାଇସରାୟ, ଗୋରା ସାହେବ, ଦିଲ୍ଲୀ ଦରବାର କଥା । ସେସବୁ ଦିନେ ତାଙ୍କର ସ୍ୱପ୍ନ ଥିଲା । କେବେ ଦେଖିବା କଥା ସେ କଳ୍ପନା ବି କରିନଥିଲେ । ସେ ଆଜି ସେଗୁଡ଼ା ଦେଖୁଛନ୍ତି, ନିଜ ଆଖିରେ ଦେଖୁଛନ୍ତି-ଛବି ନୁହେଁ, ଓଃ, ଏକ ଅଦ୍ଭୁତ ରୋମାଞ୍ଚରେ ତାଙ୍କର ଲୋମକୂପ ଟାଙ୍କୁରିଉଠିଲା ।

 

ତା’ପରେ ମେଳା । କେତେ ଲୋକ । ଲକ୍ଷ ଲକ୍ଷ । ତିନିଦିନ ବୁଲି ବୁଲି ବି ସେ ଦେଖି ସାରିପାରିଲେ ନାହିଁ । କେତେ ଦେଶର ଲୋକ, କେତେପ୍ରକାର ପୋଷାକ, କେତେ ପ୍ରକାର ସାଜ୍ଜସଜା । କି ବିଚିତ୍ର, ଅଦ୍ଭୁତ ଯନ୍ତ୍ର । ପ୍ରକୃତରେ ସେ ଆନନ୍ଦରେ ପାଗଳ ପରି ହୋଇଗଲେ । କୋଉଟା ଦେଖିବେ, କୋଉଟା ଛାଡ଼ିବେ ସେ କିଛି ଭାବିପାରିଲେ ନାହିଁ । ତାଙ୍କ ସାଙ୍ଗରେ ଲୋକ ତାଙ୍କୁ ଠେଲି ଠେଲି ନ ନେଇଥିଲେ ସେ ହୁଏତ ଗୋଟାଏ ଜାଗାରେ, ଗୋଟାଏ ମଣ୍ଡପ ଦେଖୁ ଦେଖୁ ସାରାଦିନ ବିତେଇ ଦେଇଥାନ୍ତେ ।

 

ଦିଲ୍ଲୀ ରହିବାର ପାଞ୍ଚଦିନ ପରେ ଯେମିତି ତାଙ୍କ ମୁଣ୍ଡରେ କୋଉଠି ଗୋଟାଏ ଶିରା କଟ୍‌କରି ଛିଡ଼ିଗଲା । ସେ ନିଜକୁ ଧିକ୍‌କାର ଦେବାକୁ ଆରମ୍ଭ କଲେ । ଛି-ଛି-ସତଚାଳିଶ ବର୍ଷ ହୋଇଗଲା, ସେ କିଛି ଦେଖିନାହାନ୍ତି, ଆଜି ପର୍ଯ୍ୟନ୍ତ ! କଟକ-ଭୁବନେଶ୍ୱର ମାଟିକୁ ଖାଲି କାମୁଡ଼ିକରି ପଡ଼ିଥିଲେ ଏ ପର୍ଯ୍ୟନ୍ତ । ସତରେ, ମହାନ୍ତିବାବୁଙ୍କ କଥାରେ ନ ଆସିଥିଲେ ତାଙ୍କର ସାରା ଜୀବନଟା ବ୍ୟର୍ଥ ହୋଇଯାଇଥାନ୍ତା । ସେ ପ୍ରତିଦିନ ସକାଳୁ ଉଠି ମହାନ୍ତିବାବୁଙ୍କ ଉଦ୍ଦେଶ୍ୟରେ ମନେ ମନେ ଠାକୁରଙ୍କୁ ପ୍ରଣାମ ଜଣାନ୍ତି ।

 

କେଡ଼େ କେଡ଼େ ଦେଶ ଇଏ । ବହିରେ ପଢ଼ିଥିଲେ । ପ୍ରାର୍ଥନା କରିଥିଲେ–‘‘ଜୟ ମା ଜନମ ଭୂମି-ପବିତ୍ର ଭାରତ ଭୂମି’’ । କିନ୍ତୁ ସେ ପଢ଼ାକଥା ଅଲଗା । ଏମିତି ଭାବରେ ସେ ଅନୁଭବ କରିନଥିଲେ । କେତେ ବିରାଟ, କେତେ ବିଶାଳ ଏଇ ଦେଶ । କେତେ ଲୋକ ତା’ ଭିତରେ । ପୃଥିବୀ ତେବେ କେଡ଼େ ବିରାଟ । କେତେ ବିଶାଳ । ସେ କିଛି କଳ୍ପନା କରିପାରନ୍ତି ନାହିଁ । ଖାଲି ‘ଆଁ’ଟା କରି ଚାହିଁ ରହିଥାନ୍ତି ।

 

ତା’ପରଠୁ ରଙ୍କବାବୁଙ୍କର ଭୟ ଭାଙ୍ଗିଗଲା ଏକାବେଳକେ । ତାଙ୍କ ଉତ୍ସାହ, ଉଦ୍ଦୀପନାକୁ ଦେଖି ମହାନ୍ତିବାବୁ ପର୍ଯ୍ୟନ୍ତ ଶେଷକୁ ଟିପ୍‌ପଣୀ କାଟିଲେ । କିନ୍ତୁ ସେତେବେଳକୁ ତାଙ୍କୁ ଆଉ ପାଏ କିଏ ? ‘‘କ’ଣ ରଙ୍କବାବୁ ଏତେଦୂର ଆସିଛୁ–ଆଗ୍ରାଟିକେ ଯିବା ନାହିଁ ତାଜମହଲ ଦେଖିବାକୁ ?’’ ‘‘ନିଶ୍ଚୟ, ନିଶ୍ଚୟ-ସାଙ୍ଗେ ସାଙ୍ଗେ ବାହାର ।’’ ‘‘କ’ଣ, ବାଟରେ ଏଲାହାବାଦ୍‌ ପଡ଼ିବ । ଟିକିଏ ତ୍ରିବେଣୀରେ ଗାଧାନ୍ତେ ନାହିଁ ?’’

 

ରଙ୍କବାବୁ ଆଗ ବାହାରିପଡ଼ନ୍ତି ।

 

‘‘କଲିକତା ବାଟେ ଯିବା । କଲିକତା ଟିକେ ଦେଖିଯାଆନ୍ତେ ନାହିଁ ?’’ ‘‘କିଏ ମନାକରୁଛି-। ଚାଲ, ଯାହା ଦେଖିବାକୁ ଅଛି ମୋତେ କହ । ଏତେଦିନ ପରେ ଆସିଛି । ସବୁ ଏକାବେଳକେ ଦେଖିଯିବି । କେଜାଣି, ଆଉ କେବେ ଏମିତି ସୁଯୋଗ ଆସିବ କି ନାହିଁ ?’’

 

ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଲାବେଳକୁ ରଙ୍କନିଧି ମହାପାତ୍ର ଜଣେ ନୂଆ ମଣିଷ । କଥାବାର୍ତ୍ତା ଚାଲିଚଳନରେ କେମିତି ଗୋଟାଏ ନୂଆ ଫୂର୍ତ୍ତି । ଆଖିରେ ଆଲୁଅ ଚକ୍‍ମକ୍‌ କରୁଛି । ଘର, ଅଫିସ୍‌ କଥା ଛଡ଼ା ଦ୍ୱିତୀୟ କଥା ଯାହା ମୁହଁରୁ ଗତ ‘୨୯’ବର୍ଷ ଧରି ଯୋଉମାନେ ଶୁଣିନଥିଲେ ସେମାନେ ଏବେ ଅବାକ୍‌ ହୋଇ ତାଙ୍କ ମୁହଁରୁ ଖାଲି ଶୁଣିଲେ ଦିଲ୍ଲୀ, କଲିକତା, ଏଲ୍ଲାହାବାଦ୍‌ ଓ ଆଗ୍ରାର କଥା । ନିଜ ପରିବାର ଓ ଅଫିସ୍‌ ଲୋକଙ୍କ କଥା ଛଡ଼ା ଯେ ଆଉ କାହାରି ବିଷୟରେ ମୁଣ୍ଡ ଖେଳେଇ ନଥିଲେ, ସେ ବର୍ତ୍ତମାନ କହିବାକୁ ଲାଗିଲେ ହଲାଣ୍ଡ ଦେଶରେ କେମିତି ନୂଆ ମେସିନ୍‌ ତିଆରି ହୋଇଛି, ରୁଷିଆରେ କେମିତି ଚନ୍ଦ୍ରଯାନ ତିଆରି ହୋଇଛି, ‘‘ଜାପାନୀମାନେ ଆମ ପରି ଭାତଖାଆନ୍ତି ହୋ-ୟାହାପ, ମାଛ ବି ଖାଆନ୍ତି ।’’ ସତେଯେମିତି ଆମୁଣ୍ଡେସେନ୍‌ ନୂତନ ଆବିଷ୍କାର କରିଛନ୍ତି । ଘରେ କିନ୍ତୁ ମହା ଗଣ୍ଡଗୋଳ । ସ୍ତ୍ରୀ ଓ ପିଲାଙ୍କପାଇଁ ଫରମାସି ଜିନିଷ କିଛି ଆଣିନାହାନ୍ତି । ଟଙ୍କା ସବୁ ଖର୍ଚ୍ଚ ହୋଇଗଲା ।

 

ସ୍ତ୍ରୀ ପାଟିତୁଣ୍ଡ କଲେ । ‘‘ଏତେଗୁଡ଼ାଏ ଟଙ୍କା ନେଇ ଯାଇଥିଲେ ସବୁଗୁଡ଼ା କ’ଣ ଏମିତି ଖର୍ଚ୍ଚ କରିଦେଲ ଯେ ପିଲାପିଲିଙ୍କପାଇଁ ଟଙ୍କାଟାର ଜିନିଷ ଆଣିପାରିଲ ନାହିଁ । ହେଇ ତ ନରସିଂହବାବୁ ଯାଇଥିଲେ ଯେ ଦେଖିବ ଯାଅ, କେତେ ଜିନିଷ ଆଣିଛନ୍ତି । ସ୍ତ୍ରୀପାଇଁ, ଝିଅପାଇଁ-କି ଶସ୍ତାରେ ସୁନ୍ଦର ଶାଢ଼ି, ଶାୟା, ବ୍ଲାଉଜ, ଚଟି, କ’ଣ ନ ଆଣିଛନ୍ତି ? ମୁଁ ଫେର୍‌ ଜାଣିଛି ତମଠୁ କେତେ କମ୍‌ ଟଙ୍କା ନେଇ ସେ ଯାଇଥିଲେ । ତମର କ’ଣ ହେଲା କହିଲ ? ଟଙ୍କାପଇସା ହଜେଇ ଦେଇନ ତ ? ପିଲାଗୁଡ଼ା କାନ୍ଦୁଛନ୍ତି କେମିତି ଦେଖିଲ ?’’

 

ରଙ୍କନିଧିବାବୁ ଗୁମ୍‌ମାରି ବସିଥାନ୍ତି ।

 

‘‘କି ମଣିଷ ଇଏ ? ଟଙ୍କାଗୁଡ଼ା ପାଣିଭଳି ଖର୍ଚ୍ଚ କରିଦେଲ, ଘରପାଇଁ ଖଣ୍ଡେ ଜିନିଷ ନାହିଁ, ପିଲାଙ୍କପାଇଁ ଖଣ୍ଡିଏ ଜିନିଷ ନାହିଁ ?’’

 

‘‘ମୋ ପଇସା ମୁଁ ଖର୍ଚ୍ଚ କଲି । ସେଥିରେ ତମର କ’ଣ ଯାଏଆସେ ?’’ ରଙ୍କନିଧିବାବୁ ଗର୍ଜିଉଠିଲେ । ତାଙ୍କ ସ୍ତ୍ରୀ ଏଇ ନୂଆ ରଙ୍କନିଧିବାବୁଙ୍କୁ ଦେଖି ଚମକିପଡ଼ିଲେ ।

 

‘‘ଶଳା ତିରିଶ ବର୍ଷ କାଳ ଖଟି ଖଟି ଆସିଲି । ଟିକିଏ ବାହାରୁ ବୁଲିଆସିଲି ଯେ ସେଥିରେ ଏତେ ପାଟି ? କୋଉ ଏବେ ନିତି ପ୍ରତି ବୁଲିଯାଉଛି । ଆଉ କୋଉ ଏବେ ଯିବାହେଉଛି-?’’

 

ତମେ ତ ବୁଝିବ ନାହିଁ କୁନାବୋଉ, କେତେ ଜିନିଷ, କେତେ ଯାଗା ଦେଖିବାକୁ ଅଛି । ଦି’ଚାରି ଯାଗା ଯାଇଛୁ କି ନାହିଁ ତ ଟଙ୍କା ଶେଷ୍‌, ଗାଡ଼ିଖର୍ଚ୍ଚ କ’ଣ କମ୍‌ ? କୋଉ ଏବେ ଖାଇ ପିଇ ମଉଜ ମଜଲିସ୍‌ କରି ପଇସା ଉଡ଼େଇ ଦେଲି କି ? କିଓ ଜୀବନରେ ଆଉ କ’ଣ ଦିଲ୍ଲୀ ଦେଖିବି କି-? ପିଲାଙ୍କପାଇଁ କ’ଣ ଜିନିଷ ଆସିବ ନାହିଁ ? ହେଇ ତ, କାଲି ପୁଣି ଆମ ଡିପାର୍ଟମେଣ୍ଟରୁ ଲୋକ ଯାଉଛନ୍ତି-କହିଲେ କ’ଣ ଆଉରି ଦେବେନି ? କିନ୍ତୁ ମୁଁ କ’ଣ ଆଉ କେବେ ସେ ଯାଗା ଦେଖିପାରିବି, ଏଇ ଆଖିରେ । ବୁଝିଲ କୁନାବୋଉ, ବଜାରରେ ଜିନିଷ ସରିଯାଉନି ଯେ ମୋ ବୟସ ସରିଯାଉଛି । ତାଙ୍କପାଇଁ ସବୁ ଜିନିଷ ଅଣାଇ ଦେବି । କିଛି ବ୍ୟସ୍ତ ହେବା ଦରକାର ନାହିଁ ।

 

ସେିଦିନ ରାତିଠୁ ରୋଗିଣା କୁନାବୋଉର ଯନ୍ତ୍ରଣା ଆହୁରି ବଢ଼ିଲା । ଠିକ୍‌ ଖାଇ ପିଇ ଶୋଇଲାବେଳକୁ–‘‘ବୁଝିଲନା କୁନାବୋଉ, ଦିଲ୍ଳୀ ଏମିତିକା ଜାଗା-ଆହା-ବୁଝିଲ କୁତବ୍‌ମିନାର୍‌–ଏଡ଼ିକି ଲମ୍ୱା-ଆମ ଭୁବନେଶ୍ୱର ଦେଉଳଠୁ ଲମ୍ୱା ମ-ଆଉ ହେଇତି ଜାଣିଚ-ରାଷ୍ଟ୍ରପତି ଭବନ । କି ଘର ହୋଇଛି ସିଏ-ବୁଝିଲ ଆମ ସେକ୍ରେଟେରୀଏଟ୍‌ କୋଠା ଭଳିଆ ତିନି ଚାରିଟା ତା ଭିତରେ ପଶିଯିବେ-ଜାଣିଛ ନା ‘‘ତାଜମହଲ’’ ସମ୍ରାଟ ସାହାଜାହାନ୍‌ ତିଆରି କରିଥିଲେ ଆଜିକୁ ଚାରିଶବର୍ଷ ଆଗରୁ-ଆଃ, କି ଜିନିଷସିଏ ହୋଇଛି । ତାଙ୍କ ସ୍ତ୍ରୀ’ଙ୍କ ସ୍ମୃତି ଉଦ୍ଦେଶ୍ୟରେ-ମୁଁ ଠିକ୍‌ କରିଛି ବୁଝିଲ ନା-ହେଃ ହେଃ–ଆମ ଘରଟାର ନାଁ ଦେବି ତମ ନାମରେ ମ–‘‘ହେମଲତା ଭବନ’’ । ମଲା–ଏମିତି ମୁହଁ ନେଫୁଡ଼ୁଛ କାହିଁକି ମ ? କେତେଲୋକ ତ ସେମିତି କରୁଛନ୍ତି–ହେଇଟି, ସେ ମେଳା କଥା କ’ଣ କହିବି–ଇନ୍ଦ୍ରପୁରୀ ତ-କୋଉ ଜିନିଷ ସେଠି ନାହିଁ ? କୋଉ ପ୍ରକାରର ଲୋକ ସେଠି ନାହାନ୍ତି–ଓଡ଼ିଆ, ବଙ୍ଗଳା, ପଞ୍ଜାବୀ, ମାଦ୍ରାସୀ, ଗୁଜୁରାଟୀ–ବିଲାତି ସାହେବ–ଆହୁରି କାହିଁ କାହିଁ ଦେଶରୁ ଲୋକମାନେ–ହେଇତି ଶୁଣୁଛ ନା, ଶୋଇପଡ଼ିଲ ମ ଜାପାନୀମାନେ–ଏଇ ଜାପାନୀଗୁଡ଼ାକ ମ, ଆମରି ପରି ଭାତଖାଆନ୍ତି । ମୁଁ ଜାଣିଥିଲି ଖାଲି ଓଡ଼ିଆ ବଙ୍ଗାଳୀ ଇତ୍ୟାଦି ଭାରତୀୟମାନେ ଖାଆନ୍ତି ବୋଲି ।’’

 

ପ୍ରଳାପ ଶୁଣୁ ଶୁଣୁ ହେମଲତା ଶୋଇପଡ଼ନ୍ତି । ପ୍ରଥମେ ପ୍ରଥମେ ଶୁଣୁଥିଲେ । ଏବେ ଖାଲି ‘ହୁଁ’ ‘ହାଁ’ କରି ଶୋଇପଡ଼ନ୍ତି । ଭାବନ୍ତି ଲୋକଟାର ହେଲା କ’ଣ ? ପାଗଳ ହୋଇଗଲା ନା କ’ଣ ?

 

ଏମିତି ହେଉ ହେଉ ଯାହାହେଉ ରଙ୍କନିଧିବାବୁଙ୍କ ଉତ୍ସାହ କ୍ରମେ ଊଣା ପଡ଼ିଆସିଥାନ୍ତା ଓ ସେ ପୁଣି ପୂର୍ବପରି ନିଜ ସ୍ଥାନକୁ ଫେରିଥାନ୍ତେ; କିନ୍ତୁ ରଙ୍କନିଧିବାବୁ ଏଇ ନୂଆ ଜିନିଷକୁ ଥରେ ପାଇ ଆଉଥରେ ଛାଡ଼ିବାକୁ ନାରାଜ । ସେ ଯେତେବେଳେ ଦେଖିଲେ କ୍ରମଶଃ ବାହାରର ସାଙ୍ଗସାଥିମାନେ ତାଙ୍କ ପ୍ରତି ଶୀଥିଳ ହୋଇଆସୁଛନ୍ତି–ପଛରେ ପଛରେ ଥଟ୍ଟା ବି କରୁଛନ୍ତି, ଏଇ ଆସିଲେ ‘‘ଦିଲ୍ଲୀ କା ଲଡ଼ୁ ଖାଇଲାବାଲା’’ ଶେଷକୁ ତାଙ୍କ ପରିବାରର ଲୋକେ (ବିଶେଷତଃ କୁନାବୋଉଟା) ତାଙ୍କ ପ୍ରତି ବୀତସ୍ପୃହ ହେଲେଣି, ସେ ଯାଇ ପୁଣି ମହାନ୍ତିବାବୁଙ୍କ ପାଖରେ ପହଞ୍ଚି ତାଙ୍କ ପ୍ରାର୍ଥନା ଜଣାଇଲେ ।

 

ମହାନ୍ତିବାବୁ ତ ପ୍ରଥମେ ଚମକିପଡ଼ିଲେ ।

 

‘‘ଏକଥା ତମେ କହୁଛ ରଙ୍କବାବୁ ?’’

 

‘‘ହଁ ସାର୍‌, ଆପଣ ଆଜ୍ଞା ମୋର ଗୁରୁ । ଆପଣ ମୋର ଆଖି ଫିଟାଇଦେଇଛନ୍ତି । ମୁଁ ଆପଣଙ୍କ କଥାରେ ଦିଲ୍ଲୀ ନ ଯାଏଁ କି ଏତେକଥା ନ ଦେଖେ । ଆଜ୍ଞା ବୟସ ହେଲା । କେତେବେଳେ ଝଡ଼ ପଡ଼ିବ କିଏ କହିବ ? ସରକାରୀ ପଇସାରେ ଅନ୍ତତଃ କିଛି ଜାଗା ଦେଖିଥାଏ-? ମହାନ୍ତିବାବୁ ଖୁସିହେଲେ । ଚେଷ୍ଟା ଚରିତ୍ର କରି ତାଙ୍କୁ ପୁନର୍ବାର ପ୍ରାତ୍ୟାଖାତ ପ୍ରମୋଶନ ଦେଇ ତାଙ୍କୁ ବଦଳି କରିଦେଲେ କଳାହାଣ୍ଡି ।

 

ଅଫିସରେ ସମସ୍ତେ ଆଶ୍ଚର୍ଯ୍ୟ ! ସେଦିନ ଗୋଟାଏ ଆନ୍ଦୋଳନ । ସବୁ ଯାଇ ରଙ୍କବାବୁଙ୍କର ପାଖରେ ହାଜର । ମହାନ୍ତି ସାହେବ ସାଙ୍ଗରେ ଏତେ ଘଣି । ସେ ପୁଣି ଶେଷକୁ । ଯାହା କହ କରଣିଆଙ୍କୁ ବିଶ୍ୱାସ ନାହିଁ ।

 

ସମସ୍ତେ ସମବେଦନା ଜଣାଇବାକୁ ରଙ୍କବାବୁଙ୍କ ପାଖକୁ ଗଲାବେଳକୁ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ରଙ୍କବାବୁ ବେଶ୍‌ ଖୁସି । ଟିକିଏ ଦୁଃଖ ନାହିଁ । କଥା କ’ଣ ? ନୂଆ ପେଞ୍ଚ କରୁଛି କି ? ଆରେ ତାକୁ ହଟେଇବା ସହଜ କଥା ହେଇଛି କି ? ଅଣତ୍ରିଶ ବର୍ଷକାଳ ସେକ୍ରେଟେରୀଏଟ୍‌ ଚଟାଣରେ ନାକ ଘସିଛି ଯିଏ ତାକୁ ପୁଣି । ସେ ମାରିବନି କି ଓଲଟି ପେଞ୍ଚ । ସେକ୍ରେଟାରୀ ହେଲେ କ’ଣ ହେଲା ? ରଙ୍କବାବୁଙ୍କ ବୁଦ୍ଧିକି ପାରିବ ସିଏ ?

 

ରଙ୍କବାବୁ ଚୁପ୍‌ । ନୀରବରେ ଏକ ଅଦ୍ଭୁତ ଆନନ୍ଦରେ ମସ୍‌ଗୁଲ । କାହାରି କଥା ତାଙ୍କ କାନରେ ପଶୁନଥାଏ । ଶେଷକୁ କହିଲେ,‘‘ଆରେ କାହିଁକି ମିଛଟାରେ ତାଙ୍କୁ ଦୋଷ ଦେଉଛ ? ସେ ମୋର ଗୁରୁ, ସେ ମୋ ଆଖି ଫିଟେଇ ଦେଇଛନ୍ତି । ମୁଁ ତ ନିଜେ ଯାଇ ତାଙ୍କୁ ଜବରଦସ୍ତି କରି ବଦଳି ଅର୍ଡ଼ର କରେଇଛି । ସେ କ’ଣ ମୋତେ ଛାଡ଼ିବାକୁ ରାଜିଥିଲେ କି ? କେତେ କଷ୍ଟରେ-ସେଇ ପୁରୁଣା ଭାବଦୋସ୍ତି ଥିଲା ବୋଲି’’

 

ବଦଳି ଅର୍ଡ଼ରଟା ଧରି ଖୁସି ମନରେ ଘରକୁ ଆସୁ ଆସୁ ଦେଖିଲେ ଘରେ ତାଙ୍କର କାନ୍ଦ ବୋବାଳି ପଡ଼ିଯାଇଛି । ମନଟା ତାଙ୍କର ପାପ ଛୁଇଁଲା । କଥା କ’ଣ ? ସେ ଘରେ ପାଦ ଦେଉ ନ ଦେଉଣୁ ଶୁଣିଲେ–‘‘ୟାଙ୍କୁ ଏ ବାଇଆ ବୁଦ୍ଧି କିଏ ଦେଲା ? ଏମିତି ପାଗଳ ହେଉଛନ୍ତି କାହିଁକି ? ଏ ବୁଢ଼ା ବୟସରେ ବଦଳି ହେବାକୁ ତାଙ୍କୁ କିଏ କହିଲା ? ତାଙ୍କର କ’ଣ ଟିକିଏ କାଣ୍ଡଜ୍ଞାନ ନାହିଁ ? ଯେତିକି ଯେତିକି ବୁଢ଼ା ହେଉଛନ୍ତି–ସେତିକି କ’ଣ ପିଲା ହୋଇଯାଉଛନ୍ତି । କେଡ଼େ ସୁନ୍ଦର ଘରଦ୍ୱାର କରି ପିଲାପିଲିଙ୍କୁ ନେଇ ଭୁବନେଶ୍ୱରରେ ରହିଥିଲୁ । ସେଇଟା କ’ଣ ତାଙ୍କୁ ଏତେ ପିତା ଲାଗିଲା ? ମୁଁ ଏବେ କ’ଣ କରିବି ଲୋ ମା ? ଏ ପିଲାଙ୍କୁ ନେଇ କୋଉ ବଣ ଜଙ୍ଗଲକୁ ଯିବି । ଏ ମଣିଷଟାର କ’ଣ ହେଲା ?’’

 

ଭୁବନେଶ୍ୱର ଖବରଟା କେତେ ଶୀଘ୍ର ପହଞ୍ଚେ । ତାଙ୍କୁ ଦେଖି କୁନାବୋଉଙ୍କର ଦୁଃଖ, କ୍ରୋଧ, ଅଭିମାନ ଏକାବେଳକେ ଫାଟିପଡ଼ିଲା । ସେ ଏକଦମ୍‌, ମାର୍ ନମାର୍‌ ଅବସ୍ଥା । ‘‘କ’ଣ ତମର–ବୁଦ୍ଧିବୃତ୍ତି ସବୁ ଲୋପ ପାଇଲା କି ? ଭୁବନେଶ୍ୱର ଛାଡ଼ି ବଦଳି ହେବାକୁ ତମକୁ କିଏ କହୁଥିଲା ଶୁଣେ ? ଖବରଦାର କହିଦେଉଛି, ମୁଁ ମୋ ପିଲାଙ୍କୁ ନେଇ ସେ ବଣ ଜଙ୍ଗଲକୁ ଯାଇପାରିବି ନାହିଁ । ତମେ ତମର ଯାଅ ପଛେ । ପିଲାଏ ପାଠ ପଢ଼ୁଛନ୍ତି । ତାଙ୍କୁ ଏଇଲେ ଏଇଠୁ ନେଇ ସେଠିକି ଯିବି କାହିଁକି ? ତାଙ୍କର କ୍ଷତି ହେବ ନାହିଁ ? କେତେ ସୁନ୍ଦର ଏଇଠି ରହି ପାଠ ପଢ଼ୁଛନ୍ତି । ସେଠିକି ନେଇ କ’ଣ ମୂର୍ଖ କରେଇବ ? ସେଇଠି ଘର ନାହିଁ କି ଦ୍ୱାର ନାହିଁ । କିମିତି ଯାଗା । ତମକୁ ରାନ୍ଧିବାଢ଼ି ଦବ କିଏ ? ଏ ବୁଢ଼ା ବୟସରେ ସେ ଜାଗାରେ ପାଣି ତମ ଦିହରେ ଯିବ କି ନାହିଁ ? କିଛି ବୁଝିଲନି । ଖାଲି ଗୋଟାଏ ଜିଦ୍ !’’

 

ରଙ୍କନିଧିବାବୁ ଚୁପ୍‌ ହୋଇ ସବୁ ଶୁଣିଲେ । ତା ପରେ ହସି ହସି କହିଲେ–

 

‘‘କୁନାବୋଉ, ମୁଁ ତମକୁ ଓ ପିଲାମାନଙ୍କୁ ନେବିନାହିଁ ବୋଲି ତ ଠିକ୍‌ କରିଛି । ତମେ ଯାହା କହୁଛ ଠିକ୍‌ କହୁଛ । ଏ ଅବସ୍ଥାରେ ସେମାନଙ୍କ ସ୍କୁଲ ବଦଳି କଲେ ଅସୁବିଧା ହେବ । ତା ଛଡ଼ା ପୁପୁଟା ପରୀକ୍ଷାପାଇଁ ପଢ଼ାପଢ଼ି କରୁଛି । ସେଠିକି ଯାଇ ସେ ବହିପତ୍ର ପାଇବ ନାହିଁ । ସେଇଥିପାଇଁ ମୁଁ କହୁଛି ତମେ ସବୁ ଏଇଠି ରହିବ । ମୁଁ ଏକୁଟିଆ ଯିବି ।

 

‘‘ଆଉ କୋଉଠି ରହିବ ? କ୍ୱାଟର ଖଣ୍ଡକ ତ ଯିବ ।’’

 

‘‘କାହିଁକି ଆମର କ’ଣ ଘର ନାହିଁ ? ଅଧିକରେ ତମେ ରହିବ, ବାକି ଅଧିକ ଯେମିତି ଭଡ଼ାଲାଗିଛି–ସେମିତି ଲାଗିଥିବ ।’’

 

‘‘ଘର ଭଡ଼ାରୁ ଯାହା ଦି ପଇସା ଆସୁଥିଲା, ସେ ବି ଗଲା । କି ନିଆଁଲଗା ଭୂତ ସେ ସେକ୍ରେଟେରୀଟା ତମ ମୁଣ୍ଡରେ ଲଗେଇ ଦେଇଛି କେଜାଣି-ସବୁଆଡ଼ୁ ନଷ୍ଟ । ଏଠୁ ଭଡ଼ାଘର ନଷ୍ଟ, ସେଇଠି ପୁଣି ତମେ ଘରଭଡ଼ା ନେବ । ଦି ଦିଟା ଜାଗାରେ ଖର୍ଚ୍ଚ’’

‘‘ଆହା କିଛି ଭାବନି-ସବୁ ଠିକ୍‌ ହୋଇଯିବ ।’’

ମୁଁ କ’ଣ ଖାଲି ମୋ କଥା ଭାବୁଛି ? ତମେ ସେଠି ଯାଇ ଏ ବୁଢ଼ା ବୟସରେ କ’ଣ ଖାଇବ, କେମିତି ରହିବ, ସେଇ ଚିନ୍ତା’’

‘‘ଆରେ, ସେଠି କ’ଣ ମଣିଷ ରହୁନାହାନ୍ତି । ଅନ୍ୟ ଚାକିରି କରିଥିଲେ ତ ଫେର ବଦଳି ହୋଇଥା’ନ୍ତା ନା ନାହିଁ ।’’

‘‘ମୁଁ କହିଥିଲେ ହୋଇଥାନ୍ତା । ତିରିଶବର୍ଷ ଏମିତି ଚଳିଆସିଲି, ଆଉ ଏ ବୁଢ଼ୀ କାଳରେ ଏ କଷ୍ଟ ଯୋଗ ଥିଲା ?’’

ବଡ଼ପୁଅ ଓ ବଡ଼ଝିଅ ଆସିଲେ ।

ସେମାନେ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କଲେ । ରଙ୍କନିଧିବାବୁ କାହିଁରେ ବୁଝିବା ଜନ୍ତୁ ନୁହନ୍ତି । ପିଲାଗୁଡ଼ାକୁ କ’ଣ ଜାଣିଛନ୍ତି । ଶେଷକୁ ମା, ପୁଅ, ଝିଅଙ୍କ ବିଚାର ହେଲା । ପୁଅ କହିଲା, ‘‘ବୋଉ ତୁ କିଛି ଭାବନା । ସେ ଯାଆନ୍ତୁ । ତାଙ୍କ ମନ ହେଇଛି । ଏଇନା ସେ କାହାକଥା ଶୁଣିବେନି-। ସେ ମାସ ଦୁଇଟା ଏକୁଟିଆ ରହିଲେ ବଳେ ବୁଝିଯିବେ ନାହିଁ ? ସେ ଫେର୍‌ ଆପେ ଆପେ ଫେରିଆସିବେ ।’’

 

ଅତଏବ ରଙ୍କବାବୁଙ୍କ ଯିବା କଥା ନିଧାର୍ଯ୍ୟ ହୋଇଗଲା ।

 

ଯୋଉଦିନ ସେ ବିଛଣାପତ୍ର ବାନ୍ଧି, ଟଙ୍କାପତ୍ର ସଜାଡ଼ି ଭୁବନେଶ୍ୱର ଛାଡ଼ିଲେ ସେଦିନ ତାଙ୍କର ମନ ଏକ ବିଚିତ୍ର ଉନ୍ମାଦନାରେ ଭରିଯାଇଥାଏ । ସେ ଏକ ଅଜଣା ଆନନ୍ଦରେ କୁରୁଳିଉଠୁଥାନ୍ତି । ତାଙ୍କର ମନେପଡ଼ିଲା ଛଅମାସ ତଳର ଆଉ ଗୋଟିଏ ଦିନର କଥା ।

 

ସେଦିନ ବି ସେମିତି ତାଙ୍କର ଗୋଟା ପରିବାର ତାଙ୍କୁ ଆସିଥିଲେ ବିଦାୟ ଦେବାକୁ । କିନ୍ତୁ ଆଜିକାର ଓ ସେଦିନର ପରିସ୍ଥିତି ଭିତରେ କି ଆକାଶ ପାତାଳ ପ୍ରଭେଦ । ସେଦିନ ସେ ଭୁବନେଶ୍ୱର ଛାଡ଼ି ଯିବାକୁ କେତେ ଦୁଃଖ କରୁଥିଲେ । ଅଥଚ ଆଜି ତାଙ୍କୁ ଛାଡ଼ି ଯିବାକୁ ଆନନ୍ଦ ଲାଗୁଛି ।

 

ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନ ଛାଡ଼ି ଏରୋଡ଼୍ରମ୍‌ ପଡ଼ିଆ ପାଖକୁ ହେଲାବେଳକୁ ସେ ସ୍ୱସ୍ତିରେ ଏକ ଦୀର୍ଘନିଶ୍ୱାସ ଛାଡ଼ିଲେ । ସତେଯେମିତି ବହୁଦିନ ପରେ ସେ ଗୋଟାଏ ଜେଲ୍‌ଖାନାରୁ ମୁକ୍ତିଲାଭ କରିଛନ୍ତି । ସେ ଟ୍ରେନ୍‌ ଝରକା ଦେଇ ବାହାରକୁ ଅନେଇଲେ । ରାତିର ଅନ୍ଧାର ଭିତରେ ଚାରିଆଡ଼ କଳା ଦିଶୁଥାଏ । ଆକାଶଟା କେତେ ବିରାଟ । ଚାରିଆଡ଼ ଖୋଲା । ଚାରିଆଡ଼ ବିସ୍ତୃତ ।

 

ମନ ତାଙ୍କର ଆନନ୍ଦରେ ନାଚିଉଠିଲା । ମନେ ମନେ ସେ ଭାବିଲେ ସେ ହେଉଛନ୍ତି ଗୋଟାଏ ଚଢ଼େଇ । ପିଞ୍ଜରା ଭାଙ୍ଗି ଉଡ଼ୁଛନ୍ତି–ଉଡ଼ୁଛନ୍ତି–ଉପରକୁ–ତଳକୁ–ଡାହାଣକୁ-ବାଁକୁ- ।

Image